🔥 TRENDING GTRI asks CBIC for clear rules on Scot... Govt Boosts Make in India with ₹11,000... Bangladesh Shuts Door on Awami League,... IMCR Honors AMU Union Leaders, Calls Y... Defence Rajnath Singh Urges Peaceful E... Blade Runner 2099 X Review: Audience P...
26 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ଦୟାନଦୀ କଳିଙ୍ଗ ଘାଟରେ ଭବ୍ୟ ବୋଇତ ବନ୍ଦାଣ ଉତ୍ସବ, ଯୋଗଦେଲେ ବାଚସ୍ପତି ଓ ବିଧାୟକ

✍️ Reporter: Deepak Mahapatra 🗓 26 Nov 2026, 07:11 AM 👁 29
Share: 💬 WhatsApp 📘 Facebook 𝕏 Post
ଓଡ଼ିଆ ଜାତିର ଗୌରବ, ଆମ ପରମ୍ପରାର ପରିଚୟ ଏବଂ ପ୍ରାଚୀନ ନୌବାଣିଜ୍ୟର ସ୍ମୃତିକୁ ଉଜ୍ଜୀବିତ କରି ଧଉଳି ପାଦଦେଶରେ ଦୟାନଦୀ କଳିଙ୍ଗ ଘାଟଠାରେ ମହାଆଡ଼ମ୍ବରରେ ପାଳିତ ହୋଇଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ।ଭୈରଙ୍ଗେଶ୍ୱର ମନ୍ଦିର ନିକଟରେ ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି ଭବ୍ୟ ଉତ୍ସବରେ ଯୋଗଦେଇଥିଲେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏବଂ ଏକାମ୍ର ବିଧାୟକ ତଥା ପରିଷଦର ସଭାପତି ଶ୍ରୀ ବାବୁ ସିଂ।

ସକାଳୁ ସକାଳୁ ଭଜନର ମଧୁର ସୁରରେ ଭକ୍ତିମୟ ହୋଇଉଠିଥିଲା ସମଗ୍ର କଳିଙ୍ଗ ଘାଟ। କଣ୍ଠଶିଳ୍ପୀ ସୌରବ ଭରଦ୍ୱାଜଙ୍କ ଭଜନ ପରିବେଷଣ ଶ୍ରଦ୍ଧାଳୁଙ୍କ ମନରେ ଆଧ୍ୟାତ୍ମିକ ଭାବନା ଭରିଦେଇଥିଲା।ଏହାପରେ ସାଧବପୁଅ ଓ ସାଧବବୋହୂ ବେଶରେ ସଜ୍ଜିତ ଛୋଟ ଛୋଟ ପିଲାମାନେ ପାରମ୍ପରିକ ରୀତିନୀତିରେ ଡଙ୍ଗା ଭସାଇ ବୋଇତ ବନ୍ଦାଣ କରିଥିଲେ। ଏହି ମନୋରମ ଦୃଶ୍ୟ ଉତ୍ସବର ଆକର୍ଷଣକୁ ଦ୍ୱିଗୁଣିତ କରିଥିଲା।ଏହି ଅବସରରେ ବାଚସ୍ପତି ସୁରମା ପାଢ଼ୀ ଓ ବିଧାୟକ ବାବୁ ସିଂ ଡଙ୍ଗାରେ ବସି କଳିଙ୍ଗ ଘାଟ ପରିକ୍ରମା କରିଥିଲେ।

ବାଚସ୍ପତି ନିଜ ବକ୍ତବ୍ୟରେ କହିଥିଲେ, ବୋଇତ ବନ୍ଦାଣ କେବଳ ଏକ ପର୍ବ ନୁହେଁ, ଏହା ଓଡ଼ିଆ ଜାତିର ଗୌରବମୟ ସାମୁଦ୍ରିକ ଇତିହାସ, ସାଧବପୁଅଙ୍କ ସାହସ ଓ ନୌବାଣିଜ୍ୟ ପରମ୍ପରାର ଅମର ପ୍ରତୀକ। ଆମର ଏହି ଗୌରବମୟ ଐତିହ୍ୟକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବା ଆମ ସମସ୍ତଙ୍କ ଦାୟିତ୍ୱ।ସେହିପରି ବିଧାୟକ ବାବୁ ସିଂ କହିଥିଲେ, ଆମ ସଂସ୍କୃତି ଓ ପରମ୍ପରା ଆମର ପରିଚୟ। ଏଭଳି ଆୟୋଜନ ଓଡ଼ିଆ ଅସ୍ମିତାକୁ ମଜଭୁତ କରିବା ସହ ଆଗାମୀ ପିଢ଼ିଙ୍କ ମଧ୍ୟରେ ସାଂସ୍କୃତିକ ଚେତନା ଓ ଗର୍ବ ସୃଷ୍ଟି କରିବ।

ପରିଷଦର ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ, ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ରାଜନୈତିକ ଓ ସାମାଜିକ କର୍ମକର୍ତ୍ତାଙ୍କ ସମେତ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ।ସତରେ, ଦୟାନଦୀର ଜଳରାଶିରେ ଭାସିଥିବା ଛୋଟ ଛୋଟ ଡଙ୍ଗା କେବଳ ଏକ ପରମ୍ପରାର ପ୍ରତୀକ ନୁହେଁ, ବରଂ ଆମ ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତର ଏକ ସୁନ୍ଦର ବାର୍ତ୍ତା।
📲Get App