🔥 TRENDING મટોડા માં ઘરમાંથી કોડેઈનવાળી કફ સિરપની... गांव हारनी खुर्द में श्री अखंड पाठ साह... Kashmir Experiences Sub‑Zero Temperatu... CineInfinity publishes advance booking... Ramayana Sets Record for Lowest Single... From Quilt Worker to AICC Secretary: Y...
26 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ବିରୋଧୀଙ୍କୁ ପଢ଼ିକି ଆସିବାକୁ ପରାମର୍ଶ ଦେଲେ ରାଜସ୍ୱ ମନ୍ତ୍ରୀ, କୋଟିଆ ପ୍ରସଙ୍ଗରେ ଦେଲେ ରୋକଠୋକ୍ ଜବାବ

✍️ Reporter: Deepak Mahapatra 🗓 26 Nov 2026, 01:20 PM 👁 28
Share: 💬 WhatsApp 📘 Facebook 𝕏 Post
ବିଧାନସଭାର ସପ୍ତଦଶ ଅଧିବେଶନରେ ଆଜି ବିପର୍ଯ୍ୟୟ ପରିଚାଳନା ଓ ରାଜସ୍ୱ ବିଭାଗର ପ୍ରଥମ ଅତିରିକ୍ତ ଖର୍ଚ୍ଚଦାବି ଗୃହୀତ ହୋଇଛି। ଅତିରିକ୍ତ ଅନୁଦାନ ପ୍ରସ୍ତାବ ଉପରେ ଆଲୋଚନାବେଳେ ବିରୋଧୀଙ୍କ ସମସ୍ତ ଅଭିଯୋଗକୁ ତଥ୍ୟ ସହ ଖଣ୍ଡନ କରି ଗୃହକୁ ଭଲଭାବେ ପଢ଼ିକି ଆସିବାକୁ ବିରୋଧୀ ଦଳର ସଦସ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏହାସହିତ ବହୁଚର୍ଚ୍ଚିତ କୋଟିଆ ସୀମା ବିବାଦ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ପୂଜାରୀ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ଆନ୍ଧ୍ରପ୍ରଦେଶକୁ ରୋକଠୋକ୍ ଜବାବ ଦେଇଛନ୍ତି।

ଆଜି ବିଧାନସଭାରେ ୨୦୨୬-୨୭ ଆର୍ଥକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ଖର୍ଚ୍ଚ ବିବରଣୀ ଆଲୋଚନାବେଳେ ମନ୍ତ୍ରୀ ଶ୍ରୀ ପୂଜାରୀ ବିପର୍ଯ୍ୟୟ ପରିଚାଳନା ବିଭାଗର କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୪୦ ଲକ୍ଷ ଟଙ୍କା ଓ ବିପର୍ଯ୍ୟୟ ସଙ୍କଟ ପରିଚାଳନା ପାଣ୍ଠି ବାବଦକୁ ୪୯୯୮.୯୯ କୋଟି ଟଙ୍କାର ଅନୁଦାନ ଦାବି ଉପସ୍ଥାପନ କରିଥିଲେ। ଏହି ଆଲୋଚନାରେ ପ୍ରମିଳା ମଲ୍ଲିକ, ବ୍ୟୋମକେଶ ରାୟ ଓ ତାରା ପ୍ରସାଦ ବାହିନୀପତିଙ୍କ ସମେତ ବିରୋଧୀ ବିଧାୟକମାନେ ଭାଗ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ଚଳିତବର୍ଷ ପ୍ରାକୃତିକ ବିପର୍ଯ୍ୟୟରେ ୫୨୩ ଜଣଙ୍କର ଜୀବନହାନି ଓ ୯୯୦୪ ପ୍ରାଣୀ ସମ୍ପଦର ମୃତ୍ୟୁ ଘଟିଥିବାରୁ ସରକାରଙ୍କ 'ଜିରୋ ଟଲେରାନ୍ସ' ସଂକଳ୍ପ ବିଫଳ ହୋଇଥିବା ବିରୋଧୀ ଅଭିଯୋଗ କରିଥିଲେ। ଏହାସହ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ମନୁଷ୍ୟକୃତ ବନ୍ୟା ଯୋଗୁଁ ଗଞ୍ଜାମ, ଗଜପତି ଓ କନ୍ଧମାଳ ସମେତ ଦକ୍ଷିଣ ଓଡ଼ିଶା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଓ ରିଲିଫ ବଣ୍ଟନରେ ପାତରଅନ୍ତର ହୋଇଥିବା ଦର୍ଶାଇ ବିରୋଧୀ କାଟ ପ୍ରସ୍ତାବ ଆଣିଥିଲେ।

ବିରୋଧୀଙ୍କୁ ପାଲଟା ଜବାବ ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ଗତବର୍ଷ ବନ୍ୟା କିମ୍ବା ବାତ୍ୟା ହୋଇ ନଥିବାରୁ ବିପର୍ଯ୍ୟୟ ପାଣ୍ଠିରୁ ଅର୍ଥ ଖର୍ଚ୍ଚ ହୋଇ ନଥିଲା। କେବଳ ବିପର୍ଯ୍ୟୟ ହେଲେ ହିଁ ଏହି ପାଣ୍ଠିରୁ ଟଙ୍କା ଖର୍ଚ୍ଚ ହୁଏ, ତେଣୁ ବିରୋଧୀ ସଦସ୍ୟମାନେ ଗୃହକୁ ଆସିବା ପୂର୍ବରୁ ବିଷୟବସ୍ତୁକୁ ଭଲଭାବେ ଅଧ୍ୟୟନ କରି ଆସିବା ଦରକାର। ପୂର୍ବ ସରକାର ସମୟରେ ବିନା ବନ୍ୟା ବାତ୍ୟାରେ ଟଙ୍କା ଖର୍ଚ୍ଚ ହେଉଥିଲା କି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।

ଏଲନିନୋ ପ୍ରଭାବରୁ ଅକ୍ଟୋବରରେ ବାତ୍ୟା ଦେଖାଦେଇଥିବାବେଳେ ଚଳିତ ବର୍ଷ ସ୍ୱାଭାବିକଠାରୁ ୩୦ ପ୍ରତିଶତ ଅଧିକ ମୌସୁମୀ ବର୍ଷା ହୋଇଛି ଏବଂ ଗଞ୍ଜାମ ଜିଲ୍ଲା ଏଭଳି ରେକର୍ଡ ବର୍ଷା କେବେ ଦେଖି ନଥିଲା। ବନ୍ୟା ସମୟରେ ସେ ନିଜେ ସାରା ରାତି ପ୍ରଭାବିତ ଅଂଚଳର ବିଧାୟକମାନଙ୍କୁ ଫୋନ୍ କରି ସ୍ଥିତି ପଚାରିଥିଲେ। ରାଇକିଆ ଭୂସ୍ଖଳନରେ ଜଣେ ଉପଜିଲ୍ଲାପାଳ ୧୧ଦିନ ଧରି ଉଦ୍ଧାର କାର୍ଯ୍ୟର ନେତୃତ୍ୱ ନେଇଥିବାବେଳେ ଫୁଲବାଣୀ ଜିଲ୍ଲାପାଳ ନିଜ ନବଜାତ କନ୍ୟା ସନ୍ତାନକୁ ଦେଖିବାକୁ ନଯାଇ ଡ୍ୟୁଟିରେ ରହିଥିଲେ । ମୁଖ୍ୟ ସଚିବ ଓ ଏସଆରସି ରାତିତମାମ କଣ୍ଟ୍ରୋଲ ରୁମରେ ରହି କାର୍ଯ୍ୟ କରିଥିବାବେଳେ କର୍ତ୍ତବ୍ୟରେ ଅବହେଳା କରିଥିବା ୨୦ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।

ଗଣମାଧ୍ୟମରେ ସେ ମୁହଁ ଦେଖାଇବା ପାଇଁ ସମୀକ୍ଷା କରୁଥିବା ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ବୟସଠାରୁ ଅଧିକ ପୁଲିସ ଲାଠିମାଡ଼ର ଚିହ୍ନ ତାଙ୍କ ଦେହରେ ଅଛି। ତେଣୁ ଟିଭିରେ ଚେହେରା ଦେଖାଇବା ବୟସ ସେ କେବେଠାରୁ ଅତିକ୍ରମ କରିସାରିଛନ୍ତି। ରିଲିଫ ବଣ୍ଟନରେ କୌଣସି ପାତରଅନ୍ତର ହୋଇନାହିଁ ଓ ଚଳିତମାସ ଶେଷ ସୁଦ୍ଧା ସମସ୍ତଙ୍କୁ କ୍ଷତିପୂରଣ ମିଳିଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏହି ଅବସର(Odisha Assembly address)ରେ ପୂର୍ବତନ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଡ୍ୟାମ ପରିଚାଳନା ନେଇ ଉଠାଇଥିବା ପ୍ରଶ୍ନ ଉପରେ ମନ୍ତ୍ରୀ ଶ୍ରୀ ପୂଜାରୀ କଟାକ୍ଷ କରି କହିଥିଲେ ଯେ, ବିଜେଡି ନିଜର ବିଶ୍ୱସନୀୟତା ହରାଇଥିବାରୁ ଜଣେ ପୂର୍ବତନ ମୁଖ୍ୟ ସଚିବଙ୍କୁ ଆଗକୁ ଛାଡ଼ିଛି । ଦୀର୍ଘ ୩୦ବର୍ଷ ଧରି ପ୍ରଶାସନରେ କାମ କରିଥିବା ସୁରେଶ ମହାପାତ୍ରଙ୍କ ଅଧୀନରେ ବର୍ତ୍ତମାନର ମୁଖ୍ୟ ସଚିବଙ୍କ ସମେତ ସମସ୍ତ ଅଧିକାରୀ ଜୁନିଅର ଭାବେ କାମ କରିଛନ୍ତି। ଯଦି ତାଙ୍କର କିଛି ପରାମର୍ଶ ଥିଲା, ତେବେ ସେ କାହାକୁ ଫୋନ୍ କରି କହିଲେ ନାହିଁ କାହିଁକି ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନର ସାମ୍ନା କରିବା ଭୟରେ ସେ ସାମ୍ବାଦିକ ସମ୍ମିଳନୀ ନକରି କେବଳ ଏକ ଭିଡିଓ ମେସେଜ୍ ଛାଡ଼ିଥିବା ମନ୍ତ୍ରୀ କହିଛନ୍ତି।


ସେହିପରି କୋଟିଆ ସୀମା ବିବାଦ ପ୍ରସଙ୍ଗରେ ରୋକଠୋକ୍ ଜବାବ ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, କୋଟିଆ ଓଡ଼ିଶାର ଥିଲା, ଅଛି ଓ ରହିବ। ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ଦିନରୁ କୋଟିଆର ୨୧ଟି ଗ୍ରାମ ଓଡ଼ିଶାର ଅଭିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି। ୧୯୬୮ ମସିହାରୁ ସୁପ୍ରିମକୋର୍ଟରେ ମାମଲା ଚାଲିବା ଓ୨୦୦୬ରେ ମୂଳ ମୋକଦ୍ଦମା ଖାରଜ ହେବାପରେ ବର୍ତ୍ତମାନ ସ୍ଥିତାବସ୍ଥା (ଷ୍ଟାଟସ୍ କୋ) ବଜାୟ ରହିଛି, ଯାହାକୁ ଆନ୍ଧ୍ରପ୍ରଦେଶ ବାରମ୍ବାର ଉଲ୍ଲଂଘନ କରୁଛି।

୨୦୨୧ ମସିହାରେ ଆନ୍ଧ୍ର ଜବରଦସ୍ତି କୋଟିଆରେ ପଶି ନିର୍ବାଚନ କରାଇଥିବାବେଳେ ତତ୍କାଳୀନ ସରକାର ନିରବ ରହିଥିଲେ, ମାତ୍ର ଚଳିତ ପଂଚାୟତ ନିର୍ବାଚନରେ କୋରାପୁଟ ପ୍ରଶାସନ ଓ ସର୍ବଦଳୀୟ ସହଯୋଗ ଯୋଗୁଁ ଆନ୍ଧ୍ର ଅଧିକାରୀମାନେ କୋଟିଆ ଭିତରକୁ ପ୍ରବେଶ କରିପାରିଲେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ ସବକମିଟି ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ କୋଟିଆ ଗସ୍ତ କରି ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବା ସହ ‘କୋଟିଆ ପରବ’ ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି। ଆଗାମୀ ନିର୍ବାଚନ ଓ ଆଇନଗତ ଲଢ଼େଇ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଏବଂ ଓଡ଼ିଶାର ଇେଂଚ ବି ଜମି ଛଡ଼ାଇ ନେବାକୁ ଚେଷ୍ଟା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସ୍ପଷ୍ଟ କରିଛନ୍ତି ।
📲Get App