🔥 TRENDING Sonia Gandhi Book Sparks Ban Demand Am... Eknath Shinde Calls Shiv Sena's Shaina... Shiv Sena and NCP Secure Chairmanship... UP NEET PG 2026 Round‑2 Merit List Pub... Paytm and Pine Labs shares tumble up t... Azam Khan Calls for 'Revolution, Not E...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Sarkari Yojana

ବିରୋଧୀଙ୍କ ହଟ୍ଟଗୋଳ ଭିତରେ ୨୪୧୫୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ: ଖାଦ୍ୟ ସୁରକ୍ଷା,ମହିଳା ଓ ଚାଷୀଙ୍କ ପାଇଁ ଖୋଲିଲା ରାଜକୋଷ

✍️ Reporter: Deepak Mahapatra 🗓 19 Nov 2026, 11:16 AM 👁 16
Share: 💬 WhatsApp 📘 Facebook 𝕏 Post
ବିରୋଧୀ ସଦସ୍ୟମାନଙ୍କ ପ୍ରବଳ ହଟ୍ଟଗୋଳ ଓ ପ୍ରତିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ୨୦୨୬-୨୭ ଆର୍ôଥକ ବର୍ଷ ପାଇଁ ୨୪୧୫୦ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ଆଜିଠୁ ଆରମ୍ଭ ହୋଇଥିବା ବିଧାନସଭାର ୩୩ଦିନିଆ ଶୀତ ଅଧିବେଶନର ପ୍ରଥମାର୍ଦ୍ଧରେ ଶୋକପ୍ରସ୍ତାବ ପାରିତ ହେବାପରେ ଗୃହ କାର୍ଯ୍ୟ ସମ୍ଭବପର ହୋଇନଥିବାବେଳେ ଦ୍ୱିତୀୟାର୍ଦ୍ଧରେ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି।


ବିରୋଧୀ କଂଗ୍ରେସ ସଦସ୍ୟମାନେ କୋଟିଆ ପ୍ରସଙ୍ଗ ଓ ବିଜେଡି ସଦସ୍ୟମାନେ ଗଞ୍ଜାମ ବନ୍ୟା ମୁକାବିଲାରେ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ପ୍ରବଳ ହଟ୍ଟଗୋଳ ସହ ଗୃହରେ ଅଚଳାବସ୍ଥା ଜାରି ରଖିଛନ୍ତି। ଦ୍ୱିତୀୟାର୍ଦ୍ଧରେ ଅପରାହ୍ନ ୪ଟାରେ Odisha Assembly ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଓ ବିଜେଡି ସଦସ୍ୟମାନଙ୍କ ପ୍ଲାକାର୍ଡ ପ୍ରଦର୍ଶନମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ ଓ ଅପରାହ୍ନ ୪ଟା ୭ ମିନିଟରେ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
ପଂଚାୟତ-ପୌର ନିର୍ବାଚନ: ୭.୭୯ପ୍ରତିଶତର ଅତିରିକ୍ତ ବ୍ୟୟବରାଦ

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉପସ୍ଥାପନ କରିଥିବା ମୋଟ ୨୪୧୫୦କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ମଧ୍ୟରୁ ସର୍ବାଧିକ ୭୪.୫ % ଅର୍ଥାତ୍ ୧୭୯୯୦ କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ ବାବଦରେ ଆବଣ୍ଟନ କରାଯାଇଛି। ସେହିପରି ବିପର୍ଯ୍ୟୟ ମୁକାବିଲା ପାଣ୍ଠି ପାଇଁ ୫୧୦୦କୋଟି ଟଙ୍କା((୨୧.୧%) ଓ ପ୍ରଶାସନିକ ଖର୍ଚ୍ଚ ପାଇଁ ୪.୪ % ଅର୍ଥାତ୍ ୧୦୬୦ କୋଟି ଟଙ୍କା(୪.୪%)ର ବ୍ୟବସ୍ଥା ରହିଛି । କ୍ଷେତ୍ରୀୟ ଆବଣ୍ଟନ ଦୃଷ୍ଟିରୁ ଅର୍ଥନୈତିକ ସେବା କ୍ଷେତ୍ର ପାଇଁ ୧୩୩୪୮ କୋଟି ଟଙ୍କା, ସାମାଜିକ ସେବା ପାଇଁ ୯୮୬୮ କୋଟି ଟଙ୍କା ଓ ସାଧାରଣ ସେବା ପାଇଁ ୯୦୮ କୋଟି ଟଙ୍କା ରଖାଯାଇଛି। କାର୍ଯ୍ୟକ୍ରମ ଖର୍ଚ୍ଚ ମଧ୍ୟରୁ ରାଜ୍ୟସ୍ତରୀୟ ଯୋଜନା ପାଇଁ ୧୪୨୨୮ କୋଟି ଟଙ୍କା, କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ପାଇଁ ୩,୪୪୨ କୋଟି ଟଙ୍କା ଓ କେନ୍ଦ୍ରୀୟ ଯୋଜନା ପାଇଁ ୩୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିସହିତ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ମୋଟ ୬୪୪୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି, ଯେଉଁଥିରେ ଆଦିବାସୀ ଅଂଚଳ ଉପଯୋଜନା ପାଇଁ ୩୭୬୫ କୋଟି ଓ ଅନୁସୂଚିତ ଜାତି ଉପଯୋଜନା ପାଇଁ ୨୬୪୬ କୋଟି ଟଙ୍କା ସାମିଲ ରହିଛି।

ଚଳିତ ୨୦୨୬-୨୭ ଆର୍ôଥକ ବର୍ଷ ପାଇଁ ଫେବୃଆରୀ ମାସରେ ଉପସ୍ଥାପିତ ହୋଇଥିବା ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ମୂଳ ବଜେଟ୍ ତୁଳନାରେ ଏହି ଅତିରିକ୍ତ ବ୍ୟୟବରାଦ ୨୪୧୫୦କୋଟି ଟଙ୍କା (ପ୍ରାୟ ୭.୭୯ ପ୍ରତିଶତ) ରହିଛି। ଆଗାମୀ ୨୦୨୭ ମାର୍ଚ୍ଚ-ଏପ୍ରିଲ ମାସରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କ ମନ ଜିଣିବା ପାଇଁ ମୋହନ ସରକାର ଏହି ବଜେଟରେ ଗ୍ରାମାଂଚଳରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ସରକାର ଖାଦ୍ୟ ସୁରକ୍ଷା, ବିପର୍ଯ୍ୟୟ ପ୍ରଶମନ, ମହିଳା ସଶକ୍ତିକରଣ, କୃଷକ କଲ୍ୟାଣ ଓ ଭିତ୍ତିଭୂମି ବିକାଶ ଉପରେ ବିଶେଷଭାବେ ଫୋକସ୍ କରିଛନ୍ତି।

ମହିଳା ଓ ଚାଷୀ ଭୋଟବ୍ୟାଙ୍କ ଉପରେ ନଜର

ଏହି ଅତିରିକ୍ତ ବ୍ୟୟବରାଦ ମାଧ୍ୟମରେ ରାଜ୍ୟ ସରକାର ମହିଳା ସଶକ୍ତିକରଣ ପାଇଁ ମୋଟ ୧୨୪୭ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି। ଏଥିରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୬୯୭ କୋଟି ଟଙ୍କା ଓ ସରକାରଙ୍କ ପ୍ରମୁଖ ଯୋଜନା ସୁଭଦ୍ରା ପାଇଁ ଅତିରିକ୍ତ ୫୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୧,୬୦୬ କୋଟି ଟଙ୍କା (ବିଭିନ୍ନ ଯୋଜନା ମିଶାଇ କୃଷକ କଲ୍ୟାଣ ବାବଦକୁ ପ୍ରାୟ ୧,୬୭୩ କୋଟି ଟଙ୍କା) ବ୍ୟୟବରାଦ ହୋଇଛି। ଏଥିରେ ସମୃଦ୍ଧ କୃଷକ ଯୋଜନାରେ ରିହାତି ପାଇଁ ୩୮୦ କୋଟି, ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନାରେ କୁକୁଡ଼ା ଚାଷ ବିକାଶ ପାଇଁ ୨୦୭ କୋଟି, ଶ୍ରୀଅନ୍ନ ଅଭିଯାନ ପାଇଁ ୧୨୦ କୋଟି, ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୧୦୧ କୋଟି, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପାଇଁ ୯୦ କୋଟି ଏବଂ ସମବାୟ ବ୍ୟାଙ୍କ ଓ ପ୍ୟାକ୍ସ ଜରିଆରେ ଫସଲ ଋଣ ସୁଧ ରିହାତି ପାଇଁ ୭୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି। ସାମାଜିକ ସୁରକ୍ଷା କ୍ଷେତ୍ରରେ ବୟସ୍କ, ଭିନ୍ନକ୍ଷମ ଓ ବିଧବା ଭୋଟରଙ୍କୁ ଆଶ୍ୱସ୍ତି ଦେବା ପାଇଁ ୭୩୩ କୋଟି ଟଙ୍କା ରଖାଯାଇଛି, ଯେଉଁଥିରେ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ପାଇଁ ୪୩୯ କୋଟି, ଜାତୀୟ ଭିନ୍ନକ୍ଷମ ପେନସନ ପାଇଁ ୧୭୫ କୋଟି, ଜାତୀୟ ବିଧବା ପେନସନ ପାଇଁ ୧୧୫ କୋଟି ଓ ମଧୁବାବୁ ପେନସନ ଯୋଜନା ପାଇଁ ୫୮ କୋଟି ଟଙ୍କା ଆବଂଟନ ହୋଇଛି।

ସେହିପରି ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ଗୁରୁତ୍ୱ ଦେଇ ସରକାର ମୋଟ ୧୭୧୫ କୋଟି ଟଙ୍କା,ଭିତ୍ତିଭୂମି ବିକାଶ, ସହରାଂଚଳ ଉନ୍ନୟନ ଓ ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ନିମନ୍ତେ ୨୩୫୯ କୋଟି ଟଙ୍କା,ଶିଳ୍ପ ଓ ଏମଏସଏମଇ କ୍ଷେତ୍ର ପାଇଁ ୮୪୩ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

କେଉଁ ବିଭାଗ ପାଇଲା କେତେ ଓ କାହାକୁ ମିଳିଲାନି ଟଙ୍କାଟିଏ

ମୂଳ ବଜେଟ୍ ତୁଳନାରେ କେଉଁ ବିଭାଗକୁ ଅତିରିକ୍ତ ବଜେଟରେ ସର୍ବାଧିକ ଗୁରୁତ୍ୱ ମିଳିଛି, ତାହା ମଧ୍ୟ ବେଶ୍ ରୋଚକ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମୂଳ ବଜେଟ୍ ମାତ୍ର ୧୫୩୮.୨୮ କୋଟି ଟଙ୍କା ଥିବାବେଳେ ଅତିରିକ୍ତ ବଜେଟରେ ଏହାକୁ ୫ଗୁଣରୁ ଅଧିକ ବଢ଼ାଇ ୮୩୮୯.୭୬ କୋଟି ଟଙ୍କା ଦିଆଯାଇଛି । ସେହିପରି ଶିଳ୍ପ ବିଭାଗର ମୂଳ ବଜେଟ୍ ୧୨୦୭.୫୦ କୋଟି ଟଙ୍କା ଥିବାବେଳେ ଅତିରିକ୍ତ ବଜେଟରେ ୭୯୨.୩୮ କୋଟି ଟଙ୍କା ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୂଳ ବଜେଟ୍ ୫୫୫୮.୦୭ କୋଟି ଟଙ୍କା ଥିବାବେଳେ ଅତିରିକ୍ତ ଭାବେ ୪୯୯୯.୩୯ କୋଟି ଟଙ୍କା ପ୍ରଦାନ କରାଯାଇଛି।
ଅନ୍ୟପକ୍ଷରେ ଜଳସମ୍ପଦ ବିଭାଗକୁ ୪୬୦.୩୯ କୋଟି, ଯୋଜନା ଓ ସଂଯୋଜନ ବିଭାଗକୁ ୫୨୦ କୋଟି, ଅର୍ଥ ବିଭାଗକୁ ୩୭୮.୭୭ କୋଟି, ଉଚ୍ଚ ଶିକ୍ଷା ବିଭାଗକୁ ୩୦୮.୮୯ କୋଟି, ସମବାୟ ବିଭାଗକୁ ୧୬୧.୭୯ କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗକୁ ୧୩୪.୭୪ କୋଟି, ଆଇନ ବିଭାଗକୁ ୭୪.୬୭ କୋଟି, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗକୁ ୬୬.୬୩ କୋଟି, ଏମଏସଏମଇ ବିଭାଗକୁ ୫୦.୧୭ କୋଟି, ଜଙ୍ଗଲ ଓ ପରିବେଶ ବିଭାଗକୁ ୪୪.୬୪ କୋଟି, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗକୁ ୩୭.୦୧ କୋଟି, ସୂଚନା ଓ ଲୋକସମ୍ପର୍କ ବିଭାଗକୁ ୨୫.୪୫ କୋଟି ଓ ଆଇଟି ବିଭାଗକୁ ୧୦.୦୩ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ତେବେ ବାଣିଜ୍ୟ, କ୍ରୀଡ଼ା ଓ ଯୁବସେବା, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ସମେତ ସରକାରୀ ଉଦ୍ୟୋଗ ଭଳି ବିଭାଗଗୁଡ଼ିକ ପାଇଁ ଏହି ଅତିରିକ୍ତ ବଜେଟରେ କୌଣସି ଅତିରିକ୍ତ ଅର୍ଥ ବରାଦ କରାଯାଇ ନାହିଁ।

ସୁରକ୍ଷିତ ରହିଛି ଆର୍ଥିକ ଶୃଙ୍ଖଳା : ଅର୍ଥ ବିଭାଗ
୨୦୨୬-୨୭ ଆର୍ଥିକ ବର୍ଷର ମୂଳ ବଜେଟ୍ ୩.୧୦ ଲକ୍ଷ କୋଟି ଟଙ୍କା ଥିବାବେଳେ ଏହା ମୋଟ୍ ରାଜ୍ୟ ଜିଡିପିର ୨୮ ପ୍ରତିଶତ ଥିଲା, ଯେଉଁଥିରେ ୭୨୧୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ (୬.୫ %) ଓ ୩୩ହଜାର କୋଟି ଟଙ୍କାର ରାଜସ୍ୱ ବଳକା ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନର ୨୪୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍(Supplementary Budget) ପରେ ମଧ୍ୟ କୌଣସି ନୂଆ ଋଣ ବୋଝ ନଲଦି କେବଳ ବିଭିନ୍ନ ବିଭାଗର ସଂଚୟ, ସରେଣ୍ଡର ଓ କେନ୍ଦ୍ରୀୟ ଅନୁଦାନର ପୁନଃଆବଣ୍ଟନ ମାଧ୍ୟମରେ ଏହି ଅର୍ଥ ଭରଣା କରାଯାଉଥିବାରୁ ରାଜ୍ୟର ଆର୍ôଥକ ସ୍ଥିତି ସମ୍ପୂର୍ଣ୍ଣ ସନ୍ତୁଳିତ ରହିବ ବୋଲି ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଏହି ଅତିରିକ୍ତ ବ୍ୟୟବରାଦ ସତ୍ୱେ ରାଜ୍ୟର ଆର୍ଥକ ଶୃଙ୍ଖଳା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ଓ ଏହା ଏଫଆରବିଏମ୍ ଆଇନ ଅନୁପାଳନ କରାଯାଇଥିବା ସରକାର ସ୍ପଷ୍ଟ କରିଛନ୍ତି। ସଂଚୟ ଓ ସରେଣ୍ଡର ମାଧ୍ୟମରେ ଏହି ଅତିରିକ୍ତ ସମ୍ବଳ ସଂଗ୍ରହ କରାଯାଇଥିବାରୁ ରାଜ୍ୟର ରାଜସ୍ୱ ବଳକା ସ୍ଥିତି ବଜାୟ ରହିବା ସହିତ ବିତ୍ତୀୟ ନିଅଣ୍ଟ ଜିଏସଡିପିର ୩ ପ୍ରତିଶତ ମଧ୍ୟରେ ଓ ଋଣ-ଜିଏସଡିପି ଅନୁପାତ ୨୫ ପ୍ରତିଶତ ମଧ୍ୟରେ ସୀମିତ ରହିବ।
📲Get App