🔥 TRENDING ଦଶମ ଶ୍ରେଣୀର ଛାତ୍ରଙ୍କୁ ଛୁରୀ ଭୁସିଲା ଅନ୍ୟ... BJP and Akali Dal Form Alliance to Con... BJP and Akali Dal to Announce Punjab A... Zubeen's Wife Declines State Aid Amid... Assam Remains Optimistic Despite COP31... Assam CM Himanta Biswa Sarma Calls for...
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Religion

କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ର ଜନସମୁଦ୍ର: ମହୋଦଧିରେ ବୁଡ଼, ବୋଇତ ବନ୍ଦାଣ ଓ ରାଜରାଜେଶ୍ୱର ବେଶ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼

✍️ Reporter: Deepak Mahapatra 🗓 24 Nov 2026, 02:37 PM 👁 25
Share: 💬 WhatsApp 📘 Facebook 𝕏 Post
ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ଭକ୍ତିମୟ ହୋଇଉଠିଛି ଶ୍ରୀକ୍ଷେତ୍ର ପୁରୀ। ପଞ୍ଚୁକ ବ୍ରତର ଅନ୍ତିମ ଦିନରେ ମହୋଦଧିରେ ବୁଡ଼ ପକାଇବା, ପାରମ୍ପରିକ ବୋଇତ ବନ୍ଦାଣ ଏବଂ ମହାପ୍ରଭୁଙ୍କ ଦୁର୍ଲଭ ରାଜରାଜେଶ୍ୱର ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।

ଭୋରୁ ଭୋରୁ ସମୁଦ୍ରକୂଳ ସମେତ ବିଭିନ୍ନ ପବିତ୍ର ଜଳାଶୟରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼। ହବିଷ୍ୟାଳିଙ୍କଠାରୁ ଆରମ୍ଭ କରି ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ପବିତ୍ର ସ୍ନାନ କରି ପୁଣ୍ୟ ଅର୍ଜନ କରିଥିଲେ। ଏହାପରେ ପାରମ୍ପରିକ ରୀତିନୀତି ଅନୁସାରେ କଦଳୀ ପାଟୁକା, ସୋଲ ଓ କାଗଜରେ ନିର୍ମିତ ସୁସଜ୍ଜିତ ବୋଇତରେ ଦୀପ ଜାଳି ଜଳରେ ଭସାଇଥିଲେ ଶ୍ରଦ୍ଧାଳୁ।

ପ୍ରାଚୀନ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟ ପରମ୍ପରା ଓ ସାଧବପୁଅଙ୍କ ସୁଦୂର ଦେଶକୁ ବାଣିଜ୍ୟ ଯାତ୍ରାର ସ୍ମୃତିକୁ ମନେ ପକାଇ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ। ଦୀପର ଆଲୋକରେ ସମୁଦ୍ର ଓ ଜଳାଶୟଗୁଡ଼ିକର ଦୃଶ୍ୟ ହୋଇଉଠିଥିଲା ଅତ୍ୟନ୍ତ ମନୋରମ।

ଅନ୍ୟପଟେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରାଜରାଜେଶ୍ୱର ବେଶ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଦେଖାଦେଇଥିଲା ଅପୂର୍ବ ଉତ୍ସାହ। ସୋମବାର ରାତିରୁ ହିଁ ଶ୍ରଦ୍ଧାଳୁମାନେ ମନ୍ଦିର ସମ୍ମୁଖରେ ଧାଡ଼ି ବାନ୍ଧିଥିବା ବେଳେ ସକାଳର ନୀତିକାନ୍ତି ପରେ ତ୍ରିଦେବଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ି ଲାଗିଥିଲା।
ଭକ୍ତଙ୍କ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ପରିସର, ସମୁଦ୍ରକୂଳ ଓ ପ୍ରମୁଖ ତୀର୍ଥଯାତ୍ରୀ ମାର୍ଗରେ ୪୫ରୁ ଅଧିକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଭିଡ଼ ନିୟନ୍ତ୍ରଣ ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ଓ ଯାତାୟାତ ଉପରେ ପ୍ରଶାସନର ନଜର ରହିଛି।
📲Get App