🔥 ट्रेंडिंग ଓଡ଼ିଶାକୁ ଛୁଇଁଲା ଶୀତ; ୧୨.୨ ଡିଗ୍ରୀକୁ ଖସି... କାଳୀପୂଜା ମେଳାରେ ଭୟାବହ ଅଗ୍ନିକାଣ୍ଡ , ନିଆ... दिशा बैठक में सांसद अनुराग शर्मा ने अध... मेकेडाटू बांध विवाद में पानी के हितों... तमिलनाडु ने रियल्टी डेवलपर्स को ग्लोबल... शहडोल जिले के पिपरी गांव में सड़क निर्...
14 नव. 2026•
ગુજરાતી मराठी ਪੰਜਾਬੀ বাংলা
नौकरी

ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ଖୁସିଖବର: ଅଶୋକ ତ୍ରିପାଠୀ କମିଟିର ୧୫ଟି ସୁପାରିଶକୁ ମୋହର ମାରିଲେ ମୁଖ୍ୟମନ୍ତ୍ରୀ

✍️ रिपोर्टर: Deepak Mahapatra 🗓 14 नव. 2026, 02:36 PM 👁 24
शेयर करें: 💬 WhatsApp 📘 Facebook 𝕏 Post
ରାଜ୍ୟର ହଜାର ହଜାର ଶିକ୍ଷକ, ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ଦୀର୍ଘଦିନର ଦାବି ପୂରଣ ଦିଗରେ ରାଜ୍ୟ ସରକାର ଆଜି ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ୧୫ଟି ଗୁରୁତ୍ୱପୂର୍ଣ୍ଣ ସୁପାରିଶକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ସ୍କୁଲ ଓ ଗଣଶିକ୍ଷା ବିଭାଗ ତଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ, ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ବିଭିନ୍ନ ସଂଘ ପକ୍ଷରୁ ହୋଇଥିବା ଦାବିଗୁଡ଼ିକୁ ଅନୁଶୀଳନ କରିବା ପାଇଁ ରାଜ୍ୟର ବିଜେପି ସରକାର ଅଶୋକ ତ୍ରିପାଠୀ କମିଟି ଗଠନ କରିଥିଲେ। କମିଟିର ରିପୋର୍ଟକୁ ସମ୍ପୃକ୍ତ ଦୁଇ ବିଭାଗ ପୁଙ୍ଖାନୁପୁଙ୍ଖ ତର୍ଜମା କରିବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ୧୫ଟି ପ୍ରସ୍ତାବ ଉପରେ ଚୂଡ଼ାନ୍ତ ମୋହର ବାଜିଛି।
ସରକାରଙ୍କ ଏହି ନୂଆ ନିଷ୍ପତ୍ତି ଅନୁଯାୟୀ, ୨୦୧୩ ସରକାରୀ ବ୍ଲକଗ୍ରାଣ୍ଟ ଅନୁଦାନରୁ ବଂଚିତ ରହିଥିବା ୧୯୪ଟି ଉଚ୍ଚ ସ୍କୁଲକୁ ଏବେ ଅନୁଦାନଭୁକ୍ତ କରାଯିବ। ସେହିପରି ସରକାରୀ ସ୍କୁଲରେ କାର୍ଯ୍ୟରତ ପାର୍ଟ-ଟାଇମ୍ କଳା, ସଂଗୀତ ଓ କ୍ରୀଡ଼ା ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକକୁ ୧୦ହଜାର ଟଙ୍କାରୁ ୧୬ହଜାର ଟଙ୍କାକୁ ବୃଦ୍ଧି ହେବ। ୬ବର୍ଷ ଚାକିରି ପୂରଣ କରି ୨୦୨୨ ମସିହାରେ ନିୟମିତ ହୋଇଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟର ଟିଜିଟି ଓ ପିଇଟି ଶିକ୍ଷକମାନଙ୍କୁ ସେମାନଙ୍କର ବକେୟା ଦରମା ପ୍ରଦାନ କରାଯିବାକୁ ସ୍ଥିର ହୋଇଛି।
ସେହିପରି ପ୍ରାଥମିକ ଶିକ୍ଷକମାନଙ୍କର ନିୟମିତ ପଦୋନ୍ନତି କରାଯିବା ସହିତ ୨୦୧୬ରୁ ୨୦୧୮ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷା ସହାୟକମାନଙ୍କୁ ନିୟମିତ କରାଯିବ। ସଂସ୍କୃତ ଶିକ୍ଷାର ବିକାଶ ପାଇଁ ପ୍ରଥମା ଓ ମଧ୍ୟମା ସଂସ୍କୃତ ଟୋଲଗୁଡ଼ିକରେ ନିୟମିତ ଶିକ୍ଷକ ନିଯୁକ୍ତି ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ମଧ୍ୟମା ସଂସ୍କୃତ ଟୋଲରେ ଶିକ୍ଷକ ମୁତୟନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ଏହା ସହିତ ସରକାରୀ ସ୍କୁଲରେ କାର୍ଯ୍ୟରତ କ୍ଲାସିକାଲ୍ ଶିକ୍ଷକମାନଙ୍କୁ ଟ୍ରେଣ୍ଡ ଗ୍ରାଜୁଏଟ୍ ଶିକ୍ଷକ ଯୋଗ୍ୟତା ସାରଣୀରେ ଅନ୍ତର୍ଭୁକ୍ତ କରାଯିବ। ଅନ୍ୟପଟେ ଧନ୍ଦାମୂଳକ ପ୍ରଶିକ୍ଷକମାନଙ୍କୁ ନିୟମିତ ଭାବେ ବେତନ ପ୍ରଦାନ କରାଯିବା ସହ ଓଡ଼ିଶା କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌) ମାନଙ୍କୁ ଅଧିକ ଶିକ୍ଷାଗତ ଯୋଗ୍ୟତା ହାସଲ କରିବା ପାଇଁ ସୁଯୋଗ ଦିଆଯିବ।
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ମଧ୍ୟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ଆଦର୍ଶ ବିଦ୍ୟାଳୟର ସମସ୍ତ ଆବାସିକ ଛାତ୍ରାବାସକୁ ସମ୍ପୂର୍ଣ୍ଣ କରାଯାଇ କାର୍ଯ୍ୟକ୍ଷମ କରାଯିବ ଓ ସେଠାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ନିୟମିତ ଦରମା ମିଳିବାର ବ୍ୟବସ୍ଥା ହେବ। ଏଥିସହିତ ଆଦର୍ଶ ବିଦ୍ୟାଳୟ କର୍ମଚାରୀଙ୍କ ପିଲାମାନଙ୍କୁ ସେହି ବିଦ୍ୟାଳୟରେ ପଢ଼ିବା ପାଇଁ ସୁଯୋଗ ଦିଆଯିବ।
ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତ ଟିଜିଟି ଶିକ୍ଷକମାନଙ୍କର ପୂର୍ବ ଚାକିରିର ଗଣତି ଓ ବେତନ ସୁରକ୍ଷା କରାଯିବା ସହ ଛାତ୍ରଛାତ୍ରୀଙ୍କୁ ଆଧୁନିକ ଜ୍ଞାନକୌଶଳ ଶିକ୍ଷା ଦେବା ପାଇଁ ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ଏଆଇ ଓ ରୋବୋଟିକ୍ସ ପରୀକ୍ଷାଗାର ଖୋଲାଯିବ।
ତେବେ ଆଜିର ଏହି ଉଚ୍ଚସ୍ତରୀୟ ବୈଠକରେ ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କର ପେନସନ୍ ଦାବି ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା। ମାତ୍ର ଏହି ମାମଲାଟି ଏବେ ହାଇକୋର୍ଟଙ୍କ ବିଚାରାଧୀନ ଥିବାରୁ କୋର୍ଟଙ୍କ ଚୂଡ଼ାନ୍ତ ଆଦେଶ ମିଳିବା ପରେ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛି।
📲Get App