🔥 TRENDING Mizoram CM Launches Smart ATI App and... CM Pema Khandu Addresses Bordumsa SIR... Kalaktang, Arunachal Pradesh Launches... Arunachal Pradesh CM Pema Khandu Calls... Jammu & Kashmir’s inaugural Internatio... Jammu & Kashmir Bank alerts customers...
07 Sep 2026
ગુજરાતી मराठी ਪੰਜਾਬੀ বাংলা
FCI ଚାଉଳ ଉଠାଣ ବିବାଦ: ଯୋଗାଣ ମନ୍ତ୍ରୀଙ୍କ କ୍ଷୋଭ ପରେ ବର୍ଷିଲା ବିଜେଡି, ୨୮ଲକ୍ଷ ଟନ୍ ଖରିଫ ଚାଉଳ ନଉଠିବା ଯୋଗୁ ଆଗାମୀ ଧାନ କିଣା ଠପ୍ ଆଶଙ୍କା
Agriculture

FCI ଚାଉଳ ଉଠାଣ ବିବାଦ: ଯୋଗାଣ ମନ୍ତ୍ରୀଙ୍କ କ୍ଷୋଭ ପରେ ବର୍ଷିଲା ବିଜେଡି, ୨୮ଲକ୍ଷ ଟନ୍ ଖରିଫ ଚାଉଳ ନଉଠିବା ଯୋଗୁ ଆଗାମୀ ଧାନ କିଣା ଠପ୍ ଆଶଙ୍କା

✍️ Reporter: Deepak Mahapatra 🗓 07 Sep 2026, 05:02 PM 👁 2
Share: 💬 WhatsApp 📘 Facebook 𝕏 Post
ଯଦି ଯୁଦ୍ଧକାଳୀନ ଭିତ୍ତିରେ ଏହି ମୋଟ ୪୨.୩୭ ଲକ୍ଷ ମେଟ୍ରିକ୍ ଟନ୍ ବଳକା ଚାଉଳ ଉଠାଣ ନହୁଏ, ତେବେ ଆଗାମୀ ୨୦୨୬-୨୭ ଖରିଫ୍ ଋତୁରେ ରାଜ୍ୟର ଚାଷୀଙ୍କଠାରୁ ନୂଆ ଧାନ କିଣିବା ପ୍ରକ୍ରିୟା ସମ୍ପୂର୍ଣ୍ଣ ଠପ୍ ହୋଇଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।ଧାନ ସଂଗ୍ରହରେ ଓଡ଼ିଶା ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲେ ମଧ୍ୟ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଠିକ୍ ସମୟରେ ଚାଉଳ ନଉଠାଇବା ଯୋଗୁ ଏବେ ବିଚିତ୍ର ସ୍ଥିତି ଉପୁଜିଛି। ଏଫସିଆଇ ଟାର୍ଗେଟ୍ ମୁତାବକ ଚାଉଳ ଉଠାଉ ନଥିବାରୁ ରାଜ୍ୟର ହାତ ବାନ୍ଧି ହୋଇଯାଉଛି ବୋଲି ଖୋଦ୍ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜର ଅସହାୟତା ପ୍ରକାଶ କରିବା ପରେ ଏହାକୁ ମୁଖ୍ୟ ଅସ୍ତ୍ର କରି ବିରୋଧୀ ବିଜେଡି ଆଜି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି। ତେବେ ସରକାରୀ ରିପୋର୍ଟ ଅନୁସାରେ, ୨୦୨୬ ଜୁଲାଇ ୨୬ ତାରିଖ ପରଠୁ ଚାଉଳ ଉଠାଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ମନ୍ଥର ହୋଇପଡ଼ିଛି। ଯେଉଁଥିପାଇଁ କେବଳ ୨୦୨୫-୨୬ ଖରିଫ୍ ଋତୁର ପ୍ରାୟ ୨୮.୬୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଏବେବି ଗୋଦାମଗୁଡ଼ିକରେ ପଡ଼ିରହିଥିବା ଜଣାପଡ଼ିଛି ।ଏଫସିଆଇ ଚାଉଳ ଉଠାଣ କରି ଗୋଦାମ ଖାଲି କରୁନଥିବାରୁ ମିଲର୍ସମାନଙ୍କ ପାଖରେ ୨୦୨୫-୨୬ ରବି ଋତୁରେ ସଂଗୃହୀତ ୨୦.୪୬ଲକ୍ଷ ମେଟ୍ରିକ ଟନ୍ ଧାନ (ପ୍ରାୟ ୧୩.୭୧ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ) ମିଲିଂ ହୋଇ ସରକାରୀ ପୁଲକୁ ଆସିପାରୁ ନାହିଁ। ଯାହାଫଳରେ ଆଗାମୀ ୨୦୨୬-୨୭ ଖରିଫ୍ ଋତୁରେ ଚାଷୀଙ୍କଠାରୁ ନୂଆ ଧାନ କ୍ରୟ ସମ୍ପୂର୍ଣ୍ଣ ଠପ୍ ହୋଇଯିବାର ଆଶଙ୍କା ଦେଖାଦେଇଛି।ଓଡ଼ିଶା ଯୋଗାଣ ନିଗମର ବାର୍ଷିକ ଉତ୍ସବରେ ଏଫସିଆଇ ଜେନେରାଲ ମ୍ୟାନେଜରଙ୍କ ଉପସ୍ଥିତିରେ ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜର କ୍ଷୋଭ ବ୍ୟକ୍ତ କରି ଏଫସିଆଇ ନିଜ କଥା ରଖୁନଥିବା କହିଥିଲେ । ଏଫସିଆଇ ଯେଉଁ ଟାର୍ଗେଟ୍ ଦେଇଥିଲା ଚାଉଳ ଉଠାଇବା ପାଇଁ ତାହାକୁ ପୂରଣ କରୁନାହିଁ । ବାରମ୍ବାର ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ମଧ୍ୟ ଏହି ଗୋଟିଏ ସମସ୍ୟା ଆମକୁ ବାଧୁଛି ବୋଲି ମନ୍ତ୍ରୀ କହିବାକୁ ପଛାଇନଥିଲେ। ଆମେ ପ୍ରାୟ ୩୦ହଜାର କୋଟି ଟଙ୍କା ଦେଇ ୪୮ଘଣ୍ଟା ଭିତରେ ଚାଷୀଙ୍କୁ ପାଉଣା ଦେଉଥିବାବେଳେ ଏଫସିଆଇ ଟାର୍ଗେଟ୍ ଫେଲ୍ ମାରିଛି ଓ ଚାଉଳ ଇଭାକ୍ୟୁସନ ନହେବା ଯୋଗୁ ଆମ ହାତ ବାନ୍ଧି ହୋଇଯାଉଛି। ଯାହାଫଳରେ ପୁଣିଥରେ ଧାନ କିଣିବା ଓ ପ୍ରୋସେସିଂ କରିବା କଷ୍ଟକର ହୋଇପଡ଼ିବ। ଅନ୍ୟ ରାଜ୍ୟକୁ ଦରଦ ଦେଖାଉଛନ୍ତି କିନ୍ତୁ ଆମ ପ୍ରତି କାହିଁକି ନାହିଁ ବୋଲି ମଧ୍ୟ ମନ୍ତ୍ରୀ ଶ୍ରୀ ପାତ୍ର କ୍ଷୋଭର ସହ କହିଛନ୍ତି।

ଯୋଗାଣ ମନ୍ତ୍ରୀଙ୍କ ଏହି କ୍ଷୋଭ ପରେ ବିରୋଧୀ ବିଜେଡି ଏହାକୁ ନେଇ କଡ଼ା ଭାଷାରେ ବର୍ଷିଛି। ଦଳର ଦୁଇ ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ଓ ସଞ୍ଜୟ ଦାସବର୍ମା ସାମ୍ବାଦିକ ସମ୍ମିଳନୀ ଡାକି କଡ଼ା ସମାଲୋଚନା କରି କହିଛନ୍ତି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥାଇ ମଧ୍ୟ କେନ୍ଦ୍ର ସରକାର ଓଡ଼ିଶାର ଦାବି ଶୁଣୁନାହାନ୍ତି ଓ ରାଜ୍ୟର ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଥିବା କଥା ଖୋଦ୍ ଯୋଗାଣ ମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି। ନବୀନ ପଟ୍ଟନାୟକଙ୍କ ସରକାରବେଳେ ତତ୍କାଳୀନ ଯୋଗାଣ ମନ୍ତ୍ରୀମାନେ କେନ୍ଦ୍ରମନ୍ତ୍ରୀମାନଙ୍କ ସହ ମୁହାଁମୁହିଁ ହୋଇ ଚାଉଳ ଉଠାଣ ପାଇଁ ଦାବି ଜୋରଦାର କରୁଥିବାବେଳେ ଏବେକାର ମନ୍ତ୍ରୀ ଏଫସିଆଇ ଜେନେରାଲ ମ୍ୟାନେଜରଙ୍କ ଆଗରେ ଅସହାୟ ଭାବେ ଗୁହାରି କରୁଛନ୍ତି। ଯଦି ତୁରନ୍ତ ଚାଉଳ ଉଠାଣ ସହ ମଣ୍ଡି ସମସ୍ୟାର ସମାଧାନ ନହୁଏ, ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଦଳ ଚେତାବନୀ ଦେଇଛି।


କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ୨୦୨୫-୨୬ ଖାଦ୍ୟ ସଂଗ୍ରହ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୮୦.୫୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ (୬୭% ହିସାବରେ ୫୪ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ) ସଂଗ୍ରହର ଆକଳନ ଧାର୍ଯ୍ୟ କରିଥିଲେ। ମାତ୍ର ରାଜ୍ୟ ସରକାର ଉଭୟ ଖରିଫ୍ ଋତୁରେ ୭୭. ୪୮ ଲକ୍ଷ ମେଟ୍ରିକ୍ ଟନ୍ ଓ ରବି ଋତୁରେ ୨୦ .୪୬ ଲକ୍ଷ ମେଟ୍ରିକ୍ ଟନ୍ ମିଶାଇ ମୋଟ ପ୍ରାୟ ୯୭.୯୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ଚାଷୀମାନଙ୍କୁ ସିଧାସଳଖ ୨୦୮୨୫.୯୧ କୋଟି ଟଙ୍କାର ଏମଏସପି (ଖରିଫ ଋତୁରେ ୧୬୦୭୬.୩୫କୋଟି ଟଙ୍କା ଓ ରବି ଋତୁରେ ୪୭୪୯.୫୬କୋଟି ଟଙ୍କା) ପ୍ରଦାନ କରିଛନ୍ତି। ଯାହାକି ରାଜ୍ୟ ସରକାରଙ୍କ ବୋନସକୁ ମିଶାଇ ପ୍ରାୟ ୩୦ହଜାର କୋଟି ଟଙ୍କା ଛୁଇଁଛି।

ତେବେ ନିୟମ ଅନୁସାରେ ମୋଟ ସଂଗୃହୀତ ୯୭.୯୪ଲକ୍ଷ ମେଟ୍ରିକ ଟନ ଧାନରୁ ପ୍ରାୟ ୬୫.୬୨ଲକ୍ଷ ମେଟ୍ରିକ୍ ଟନ୍‌(୬୭%) କଷ୍ଟମ୍ ମିଲ୍‌ଡ ରାଇସ୍ ଉତ୍ପାଦନ ହେବା କଥା। କିନ୍ତୁ ଜୁଲାଇ ୨୬ତାରିଖ ରାଜ୍ୟ ପୁଲରେ ୮.୧୩ଲକ୍ଷ ମେଟ୍ରିକ୍ ଟନ୍ ଓ ଏଫସିଆଇ କେନ୍ଦ୍ରୀୟ ପୁଲରେ ୧୩.୬ ଲକ୍ଷ ମେଟ୍ରିକ୍ ଟନ୍ ମିଶି ମୋଟ ମାତ୍ର ପ୍ରାୟ ୨୩.୨୫ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ହିଁ ଗ୍ରହଣ କରାଯାଇଛି। ଫଳରେ ଏବେ ବି ସରକାରୀ ଗୋଦାମକୁ ୪୨ .୩୭ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଆସିବା ବାକି ରହିଛି।

ରବି ଋତୁରେ ସଂଗୃହୀତ ୨୦.୪୬ ଲକ୍ଷ ମେଟ୍ରିକ୍ ଟନ୍ ଧାନରୁ ମିଳିବାକୁ ଥିବା ପ୍ରାୟ ୧୩.୭୧ଲକ୍ଷ ମେଟ୍ରିକ ଟନ୍ ଚାଉଳକୁ ଯଦି ଏଥିରୁ ବାଦ୍ ଦିଆଯାଏ, ତେବେ କେବଳ ଖରିଫ୍ ଋତୁର ହିଁ ଆହୁରି ୨୮.୬୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଏଯାଏଁ ଏଫସିଆଇ ଉଠାଇ ପାରିନାହିଁ।

ଏହି ସରକାରୀ ଦସ୍ତାବିଜ ହିଁ ସ୍ପଷ୍ଟ କରୁଛି ଯେ, ଏହି ବିରାଟ ସଙ୍କଟ ପଛରେ ଏଫସିଆଇର ପରିବହନ ବିଫଳତା ଓ ଅବହେଳା ହିଁ ଦାୟୀ। ନିୟମ ଅନୁଯାୟୀ ଖରିଫ୍ ଚାଉଳକୁ ଏଫସିଆଇ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ କରି ଗୋଦାମ ଖାଲି କରିବା ପରେ ହିଁ ମିଲର୍ସମାନେ ରବି ଧାନ ପ୍ରକ୍ରିୟାକରଣ କରି ନୂଆ ଚାଉଳ ଜମା କରିପାରିବେ। ଯେହେତୁ ଖରିଫ୍ ଋତୁରୁ ହିଁ ପ୍ରାୟ ୨୮.୬୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଏଫସିଆଇ ନ ଉଠାଇନାହିଁ ତେଣୁ ସମସ୍ତ ସରକାରୀ ଗୋଦାମ ଓ ମିଲ୍ କ୍ୟାମ୍ପସ ଖରିଫ୍ ଷ୍ଟକ ଭରି ରହିଛି। ତେଣୁ ମିଲର୍ସମାନଙ୍କ ପାଖରେ ରବି ଧାନ ପଡ଼ି ରହିଛି। ଏଫସିଆଇର ଖରିଫ ଚାଉଳ ଉଠାଉନଥିବାରୁ ସ୍ଥାନାଭାବ ଯୋଗୁ ରବି ଋତୁର ଧାର୍ଯ୍ୟ ୧୩.୭୧ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳରୁ ଏପର୍ଯ୍ୟନ୍ତ ସରକାରୀ ଖାତାରେ କିଛିବି ଗ୍ରହଣ ହୋଇପାରିନାହିଁ।

କେବଳ ଏଫସିଆଇ ନୁହେଁ , ରାଜ୍ୟ ପ୍ରଶାସନର ତ୍ରୁଟି ମଧ୍ୟ ଜଳଜଳ ହୋଇ ପଦାରେ ପଡ଼ିଛି। ଓଡ଼ିଶା ସରକାର ୮୦ ଲକ୍ଷ ଟନ୍ ବଦଳରେ ୯୮ଲକ୍ଷ ଟନ୍ ଧାନ(Odisha paddy procurement) କିଣିବାବେଳେ ହିଁ ଅତିରିକ୍ତ ଚାଉଳ ପରିବହନ ପାଇଁ ରେଳବାଇ ଓ କେନ୍ଦ୍ର ସହ ଆଗୁଆ ସମନ୍ୱୟ ରକ୍ଷା କରି ଯଥେଷ୍ଟ ସ୍ପେଶାଲ ରେକ୍ ସୁନିଶ୍ଚିତ କରିବାରେ ବିଫଳ ହୋଇଛନ୍ତି। ଏଥିପାଇଁ ଆଗୁଆ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଥିଲା। ଏବେ କେନ୍ଦ୍ର ସରକାରଙ୍କ ଉପରେ ରାଜ୍ୟ ସରକାର ଆବଶ୍ୟକ ଚାପ ସୃଷ୍ଟି କରି ତୁରନ୍ତ ସ୍ୱତନ୍ତ୍ର ଟ୍ରେନ୍ ରେକ୍ ଯୋଗାଇ ଓଡ଼ିଶାରେ ଜମା ହୋଇ ରହିଥିବା ପ୍ରାୟ ୨୮.୬୬ ଲକ୍ଷ ମେଟ୍ରିକ୍ ଟନ୍ ଖରିଫ୍ ଚାଉଳକୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିବା ଜରୁରୀ ହୋଇପଡ଼ିଛି।

ଗୋଦାମ ଖାଲି ହେଲେ ହିଁ ମିଲର୍ସମାନେ ବଳକା ୧୩.୭୧ ଲକ୍ଷ ମେଟ୍ରିକ୍ ଟନ୍ ରବି ଧାନର ପ୍ରକ୍ରିୟାକରଣ କରି ସରକାରଙ୍କୁ ଚାଉଳ ହସ୍ତାନ୍ତର କରିପାରିବେ। ଯଦି ଯୁଦ୍ଧକାଳୀନ ଭିତ୍ତିରେ ଏହି ମୋଟ ୪୨.୩୭ ଲକ୍ଷ ମେଟ୍ରିକ୍ ଟନ୍ ବଳକା ଚାଉଳ ଉଠାଣ ନହୁଏ, ତେବେ ଆଗାମୀ ୨୦୨୬-୨୭ ଖରିଫ୍ ଋତୁରେ ରାଜ୍ୟର ଚାଷୀଙ୍କଠାରୁ ନୂଆ ଧାନ କିଣିବା ପ୍ରକ୍ରିୟା ସମ୍ପୂର୍ଣ୍ଣ ଠପ୍ ହୋଇଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।
📲Get App