🔥 TRENDING ਗੁਰੂ ਨਾਨਕ ਦੇਵ ਜੀ ਦੇ ਪ੍ਰਕਾਸ਼ ਪੁਰਬ ‘ਤੇ ਤ... ୪୦ ହଜାର ଦେବାକୁ ୭ ହଜାର ନେଉଥିଲେ, ଧରିଲା ଭ... Urdu ଆରଆଇଙ୍କୁ ଆକ୍ରମଣ; ଜମି ମାଫିଆଙ୍କ କଥା ଶୁଣି... कानपुर जोनल कार्यालय में मनाया गया उत्... ଏପ୍ରିଲ ମାସରେ ବାହା ହୋଇଥିଲେ; ସବୁ ଠିକ୍ ଚା...
23 Nov 2026•
ગુજરાતી मराठी ਪੰਜਾਬੀ বাংলা
Sarkari Yojana

ଅକଭାନ୍ ମୁକାବିଲାରେ ଓଡ଼ିଶା ସଫଳ, ଆସନ୍ତାକାଲିଠୁ କ୍ଷୟକ୍ଷତି ଆକଳନ,ବନ୍ୟା ପ୍ରତିକାର ପାଇଁ ଆସିବ ୧୦୦ବର୍ଷିଆ ଯୋଜନା: ରାଜସ୍ୱ ମନ୍ତ୍ରୀ

✍️ Reporter: Deepak Mahapatra 🗓 23 Nov 2026, 02:56 PM 👁 10
Share: 💬 WhatsApp 📘 Facebook 𝕏 Post
ବାତ୍ୟା ‘ଅକଭାନ୍‌’ର ପ୍ରଭାବ ହ୍ରାସ ପାଇବା ସହ ଏବେ ଜନଜୀବନ ସ୍ୱାଭାବିକ ହେବାରେ ଲାଗିଛି। ରାଜ୍ୟ ସରକାରଙ୍କ ସୁଦୃଢ଼ ପ୍ରସ୍ତୁତି, ସମନ୍ୱିତ ପଦକ୍ଷେପ ଓ ସମସ୍ତ ବିଭାଗର ନିଷ୍ଠାପର ଉଦ୍ୟମ ଯୋଗୁଁ ବିନା କୌଣସି ଧନଜୀବନ ହାନିରେ ଓଡ଼ିଶା ଏହି ବିପର୍ଯ୍ୟୟର ସଫଳ ମୁକାବିଲା କରିପାରିଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ବାତ୍ୟା ମୁକାବିଲାରେ ବିଭିନ୍ନ ଅଂଚଳରେ ନିୟୋଜିତ ହୋଇଥିବା ଅଧିକାରୀମାନେ ଆସନ୍ତାକାଲିଠାରୁ ନିଜ ନିଜ କାର୍ଯ୍ୟସ୍ଥଳକୁ ଫେରିବା ଆରମ୍ଭ କରିବେ।

ସମଗ୍ର ରାଜ୍ୟରେ ବାତ୍ୟାଜନିତ କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ଆସନ୍ତାକାଲିଠୁ ଆରମ୍ଭ ହେବ ଓ ଖୁବଶୀଘ୍ର କ୍ଷତିପୂରଣ ଯୋଗାଇ ଦିଆଯିବ। ଏଥିସହ ରାଜ୍ୟରେ ବାରମ୍ବାର ଦେଖାଦେଉଥିବା ବନ୍ୟା ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଆଗାମୀ ୧୦୦ ବର୍ଷକୁ ଆଖି ଆଗରେ ରଖି ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଘୋଷଣା କରିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ବାତ୍ୟା ଓ ବର୍ଷା ଯୋଗୁଁ ବିଭିନ୍ନ ଅଂଚଳରେ ଚାଷଜମିରେ ବ୍ୟାପକ ଫସଲ କ୍ଷତି ହୋଇଥିବା ଓ ପାଚିଲା ଧାନ ଓଦା ହୋଇଯାଇଥିବା ଘଟଣା ସରକାରଙ୍କ ନଜରକୁ ଆସିଛି। ଏଥିପାଇଁ ଚାଷୀମାନେ ଆଦୌ ବିଚଳିତ ନହେବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ଆଶ୍ୱାସନା ଦେଇଛନ୍ତି । ଆସନ୍ତାକାଲିଠାରୁ କ୍ଷୟକ୍ଷତିର ସଠିକ୍ ଆକଳନ ଆରମ୍ଭ ହେବ ଓ ଆବଶ୍ୟକସ୍ଥଳେ ବରିଷ୍ଠ ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନରେ ପଠାଯିବ। ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସଆରସି)ଙ୍କ ଦପ୍ତରରେ ପୂର୍ବରୁ ପାଣ୍ଠି ମହଜୁଦ ଥିବାରୁ ରାଜ୍ୟ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ନିୟମାବଳୀ ଅନୁଯାୟୀ ଖୁବଶୀଘ୍ର କ୍ଷତିପୂରଣ ଓ କୃଷି ସହାୟତା ରାଶି ପ୍ରଦାନ କରାଯିବ। ଏହାସହିତ ଫସଲ ବୀମାଭୁକ୍ତ କୃଷକଙ୍କୁ କିଭଳି ତୁରନ୍ତ ବୀମା ରାଶି ମିଳିପାରିବ, ସେଥିପାଇଁ ଉପମୁଖ୍ୟମନ୍ତ୍ରୀ ଓ କୃଷି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ବର୍ଷାରେ ଓଦା ହୋଇଯାଇଥିବା ଧାନକୁ ଶୁଖାଇବା, ନିୟମ ଅନୁସାରେ କ୍ଷତିପୂରଣ ଓ କିଣିବା ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

ମନ୍ତ୍ରୀ ଶ୍ରୀ ପୂଜାରୀ ଆହୁରି ମଧ୍ୟ କହିଛନ୍ତି ଯେ, ଫାଇଲିନ୍ ଓ ତିତଲି ଭଳି ବିଗତ ବର୍ଷଗୁଡ଼ିକର ବନ୍ୟା ଓ ବାତ୍ୟାର ଅନୁଭୂତି ତଥା ଉପଲବ୍ଧ ତଥ୍ୟକୁ ଆଧାର କରି ଆଗାମୀ ୧୦୦ ବର୍ଷକୁ ଆଖି ଆଗରେ ରଖି ଏକ ଦୀର୍ଘମିଆଦୀ ଖସଡ଼ା ଓ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ। ପ୍ରତ୍ୟେକ ନଦୀ ପ୍ରଣାଳୀରେ କେଉଁଠାରେ ନଦୀବନ୍ଧ, ଭିତ୍ତିଭୂମି ଓ ଜଳ ନିଷ୍କାସନ ବ୍ୟବସ୍ଥାର ଆବଶ୍ୟକତା ରହିଛି ଓ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଦ୍ୱାରା ବିପର୍ଯ୍ୟୟର ପ୍ରକୋପକୁ କିଭଳି କମାଯାଇପାରିବ, ସେଥିପାଇଁ ଆଇଆଇଟି ରୁରକି ସମେତ ଅନ୍ୟାନ୍ୟ ପ୍ରତିଷ୍ଠିତ ବୈଷୟିକ ଓ ଗବେଷଣା ପ୍ରତିଷ୍ଠାନ ସହ ଯୋଗାଯୋଗ କରାଯାଇ ସେମାନଙ୍କର ସହଯୋଗ ନିଆଯିବ।
କ୍ରମାଗତ ବନ୍ୟା ଓ ବାତ୍ୟା ଯୋଗୁଁ ଫସଲ, ଘରଦ୍ୱାର କ୍ଷତି ସହ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଓ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବା ଭଳି ସମସ୍ୟାର ସ୍ଥାୟୀ ସମାଧାନ ଏହି ୧୦୦ ବର୍ଷିଆ ଯୋଜନାର ମୁଖ୍ୟ ଲକ୍ଷ୍ୟ ରହିବ। ଏହା ବ୍ୟତୀତ ରାଜ୍ୟରେ ଭୂସ୍ଖଳନ ସମସ୍ୟାର ପ୍ରତିକାର ପାଇଁ ଉତ୍ତରାଖଣ୍ଡ ଗସ୍ତରେ ଯାଇଥିବା ବିଶେଷଜ୍ଞ ଟିମ୍ ଫେରିଆସିଛନ୍ତି ଓ ଆସନ୍ତା ସୋମବାର ଦିନ ସେମାନେ ରିପୋର୍ଟ ଦେବା ପରେ ରାଜ୍ୟରେ ଭୂସ୍ଖଳନ ପ୍ରତିରୋଧକ ବ୍ୟବସ୍ଥା ଆରମ୍ଭ ହେବ। ପ୍ରକୃତିର ପରିବର୍ତ୍ତିତ ଆଚରଣ ଓ ବଢ଼ୁଥିବା ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ରାଜ୍ୟ ସରକାର ଏକ ବୈଜ୍ଞାନିକ ଓ ଦୀର୍ଘସ୍ଥାୟୀ ବ୍ୟବସ୍ଥା ଗଢ଼ିବାକୁ ସଂକଳ୍ପବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।


ରାଜ୍ୟର ବିଭିନ୍ନ ନଦୀ ଅବବାହିକାରେ ବାରମ୍ବାର ସୃଷ୍ଟି ହେଉଥିବା ବନ୍ୟାଜନିତ ବିପର୍ଯ୍ୟୟର ସ୍ଥାୟୀ ପ୍ରତିକାର ପାଇଁ ରାଜ୍ୟ ସରକାର ନଦୀ ସଂଯୋଗୀକରଣ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ରାଜ୍ୟର ୧୧ଟି ନଦୀ ପ୍ରଣାଳୀ ମଧ୍ୟରୁ ମହାନଦୀ ଓ ରେଙ୍ଗାଲି ଜଳଭଣ୍ଡାର ପ୍ରଣାଳୀ ସଠିକ୍ ଭାବେ କାର୍ଯ୍ୟ କରୁଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ଅନ୍ୟ ୮ଟି ସମ୍ବେଦନଶୀଳ ନଦୀ ପ୍ରଣାଳୀର ଭିତ୍ତିଭୂମି ବିକାଶ ପାଇଁ ମାନସ ମନ୍ଥନ କରାଯିବ । ଏଥିପାଇଁ ଆଗାମୀ ବିଧାନସଭା ଅଧିବେଶନ ସମୟରେ ୮ଦିନ ଧରି ୮ଟି ପୃଥକ ସମୀକ୍ଷା ବୈଠକ ଆୟୋଜନ କରାଯିବ, ଯେଉଁଥିରେ ଜଳସମ୍ପଦ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ସମ୍ପୃକ୍ତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ସାମିଲ ହେବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।
📲Get App