🔥 TRENDING कलेक्टर आशीष तिवारी ने कटनी में जनसुनव... बड़वानी कलेक्टर हेमलता सोलंकी ने जनसुन... जौनपुर में 31 अक्टूबर को भव्य 'भारत मि... नायागाँव, ग्वालियर में राष्ट्रीय डीवॉर... संजय सिंघल को SSB के साथ अतिरिक्त रूप... ग्वालियर के पी.एम. श्री केवी सीआरपीएफ...
27 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

୨୮ରେ ସ୍ଥଳଭାଗ ଛୁଇଁବ ‘ଅର୍ଣ୍ଣବ’; ଜାଣନ୍ତୁ, ଦକ୍ଷିଣ ଓଡ଼ିଶାରେ ଘଣ୍ଟା ପ୍ରତି କେତେ କିମି ବେଗରେ ହେବ ପବନ, କେଉଁଠି ହେବ ପ୍ରବଳରୁ ଅତି ପ୍ରବଳ ଓ ଅତ୍ୟନ୍ତ ପ୍ରବଳ ବର୍ଷା

✍️ Reporter: Deepak Mahapatra 🗓 27 Oct 2026, 01:06 PM 👁 17
Share: 💬 WhatsApp 📘 Facebook 𝕏 Post
ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ଆଜି ସକାଳ ସାଢ଼େ ୫ଟାରେ ବାତ୍ୟାରେ ପରିଣତ ହୋଇଛି, ଯାହାର ନାଁ ଅର୍ଣ୍ଣବ (Arnab)। ଆଜି ମଧ୍ୟରାତ୍ର ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଏକ ‘ଭୀଷଣ ବାତ୍ୟା’ର ରୂପ ନେଇପାରେ। ଆସନ୍ତାକାଲି ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଅକ୍ଟୋବର ୨୮ ତାରିଖରେ ଏହା ଆନ୍ଧ୍ର ପ୍ରଦେଶରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି।
ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଘଣ୍ଟାପ୍ରତି ୬୦ରୁ ୮୦ କିମି ବେଗରେ ପବନ ହେବ। ଝଟକା ପବନର ବେଗ ଘଣ୍ଟା ପ୍ରତି ୯୦ କିମି ପର୍ଯ୍ୟନ୍ତ ରହିବ। ୨୮ ତାରିଖ ପୂର୍ବାହ୍ନରେ ବାପଟଲା-ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ କରିବ ଅର୍ଣ୍ଣବ। ଏହା ୟାନମ ଓ କାକିନାଡ଼ା ପାର୍ଶ୍ୱ ଦେଇ ସ୍ଥଳଭାଗ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୧୫ରୁ ୧୨୫ କିମି ରହିବ। ଝଟକା ପବନର ବେଗ ଘଣ୍ଟା ପ୍ରତି ୧୪୦ କିମି ପର୍ଯ୍ୟନ୍ତ ଯାଇପାରେ।
ଶ୍ରୀ ମହାପାତ୍ର କହିଛନ୍ତି ଯେ ୨୭ ତାରିଖ ସନ୍ଧ୍ୟା କିମ୍ବା ରାତିରୁ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ୨୮ ତାରିଖରେ ଅତି ପ୍ରବଳ ଓ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୯ ବେଳକୁ ଏହା ଗଭୀର ଅବପାତରେ ପରିଣତ ହୋଇ ଛତିଶଗଡ଼ ଅଭିମୁଖେ ଅଗ୍ରସର ହେବ। ୩୦ ତାରିଖ ସକାଳ ବେଳକୁ ଏହାର ପ୍ରଭାବ କମି ଯାଇଥିବ।
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି (ଅକ୍ଟୋବର ୨୭) ସକାଳ ସାଢ଼େ ୮ଟାରୁ ୨୮ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
୨୮ ତାରିଖ ସକାଳ ସାଢ଼େ ୮ଟାରୁ ୨୯ ତାରିଖ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ସ୍ଥାନେ ସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାକି ଜିଲ୍ଲାଗୁଡ଼ିକର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
୨୯ ତାରିଖ ସକାଳ ସାଢ଼େ ୮ଟାରୁ ୩୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ନୂଆପଡ଼ା, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଅନ୍ୟପକ୍ଷରେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ମାଇକ୍ରୋ ପ୍ଲାନ୍‌। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ ୩୦ ଜିଲ୍ଲାରେ ବର୍ଷା ହେବ। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ। ବାତ୍ୟା ଆନ୍ଧ୍ର ପ୍ରଦେଶରେ ଲ୍ୟାଣ୍ଡଫଲ୍‌ କଲେ ବି ଓଡ଼ିଶାରେ ଏହାର ପ୍ରଭାବ ରହିବ। ମାଲକାନଗିରି ଅଧିକ ପ୍ରଭାବିତ ହେବ ଆକଳନ କରାଯାଇଛି। ଜିଲ୍ଲାଠାରୁ ନେଇ ରାଜ୍ୟସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କରାଯାଇଛି। ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ କ୍ଷେତ୍ରରେ ପହଞ୍ଚି ଗଲେଣି। ଯେଉଁ ସ୍ଥାନରେ ଯାହା ଆବଶ୍ୟକ ପଦକ୍ଷେପ ନେଇ ପାରିବେ। ଛତିଶଗଡ଼ରେ ବର୍ଷା ହେବ ଅର୍ଥ ଆମ ମହାନଦୀ ଫୁଲିବ। ତେଣୁ ପାଣିକୁ କିପରି ସଠିକ୍ ପରିଚାଳନା କରାଯିବ, ତାକୁ ଗୁରୁତ୍ୱ ଦିଆଯାଉଛି। ବନ୍ୟା ପରିସ୍ଥିତି ନ ଉପୁଜିବା ପାଇଁ ଛତିଶଗଡ଼ ସହ ଆଲୋଚନା ହୋଇଛି।
📲Get App