🔥 TRENDING ମାଲକାନଗିରିରେ ହେବ ଶିଳ୍ପ ବିକାଶ, ସୃଷ୍ଟି ହ... Tripura CM Announces Efforts to Preser... Himachal Pradesh Weather: Kukumseri Hi... राष्ट्रीय प्रेस दिवस पर पत्रकारों के स... ଛତିଶଗଡ଼ରୁ ହଟିଲେ ଆଣ୍ଟି-ନକ୍ସଲ୍ ବାଟାଲିୟନ,... भोर, पुणे: शिवप्रतिष्ठान हिंदुस्थानने...
16 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ସମ୍ଭାବ୍ୟ ବାତ୍ୟା ‘ଅକଭାନ’କୁ ନେଇ ଗଞ୍ଜାମରେ ହାଇଆଲର୍ଟ, ୧୭ରୁ ନଦୀକୂଳିଆ ଲୋକଙ୍କ ସ୍ଥାନାନ୍ତର

✍️ Reporter: Deepak Mahapatra 🗓 16 Nov 2026, 11:43 AM 👁 17
Share: 💬 WhatsApp 📘 Facebook 𝕏 Post
ଛତ୍ରପୁର: ସମ୍ଭାବ୍ୟ ବାତ୍ୟା ‘ଅକଭାନ’ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ହୋଇଛି। ବାତ୍ୟାର ପ୍ରଭାବ ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ। ବିଶେଷକରି ନଦୀକୂଳିଆ ଓ ପୂର୍ବରୁ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ନେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।

ରବିବାର ରାତିରେ ଜିଲ୍ଲାପାଳ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରି ବାତ୍ୟା ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି। ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରଖି ଦାୟିତ୍ୱ ନିର୍ବାହ କରିବା ସହ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ସେ ଗୁରୁତ୍ୱ ଦେଇଛନ୍ତି।

୧୭ ତାରିଖରୁ ଆରମ୍ଭ ହେବ ସ୍ଥାନାନ୍ତର ପ୍ରକ୍ରିୟା

ସମ୍ଭାବ୍ୟ ବିପଦକୁ ଆଖି ଆଗରେ ରଖି ନଦୀକୂଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ଆସନ୍ତା ୧୭ ତାରିଖରେ ସେମାନଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ଯୋଜନା ରହିଛି। ଆଶ୍ରୟସ୍ଥଳୀଗୁଡ଼ିକରେ ଯେପରି ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ଅଭାବ ନହୁଏ, ସେଥିପାଇଁ ରାସନ ସାମଗ୍ରୀ, ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଅଧିକାରୀମାନଙ୍କୁ କୁହାଯାଇଛି।

ପୂର୍ବରୁ ବାତ୍ୟା ଓ ବନ୍ୟା ସମୟରେ ଯେଉଁ ଅଞ୍ଚଳଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା, ସେସବୁ ସ୍ଥାନ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ଆଗୁଆ ସତର୍କତାମୂଳକ ପଦକ୍ଷେପ ଭାବେ ସମ୍ପୃକ୍ତ ଅଞ୍ଚଳର ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଗର୍ଭବତୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ବାତ୍ୟା ସମୟରେ ଯେପରି କୌଣସି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଉପୁଜେ, ସେଥିପାଇଁ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଉଛି। ସେମାନଙ୍କୁ ଆବଶ୍ୟକତା ଅନୁସାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି। ଏହାସହ ପୂର୍ବ ବାତ୍ୟା ସମୟରେ ଯେଉଁ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା, ସେହି ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇଛି। ସେଠାରେ ରହୁଥିବା ଲୋକଙ୍କୁ ମଧ୍ୟ ୧୭ ତାରିଖରେ ସୁରକ୍ଷିତ ସ୍ଥାନକୁ ନେବାକୁ ଯୋଜନା ହୋଇଛି।

ଚାଷୀଙ୍କ ଫସଲ ସୁରକ୍ଷା ଉପରେ ଗୁରୁତ୍ୱ

ବାତ୍ୟା ଯୋଗୁଁ ଚାଷୀଙ୍କ ଫସଲ ଯେପରି କ୍ଷତିଗ୍ରସ୍ତ ନହୁଏ, ସେଥିପାଇଁ କୃଷି ବିଭାଗ ପକ୍ଷରୁ ଆଗୁଆ ସତର୍କତା ଜାରି କରାଯାଇଛି। ବିଶେଷକରି ଯେଉଁ ଅଞ୍ଚଳରେ ଧାନ ଫସଲ ପାଚି ସାରିଛି, ସେଠାରେ ଫସଲର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। କୃଷି ମିତ୍ର ଓ କୃଷି ବିଭାଗର ଅଧିକାରୀମାନେ ଚାଷୀଙ୍କୁ ସହଯୋଗ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି।

ଋଷିକୂଲ୍ୟା ନଦୀବନ୍ଧର ମରାମତି ଉପରେ ନଜର

ବାତ୍ୟା ପ୍ରସ୍ତୁତିର ଅଂଶ ଭାବେ ଜିଲ୍ଲାପାଳ ବିଭିନ୍ନ ନଦୀକୂଳିଆ ଅଞ୍ଚଳ ପରିଦର୍ଶନ କରିଛନ୍ତି। ବିଶେଷକରି ଋଷିକୂଲ୍ୟା ନଦୀର ଯେଉଁ ସ୍ଥାନରେ ପୂର୍ବରୁ ନଦୀବନ୍ଧ ଭାଙ୍ଗିଥିଲା, ସେସବୁ ସ୍ଥାନର ସ୍ଥିତି ଅନୁଧ୍ୟାନ କରିଛନ୍ତି।ଭାଙ୍ଗିଯାଇଥିବା ନଦୀବନ୍ଧଗୁଡ଼ିକରେ ମାଟି ପକାଇ ଅସ୍ଥାୟୀ ମରାମତି କରାଯାଇଛି।

ଏହାର ସ୍ଥାୟୀ ସମାଧାନ ପାଇଁ ଡିପିଆର ପ୍ରସ୍ତୁତ ହୋଇଥିବା ବେଳେ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜନଜୀବନ, କୃଷି ଓ ସମ୍ପତ୍ତିର କ୍ଷୟକ୍ଷତି ରୋକିବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜାରି ରହିଛି।
📲Get App