🔥 TRENDING साहनेवाल हलके में 'मिशन 2027' की तैयार... IIHM partners with Andhra Pradesh to b... KSRTC to run 908 special buses from Be... Andhra Pradesh to Count MPTC and ZPTC... Karnataka petrol samples reveal ethano... हजारीबाग में चोरी के दो घटनाओं में आरो...
07 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

୨୦୧୪ ଗଦାଧର ହତ୍ୟା ମାମଲା: ୧୨ ବର୍ଷ ପରେ କେରଳରୁ ଫେରି ପୁଲିସ ଜାଲରେ ଫେରାର ଅଭିଯୁକ୍ତ ସଞ୍ଜୁ, କୋର୍ଟ ଚାଲାଣ

✍️ Reporter: Deepak Mahapatra 🗓 07 Nov 2026, 02:46 PM 👁 11
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର:୨୦୧୪ ମସିହାରେ ରାଜଧାନୀ ଭୁବନେଶ୍ୱରର ନୂଆପଲ୍ଲୀ ଥାନା ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ‘ଗଦାଧର ବେହେରା ହତ୍ୟାକାଣ୍ଡ’ ମାମଲାରେ ପୁଲିସକୁ ମିଳିଛି ବଡ଼ ସଫଳତା। ଦୀର୍ଘ ୧୨ ବର୍ଷ ଧରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ପଲେଇ ଓରଫ ସଞ୍ଜୁକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ଦୀପାବଳି ପାଇଁ ଗାଁକୁ ଆସି ଧରାପଡ଼ିଲା ଅଭିଯୁକ୍ତ
ହତ୍ୟାକାଣ୍ଡ ପରେ ସଞ୍ଜୁ ଆଇନ ଆଖିରେ ଧୂଳି ଦେଇ କେରଳ ପଳାଇଥିଲା ଏବଂ ସେଠାରେ ଆତ୍ମଗୋପନ କରି ରହିଥିଲା। ତେବେ ଦୀପାବଳି ପାଳନ କରିବା ପାଇଁ ସେ କଟକ ନିଆଳିସ୍ଥିତ ନିଜ ଗାଁ ମାଧବକୁ ଆସିଥିବା ନେଇ ପୁଲିସ ଗୁପ୍ତ ସୂଚନା ପାଇଥିଲା। ଏହା ପରେ ନୂଆପଲ୍ଲୀ ଥାନା ପୁଲିସର ଏକ ସ୍ୱେଶାଲ ଟିମ୍ ଗତକାଲି ରାତିରେ ଚଢ଼ାଉ କରି ତା’ ଘରୁ ତାକୁ ଉଠାଇ ଆଣିଥିଲା।
ଅନୈତିକ ସମ୍ପର୍କରୁ ଯୋଜନାବଦ୍ଧ ହତ୍ୟାକାଣ୍ଡ
ମିଳିଥିବା ସୂଚନା ଅନୁଯାୟୀ, ମୃତ ଗଦାଧର ବେହେରା ଏକ ଘରୋଇ ସଂସ୍ଥାରେ ଅଫିସ୍ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ ଏବଂ ସେଠାରେ ସସ୍ତ୍ରୀକ ରହୁଥିଲେ। ତେବେ ଉକ୍ତ ସଂସ୍ଥାର ସୁରକ୍ଷାକର୍ମୀ ବିଶ୍ୱକଲ୍ୟାଣ ପଶୁପାଳକ ସହ ଗଦାଧରଙ୍କ ପତ୍ନୀଙ୍କ ଅନୈତିକ ସମ୍ପର୍କ ଗଢ଼ିଉଠିଥିଲା। ଗଦାଧର ଏହା ଜାଣିବା ପରେ ପତ୍ନୀଙ୍କୁ ବାପଘରକୁ ପଠାଇ ଦେବା ସହ ବିଶ୍ୱକଲ୍ୟାଣକୁ ତାଗିଦ କରିଥିଲେ। ଏଥିରେ ପ୍ରତିଶୋଧପରାୟଣ ହୋଇ ବିଶ୍ୱକଲ୍ୟାଣ ଗଦାଧରଙ୍କୁ ହଟାଇବାକୁ ଷଡ଼ଯନ୍ତ୍ର ରଚିଥିଲା।
୨୦୧୪ ଜାନୁଆରୀ ୧୭ ତାରିଖ ବିଳମ୍ବିତ ରାତିରେ ବିଶ୍ୱକଲ୍ୟାଣ, ସଞ୍ଜୁ ଓ ପିତନ ଭୋଇ ଗଦାଧରଙ୍କ କ୍ୱାର୍ଟର୍ସରେ ପଶି ଶୋଇଥିବା ଅବସ୍ଥାରେ ତାଙ୍କ ମୁଣ୍ଡକୁ ଲୁହାରଡ୍‌ରେ ପିଟିବା ସହ ଛୁରୀରେ ଗଳା କାଟି ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଅଖାରେ ପୂରାଇ ସହଯୋଗୀ ଛବି ମଳିକର କାର୍‌ ଯୋଗେ ନିଆଳି ମାଧବ ଗାଁକୁ ନେଇ ବିଶ୍ୱକଲ୍ୟାଣ ଘର ପଛପଟେ ପୋତି ଦେଇଥିଲେ।
ରକ୍ତଛିଟାରୁ ଫୁଟିଥିଲା ଗୁମର, ଏବେ ବି ଜଣେ ଫେରାର
ପରଦିନ ଗଦାଧରଙ୍କ ମୋବାଇଲ୍ ସୁଇଚ୍‌ଅଫ୍ ରହିବାରୁ ପରିବାର ଲୋକେ ନିଖୋଜ ଅଭିଯୋଗ କରିଥିଲେ। ତଦନ୍ତ ବେଳେ ପୁଲିସ କ୍ୱାର୍ଟର୍ସ କାନ୍ଥରେ ରକ୍ତଛିଟା ଦେଖି ସନ୍ଦେହ କରିଥିଲା। ପରିବାର ଲୋକଙ୍କ ସୂଚନା ଆଧାରରେ ବିଶ୍ୱକଲ୍ୟାଣକୁ ଆଣି ପଚରାଉଚରା କରିବାରୁ ସେ ସବୁ ସତ ମାନିଯାଇଥିଲା। ଜାନୁଆରୀ ୨୧ରେ ପୁଲିସ ମାଟି ତଳୁ ମୃତଦେହ ବାହାର କରିବା ସହ ମୁଖ୍ୟ ଅଭିଯୁକ୍ତ ବିଶ୍ୱକଲ୍ୟାଣ, ଛବି ମଳିକ ଓ ବଳରାମ ପାଢ଼ୀଙ୍କୁ ଗିରଫ କରିଥିଲା।
ତେବେ ଘଟଣା ଦିନଠାରୁ ସଞ୍ଜୁ ଓ ପିତନ ଫେରାର ଥିଲେ। ୧୨ ବର୍ଷ ପରେ ସଞ୍ଜୁ ଗିରଫ ହୋଇଥିବା ବେଳେ ଏହି ମାମଲାରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ପିତନ ଭୋଇ ଏବେ ବି ଫେରାର ଅଛି। ତାକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।
📲Get App