🔥 TRENDING Sonia Gandhi Book Sparks Ban Demand Am... Eknath Shinde Calls Shiv Sena's Shaina... Shiv Sena and NCP Secure Chairmanship... UP NEET PG 2026 Round‑2 Merit List Pub... Paytm and Pine Labs shares tumble up t... Azam Khan Calls for 'Revolution, Not E...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ମାଡ଼ି ଆସୁଛି ବାତ୍ୟା 'ଅକଭାନ୍‌': ଉପକୂଳ ଜିଲ୍ଲାରେ ହାଇଆଲର୍ଟ, ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, କଣ୍ଟ୍ରୋଲ୍ ରୁମ ଦାୟିତ୍ୱରେ ୧୦ ବରିଷ୍ଠ ଆଇଏଏସ୍

✍️ Reporter: Deepak Mahapatra 🗓 19 Nov 2026, 11:14 AM 👁 24
Share: 💬 WhatsApp 📘 Facebook 𝕏 Post
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ଅକଭାନ୍‌' ଏବେ ଭୀଷଣ ରୂପ ନେଇ ଓଡ଼ିଶା ଉପକୂଳ ଆଡ଼େ ମୁହାଁଇଛି। ୨୦ତାରିଖ ମଧ୍ୟାହ୍ନ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶର ନରସାପୁର ଓ ପୁରୀ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ଆଶଙ୍କା ରହିଛି। ଏହି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର ସବୁ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ କରାଯିବା ସହ ପରିସ୍ଥିତି ଉପରେ ୨୪ ଘଣ୍ଟିଆ ତୀକ୍ଷ୍ଣ ନଜର ରଖିବା ପାଇଁ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରର କଣ୍ଟ୍ରୋଲ୍ ରୁମ୍ ଦାୟିତ୍ୱରେ ୧୦ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।


ଏହାସହିତ ୭ଟି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡ଼ି ଛୁଟି ଘୋଷଣା କରାଯାଇଥିବାବେଳେ ନଦୀବନ୍ଧ, ସ୍ୱାସ୍ଥ୍ୟସେବା, ଗମନାଗମନ ଓ ଭୂସ୍ଖଳନ ଉପରେ ନଜର ରଖିବା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ୧୩୧ଟି ଟିମ୍ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି। ୪ଜଣ ଆଇଏଏସଙ୍କୁ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଜପତି ଜିଲ୍ଲାରେ ମୁତୟନ କରାଯାଇଛି।


କେଉଁଠି ଓ କେତେ ବେଗରେ ମାଡ଼ ହେବ ବାତ୍ୟା 'ଅକଭାନ୍‌'?

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଦକ୍ଷିଣ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଭୀଷଣ ବାତ୍ୟା 'ଅକଭାନ୍‌' ଘଣ୍ଟାପ୍ରତି ୮ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଆଜି ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶର ନରସାପୁରଠାରୁ ୫୦୦ କିମି ଦକ୍ଷିଣ-ପୂର୍ବ, କଳିଙ୍ଗପଟ୍ଟନମଠାରୁ ୫୪୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ, ଚେନ୍ନାଇଠାରୁ ୫୬୦ କିମି ପୂର୍ବ, ଓଡ଼ିଶାର ଗୋପାଳପୁରଠାରୁ ୬୩୦ କିମି ଦକ୍ଷିଣ ଓ ପୁରୀଠାରୁ ୬୯୦ କିମି ଦକ୍ଷିଣରେ କେନ୍ଦ୍ରୀଭୂତ ରହିଛି। ବାତ୍ୟା ଯୋଗୁଁ ଦକ୍ଷିଣଓଡ଼ିଶା ଉପକୂଳରେ ୧୯ ତାରିଖ ସକାଳୁ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିମି ରହିବା ସହ ୧୯ ତାରିଖ ପରଠାରୁ ୨୦ ତାରିଖ ମଧ୍ୟାହ୍ନ ଲ୍ୟାଣ୍ଡଫଲ୍ ପର୍ଯ୍ୟନ୍ତ ଘଣ୍ଟାପ୍ରତି ୯୦ରୁ ୧୧୦ କିମି ବେଗରେ ଝଡ଼ପବନ ବୋହିବାର ସମ୍ଭାବନା ରହିଛି। ସେହିପରି ଉତ୍ତର ଓଡ଼ିଶା ଉପକୂଳରେ ୧୯ ତାରିଖ ସକାଳୁ ୨୦ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ଘଣ୍ଟାପ୍ରତି ୭୦ରୁ ୮୦ କିମି ବେଗରେ ପବନ ବୋହିବା ସହ ଝଟକା ପବନ ୯୦ କିମି ପର୍ଯ୍ୟନ୍ତ ଯାଇପାରେ। ସ୍ଥଳଭାଗ ଛୁଇଁବା ସମୟରେ ସମୁଦ୍ରରେ ସ୍ୱାଭାବିକ ଜୁଆରଠାରୁ ୦.୫ରୁ ୧.୦ ମିଟର ଉଚ୍ଚର ଜୁଆର ଆସି ଦକ୍ଷିଣ ଉପକୂଳବର୍ତ୍ତୀ ଗଞ୍ଜାମ ଓ ପୁରୀ ଜିଲ୍ଲାର ତଳିଆ ଅଂଚଳଗୁଡ଼ିକୁ ଜଳମଗ୍ନ କରିବାର ଆଶଙ୍କା ରହିଛି ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆଜି ପାରାଦୀପରେ ସର୍ବାଧିକ ୧୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ଆସନ୍ତାକାଲି ଅର୍ଥାତ୍ ୧୯ ତାରିଖରେ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡ଼ା, କନ୍ଧମାଳ, ଜଗତସିଂହପୁର, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଅନ୍ୟ ୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି। ୨୦ ତାରିଖରେ ବାଲେଶ୍ୱର ଓ ମୟୂରଭଞ୍ଜରେ ଅତ୍ୟନ୍ତ ପ୍ରବଳ ବର୍ଷା ପାଇଁ ରେଡ୍ ୱାର୍ଣ୍ଣିଂ ଥିବାବେଳେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ୧୩ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ଦକ୍ଷିଣ ଓ ଉପକୂଳବର୍ତ୍ତୀ ୧୧ଟି ଜିଲ୍ଲାରେ ଘଣ୍ଟାପ୍ରତି ୬୦ରୁ ୭୦ କିମି ବେଗରେ ପବନ ବୋହିବା ସହ ଝଟକା ପବନ ୮୦ କିମି ପର୍ଯ୍ୟନ୍ତ ଯାଇପାରେ। ୨୨ ତାରିଖରୁ ପାଗରେ ସୁଧାର ଆସିବ ଓ ସମୁଦ୍ର ଅଶାନ୍ତ ରହୁଥିବାରୁ ୨୧ ତାରିଖ ସକାଳ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

ସବୁ ଅଫିସରଙ୍କ ଛୁଟି ବାତିଲ, କଣ୍ଟ୍ରୋଲ୍ ରୁମ୍ ଜଗିବେ ୧୦ ବରିଷ୍ଠ ଆଇଏଏସ୍‌

ସମ୍ଭାବ୍ୟ ବାତ୍ୟା (Cyclone Akvan) ମୁକାବିଲା ଓ ପ୍ରଶାସନିକ ସମନ୍ୱୟ ରକ୍ଷା କରିବା ପାଇଁ ରାଜ୍ୟର ସମସ୍ତ ବିଭାଗ ଓ ଜିଲ୍ଲାର ସରକାରୀ ଅଧିକାରୀଙ୍କ ଛୁଟିକୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ବାତିଲ କରିଛନ୍ତି।

ଛୁଟିରେ ଥିବା ସମସ୍ତ ଅଫିସରଙ୍କୁ ତୁରନ୍ତ ନିଜ ନିଜ ମୁଖ୍ୟାଳୟ ଓ କାର୍ଯ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଭୁବନେଶ୍ୱରସ୍ଥିତ ରାଜୀବ ଭବନରେ ଥିବା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟର ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ, ତଦାରଖ ଓ ସମନ୍ୱୟ ରକ୍ଷା ପାଇଁ ୧୦ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ସିଫ୍ଟ ଅନୁଯାୟୀ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜାରି ହୋଇଥିବା ଡ୍ୟୁଟି ରୋଷ୍ଟର ଅନୁଯାୟୀ, ୧୮ ତାରିଖ ସନ୍ଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଦେଓରଞ୍ଜନ କୁମାର ସିଂହ ଓ ଅରବିନ୍ଦ କୁମାର ପାଢ଼ୀ ଦାୟିତ୍ୱରେ ରହିଛନ୍ତି। ଆସନ୍ତାକାଲି ୧୯ ତାରିଖ ମଧ୍ୟରାତ୍ର ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ହେମନ୍ତ ଶର୍ମା ଓ ବିଶାଳ କୁମାର ଦେବ ଓ ସନ୍ଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଉଷା ପାଢ଼ୀ ଓ ଚିତ୍ରା ଅରୁମୁଗମ୍ ଦାୟିତ୍ୱ ତୁଲାଇବେ।

ସେହିପରି ୨୦ ତାରିଖ ମଧ୍ୟରାତ୍ର ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସଞ୍ଜୟ କୁମାର ସିଂହ ଓ ସଞ୍ଜିବ କୁମାର ମିଶ୍ର ଏବଂ ସନ୍ଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସୁରେଶ କୁମାର ବଶିଷ୍ଠ ଓ ଭାସ୍କରଜ୍ୟୋତି ଶର୍ମା କଣ୍ଟ୍ରୋଲ୍ ରୁମ୍ ଦାୟିତ୍ୱରେ ରହିବେ। ପରବର୍ତ୍ତୀ ପର୍ଯ୍ୟାୟରେ ୨୧ତାରିଖ ମଧ୍ୟରାତ୍ର ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ପୁଣିଥରେ ଅରବିନ୍ଦ ପାଢ଼ୀ ଓ ହେମନ୍ତ ଶର୍ମା ଦାୟିତ୍ୱ ତୁଲାଇବେ।

ଅନ୍ୟପକ୍ଷରେ, ତୃଣମୂଳସ୍ତରରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପଂଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ୫ ଜଣ ଓଏଏସ୍ ଅଫିସରଙ୍କୁ ୪ ଜିଲ୍ଲାକୁ ପଠାଯାଇଛି। ପୂର୍ବତନ ବିଡିଓ ରେଶ୍ମା ଟେଟେଙ୍କୁ ଜଗତସିଂହପୁର, ସାଗର କୁମାର ନନ୍ଦ ଓ ଗିରିଜା ଶଙ୍କର ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା, ଅମୀୟ କୁମାର ପଣ୍ଡାଙ୍କୁ ଗଜପତି ଓ ବିରଂଚି ନାରାୟଣ ବେହେରାଙ୍କୁ କନ୍ଧମାଳ ଜିଲ୍ଲାପାଳଙ୍କୁ ତୁରନ୍ତ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପଟେ ୪ ବରିଷ୍ଠ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ପୁରୀ, ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର, ମାନସୀ ନିମ୍ଭାଲଙ୍କୁ ଗଜପତି ଓ ସ୍ମତିରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ପଠାଯାଇଛି ।

ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ୧୩୧ ଟିମ୍ ମୁତୟନ


ବାତ୍ୟା 'ଅକଭାନ୍‌'ର ପ୍ରଭାବକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମୋଟ ୧୩୧ଟି ଟିମ୍ ମୁତୟନ କରାଯାଇଛି। ପୂର୍ବରୁ ବିଭିନ୍ନ ଜିଲ୍ଲାରେ ୧୧୪ଟି ଦଳ ରହିଥିବାବେଳେ ଏବେ ଅତିରିକ୍ତ ୧୭ଟି ଟିମ୍ ପଠାଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୨ଟି ଦଳ (ପୂର୍ବରୁ ୨୮ ଓ ଅତିରିକ୍ତ ୪) ମୁତୟନ ହୋଇଥିବାବେଳେ ପୁରୀ ଓ ବାଲେଶ୍ୱରରେ ୧୪ଟି ଲେଖାଏଁ (ପୂର୍ବରୁ ୧୨ ଓ ଅତିରିକ୍ତ ୨), କଟକରେ ୧୩ଟି (ପୂର୍ବରୁ ୧୧ ଓ ଅତିରିକ୍ତ ୨), ଫୁଲବାଣୀରେ ୧୨ଟି, କେନ୍ଦ୍ରାପଡ଼ାରେ ୧୧ଟି (ପୂର୍ବରୁ ୧୦ ଓ ଅତିରିକ୍ତ ୧) ଦଳ ରହିଛନ୍ତି। ସେହିପରି ଗଜପତି, ଜଗତସିଂହପୁର ଓ ଭୁବନେଶ୍ୱରରେ ୯ଟି ଲେଖାଏଁ ଓ ଖୋର୍ଦ୍ଧା ଜିଲ୍ଲାରେ ୮ଟି ଦଳ (ପୂର୍ବରୁ ୭ ଓ ଅତିରିକ୍ତ ୧) ମୁତୟନ କରାଯାଇଛି।


୭ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି

ଛାତ୍ରଛାତ୍ରୀ ଓ ଶିଶୁମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ (ଏସଆରସି) କାର୍ଯ୍ୟାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଛି। ସ୍କୁଲ ଛୁଟି ରହିଥିଲେ ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ ଜାରି ରହିବ। ଆସନ୍ତା ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କନ୍ଧମାଳ-ଏହି ୭ଟି ଜିଲ୍ଲାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ସମେତ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ବାଧ୍ୟତାମୂଳକ ଭାବେ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ପରିସ୍ଥିତିକୁ ଅନୁଧ୍ୟାନ କରି ଏହି ୭ଟି ଜିଲ୍ଲାର ଜିଲ୍ଲାପାଳମାନେ ୨୧ ତାରିଖ ପରେ ଛୁଟି ବଢ଼ାଇବା ନେଇ ନିଷ୍ପତ୍ତି ନେଇପାରିବେ ଓ ରାଜ୍ୟର ଅନ୍ୟ ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ନିଜ ଜିଲ୍ଲାର ସ୍ଥିତି ଦେଖି ସ୍କୁଲ ଓ ଅଙ୍ଗନୱାଡ଼ି ବନ୍ଦ ରଖିବା ନେଇ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।
📲Get App