🔥 TRENDING સુમેરપુરમાં કાર‑બાઈક ટક્કર, ડ્રાઇવર સ્... Key Accused in Sagar Hooch Tragedy Arr... Ganpati chants reverberate through Kum... Congress workers march on foot in Mung... Madhya Pradesh transfers 10 IPS, 127 S... સિનોર તાલુકામાં વરસાદની આવકથી ખેડુતોમા...
13 Sep 2026
ગુજરાતી मराठी ਪੰਜਾਬੀ বাংলা
Viral & Trending

ନନ୍ଦନକାନନକୁ ଓରାଂଉଟାନ ଚିନ୍ତା: ଶିଶୁଙ୍କୁ ସୁସ୍ଥ ଓ ଚାପମୁକ୍ତ ରଖିବାକୁ କସରତ, ଖୁବ୍‌ଶୀଘ୍ର ପାଇବେ ପ୍ରାକୃତିକ ପରିବେଶ

✍️ Reporter: Deepak Mahapatra 🗓 12 Sep 2026, 01:18 PM 👁 33
Share: 💬 WhatsApp 📘 Facebook 𝕏 Post

ବାଲେଶ୍ବର ଭୋଗରାଇ ରଣକୋଠ ଜଙ୍ଗଲରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ୫ ଓରାଂଉଟାନ ଶାବକ ସମ୍ପ୍ରତି ସମଗ୍ର ଦେଶରେ ଏକ ବଡ଼ ଚର୍ଚ୍ଚାର ପ୍ରସଙ୍ଗ ହୋଇସାରିଛି। ଗୋଟିଏ ପଟେ ଏହି ବିରଳ ବନ୍ୟପ୍ରାଣୀଙ୍କୁ ଚୋରାରେ ଚାଲାଣ କରୁଥିବା...

ବାରଙ୍ଗ: ବାଲେଶ୍ବର ଭୋଗରାଇ ରଣକୋଠ ଜଙ୍ଗଲରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ୫ ଓରାଂଉଟାନ ଶାବକ ସମ୍ପ୍ରତି ସମଗ୍ର ଦେଶରେ ଏକ ବଡ଼ ଚର୍ଚ୍ଚାର ପ୍ରସଙ୍ଗ ହୋଇସାରିଛି। ଗୋଟିଏ ପଟେ ଏହି ବିରଳ ବନ୍ୟପ୍ରାଣୀଙ୍କୁ ଚୋରାରେ ଚାଲାଣ କରୁଥିବା ଅନ୍ତର୍ଜାତୀୟ ରୢାକେଟ୍‌କୁ ଠାବ କରିବା ଲାଗି ଏସ୍‌ଟିଏଫ୍‌ ସ୍କ୍ବାଡ୍‌ ତନାଘନା କରୁଛି। ଅନ୍ୟ ପଟେ ଏହି ଶିଶୁ ଓରାଂଉଟାନମାନଙ୍କୁ ବଞ୍ଚାଇ ରଖିବା ନନ୍ଦନକାନନ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ମା’ କୋଳ ଆବଶ୍ୟକ କରୁଥିବା ଏହି ଶିଶୁମାନଙ୍କୁ ସବୁପ୍ରକାର ଖୁସି ଯୋଗାଇବା ସହ ସେମାନଙ୍କୁ ଚାପମୁକ୍ତ କରି ରଖିବା ଲାଗି ନନ୍ଦନକାନନ କର୍ତ୍ତୃପକ୍ଷ ୨୪ ଘଣ୍ଟିଆ କସରତ କରୁଛନ୍ତି। ତେଣୁ ଓରାଂଉଟାନ ଶାବକମାନଙ୍କୁ ଚାପମୁକ୍ତ ରଖିବାକୁ ଯାଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚାପ ବଢ଼ିଯାଇଛି। ପ୍ରତିଦିନ ନିୟମିତ ବ୍ୟବଧାନରେ ବନ୍ୟପ୍ରାଣୀ ବିଶେଷଜ୍ଞ, ଚିକିତ୍ସକ ଓ ଜନ୍ତୁରକ୍ଷକମାନେ ସେମାନଙ୍କ ଉପରେ ନଜର ରଖି ବସିଛନ୍ତି। ଶୈଶବ ଅବସ୍ଥାରେ ଥିବାରୁ ସେମାନଙ୍କୁ ପ୍ରାକୃତିକ ବଣଜଙ୍ଗଲ ପରିବେଶ ନିହାତି ଦରକାର। ଖୁବ୍‌ଶୀଘ୍ର ଏହି ଶାବକମାନଙ୍କୁ ସକାଳ ଖରାରେ ବୁଲାଇବା ସହ ଗଛ ଡାଳରେ ଡିଆଁଡେଇଁ ଓ ଝୁଲିବା ଭଳି ବ୍ୟବସ୍ଥା କରାଯିବ ବୋଲି ‌ଯୋଜନା କରାଯାଉଛି। ଏବେ ଏହି ଶାବକମାନଙ୍କୁ ନନ୍ଦନକାନନ ପ୍ରାଣୀ ଚିକିତ୍ସାକେନ୍ଦ୍ର ପରିସରସ୍ଥ ଶିଶୁ ପ୍ରାଣୀ ସେବା ଯତ୍ନ କେନ୍ଦ୍ରରେ ସଂଗରୋଧରେ ରଖାଯାଇଛି। ନନ୍ଦନକାନନ କର୍ତ୍ତୃପକ୍ଷ ଜାରି କରିଥିବା ଭିଡିଓ ଅନୁସାରେ ଶାବକମାନେ ବେଶ୍‌ ଖୁସିବାସିରେ ଚଳପ୍ରଚଳ ହେଉଛନ୍ତି। ଟେଡି କଣ୍ଢେଇ ଧରି ଖେଳୁଛନ୍ତି ଓ କଣ୍ଢେଇକୁ କୁଣ୍ଢେଇ ଶୋଇପଡ଼ୁଛନ୍ତି। ସେହି ଘରେ ଦୁଇ ଝରକାରେ ଏକ ଲମ୍ବା କପଡ଼ା ବନ୍ଧା ହୋଇଛି। ଗଛ ଡାଳରେ ଓହଳିବା ଭଳି ବଡ଼ ଶାବକଦ୍ବୟ ସେହି କପଡ଼ାରେ ଓହଳି ଖେଳୁଛନ୍ତି। ବଡ଼ଛୁଆଦ୍ବୟ ନିଜେ ଖାଇବା ପିଇବା କରୁଛନ୍ତି ଏବଂ ଛୋଟ ୩ ଛୁଆଙ୍କୁ କେୟାର୍‌ଟେକର୍‌ମାନେ ଖୁଆଇ ପିଆଇ ଦେଉଛନ୍ତି। ସେମାନଙ୍କୁ ଯେମିତି ମା’ ଯତ୍ନ ମିଳିବା କଥା, ଠିକ୍‌ ସେମିତି କରିବା ପାଇଁ କେୟାର୍‌ଟେକର୍‌ମାନେ ଲାଗିପଡ଼ିଛନ୍ତି। କେୟାର୍‌ଟେକର୍‌ମାନେ ମା’ ଓରାଂଉଟାନର ଭୂମିକା ନେଉଥିବା ବେଳେ ଡାକ୍ତର ଦଳ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି। ଏବେ ଏହି ଶାବକମାନଙ୍କ ଉପରେ ସମଗ୍ର ଦେଶର ଆଖି ରହିଛି। ତେଣୁ ସେମାନଙ୍କୁ ସୁସ୍ଥ ସବଳ ରଖିବା ଏକ ଗୁରୁଦାୟିତ୍ବ ଓ ଚ୍ୟାଲେଞ୍ଜ୍‌ ବୋଲି କୁହାଯାଉଛି। ଓୟୁଏଟି ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ ଖୁବ୍‌ଶୀଘ୍ର ଏହି ଶାବକମାନଙ୍କୁ ସକାଳ ସୂର୍ଯ୍ୟ କିରଣରେ ବୁଲିବାକୁ ଦିଆଯିବ ବୋଲି ଯୋଜନା କରାଯାଉଛି। ନନ୍ଦନକାନନ ଉପନିର୍ଦ୍ଦେଶକ ପ୍ରଦୀପ ମୀରାସେ ଦେବୀଦାସଙ୍କ ସୂଚନାନୁସାରେ କୃମି ଆକ୍ରାନ୍ତ ଛୋଟଛୁଆଟିକୁ ଓୟୁଏଟି ବିଶେଷଜ୍ଞ ତଥା ସିଡବ୍ଲୁଏଚ୍‌ର ପରାମର୍ଶକ୍ରମେ ଡିୱାର୍ମିଂ ଔଷଧ ଦିଆଯିବ। ଅନ୍ୟମାନେ ଯେମିତି କୃମି ସଂକ୍ରମଣର ଶିକାର ନ ହୁଅନ୍ତି, ସେଥିପ୍ରତି ସତର୍କ ନଜର ରଖାଯାଇଛି ଏବଂ ନିରାକରଣ ବ୍ୟବସ୍ଥା କରାଯାଇଛି। ଜ୍ବରପୀଡ଼ିତ ଶାବକମାନେ ଔଷଧ ସେବନ କରିବା ପରେ ସୁସ୍ଥ ହୋଇଗଲେଣି। ୧୦ଦିନ ପରେ ଶାବକମାନଙ୍କର ଡିଏନ୍ଏ ସହିତ ମଳମୂତ୍ର ପରୀକ୍ଷା କରାଯିବ। ଡିଏନ୍‌ଏ ପରୀକ୍ଷାରୁ ସେମାନଙ୍କ ପ୍ରଜାତି ସମ୍ବନ୍ଧରେ ବିଶେଷ ସୂଚନା ମିଳିଯିବ ଏବଂ ସେହି ଅନୁସାରେ ସେମାନଙ୍କ ଚିକତ୍ସା କରାଯିବ ଓ ଯତ୍ନ ନିଆଯିବ।
📲Get App