🔥 TRENDING Bisleri pulls West Bengal water batch... INDIA Alliance Holds Press Conference... Bisleri requests FSSAI review of West... Bihar, UP and Haryana Record Over 12%... सिकंदराराऊ मंडी के पास अज्ञात बोलेरो न... जिला अधिकारी ने बलिया में छात्र अनशन स...
28 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ନ୍ୟାୟପାଳିକାରେ ଏଆଇର ପ୍ରୟୋଗ: ଡିସେମ୍ବର ୧୨ରେ ଭୁବନେଶ୍ୱରରେ ହେବ ଦୁଇଦିନିଆ ବିଶ୍ୱସ୍ତରୀୟ ସମ୍ମିଳନୀ,ପ୍ରସ୍ତୁତି ଚୂଡ଼ାନ୍ତ

✍️ Reporter: Deepak Mahapatra 🗓 28 Nov 2026, 02:35 PM 👁 22
Share: 💬 WhatsApp 📘 Facebook 𝕏 Post
ନ୍ୟାୟପାଳିକାରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର କ୍ରମବର୍ଦ୍ଧିଷ୍ଣୁ ଉପଯୋଗ ଓ ଏହାର ବିଭିନ୍ନ ଦିଗ ଉପରେ ବିଚାରବିମର୍ଶ କରିବା ନିମନ୍ତେ ଆସନ୍ତା ଡିସେମ୍ବର ୧୨ ତାରିଖରୁ ଭୁବନେଶ୍ୱରରେ ଦୁଇଦିନିଆ ବିଶ୍ୱସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ସଫଳ ଓ ତ୍ରୁଟିଶୂନ୍ୟ କରିବା ନିମନ୍ତେ ଆଜି ରାଜ୍ୟ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ଡିସେମ୍ବର ୧୨ ଓ ୧୩ ତାରିଖ ଦୁଇଦିନ ଧରି ଲୋକସେବା ଭବନସ୍ଥିତ କନଭେନସନ୍ ହଲରେ ‘ମାମଲା ପରିଚାଳନାରେ ଏଆଇ- ସମସ୍ୟା ଓ ଆହ୍ୱାନ’ ଶୀର୍ଷକ ଗ୍ଲୋବାଲ ସମ୍ମିଳନୀ ଆୟୋଜିତ ହେବ।

ଆଜି ପ୍ରସ୍ତୁତି ବୈଠକର ଆରମ୍ଭରେ ଆଇନ ବିଭାଗର ପ୍ରମୁଖ ସଚିବ ଏହି ସମ୍ମିଳନୀର ଗୁରୁତ୍ୱ ଓ ପ୍ରସ୍ତାବିତ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।

ଏହି ଦୁଇଦିନିଆ ସମ୍ମିଳନୀରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟର ବିଚାରପତି ଓ ଓଡ଼ିଶା ସମେତ ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ବିଚାରପତିଗଣ, ଆଟର୍ଣ୍ଣି ଜେନେରାଲ ଓ ତାଙ୍କ ଟିମ୍ ସମେତ ଆଇନ କ୍ଷେତ୍ରର ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମିଶାଇ ମୋଟ୍ ପ୍ରାୟ ୩୦୦ ଜଣ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଏହି ଅବସରରେ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ଓଡ଼ିଶା ପାଇଁ ଏଭଳି ସମ୍ମିଳନୀ ଅତ୍ୟନ୍ତ ଗୌରବର ବିଷୟ। ଆଧୁନିକ ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତ୍ତାର ଭୂମିକା ସମ୍ପର୍କରେ ବିଚାରବିମର୍ଶ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମଂଚ ହେବ। କନଭେନସନ୍ ହଲର ପରିଚାଳନା, ଅତିଥିମାନଙ୍କ ରହଣି ଓ ଆତିଥ୍ୟ, ସୁରକ୍ଷା ଓ ଯାତାୟାତ ନିୟନ୍ତ୍ରଣ, ଯାନବାହନ ବ୍ୟବସ୍ଥା, ସମନ୍ୱୟ ଅଧିକାରୀ ନିଯୁକ୍ତି, ଚିକିତ୍ସା ଓ ଅଗ୍ନି ନିରାପତ୍ତା, ପ୍ରଚାର ପ୍ରସାର ଓ ସିଧାପ୍ରସାରଣ, ଇଣ୍ଟରନେଟ୍ ସେବା, ସାଂସ୍କୃତିକ କାର୍ଯ୍ୟକ୍ରମ, ଦର୍ଶନୀୟ ସ୍ଥାନ ପରିଭ୍ରମଣ, ପରିମଳ ବ୍ୟବସ୍ଥା, ସହାୟତା କେନ୍ଦ୍ର ଏବଂ ତଦାରଖ ପାଇଁ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା ଭଳି ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା। ସମସ୍ତ ସମ୍ପୃକ୍ତ ବିଭାଗ ପରସ୍ପର ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ନିଷ୍ଠା ଓ ପେସାଦାର ମନୋଭାବ ନେଇ କାର୍ଯ୍ୟ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି।

ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ମୁଖ୍ୟ ସଚିବ, ରାଜ୍ୟ ଆଡଭୋକେଟ୍ ଜେନେରାଲ , ଆଇନ ସଚିବ, ଆଇଟି ସଚିବ, ପର୍ଯ୍ୟଟନ ସଚିବ, ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବଙ୍କ ସମେତ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶାର ପ୍ରଶାସନିକ ଦକ୍ଷତା ଓ ଉତ୍କୃଷ୍ଟ ଆତିଥ୍ୟକୁ ବିଶ୍ୱ ଦରବାରରେ ପ୍ରତିପାଦିତ କରିବା ପାଇଁ ଆଇନ ବିଭାଗ ସହ ମିଳିତ ଭାବେ କାର୍ଯ୍ୟ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ ସମସ୍ତ ବିଭାଗକୁ ପରାମର୍ଶ ଦେଇଛନ୍ତି।
📲Get App