🔥 TRENDING Suriya’s ‘Scene’ Outpaces Nayanthara’s... Manipur's Handloom and Handicrafts Boo... Manipur Village Demands NIA Probe Afte... Manipur initiates search and cordon op... BCCI backs president's team after High... Meghalaya fields brand-new side in Ran...
06 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

୩୧ ବେଳକୁ ବଙ୍ଗୋପସାଗରରେ ଅବପାତ

✍️ Reporter: Deepak Mahapatra 🗓 30 Oct 2026, 03:51 PM 👁 49
Share: 💬 WhatsApp 📘 Facebook 𝕏 Post
ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହା ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଆଜି ସୃଷ୍ଟି ହୋଇଥିବା ଲଘୁଚାପ ଅକ୍ଟୋବର ୩୧ ତାରିଖରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।
ଲଘୁଚାପ କ୍ଷେତ୍ରଟି ଏବେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ରହିଥିବା ବେଳେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ୩୧ ଅକ୍ଟୋବର ପାଖାପାଖି ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ସଂଲଗ୍ନ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗରର ଅଞ୍ଚଳରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପରେ ଏହା ଆହୁରି ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୨ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ, ସେ ନେଇ କିଛି ସୂଚନା ଆସିନାହିଁ।
ଆଉ କେତେ ବର୍ଷା?
ଅନ୍ୟପକ୍ଷରେ ‘ଅର୍ଣ୍ଣବ’ର ପ୍ରଭାବରେ ରାଜ୍ୟରେ ଏଯାଏ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଦୁଇ ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ଓ କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାକୁ ଛାଡ଼ି ଦେଲେ ବାକି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ୩୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୩୧ ତାରିଖ ସକାଳ ସାଢ଼େ ୮ଟାରୁ ନଭେମ୍ବର ୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ରାଜ୍ୟର କୌଣସି ସ୍ଥାନକୁ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇ ନଥିବା ବେଳେ ୧ ତାରିଖ ସକାଳ ସାଢ଼େ ୮ଟାରୁ ୨ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସହିତ ପବନ ହୋଇପାରେ ଓ ବିଜୁଳି ମାରିପାରେ। ୨ ତାରିଖ ସକାଳ ସାଢ଼େ ୮ଟାରୁ ୩ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ସମ୍ଭାବନା ଥିବାରୁ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩ ତାରିଖ ସକାଳ ସାଢ଼େ ୮ଟାରୁ ୪ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଗଞ୍ଜାମ ଅଧିକ ପ୍ରଭାବିତ
ଅର୍ଣ୍ଣବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଜଳ ପ୍ରଳୟ ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି ବୋଲି କୁହାଯାଉଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ ଏହି ଜିଲ୍ଲାର ୨୨ଟି ବ୍ଲକ୍‌ର ୨୦୮ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି। ସେହିପରି ୧୮ଟି ସହରାଞ୍ଚଳରେ ୫୬ଟି ୱାର୍ଡ ପ୍ରଭାବିତ ହୋଇଛି। ଜିଲ୍ଲାର ୪୨ ହଜାର ୫ ଶହ ଲୋକ ପ୍ରଭାବିତ ହୋଇଛନ୍ତି। ୨୨ଟି ଗାଁ ଜଳବନ୍ଦୀ ସ୍ଥିତିରେ ରହିଛି।
ପାତ୍ରପୁରରେ ସର୍ବାଧିକ ବର୍ଷା
ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ସର୍ବାଧିକ ୫୪୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ସୋରଡ଼ାରେ ୫୦୩ ମିମି, ସାନଖେମୁଣ୍ଡିରେ ୩୮୮ ମିମି, ଚିକିଟିରେ ୩୦୯.୨ ମିମି, ରଙ୍ଗେଇଲୁଣ୍ଡାରେ ୨୬୧ ମିମି ଓ ଦିଗପହଣ୍ଡିରେ ୨୫୨ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି କନ୍ଧମାଳର ଜି. ଉଦୟଗିରିରେ ୪୬୨.୪ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଗଜପତିର ମହେନ୍ଦ୍ରଗିରିରେ ୪୫୮.୮ ମିମି, ମୋହନାରେ ୨୯୯.୬ ମିମି, କନ୍ଧମାଳର କେ. ନୂଆଗାଁରେ ୨୪୦.୮ ମିମି ଓ ଫିରିଙ୍ଗିଆରେ ୨୧୬ ମିମି ବର୍ଷା ରେକର୍ଡ କରାଯାଇଛି।
📲Get App