🔥 TRENDING दक्षिणी कलेर पंचायत के पैक्स गोदाम में... ઇડર નગરપાલિકાએ ભગવાન બિરસા મુંડાની 151... ଶିଶୁ ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍... गौरेला पेंड्रा मरवाही में कांग्रेस ने... शहडोल: अंगूठा लगवाकर राशन न देने का आर... Frontier Raas Launches New Store in Ah...
14 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ବଳିଆକୁ ବାୟା କଲା ସୁନାର ତାସ; ମାଲିକାଣୀଙ୍କୁ ମାରିଦେଲା

✍️ Reporter: Deepak Mahapatra 🗓 14 Nov 2026, 02:46 PM 👁 30
Share: 💬 WhatsApp 📘 Facebook 𝕏 Post
ମାଲିକାଣୀ ରଖିଥିଲେ ସୁନାର ତାସ (Playing Cards)। ଗୋଟିଏ ନୁହେଁ, ୪ ସେଟ୍ ସୁନାର ତାସ ଥିଲା ଘରେ। ୪ ସେଟ୍ ସୁନା ତାସର ଖୋଳଗୁଡ଼ିକ ମଧ୍ୟ ସୁନା। ଆଲମୀରା ଭିତରେ ଥିବା ଏହି ସୁନାର ତାସ ସେଟ୍‌ଗୁଡ଼ିକ ଉପରେ ପଡ଼ିଥିଲା ବିଶ୍ୱାସଘାତକ କେୟାରଟେକର ବଳଭଦ୍ର ମହାରଣା ଓରଫ ବଳିଆର ନଜର। ସୁନାର ତାସ ପତା ଦେଖି ବାୟା ହୋଇଯାଇଥିଲା ବଳିଆ। ସେଗୁଡ଼ିକୁ ହାତେଇବା ପାଇଁ ମାଲିକାଣୀଙ୍କୁ ସେ କରିଥିଲା ହତ୍ୟା। ଭୁବନେଶ୍ୱରର ବହୁ ଚର୍ଚ୍ଚିତ ‘କୁଞ୍ଜଲତା ନନ୍ଦ’ ହତ୍ୟା ଘଟଣାରେ ଆଜି ସାମ୍ନାକୁ ଆସିଛି ଏହି ତଥ୍ୟ।
ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ୧୦ ଦିନ ତଳେ ୭୬ ବର୍ଷୀୟା କୁଞ୍ଜଲତା ନନ୍ଦଙ୍କୁ ହତ୍ୟା କରି କେୟାରଟେକର ବଳିଆ ଫେରାର ହୋଇଯିବା ପରେ, ପ୍ରାୟ ସମସ୍ତେ ଆଲୋଚନା କରୁଥିଲେ ଯେ ଘରେ ଏମିତି କେତେ ସୁନା ଓ ଟଙ୍କା ଥିଲା ଯେ ସେ ସେଗୁଡ଼ିକୁ ପାଇବା ପାଇଁ ହତ୍ୟା ଭଳି ଏକ ଜଘନ୍ୟ ଅପରାଧ କରିବାକୁ ପଛାଇଲା ନାହିଁ। ଆଉ ଆଜି ସୁନାର ତାସଗୁଡ଼ିକୁ ସାମ୍ନାକୁ ଆସିବା ପରେ ଖୋଲିଯାଇଛି ଏହାର ଗୁମର।
ଗିରଫ ଅଭିଯୁକ୍ତ ବଳିଆର ସୂଚନା ଆଧାରରେ ଲକ୍ଷ୍ମୀସାଗର ଥାନା ପୁଲିସ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳରୁ ସବିତା ସେଠୀ ନାମ୍ନୀ ଜଣେ ମହିଳାଙ୍କଠାରୁ ଜବତ କରିଛି ଏହି ସୁନାର ପତା। ସୁନାର ପ୍ରଲେପ ଦିଆଯାଇ ତିଆରି ହୋଇଥିବା ଏହି ୪ ସେଟ୍‌ ତାସ୍‌ର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ସୁନାର ତାସ ପତା ସହିତ ବଳିଆ ଚୋରି ହୋଇଥିବା ରୁପାର ବିଭିନ୍ନ ସାମଗ୍ରୀ, ଅନ୍ୟ ସୁନାଗହଣା ଓ ନଗଦ ଟଙ୍କା ସବିତା ସେଠୀଙ୍କଠାରୁ ଜବତ କରାଯାଇଛି।
କୁଞ୍ଜଲତାଙ୍କୁ ହତ୍ୟା କରିବା ପରେ ନିଜ ଘରକୁ ଯାଇଥିଲା ବଳିଆ। ସେଠାରେ ଡ୍ରେସ୍ ବଦଳିବା ପରେ ସେ ସିଧା ଯାଇଥିଲା ସବିତା ସେଠୀଙ୍କ ଘରକୁ। ଚୋରି କରିଥିବା ସୁନାର ତାସ ପତା ସହିତ ରୁପାର ସମସ୍ତ ସାମଗ୍ରୀ ସେ ସବିତାଙ୍କୁ ଦେଇ ପୁରୀ ଯାଇଥିଲେ ଓ ସେଠାରୁ ଟ୍ରେନ ଯୋଗେ କୋଲକାତା ପଳାଇଥିଲେ। ପୁଲିସ ସବିତାଙ୍କୁ ଗିରଫ କରିଛି। କାରଣ କୁଞ୍ଜଲତାଙ୍କୁ ମାରି ବଳିଆ ଏହି ସବୁ ଜିନିଷ ଚୋରି କରିଥିବା ଜାଣିଥିଲେ ସବିତା। ତଥାପି ସେ ଚୋରି ଜିନିଷକୁ ଲୁଚାଇ ରଖିଥିଲେ। ତା’ ସହିତ ବଳିଆଙ୍କୁ ଫେରାର ହେବାରେ ସହଯୋଗ କରିଥିଲେ।
ବଳିଆ ପୁଲିସକୁ ଚକମା ଦେବା ପାଇଁ ବାରମ୍ବାର ସ୍ଥାନ ବଦଳାଇଥିଲା। ସେ କୋଲକାତା, ରାୟପୁର, ପାନିପତ ଓ ସୁରଟ ଯାଇଥିଲେ। ସୁରଟରୁ ସେ ଏକ ବସ୍‌ରେ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଗୁଜରାଟ ପୁଲିସ ସହାୟତାରେ ଲକ୍ଷ୍ମୀସାଗର ଥାନାର ଏକ ପୁଲିସ୍ ଟିମ୍ ତାକୁ ଗିରଫ କରିଥିଲେ। ବଳିଆଠାରୁ ନଗଦ ୨୦ ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ, ଗୋଟିଏ ଏୟାର ଟେଲ ସିମ୍ କାର୍ଡ, ଗୋଟିଏ ସୁନା ଲକେଟ, ଗୋଟିଏ ସୁନା ମୁଦି, ହଳେ କାନ ଫୁଲ, ଗୋଟିଏ ଛୋଟିଆ ଡାଏରୀ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଥିଲା।
ଲକ୍ଷ୍ମୀସାଗର ଥାନା ପୁଲିସ ତାକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ଗତକାଲିଠାରୁ ଜେରା କରୁଥିବା ବେଳେ ସୁନାର ତାସ ଓ ସବିତା ସେଠୀ କଥା ସାମ୍ନାକୁ ଆସିଛି।
ପୁଲିସ ଦେଇଥିବା ତଥ୍ୟ ଅନୁଯାୟୀ ଗଲା ୫ ମାସ ହେଲା ବଳଭଦ୍ର ମହାରଣା ଓରଫ ବଳିଆ ଏକା ରହୁଥିବା ୭୬ ବର୍ଷୀୟା କୁଞ୍ଜଲତା ନନ୍ଦଙ୍କ କେୟାରଟେକର ଭାବେ କାର୍ଯ୍ୟ କରୁଥିଲା। କୁଞ୍ଜଲତାଙ୍କ ବଡ଼ ପୁଅଙ୍କ ଘରେ ସହାୟକ ଭାବେ କାର୍ଯ୍ୟ କରୁଥିବା ବିଦ୍ୟାଧର ମହାରଣାଙ୍କ ସୁପାରିସ ଆଧାରରେ ବଳିଆକୁ ନିଯୁକ୍ତି ଦିଆଯାଇଥିଲା।
ଗତ ୪ ତାରିଖ ସକାଳେ ଭଡ଼ାରେ ରହୁଥିବା ଲୋକେ ଡାକ ପକାଇବା ସତ୍ତ୍ୱେ କୁଞ୍ଜଲତା ନନ୍ଦ ଘରର ଦ୍ୱାର ଖୋଲି ନଥିଲେ। ତେଣୁ କିଛି ଅଘଟଣ ଘଟିଥିବା ସନ୍ଦେହ କରି ସେମାନେ ଭୁବନେଶ୍ୱରରେ ରହୁଥିବା ତାଙ୍କ ଝିଅଙ୍କ ନିକଟକୁ ଫୋନ୍ କରିଥିଲେ। ଝିଅଜ୍ୱାଇଁ ଆସିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଉପସ୍ଥିତିରେ ଘରର ଗ୍ରୀଲ୍‌ ଦ୍ୱାରକୁ ଭଙ୍ଗା ଯାଇଥିଲା। ଘରେ ଡାଇନିଂ ଟେବଲ ନିକଟରେ କୁଞ୍ଜଲତା ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ସାଂଘାତିକ ଭାବେ ମାଡ଼ ମରାଯାଇଥିବା ଜଣାପଡ଼ିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍‌ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
📲Get App