🔥 TRENDING Another ₹4,000 crore loan to be raised... फिल्मों का निर्देशन करने वाले संजय गुप... સરદાર પટેલ જન્મજયંતિ નિમિત્તે રન ફોર ય... Ten Buildings Razed in Ujjain's Begum... आगर पुलिस ने यूपी से आरोपी को पकड़ा, भ... સમીના નાયકા ખાતે પીએમ કિસાન ઉત્સવ નિમિ...
31 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ଗଞ୍ଜାମ ସ୍ଥିତି ମୁକାବିଲା ପାଇଁ ୩୦ ଓଏଏସ ଅଫିସରଙ୍କୁ ଦାୟିତ୍ୱ, ଜିଲ୍ଲାପାଳଙ୍କ ସହ କଥା ହେଲେ ନବୀନ

✍️ Reporter: Deepak Mahapatra 🗓 31 Oct 2026, 12:53 PM 👁 15
Share: 💬 WhatsApp 📘 Facebook 𝕏 Post
ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଦକ୍ଷିଣଓଡ଼ିଶାରେ ଜଳପ୍ରଳୟ ଆସି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ ହେବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିବାବେଳେ ରାଜ୍ୟ ସରକାର ସ୍ଥିତିର ତ୍ୱରିତ୍ ମୁକାବିଲା ପାଇଁ ପଦକ୍ଷେପ ନେଇଛନ୍ତି।
୧୦ଜଣ ବରିଷ୍ଠ ଓଏଏସଙ୍କ ସମେତ ମୋଟ ୩୦ଜଣ ଓଏଏସ୍ ଅଫିସର ଓ ୩ଟି ଇଞ୍ଜିନିୟରିଂ ଟିମ୍ ମଧ୍ୟ ଗଞ୍ଜାମକୁ ପଠାଯାଇଛି। ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନଆସିବା ପର୍ଯ୍ୟନ୍ତ ଏହି ଅଫିସରମାନେ ଗଞ୍ଜାମରେ କାର୍ଯ୍ୟ ଜାରି ରଖିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏପଟେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ବନ୍ୟା ପରିସ୍ଥିତି ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ କଥା ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ଅଂଚଳରେ ରିଲିଫ୍ ତଥା ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିିରେ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଶେଷକରି ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଆକଳନ, ରାସ୍ତାଘାଟ ମରାମତି ଓ ସାଧାରଣ ଜୀବନଯାତ୍ରାକୁ ସ୍ୱାଭାବିକ କରିବା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ଅଧିକ ପ୍ରଶାସନିକ ଅଧିକାରୀ ଓ ଇଞ୍ଜିନିୟର ଟିମକୁ ତୁରନ୍ତ ଦାୟିତ୍ୱ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଭିନ୍ନ ଭିନ୍ନ ସରକାରୀ ଆଦେଶନାମା ଜାରି କରାଯାଇଛି।
ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୧୦ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ତୁରନ୍ତ ମୁତୟନ କରାଯାଇଛି। ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ପଂଚାୟତିରାଜ ବିଭାଗର ଯୁଗ୍ମ ସଚିବ ଗାୟତ୍ରୀଦତ୍ତ ନାୟକ, ଭୁବନେଶ୍ୱର ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ, କରଞ୍ଜିଆ ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡ଼ା, ବିଏମସି ଡେପୁଟି କମିଶନର ମନ୍ମଥ କୁମାର ନାୟକଙ୍କ ସମେତ ଅନ୍ୟ ପ୍ରମୁଖ ଅଫିସରମାନଙ୍କୁ ବିନା ବିଳମ୍ବରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କ୍ଷେତ୍ରସ୍ତରୀୟ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ପାଇଁ ଆଉ ୨୦ ଜଣ ଓଏଏସ-ଏ (ଜୁନିୟର) ତଥା ଓଆରଏସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନଆସିବା ପର୍ଯ୍ୟନ୍ତ ଏହି ଅଧିକାରୀମାନେ ଗଞ୍ଜାମରେ କାର୍ଯ୍ୟ ଜାରି ରଖିବେ।
ଅନ୍ୟପକ୍ଷରେ, ବାତ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତା, ବ୍ରିଜ୍ ଓ କୋଠାବାଡ଼ିର କ୍ଷୟକ୍ଷତି ଆକଳନ ସହିତ ଯାତାୟାତ ପୁନଃସ୍ଥାପନ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩ଟି ସ୍ୱତନ୍ତ୍ର ଇଞ୍ଜିନିୟରିଂ ଟିମ୍ ଗଠନ କରାଯାଇଛି। ଏସଡିଓ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀମାନଙ୍କୁ ନେଇ ଗଠିତ ଏହି ୬ଜଣିଆ ଇଞ୍ଜିନିୟର ଟିମ୍ ଆସନ୍ତାକାଲି ପୂର୍ବାହ୍ନ ସୁଦ୍ଧା ବ୍ରହ୍ମପୁର ଗ୍ରାମ୍ୟ ନିର୍ମାଣ ସର୍କଲର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ନିକଟରେ ଉପସ୍ଥିତ ହୋଇ କାର୍ଯ୍ୟ ଆରମ୍ଭ କରିବେ ଓ ସେମାନଙ୍କର ସମସ୍ତ ଛୁଟି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି। ସେହିପରି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ଗଞ୍ଜାମରେ ପହଂଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ବିଜେଡି ସୁପ୍ରିମୋ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଟେଲିଫୋନ ଯୋଗେ କଥା ହୋଇ ବନ୍ୟା ପରିସ୍ଥିତି, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହାସହ ନବୀନଙ୍କ ନିର୍ଦ୍ଦେଶରେ ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିପନ୍ନ ତଥା ପ୍ରଭାବିତ ଲୋକଙ୍କୁ ସହାୟତା କରିବା ପାଇଁ ଦଳର ସମସ୍ତ ନେତା ଓ କର୍ମୀଙ୍କୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି।
ସୂଚନାଯୋଗ୍ୟ, ପ୍ରବଳ ବର୍ଷା ଯୋଗୁଁ ଋଷିକୁଲ୍ୟା ନଦୀରେ ବନ୍ୟା ଆସି ଗଞ୍ଜାମ ଜିଲ୍ଲାର ୨୪୨ଟି ପଂଚାୟତ, ୩୮୬ଟି ଗାଁ ଓ ୧୦୬ଟି ସହରାଂଚଳ ୱାର୍ଡକୁ ଅଧିକ ପ୍ରଭାବିତ କରିଛି । ବିଭିନ୍ନ ସ୍ଥାନରେ ମୁଖ୍ୟ ରାସ୍ତାଗୁଡ଼ିକ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ପ୍ରଶାସନ ପକ୍ଷରୁ ୨୮ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।
📲Get App