🔥 TRENDING ପଞ୍ଚୁକରେ ଜନସମୁଦ୍ର ଶ୍ରୀକ୍ଷେତ୍ର; ଲକ୍ଷ୍ମୀ... Kerala Seeks New Export Avenues Throug... ଖସିବ ପାରଦ, ଥରିବ ଓଡ଼ିଶା; କାର୍ତ୍ତିକ ପୂର୍... Muvattupuzha Streets Darken Days After... KSRTC Launches Daily Swift Bus from Ni... India Lead New Zealand by 118 Runs Aft...
21 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ସୁଦାମ ହତ୍ୟା ଘଟଣାର ପର୍ଦ୍ଦାଫାସ: ମଙ୍ଗଳସୂତ୍ର ବନ୍ଧା ପକାଇ ବନ୍ଧୁକ କିଣିଥିଲେ ପତ୍ନୀ; ପ୍ରେମିକଙ୍କ ସହ ବନ୍ଧା ହେଲେ

✍️ Reporter: Deepak Mahapatra 🗓 21 Nov 2026, 03:24 PM 👁 22
Share: 💬 WhatsApp 📘 Facebook 𝕏 Post
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ପୁଲିସ ମୃତକଙ୍କ ପତ୍ନୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ପରକୀୟା ପ୍ରୀତିକୁ ନେଇ ଘଟିଛି ଏହି ହତ୍ୟାକାଣ୍ଡ। ପ୍ରେମିକ ଓ ଅନ୍ୟ ଜଣେ ଯୁବକଙ୍କୁ ଲଗାଇ ସ୍ୱାମୀଙ୍କୁ ରାସ୍ତାରୁ ହଟାଇଛନ୍ତି ସ୍ତ୍ରୀ। ଏମିତିକି ସ୍ୱାମୀଙ୍କୁ ମାରିବା ପାଇଁ ନିଜ ମଙ୍ଗଳସୂତ୍ରକୁ ଜଣେ ବଣିଆଙ୍କ ନିକଟରେ ୪୫ ହଜାର ଟଙ୍କାରେ ବନ୍ଧକ ପକାଇଥିଲେ ସ୍ତ୍ରୀ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଏସ୍‌ପି।


ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ମୃତ ସୁଦାମ ନାଗଙ୍କ ପତ୍ନୀ କବିତା ନାଗ (୩୪), ତାଙ୍କ ପ୍ରେମିକ ତ୍ରିଲୋଚନ ଓରଫ ଟିଙ୍କୁ ଓରଫ୍ ଟିକେଚାନ୍ଦ ବାଗ (୩୪) ଓ ଦୀର୍ଘ ଦିନର ବନ୍ଧୁ ଯୁବରାଜ ସାହୁ (୪୨) । ଯୁବରାଜଙ୍କ ଘର ବ୍ରାହ୍ମଣୀପାଲି ଗାଁରେ। ଟିକେଚାନ୍ଦ ବାଗଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା କପାସିରା ଗାଁରେ।
ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ, ଚାରିଟି ଖାଲି ଗୁଳି ଖୋକା, ଦୁଇଟି ବାଇକ୍‌, ୫ଟି ମୋବାଇଲ ଫୋନ୍ ଓ ନଗଦ ୧୪୬୦ ଟଙ୍କା ଜବତ କରାଯାଇଛି।

ଘଟଣାଟି ଘଟିଥିଲା ଅକ୍ଟୋବର ୧୭ ତାରିଖ ସନ୍ଧ୍ୟା ସାଢ଼େ ୭ଟାରୁ ୮ଟା ଭିତରେ। ଡୁଙ୍ଗୁରିପାଲି ଥାନା ସାଲେପାଲି-ଆଇଁଲାସାରୀ ରାସ୍ତାରେ ବ୍ରାହ୍ମଣୀପାଲି ଗାଁର ଯୁବକ ସୁଦାମ ନାଗଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳି କରାଯାଇଥିଲା।

ଏହି ଘଟଣା ନେଇ ସେହି ଦିନ ହିଁ ସୁଦାମଙ୍କ ପତ୍ନୀ କବିତା ନାଗ ଡୁଙ୍ଗୁରିପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜଣେ ଅଜଣା ବ୍ୟକ୍ତି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ସେ ତାଙ୍କ ଏତଲାରେ ଉଲ୍ଲେଖ କରିଥିଲେ।

ଘଟଣାର ତଦନ୍ତ ବେଳେ ସାକ୍ଷୀମାନଙ୍କ ବୟାନ, ବୈଷୟିକ ତଥ୍ୟର ବିଶ୍ଳେଷଣ ଏବଂ ନିର୍ଭରଯୋଗ୍ୟ ଗୁଇନ୍ଦା ସୂଚନା ଆଧାରରେ ଅଭିଯୁକ୍ତ ତ୍ରିଲୋଚନ ଓରଫ୍ ଟିଙ୍କୁ ଓରଫ୍ ଟିକେଚାନ୍ଦ ବାଗଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା। ଏହାପରେ ପୁଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା ।

Accused

ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରାୟ ଏକ ବର୍ଷ ହେଲା ତ୍ରିଲୋଚନ ବାଗଙ୍କ ସହିତ ମୃତ ସୁଦାମ ନାଗଙ୍କ ପତ୍ନୀ କବିତା ନାଗଙ୍କର ଅନୈତିକ ସମ୍ପର୍କ ଥିଲା। ଏଥିସହିତ ସହ-ଅଭିଯୁକ୍ତ ଯୁବରାଜ ସାହୁଙ୍କ ସହିତ ମଧ୍ୟ କବିତା ନାଗଙ୍କର ପ୍ରାୟ ୧୨ ବର୍ଷ ହେବ ବନ୍ଧୁତା ଥିଲା। ତ୍ରିଲୋଚନଙ୍କ ସହିତ ପତ୍ନୀ କବିତାଙ୍କର ଅନୈତିକ ସମ୍ପର୍କ ଥିବା ବିଷୟରେ ଜାଣିଥିଲେ ସୁଦାମ। ସେଥିପାଇଁ ତ୍ରିଲୋଚନଙ୍କୁ ସେ ତାଙ୍କ ଘରକୁ ନଆସିବାକୁ କଡ଼ା ତାଗିଦ କରିଥିଲେ। ଏହା ସହିତ ତାଙ୍କ ସହିତ ଯୋଗାଯୋଗ ନକରିବାକୁ ମଧ୍ୟ ପତ୍ନୀଙ୍କୁ କହିଥିଲେ ସୁଦାମ। ଆଉ ଏହା କବିତା ଓ ତ୍ରିଲୋଚନଙ୍କ ପାଇଁ ଅସହ୍ୟ ହୋଇଥିଲା। ତେଣୁ ସୁଦାମଙ୍କୁ ହତ୍ୟା କରିବା ପାଇଁ ତ୍ରିଲୋଚନ ବାଗ, ଯୁବରାଜ ସାହୁ ଏବଂ କବିତା ନାଗ ମିଳିତ ଭାବେ ଷଡ଼ଯନ୍ତ୍ର ରଚିଥିଲେ ।

ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରିବା ପାଇଁ କବିତା ନାଗ ନିଜର ସୁନାର ମଙ୍ଗଳସୂତ୍ରକୁ ତ୍ରିଲୋଚନ ବାଗଙ୍କୁ ଦେଇଥିଲେ। ତ୍ରିଲୋଚନ ଏହାକୁ ଜଣେ ବଣିଆଙ୍କ ନିକଟରେ ୪୫ ହଜାର ଟଙ୍କାରେ ବନ୍ଧକ ରଖିଥିଲେ। ପରବର୍ତ୍ତୀ ସମୟରେ ତ୍ରିଲୋଚନ ନାଗ ରାଉରକେଲାର ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଦେଶୀ ପିସ୍ତଲ ଏବଂ କିଛି ଗୁଳି କ୍ରୟ କରିଥିଲେ। ଏଥିପାଇଁ ସେ ଫୋନ୍ ପେ ଓ ନଗଦ ଟଙ୍କା ମାଧ୍ୟମରେ ଅତିରିକ୍ତ ଅର୍ଥ ପୈଠ କରିଥିବାର ତଥ୍ୟ ତଦନ୍ତ ବେଳେ ପୁଲିସକୁ ମିଳିଛି।
୧୭ ତାରିଖ ସନ୍ଧ୍ୟାରେ ସୁଦାମ ନାଗ ତାଙ୍କ ବାଇକ୍ ଆଣିବା ପାଇଁ ଡୁଙ୍ଗୁରିପାଲିସ୍ଥିତ ପଠାନ ଗ୍ୟାରେଜକୁ ଯାଇଥିଲେ। ସେହି ସମୟରେ ଯୁବରାଜ ସାହୁ ଫୋନ୍ କରି ସୁଦାମଙ୍କ ଅବସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରି କବିତା ନାଗଙ୍କୁ ଜଣାଉଥିଲେ । କବିତା ନାଗ ହ୍ଵାଟ୍ସଆପ୍ କଲ୍ ମାଧ୍ୟମରେ ତ୍ରିଲୋଚନ ବାଗଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହି ସୁଦାମଙ୍କ ଅବସ୍ଥିତି ସମ୍ପର୍କିତ ସୂଚନା ତାଙ୍କୁ ପ୍ରଦାନ କରୁଥିଲେ ।

ଏହି ସୂଚନା ଆଧାରରେ ସୁଦାମ ନାଗ ଗ୍ୟାରେଜରୁ ବାଇକ୍ ଧରି ଆସୁଥିବା ବେଳେ ସାଲେପାଲି-ଆଉଁଳାସାରୀ ରାସ୍ତାର ପାଙ୍କେଲ ଛକ ନିକଟରେ ତ୍ରିଲୋଚନ ବାଗ ତାଙ୍କୁ ଅଟକାଇଥିଲେ। ସୁଦାମ ରହଯିବା ମାତ୍ରେ ତ୍ରିଲୋଚନ ତାଙ୍କ ଉପରକୁ ଗୁଳି କରିଥିଲେ। ଗୁଳିଟି ସୁଦାମଙ୍କ ଗୋଡ଼ରେ ବାଜିଥିଲା। ସେ ସେଠାରୁ ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ତ୍ରିଲୋଚନ ଆଉ ଏକ ରାଉଣ୍ଡ ଗୁଳି କରିଥିଲେ। ଏଥର ଗୁଳି ବାଜିଥିଲା ତାଙ୍କ ପିଠିରେ। ସୁଦାମ ତଳେ ପଡ଼ିଯିବା ପରେ ସେ ଅତି ନିକଟରୁ ଆଉ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ତୃତୀୟ ଗୁଳି ସୁଦାମଙ୍କ ଛାତିରେ ଓ ଚତୁର୍ଥ ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା। ଫଳରେ ସୁଦାମଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
📲Get App