🔥 TRENDING ચલાલા તાલુકાના ગોપાલગ્રામમાં વનકર્મી પ... रामपुर नहर में ब्रेक फेल होने से बाइक... ୨୦ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା, ପବ... ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲା; ଭାସ୍କର... मुद्दा समाना पटियाला बस रूट का पिछले 4... ବାତ୍ୟା ଅର୍ଣ୍ଣବରେ ହୋଇଯାଇଥିଲେ ନିଖୋଜ, ୧୫...
17 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

VP ବିଧାୟକଙ୍କୁ ଗୁରୁମନ୍ତ୍ର: ଭୋଟରେ ନିର୍ବାଚନ ଜିତିହୁଏ, କିନ୍ତୁ ନିଃସ୍ୱାର୍ଥପର ସେବା ହିଁ ଜନତାଙ୍କ ହୃଦୟ ଜିତେ, ବିରୋଧୀଙ୍କ ବର୍ଜନକୁ ନେଇ ତେଜିଲା ରାଜନୀତି

✍️ Reporter: Deepak Mahapatra 🗓 17 Nov 2026, 11:59 AM 👁 23
Share: 💬 WhatsApp 📘 Facebook 𝕏 Post
“ଗଣତନ୍ତ୍ରରେ ବିଚାରଧାରା ଓ ରାଜନୈତିକ ମତଭେଦ ରହିବା ସ୍ୱାଭାବିକ, କିନ୍ତୁ ଏହି ମତପାର୍ଥକ୍ୟ କେବେ ବି ଜନସାଧାରଣ ଓ ସମ୍ବିଧାନ ପ୍ରତି ଆମର ସାମ୍ବିଧାନିକ ଦାୟିତ୍ୱଠୁୁ ବଡ଼ ହେବା ଉଚିତ ନୁହେଁ। ଆମେ ଭୋଟ୍ ଜରିଆରେ ନିର୍ବାଚନ ଜିତୁ, କିନ୍ତୁ କେବଳ ନିଃସ୍ୱାର୍ଥପର ଜନସେବା ମାଧ୍ୟମରେ ହିଁ ଜନତାଙ୍କ ସମ୍ମାନ ଓ ଅତୁଟ ବିଶ୍ୱାସ ଅର୍ଜନ କରିପାରିବା।”


ଆଜି ଭୁବନେଶ୍ୱରଠାରେ ସପ୍ତଦଶ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ପାଇଁ ଆୟୋଜିତ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମକୁ ଉଦଘାଟନ କରି ଉପରାଷ୍ଟ୍ରପତି ସିପି. ରାଧାକ୍ରିଷ୍ଣନ ବିଧାୟକମାନଙ୍କୁ ଏହି ଗୁରୁମନ୍ତ୍ର ଦେଇଛନ୍ତି। ତେବେ ଗୋଟିଏପଟେ ଉପରାଷ୍ଟ୍ରପତି ରାଜନୈତିକ ମତଭେଦ ଭୁଲି ଗୃହ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଉଥିବାବେଳେ, ଅନ୍ୟପଟେ ବିଜେଡି ଓ କଂଗ୍ରେସର ବିଧାୟକମାନେ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି।


ଓଡ଼ିଶା ଗସ୍ତରେ ଆସି ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ମାଟିକୁ ପ୍ରଣାମ ଜଣାଇ ଓଡ଼ିଆରେ ‘ଜୟ ଜଗନ୍ନାଥ’ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ସପ୍ତଦଶ ବିଧାନସଭାକୁ ୮୨ଜଣ ନୂଆ ବିଧାୟକ ନିର୍ବାଚିତ ହୋଇ ଆସିଥିବାରୁ ସେ ସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ, ବର୍ତ୍ତମାନର ଗୃହରେ ଯୁବଶକ୍ତି ଓ ଅଭିଜ୍ଞତାର ଏକ ଅପୂର୍ବ ସଙ୍ଗମ ହୋଇଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱକୁ କେ. କାମରାଜଙ୍କ ସହ ତୁଳନା କରିଥିଲେ। ଏଥିସହ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶକୁ ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ। ବିଧାନସଭାରେ ଜଣେ ମହିଳାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ସେ ବିଧାୟକମାନଙ୍କୁ ପ୍ରଶଂସା କରିଥିଲେ।
ଭାରତକୁ 'ଗଣତନ୍ତ୍ରର ଜନନୀ' ବୋଲି ଅଭିହିତ କରି ଶ୍ରୀ ରାଧାକୃଷ୍ଣନ ବୈଶାଳୀର ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଚୋଳ ସାମ୍ରାଜ୍ୟର 'କୁଡାଭୋଲାଇ' ପ୍ରଣାଳୀର ଉଦାହରଣ ଦେଇଥିଲେ। ‘ବିକଶିତ ଭାରତ-୨୦୪୭’ ଓ ୨୦୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ଅବସରରେ ‘ବିକଶିତ ଓଡ଼ିଶା-୨୦୩୬’ର ସ୍ୱପ୍ନକୁ ସାକାର କରିବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ କାମ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଗୃହ କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି ହେବା ପ୍ରସଙ୍ଗରେ ସେ ଉଦବେଗ ବ୍ୟକ୍ତ କରି କହିଥିଲେ ଯେ ଗଣତନ୍ତ୍ରର ପ୍ରକୃତ ଅର୍ଥ ହେଉଛି ‘ଅସହମତି ପାଇଁ ସହମତ ହେବା’। ଆଲୋଚନା, ତର୍କବିତର୍କ କିମ୍ବା ପ୍ରତିବାଦର ପରିଣାମ ସର୍ବଦା ଏକ ସକାରାତ୍ମକ ନିଷ୍ପତ୍ତିରେ ପରିଣତ ହେବା ଆବଶ୍ୟକ। ପ୍ରଶ୍ନକାଳ, ଶୂନ୍ୟକାଳ, କାର୍ଯ୍ୟ ପରାମର୍ଶଦାତା କମିଟି ଓ ପବ୍ଲିକ୍ ଆକାଉଣ୍ଟସ କମିଟର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ 'ନ୍ୟାସନାଲ ଇ-ବିଧାନ ଆପ୍ଲିକେସନ' ଅଧୀନରେ ଡିଜିଟାଲ ହାଉସ୍‌, ଏଆଇ ଓ ନାଚୁରାଲ ଲାଙ୍ଗୁଏଜ୍ ପ୍ରୋସେସିଂ ଭଳି ଆଧୁନିକ ଜ୍ଞାନକୌଶଳ ଆପଣାଇବା ଓ ଓଡ଼ିଶାର ହସ୍ତତନ୍ତ ଶିଳ୍ପର ପ୍ରଚାର ପ୍ରସାର କରିବାକୁ ସେ ପରାମର୍ଶ ଦେଇଥିଲେ। ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା, ଗଠନମୂଳକ ବିତର୍କ ଏବଂ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଉପରେ Vice President CP Radhakrishnan ବିଶେଷ ଗୁରୁତ୍ୱାରୋପ କରିଛନ୍ତି।

ଅନ୍ୟପକ୍ଷରେ, ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବିଧାୟକମାନଙ୍କ ଅନୁପସ୍ଥିତିକୁ ନେଇ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବିରୋଧୀଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଏହି ପ୍ରଶିକ୍ଷଣ ଶିବିର ସମସ୍ତ ବିଧାୟକ ଓ ସାଂସଦମାନଙ୍କ ପାଇଁ ଆୟୋଜିତ ହୋଇଥିଲା, କିନ୍ତୁ ବିଜେଡି ଓ କଂଗ୍ରେସ ଏଥିରେ ଯୋଗ ନଦେଇ ଉପରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି। ବିରୋଧୀମାନେ ଭାବୁଛନ୍ତି ଯେ ସେମାନେ ସବୁକିଛି ଶିଖିଗଲେଣି ଓ ଆଉ ଶିଖିବାର ଆବଶ୍ୟକତା ନାହିଁ, କିନ୍ତୁ ଶିକ୍ଷା ଏକ ଅନବରତ ଚାଲୁଥିବା ପ୍ରକ୍ରିୟା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।

ରାଜସ୍ୱ ମନ୍ତ୍ରୀଙ୍କ ଏହି ମନ୍ତବ୍ୟର ଜବାବ ଦେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଗଣତନ୍ତ୍ରର ଠିକାଦାରୀ କେବଳ ବିଜେପି ନେଇନାହିଁ ଓ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ବିଜେଡି ବହୁତ ଲଢ଼େଇ ଲଢ଼ିଛି। ଉପରାଷ୍ଟ୍ରପତି ପ୍ରଶିକ୍ଷଣ ଦେଉନାହାନ୍ତି, ଏହା କେବଳ ଏକ ଶିବିରର ଆୟୋଜନ ବୋଲି ଦର୍ଶାଇ ସେ ସରକାରଙ୍କ ବିରୋଧରେ ପ୍ରତିବାଦ କରିବାର ଅଧିକାର ନାହିଁ କି ବୋଲି ଓଲଟା ପ୍ରଶ୍ନ କରିଛନ୍ତି।

ସେହିପରି କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାଶ ଉପରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇବା ସହ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ଅଢ଼େଇ ବର୍ଷ ବିତିଯିବା ପରେ ଏବେ ପ୍ରଶିକ୍ଷଣ ଦେବା କେତେଦୂର ଯୁକ୍ତିଯୁକ୍ତ? ନୂଆ ରାଜ୍ୟପାଳ ଓଡ଼ିଶାରେ ପାଦ ନଦେଉଣୁ ଦଳର ଅବ୍ୟବସ୍ଥା ସଜାଡ଼ିବା କଥା କହିଥିବାବେଳେ, ସରକାର କେବଳ ପ୍ରଶିକ୍ଷଣ ଶିବିର ବାହାନାରେ ନିଜ ଦଳକୁ ସଂଗଠିତ କରିବା ଓ ଦଳୀୟ ମାଇଲେଜ୍ ନେବା ପାଇଁ ଏହି କାର୍ଯ୍ୟକ୍ରମ କରୁଥିବା ସେ ଅଭିଯୋଗ କରିଛନ୍ତି। ପ୍ରଥମେ ବିଜେପି ନିଜ ବିଧାୟକ ଓ କର୍ମୀଙ୍କୁ ପ୍ରଶିକ୍ଷିତ କରୁ ବୋଲି ସେ କହିଛନ୍ତି।

ତେବେ ବିଜେଡି ଓ କଂଗ୍ରେସର ବର୍ଜନ ସତ୍ତ୍ୱେ କଂଗ୍ରେସର ନିଲମ୍ବିତ ବିଧାୟିକା ସୋଫିଆ ଫିରଦୋଷ ଓ ବିଜେଡିର ନିଲମ୍ବିତ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଭିନ୍ନ ମତ ରଖିଛନ୍ତି।ସୋଫିଆ କହିଛନ୍ତି ଯେ, କାର୍ଯ୍ୟକ୍ରମ ବର୍ଜନ ନେଇ କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ କୌଣସି ସୂଚନା ଦିଆଯାଇନାହିଁ ଓ ସେ ଶିଖିବା ପାଇଁ ଆସିଛନ୍ତି। ସମସ୍ତ ବିଧାୟକ ଏଥିରେ ଯୋଗଦେବାର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି। ସେହିପରି ବିଧାୟକ ଅରବିନ୍ଦ ମହାପାତ୍ର କହିଛନ୍ତି ଯେ, ବିଜେଡି ବିଧାୟକମାନେ କାହିଁକି ଆସିନାହାନ୍ତି ସେ ଜାଣିନାହାନ୍ତି, ହୁଏତ ଏହା ସେମାନଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ହୋଇପାରେ, କିନ୍ତୁ ସେ ଶିଖିବାକୁ ଆସିଛନ୍ତି ଓ ଉପରାଷ୍ଟ୍ରପତିଙ୍କ ଅଭିଭାଷଣ ବେଶ୍ ଉପାଦେୟ ରହିଲା।

ଏହି ଦିନିକିଆ କାର୍ଯ୍ୟକ୍ରମରେ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ସମେତ ମନ୍ତ୍ରୀ, ଶାସକ ଦଳର ସାଂସଦ, ବିଧାୟକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
📲Get App