🔥 TRENDING ಭೂ ಕಬಳಿಕೆ: ಔರಾದ್ ಶಾಸಕರಿಗೆ ನ್ಯಾಯಾಲಯ ನೋಟ... टाटीझरिया पुलिस ने कुख्यात अपराधी रामल... 13 CRPF Companies Deployed in Tripura... Tripura University to Set Up Japanese... Mohammed Azharuddeen celebrates centur... Himachal Pradesh Raises Free Power Roy...
26 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ବାତ୍ୟା ‘ଅର୍ଣ୍ଣବ’ ତାଣ୍ଡବକୁ ମାସେ ପୁରିବ, ତଥାପି ଅନ୍ଧାରରେ ରହୁଛନ୍ତି ୧୭ ହଜାର ପରିବାର

✍️ Reporter: Deepak Mahapatra 🗓 26 Nov 2026, 01:23 PM 👁 35
Share: 💬 WhatsApp 📘 Facebook 𝕏 Post
ଦକ୍ଷିଣ ଓଡ଼ିଶାରେ ତାଣ୍ଡବ ରଚିଥିବା ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ପ୍ରଳୟଙ୍କରୀ ବନ୍ୟାକୁ ପ୍ରାୟ ମାସେ ପୁରିବାକୁ ବସିଲାଣି। ତଥାପି ହଜାର ହଜାର ପରିବାର ଏବେବି ଅନ୍ଧାରରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। ଗତ ଅକ୍ଟୋବର ଶେଷ ସପ୍ତାହରେ ଆସିଥିବା ‘ଅର୍ଣ୍ଣବ’ ଯୋଗୁ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିବା ଅଂଚଳରେ ଶତପ୍ରତିଶତ ବିଦ୍ୟୁତ ସଂଯୋଗ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଏବେବି ରାଜ୍ୟର ୪ଟି ଜିଲ୍ଲାର ୧୬୯୧୪ଟି ପରିବାର ପାଖରେ ବିଦ୍ୟୁତ ସେବା ପହଂଚିପାରିନାହିଁ ବୋଲି ଆଜି ବିଧାନସଭାରେ ରାଜ୍ୟ ସରକାର ସ୍ୱୀକାର କରିଛନ୍ତି।

ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବାତ୍ୟା ‘ଅର୍ଣ୍ଣବ’ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ବିସ୍ତଅତ ତଥ୍ୟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ, ଟିପିଏସଓଡିଏଲ୍ ଅଧୀନରେ ଥିବା ଦକ୍ଷିଣ ଓଡ଼ିଶାର ଏହି ୮ଟି ଜିଲ୍ଲାରେ ବାତ୍ୟା ଓ ବନ୍ୟା ଯୋଗୁଁ ମୋଟ ୧୭,୮୮,୯୪୨ ଜଣ ବିଦ୍ୟୁତ ଉପଭୋକ୍ତା ପ୍ରଭାବିତ ହୋଇଥିବାବେଳେ ସେଥିମଧ୍ୟରୁ ୧୭,୭୨,୦୨୮ ଜଣଙ୍କୁ ବିଦ୍ୟୁତ୍ ସଂଯୋଗ ଦିଆଯାଇସାରିଛି। ଅବଶିଷ୍ଟ ୧୬୯୧୪ଟି ପରିବାରକୁ ବିଦ୍ୟୁତ ସେବା କେବେ ସୁଦ୍ଧା ଯୋଗାଇ ଦିଆଯିବ ତାହା ମନ୍ତ୍ରୀ ଶ୍ରୀ ସିଂହଦେଓ ସ୍ପଷ୍ଟ କରିପାରିନାହାନ୍ତି।


ଶକ୍ତିମନ୍ତ୍ରୀ ଦେଇଥିବା ଜିଲ୍ଲାୱାରୀ ତଥ୍ୟରୁ ଜଣାପଡ଼େ ଯେ, ବୌଦ୍ଧ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଶତପ୍ରତିଶତ ବିଦ୍ୟୁତ୍ ସେବା ସ୍ୱାଭାବିକ ହୋଇସାରିଛି। ବୌଦ୍ଧର ସମସ୍ତ ୮୬୩୮୩, ରାୟଗଡ଼ାର ୧,୧୫,୫୦୩, ମାଲକାନଗିରିର ୫୩୧୭୯ ଓ ନବରଙ୍ଗପୁରର ୨,୧୧,୨୬୩ ଜଣ ପ୍ରଭାବିତ ଉପଭୋକ୍ତାଙ୍କ ଘରକୁ ପୁଣିଥରେ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇ ସାରିଛି।

ଅନ୍ୟପକ୍ଷରେ ଗଜପତି ଜିଲ୍ଲାରେ ୧,୫୪,୩୩୭ ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ୧,୫୪,୧୯୩ ଜଣଙ୍କୁ ସଂଯୋଗ ମିଳିଥିବାବେଳେ ୧୪୪ଟି ପରିବାର ଏବେ ବି ଅନ୍ଧାରରେ ରହିଛନ୍ତି। ସେହିପରି କୋରାପୁଟରେ ୧,୯୦,୬୩୮ ଜଣଙ୍କ ମଧ୍ୟରୁ ୨୩୧ଟି ପରିବାର ଓ କନ୍ଧମାଳ ଜିଲ୍ଲାରେ ମୋଟ ୧,୪୮,୩୪୭ ପ୍ରଭାବିତଙ୍କ ମଧ୍ୟରୁ ୩୪୬ଟି ପରିବାର ଏବେ ବି ବିଦ୍ୟୁତ ସଂଯୋଗ ଅପେକ୍ଷାରେ ରହିଛନ୍ତି।

ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଗଞ୍ଜାମ ଜିଲ୍ଲାରେ ୮,୨୯,୨୯୨ ଜଣ ବିଦ୍ୟୁତ୍ ଉପଭୋକ୍ତାଙ୍କ ମଧ୍ୟରୁ ୧୬୧୯୩ଟି ପରିବାର ଏବେ ବି ଅନ୍ଧାରରେ ଦିନ ବିତାଇବାକୁ ବାଧ୍ୟ ହେଉଛନ୍ତି ବୋଲି ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି।

ଏହାସହିତ ଭବିଷ୍ୟତରେ ବାତ୍ୟା ମୁକାବିଲା ପାଇଁ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ସରକାରଙ୍କ ଯୋଜନା ସମ୍ପର୍କରେ ସୂଚନା ଦେଇ ଶକ୍ତିମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ଅଧୀନରେ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନଥିଲେ ମଧ୍ୟ ଜରୁରୀକାଳୀନ ପରିସ୍ଥିତିରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଏଭଳି ପ୍ରକଳ୍ପ ହାତକୁ ନିଆଯାଉଛି।

ପୂର୍ବ ବାତ୍ୟା ତୁଳନାରେ ‘ଅର୍ଣ୍ଣବ’ (Cyclone Arnab) ପରେ ବିଦ୍ୟୁତ୍ ପୁନରୁଦ୍ଧାର କାର୍ଯ୍ୟରେ ଯଥେଷ୍ଟ ଅଗ୍ରଗତି ହୋଇଛି। ଉପକୂଳବର୍ତ୍ତୀ ବାତ୍ୟା ପ୍ରବଣ ଜିଲ୍ଲାଗୁଡ଼ିକରେ ବିଦ୍ୟୁତ୍ ବିତରଣ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ପ୍ରାୟ ୧୧୦୨.୪ କିମି ଭୂତଳ କେବୁଲିଂ, ୯୫ କିମି କଭର୍ଡ କଣ୍ଡକ୍ଟର ଓ ଝଡ଼ପ୍ରତିରୋଧୀ ଟାୱାର ନିର୍ମାଣ କରିବାକୁ ଯୋଜନା କରାଯାଇଛି। ବିଶେଷକରି ପୁରୀ ଅଂଚଳରେ ବିଦ୍ୟୁତ୍ ସେବାକୁ ଅଧିକ ଭରସାଯୋଗ୍ୟ ଓ ବିପର୍ଯ୍ୟୟ ପ୍ରତିରୋଧୀ କରିବା ପାଇଁ ୪.୧୯୨ କିମି ଲମ୍ବ ବିଶିଷ୍ଟ ୧୩୨ କେଭି ପୁରୀ-ସମାଗରା ଭୂତଳ କେବୁଲ ଲାଇନ୍ ଓ ୨୧.୫୬ କିମି ଲମ୍ବ ବିଶିଷ୍ଟ ୧୩୨ କେଭି ଶାମୁକା-ସମାଗରା ଭୂତଳ କେବୁଲ ଲାଇନ୍ ନିର୍ମାଣ ପାଇଁ ପ୍ରସ୍ତାବ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ ସୂଚନା ଦେଇଛନ୍ତି।
📲Get App