🔥 TRENDING સાબરકાંઠા જિલ્લામાં હિંમતનગરમાં સંવિધા... नागभीड रस्त्यावर हरणांचा मुक्त संचार:... कुरावली के खिरिया पीपर गांव में जहर से... पुणे जिल्हा परिषद: २०२६-२७ आर्थिक वर्ष... ಗ್ರಾಹಕರ ಹಕ್ಕುಗಳ ವೇದಿಕೆಯಿಂದ ತಹಶಿಲ್ದಾರರಿ... காட்பாடி அருகே மாற்றுத்திறனாளி இளைஞர்...
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ବଢ଼ୁଛି ସୁଶାନ୍ତ ନାଥଙ୍କ ଅଡ଼ୁଆ: ସୁପ୍ରିମକୋର୍ଟରେ ଶୁଣାଣିର ଠିକ୍ ପୂର୍ବରୁ ମାମଲା ପରେ ହେଉଛି ମାମଲା, ଆଗେଉନି ତଦନ୍ତ, ସଂଯୋଗ ନା ସୁଚିନ୍ତିତ ରଣନୀତି?

✍️ Reporter: Deepak Mahapatra 🗓 24 Nov 2026, 01:49 PM 👁 21
Share: 💬 WhatsApp 📘 Facebook 𝕏 Post
ଓଡ଼ିଶା ପୁଲିସ ଡିଜିପି ଚୟନ ବିବାଦ ସୁପ୍ରିମକୋର୍ଟରେ ନିର୍ଣ୍ଣାୟକ ମୋଡ଼ରେ ପହଂଚିଥିବାବେଳେ ବରିଷ୍ଠ ଆଇପିଏସ୍ ସୁଶାନ୍ତ କୁମାର ନାଥଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ସୁପ୍ରିମକୋର୍ଟରେ ଆସନ୍ତା ୨୬ତାରିଖରେ ପୁଲିସ ଡିଜିପି ଚୟନ ମାମଲାର ଶୁଣାଣି ହେବାକୁ ଥିବାବେଳେ, ଏହାର ଠିକ୍ ତିନି ଦିନ ପୂର୍ବରୁ ପୂର୍ବତନ ଜେଲର ପ୍ରଦୀପ୍ତ କୁମାର ମହାଳିକ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ହାଜର ହୋଇ ସୁଶାନ୍ତ ନାଥଙ୍କ ବିରୋଧରେ ବୟାନ ରେକର୍ଡ କରାଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା, ସୁପ୍ରିମକୋର୍ଟରେ ଶୁଣାଣି ହେଉ କି ୟୁପିଏସସି ବୈଠକ-ଡିଜିପି ଚୟନ ସହ ଜଡ଼ିତ ପ୍ରତିଟି ଗୁରୁତ୍ୱପୂର୍ଣ୍ଣ ତାରିଖର ଠିକ୍ ପୂର୍ବରୁ ସୁଶାନ୍ତ ନାଥଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ପୁରୁଣା ଘଟଣାକୁ ନେଇ ନୂଆ ମାମଲା ରୁଜୁ ହେଉଛି।

ଆଉ ସଙ୍ଗୀନ ଅଭିଯୋଗ ସହ ମାମଲା ରୁଜୁ ହେବା ପରେ ମଧ୍ୟ ତଦନ୍ତ ପ୍ରକ୍ରିୟା ଆଗେଇବାର ନାଁ ବି ଧରୁନି କିମ୍ବା ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉନାହିଁ । କେବଳ ସୁପ୍ରିମକୋର୍ଟଙ୍କ ଶୁଣାଣି ପୂର୍ବରୁ ଏହି ସବୁ ଘଟଣାକ୍ରମ କାହିଁକି ହେଉଛି, ଏହା ସଂଯୋଗ ନା ସୁଚିନ୍ତିତ ରଣନୀତି ତାହା ଏବେ ପାୱାର କରିଡ଼ରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏସବୁ ମଧ୍ୟରେ ୟୁପିଏସସି କର୍ତ୍ତୃପକ୍ଷ ବରିଷ୍ଠ ଆଇପିଏସ୍ ସଞ୍ଜିବ ପଣ୍ଡାଙ୍କ ପଦୋନ୍ନତି ପ୍ରକ୍ରିୟାକୁ ନେଇ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ସ୍ପଷ୍ଟୀକରଣ ମାଗିଥିବା ସୂଚନା ମିଳିଛି।
ଆଜି ଭୁବନେଶ୍ୱର କ୍ୟାପିଟାଲ ଥାନାରେ ହାଜର ହୋଇ ବାଲେଶ୍ୱର ଜେଲର ପୂର୍ବତନ ଜେଲର ପ୍ରଦୀପ୍ତ କୁମାର ମହାଳିକ ଦେଇଥିବା ବୟାନ ରାଜ୍ୟର ଜେଲ୍ ବିଭାଗର ଭିତିରି କଳାକାରନାମାକୁ ପଦାରେ ପକାଇ ଦେଇଛି। ଶ୍ରୀ ମହାଳିକଙ୍କ ଥାନାରେ ଅଭିଯୋଗ କରିଛନ୍ତି ଯେ, ଆଇପିଏସ୍ ସୁଶାନ୍ତ ନାଥ ଜେଲ୍ ଡିଜି ଥିବାବେଳେ ବାଲେଶ୍ୱର ଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କୁ ମିଥ୍ୟା ନିଶା ଦ୍ରବ୍ୟ ମାମଲାରେ ଫସାଇବା ପାଇଁ ତାଙ୍କ ଉପରେ ପ୍ରବଳ ଚାପ ପକାଇଥିଲେ। ଝାରପଡ଼ା ଜେଲ୍ ଅଧୀକ୍ଷକଙ୍କ ଜରିଆରେ ଓ ସିଧାସଳଖ ହ୍ୱାଟସଆପ୍ କଲ୍ ମାଧ୍ୟମରେ କଏଦୀଙ୍କ ପକେଟରେ ବ୍ରାଉନସୁଗାର ରଖି ୱାର୍ଡରେ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ତାଙ୍କୁ ଚାକିରିରୁ ନିଲମ୍ବନ କରି ଦିଆଗଲା, ଯାହାକି ତାଙ୍କୁ ମାନସିକ ଓ ଶାରୀରିକ ଭାବେ ଭାଙ୍ଗି ଦେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ପୂର୍ବରୁ ସେ ନିଜର ନିଲମ୍ବନ ପ୍ରତ୍ୟାହାର ପାଇଁ ଗୃହ ସଚିବଙ୍କ ନିକଟରେ ଆବେଦନ କରିଥିବାବେଳେ ଆଜି କ୍ୟାପିଟାଲ ଥାନା ପୁଲିସ ପାଖରେ କଲ ରେକର୍ଡ ଓ ଡିଜିଟାଲ ପ୍ରମାଣ ଦାଖଲ କରିଛନ୍ତି।

ଶ୍ରୀ ମହାଳିକଙ୍କ ପୂର୍ବରୁ ଅକ୍ଟୋବର ୩୧ ତାରିଖରେ ଚୌଦ୍ୱାର ସର୍କଲ ଜେଲର ପୂର୍ବତନ ଜେଲର ସନ୍ତୋଷିନୀ ଦାଶ କଟକ ଚୌଦ୍ୱାର ଥାନାରେ ସୁଶାନ୍ତ ନାଥ ଓ ତାଙ୍କ ସହଯୋଗୀ କୁଳଦୀପ ରଥଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଅପରାଧିକ ଧମକ ଭଳି ସଙ୍ଗୀନ ଅଭିଯୋଗ ଆଣି ଏଫଆଇଆର ଦେଇଥିଲେ। ୨୦୨୫ ମସିହା ଜୁନରୁ ସେପ୍ଟେମ୍ବର ମାସ ତାଙ୍କୁ କିଭଳି ଯୌନ ନିର୍ଯାତନା ଦିଆଯାଇଥିଲା ଓ ତାଙ୍କର କ୍ୟାରିୟରକୁ ନଷ୍ଟ କରାଯିବାର ଧମକ ମିଳିଥିଲା ବୋଲି ସେ ଅଭିଯୋଗ କରିଥିଲେ।

ଶ୍ରୀମତୀ ଦାଶଙ୍କ ଏହି ଅଭିଯୋଗକୁ ଆଧାର କରି ସୁଶାନ୍ତଙ୍କ ନାଁରେ ଚୌଦ୍ୱାର ଥାନାରେ ବିଏନଏସର ଧାରା- ୭୫(୨), ୩୫୧(୨) ଓ ୩(୫) ଅନୁଯାୟୀ ମାମଲା ରୁଜୁ କରିବା ପରେ ରାଜ୍ୟ ସରକାର ସୁଶାନ୍ତ ନାଥଙ୍କୁ ଜେଲ୍ ଡିଜି ପଦବୀରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରିଥିଲେ। ଆଉ ସନ୍ତୋଷିନୀଙ୍କ ନିଲମ୍ବନ ଆଦେଶକୁ ସରକାର ପ୍ରତ୍ୟାହାର କରି ତାଙ୍କୁ ଝାରପଡ଼ା ସ୍ୱତନ୍ତ୍ର ଜେଲରେ ଅବସ୍ଥାପିତ କରିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନଭେମ୍ବର ୩ତାରିଖରେ ସୁପ୍ରିମକୋର୍ଟରେ ପୁଲିସ ଡିଜିପି ମାମଲାର ଶୁଣାଣି ଥିବାବେଳେ ତା’ର ଠିକ୍ ୩ଦିନ ପୂର୍ବରୁ ସନ୍ତୋଷିନୀ ନିଜର ପୁରୁଣା ଅଭିଯୋଗକୁ ଆଧାର କରି ଚୌଦ୍ୱାର ଥାନାରେ ଅକ୍ଟୋବର ୩୧ରେ ଏଫଆଇଆର ଦେଇଥିଲେ।

ବିବାଦର ଟାଇମିଂ ବା ସମୟକୁ ଅନୁଧ୍ୟାନ କଲେ ପୁଲିସ ଡିଜିପି ଚୟନ ପ୍ରକ୍ରିୟା ଓ ସୁଶାନ୍ତ ବିବାଦୀୟ ହେବା ମଧ୍ୟରେ ଅନେକ ତାଳମେଳ ରହିଥିବା ସହଜେ ଅନୁମେୟ। ସୁଶାନ୍ତଙ୍କ ନାଁରେ ଏଫଆଇଆର ରୁଜୁ ସହ ଏତେ ସଙ୍ଗୀନ ଅଭିଯୋଗ ଥିବା ସତ୍ତ୍ୱେ କେଉଁ ଅଦୃଶ୍ୟ କାରଣରୁ କୌଣସି ତଦନ୍ତ ହେଉନାହିଁ କିମ୍ବା ତାଙ୍କ ବିରୁଦ୍ଧରେ ଦଣ୍ଡବିଧାନ ହେଉନାହିଁ ତାହା ଏବେବି ଅସ୍ପଷ୍ଟ।
୧୯୯୩ ବ୍ୟାଚ୍ ଆଇପିଏସ୍ ଶ୍ରୀ ନାଥ ବରିଷ୍ଠତା ଭିତ୍ତିରେ ପୁଲିସ ଡିଜି ପଦବୀ ପାଇଁ ଅନ୍ୟତମ ଦାବିଦାର ଥିଲେ । ତେବେ ଗତ ଅଗଷ୍ଟ ୭ ତାରିଖରେ ୟୁପିଏସସିରେ ଓଡ଼ିଶା ଡିଜିପି ଚୟନ ପାଇଁ ବୈଠକ ହେବାର ଠିକ୍ ତିନି ଦିନ ପୂର୍ବରୁ ଅର୍ଥାତ୍ ଅଗଷ୍ଟ ୪ ତାରିଖରେ ଓପିଆରବି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ତଦନ୍ତର ସ୍ଥିତି ଓ ସୁଶାନ୍ତଙ୍କ ସମ୍ପୃକ୍ତିକୁ ନେଇ ଗୃହ ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିଲା । ସିବିଆଇ ପକ୍ଷରୁ ସୁଶାନ୍ତ ନାଥଙ୍କୁ ଆବଶ୍ୟକ ପଡ଼ିଲେ ପଚରାଉଚୁରା କରାଯାଇପାରେ ବୋଲି କୁହାଯିବା ପରେ ୟୁପିଏସସି ବୈଠକର ଠିକ୍ ପୂର୍ବଦିନ ତାଙ୍କର 'ଇଣ୍ଟିଗ୍ରିଟି ସାର୍ଟିଫିକେଟ୍‌\'କୁ ରାଜ୍ୟ ସରକାର ପ୍ରତ୍ୟାହାର କରିନେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସୁଶାନ୍ତ ନାଥ ସୁପ୍ରିମକୋର୍ଟରେ ପକ୍ଷଭୁକ୍ତ ହୋଇଛନ୍ତି ଓ ସୁପ୍ରିମକୋର୍ଟ ମଧ୍ୟ କେବଳ ସିବିଆଇର ସାଧାରଣ ସୂଚନା ଆଧାରରେ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ଅଟକାଇବାକୁ ନେଇ ରାଜ୍ୟ ସରକାରଙ୍କୁ ବି ପ୍ରଶ୍ନ କରିଛନ୍ତି।

ରାଜ୍ୟରେ ନୂଆ ପୁଲିସ ଡିଜିପି ଚୟନ ପ୍ରକ୍ରିୟା ଆରମ୍ଭ ହେବା ପରଠୁ ହିଁ ସୁଶାନ୍ତଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଅନେକ ପୁରୁଣା ଘଟଣା ଏବେ ନୂଆ ରୂପରେ ସାମ୍ନାକୁ ଆସିଛି ଓ ତାଙ୍କ ବିରୁଦ୍ଧରେ ଗୋଟିଏପରେ ଗୋଟିଏ ମାମଲା ମଧ୍ୟ ହେବାରେ ଲାଗିଛି। ଡିଜିପି ରେସରେ ଥିବା ସୁଶାନ୍ତଙ୍କ ବିରୁଦ୍ଧରେ ୨୦୨୫ ଅକ୍ଟୋବର ୨ତାରିଖରେ ଚୌଦ୍ୱାର ଜେଲରୁ କଏଦୀ ଫେରାର ହେବା ଘଟଣାରେ ୨୦୨୬ ଜୁନ୍ ମାସରେ ସାଂସଦ ସୁଜିତ୍ କୁମାର ପ୍ରଥମେ ଚୌଦ୍ୱାର ଥାନାରେ ଏଫଆଇଆର ଦେଇଥିଲେ। ତା’ପରଠୁ ସୁଶାନ୍ତଙ୍କ ନାଁରେ ଗୋଟିଏ ପରେ ଗୋଟିଏ ବିବାଦ ହେବାରେ ଲାଗିଛି ।

ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଯୌନ ନିର୍ଯାତନା ଓ ପଦବୀର ଦୁରୂପଯୋଗର ଅଭିଯୋଗ ପରେ ମଧ୍ୟ ପୁଲିସ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କାହିଁକି ନେଇପାରୁନାହିଁ। ଗୋଟିଏପଟେ ଅଭିଯୋଗକାରୀ ତଥ୍ୟ ଓ ଡିଜିଟାଲ ପ୍ରମାଣ ପୁଲିସକୁ ଦେଇ ନ୍ୟାୟ ଦାବି କରୁଥିବାବେଳେ, ଅନ୍ୟପଟେ ରୁଜୁ ହୋଇଥିବା ମାମଲାଗୁଡ଼ିକର ତଦନ୍ତ ଆଗକୁ ବଢ଼ୁନାହିଁ।

କେବଳ ସୁପ୍ରିମକୋର୍ଟ ଶୁଣାଣିର ପୂର୍ବରୁ ସୁଶାନ୍ତଙ୍କ ଭଳି ଜଣେ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ନାଁରେ ଗୋଟିଏ ପରେ ଗୋଟିଏ ମାମଲା ସାମ୍ନାକୁ ଆସିବା ଏବଂ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାର ପ୍ରତିକୂଳ ପ୍ରଭାବ ରାଜ୍ୟ (Odisha Police ) ପୁଲିସ ଫୋର୍ସ ଉପରେ ପଡ଼ିବାରେ ଲାଗିଛି । ଅବଶ୍ୟ ସୁଶାନ୍ତଙ୍କ ନାଁରେ ଏସବୁ ବିବାଦ ଆସିବା ଓ କାର୍ଯ୍ୟାନୁଷ୍ଠାନ ନହେବା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ଚାଲିଥିବା ଶୀତଳ ଯୁଦ୍ଧର ସାଇଡଇଫେକ୍ଟ ବୋଲି ଚର୍ଚ୍ଚା ହେଉଛି।
📲Get App