🔥 TRENDING साप्ताहिक समीक्षा बैठक में जिला कलेक्ट... வேலூர் புதிய பேருந்து நிலையத்தில் போக்... Punjab Congress lifts suspension of fo... Majuli Launches Northeast’s First Doub... ED Seizes Rs 70 Lakh Assets of Former... Assam to Allocate ₹4,000 Crore for Ski...
23 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

୭.୨୪ ଲକ୍ଷ ଟଙ୍କାର ଷ୍ଟ୍ରିଟ୍ ଲାଇଟ୍ ପାଣ୍ଠି ହେରଫେର ମାମଲା: ପୂର୍ବତନ ପିଇଓ, କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଗିରଫ

✍️ Reporter: Deepak Mahapatra 🗓 23 Nov 2026, 03:00 PM 👁 18
Share: 💬 WhatsApp 📘 Facebook 𝕏 Post
ଗଞ୍ଜାମ ଜିଲ୍ଲା ବାଲ୍ୟସାରା ଗ୍ରାମ ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଏବଂ ରକ୍ଷଣାବେକ୍ଷଣ ପାଇଁ ଉଦ୍ଦିଷ୍ଟ ସରକାରୀ ପାଣ୍ଠିରୁ ୭ ଲକ୍ଷ ୨୪ ହଜାର ୯୫୯ ଟଙ୍କା ହେରଫେର କରିଥିବା ଅଭିଯୋଗରେ ଆଜି ତିନି ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ: ଜେ. ରାମା ରାଓ, ସବ୍ୟସାଚୀ ଗନ୍ତାୟତ ଓ କୃଷ୍ଣଚନ୍ଦ୍ର ବେହେରା।


ଜେ. ରାମା ରାଓ ହେଉଛନ୍ତି ବାଲ୍ୟସାରା ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ। ସେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକରେ ପିଇଓ ଭାବେ ନିଯୁକ୍ତ ହୋଇଥିଲେ। ସବ୍ୟସାଚୀ ଗନ୍ତାୟତ ହେଉଛନ୍ତି କବିସୂର୍ଯ୍ୟ ନଗର ବ୍ଲକର କନିଷ୍ଠ ଯନ୍ତ୍ରୀ। ସେ ବାଲ୍ୟସାରା ଗ୍ରାମ ପଞ୍ଚାୟତର ଦାୟିତ୍ୱରେ ଥିଲେ। ସେହିପରି କୃଷ୍ଣ ଚନ୍ଦ୍ର ବେହେରା ହେଉଛନ୍ତି ଠିକାଦାର। ସେ ହେଉଛନ୍ତି ପୁରୁଷୋତ୍ତମପୁର ସ୍ଥିତ 'ମା' ତାରା ତାରିଣୀ କନଷ୍ଟ୍ରକ୍ସନ୍'ର ମାଲିକ।

ବାଲ୍ୟସାରା ଗ୍ରାମ ପଞ୍ଚାୟତର ୫ଟି ଗାଁରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟରେ ସରକାରୀ ପାଣ୍ଠି ହେରଫେର ହୋଇଥିବା ନେଇ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା।


ତଦନ୍ତ ସମୟରେ ଜଣାପଡ଼ିଛି ଯେ, ବାଲ୍ୟସାରା ପଞ୍ଚାୟତରେ ୧୨୨ଟି ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିବା ଦାବି କରାଯାଇଥିଲେ ମଧ୍ୟ ବାସ୍ତବରେ ଠିକାଦାର କୃଷ୍ଣଚନ୍ଦ୍ର ବେହେରା କେବଳ ୨୦ଟି ଷ୍ଟ୍ରିଟ୍ ଲାଇଟ୍ ଲଗାଇଥିଲେ ଏବଂ ବାକି ୧୦୨ଟି ଷ୍ଟ୍ରିଟ୍ ଲାଇଟ୍ ଆଦୌ ଲଗାଯାଇ ନଥିଲା। ଏହା ସତ୍ତ୍ୱେ ଜେ. ରାମା ରାଓ, ସବ୍ୟସାଚୀ ଗନ୍ତାୟତ ଏବଂ ବାଲ୍ୟସାରା ପଞ୍ଚାୟତର ପୂର୍ବତନ ସରପଞ୍ଚ ଝୁଲି ସେଠୀ ୨୦୨୧-୨୨ ଆର୍ଥିକ ବର୍ଷରେ ୧୨୨ଟି ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିବା ନେଇ ମିଛ ରିପୋର୍ଟ ଦେଇ ଠିକାଦାର ଶ୍ରୀ ବେହେରାଙ୍କ ସପକ୍ଷରେ ବିଲ୍ ପାସ୍ କରିଥିଲେ। ଫଳରେ ତାଙ୍କୁ ୭ ଲକ୍ଷ ୭୫ ହଜାର ୯୩୯ ଟଙ୍କା ପ୍ରଦାନ କରାଯାଇଥିଲା। ୧୦୨ଟି ଷ୍ଟ୍ରିଟ୍ ଲାଇଟ୍ ଆଦୌ ଲଗାଯାଇ ନଥିବାରୁ ସିଧାସଳଖ ୬ ଲକ୍ଷ ୮୩ ହଜାର ୪୬୫ ଟଙ୍କା ଆତ୍ମସାତ୍ କରାଯାଇଥିଲା।
ଏହା ବ୍ୟତୀତ, ଷ୍ଟ୍ରିଟ୍ ଲାଇଟ୍ ରକ୍ଷଣାବେକ୍ଷଣ ବାବଦରେ ଜେ. ରାମା ରାଓଙ୍କୁ ୯୭,୫୦୦ ଟଙ୍କା ପ୍ରଦାନ କରାଯାଇଥିଲା। କିନ୍ତୁ ଘଟଣାସ୍ଥଳରେ ଯାଞ୍ଚରୁ ଜଣାପଡ଼ିଛି ଯେ ୪୧,୪୯୩ ଟଙ୍କା ମୂଲ୍ୟର ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଇ ନଥିଲା ଏବଂ ଶ୍ରୀ ରାଓ ସେହି ଅର୍ଥ ଆତ୍ମସାତ୍ କରିଛନ୍ତି। ମୋଟ ଉପରେ ବାଲ୍ୟସାରା ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଏବଂ ରକ୍ଷଣାବେକ୍ଷଣ କ୍ଷେତ୍ରରେ ସରକାରୀ ପାଣ୍ଠିରୁ ୭,୨୪,୯୫୮ ଟଙ୍କା ଆତ୍ମସାତ୍ କରାଯାଇଥିବା ଜଣାପଡ଼ିଛି।

ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏଥିରେ ଅଭିଯୁକ୍ତ ଭାବେ ପୂର୍ବତନ ପିଇଓ (PEO) ଜେ. ରାମା ରାଓ, କନିଷ୍ଠ ଯନ୍ତ୍ରୀ (JE) ସବ୍ୟସାଚୀ ଗନ୍ତାୟତ, କାର୍ଯ୍ୟକାରୀ ବ୍ୟକ୍ତି କୃଷ୍ଣ ଚନ୍ଦ୍ର ବେହେରା ଏବଂ ପୂର୍ବତନ ସରପଞ୍ଚ ଶ୍ରୀମତୀ ଝୁଲି ସେଠୀଙ୍କ ନାମ ରହିଛି।
📲Get App