🔥 ट्रेंडिंग हिमाचल में नई बर्फबारी से लहौल और स्पी... क्रिसमस के केक मिलाने से शुरू हुई तैया... काशीपुर और रुद्रपुर ने स्वच्छता सर्वेक... उत्तराखंड के मुख्यमंत्री धामी ने पाँच... पूर्वांचल में बिजली चोरी का खेल,15 अधि... डेल्ही विश्वविद्यालय पर 161 करोड़ रुपय...
13 नव. 2026•
ગુજરાતી मराठी ਪੰਜਾਬੀ বাংলা
यात्रा

ମହଙ୍ଗା ହେଲା ବସ୍ ଯାତ୍ରା: ସବୁ ବର୍ଗର ବସଭଡ଼ା ବଢ଼ିଲା, କିମି ପିଛା ୮ରୁ ୬୮ପଇସା ପର୍ଯ୍ୟନ୍ତ ବୃଦ୍ଧି

✍️ रिपोर्टर: Deepak Mahapatra 🗓 13 नव. 2026, 12:43 PM 👁 11
शेयर करें: 💬 WhatsApp 📘 Facebook 𝕏 Post
ପ୍ରାୟ ୫ମାସର ବ୍ୟବଧାନରେ ପୁଣିଥରେ ରାଜ୍ୟରେ ବସ୍ ଯାତ୍ରା ମହଙ୍ଗା ହେଲା। ରାଜ୍ୟରେ ଚଳାଚଳ କରୁଥିବା ସମସ୍ତ ଯାତ୍ରୀବାହୀ ବସଗୁଡ଼ିକର ଆଜି ଆନୁଷ୍ଠାନିକ ଭଡ଼ା ବୃଦ୍ଧି ହୋଇଛି। ସବୁ ବର୍ଗର ବସଗୁଡ଼ିକରେ କିମି ପିଛା ୮ପଇସାରୁ ୬୮ପଇସା ପର୍ଯ୍ୟନ୍ତ ଭଡ଼ା ବଢ଼ିଛି। ଶେଷଥର ପାଇଁ ଜୁନ୍ ମାସରେ ରାଜ୍ୟରେ ଯାତ୍ରାବାହୀ ବସ୍ ଭଡ଼ା ବୃଦ୍ଧି ହୋଇଥିଲା।
ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟରେ ବିଭିନ୍ନ ବର୍ଗର ଯାତ୍ରୀବାହୀ ବସ୍ ଭଡ଼ାରେ କିମି ପିଛା ୮ ପଇସାରୁ ୬୮ ପଇସା ପର୍ଯ୍ୟନ୍ତ ବୃଦ୍ଧି ଘଟିଛି ଓ ଦୁଇଟି ନୂଆ ବର୍ଗର ବସଭଡ଼ାକୁ ମଧ୍ୟ ସାମିଲ କରାଯାଇଛି। ବିଜ୍ଞପ୍ତି ଅନୁସାରେ, ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୨୬ ପଇସା ବଢ଼ି ୧ ଟଙ୍କା ୧୮ ପଇସା ହୋଇଛି।
ସେହିପରି ଏକ୍ସପ୍ରେସ୍ ବସଭଡ଼ା କିମି ପିଛା ୨୮ ପଇସା ବୃଦ୍ଧି ପାଇ ୧ ଟଙ୍କା ୨୪ ପଇସା ହୋଇଥିବାବେଳେ ଡିଲକ୍ସ ବସଭଡ଼ା ୮ପଇସା ବଢ଼ି ୧ ଟଙ୍କା ୪୧ ପଇସା ହୋଇଛି। ଶୀତତାପ ନିୟନ୍ତ୍ରିତ ଡିଲକ୍ସ ବସ୍ ଭଡ଼ା କିମି ପିଛା ୩୬ ପଇସା ବୃଦ୍ଧି ପାଇ ୧ ଟଙ୍କା ୯୯ ପଇସା ହୋଇଥିବାବେଳେ ସୁପର ପ୍ରିମିୟମ୍ ବସଭଡ଼ା ସର୍ବାଧିକ ୬୮ ପଇସା ବଢ଼ି ୩ ଟଙ୍କା ୨୧ ପଇସା ହୋଇଛି। ଏହାବ୍ୟତୀତ ସରକାର ଦୁଇଟି ନୂଆ ବର୍ଗ ଯୋଡ଼ି ସେମି ଡିଲକ୍ସ ବସ୍ ପାଇଁ କିମି ପିଛା ୧ ଟଙ୍କା ୩୦ ପଇସା ଓ ସୁପର ପ୍ରିମିୟମ୍ ସମ୍ପୂର୍ଣ୍ଣ ଶୟନଯାନ ଶୀତତାପ ନିୟନ୍ତ୍ରିତ ବସ୍ ପାଇଁ ଯାତ୍ରୀ ବା ବେଡ୍ ପିଛା କିମିକୁ ୪ ଟଙ୍କା ୬୧ ପଇସା ନିର୍ଦ୍ଧାରଣ କରିଛନ୍ତି । ଏହି ସର୍ବାଧିକ ଦେୟଯୋଗ୍ୟ ଭଡ଼ା ବ୍ୟତୀତ ଅଧିକ ପରିମାଣର ଭଡ଼ା ଯାତ୍ରୀଙ୍କଠୁ କୌଣସି ବସ୍ ମାଲିକ ବା କର୍ମଚାରୀ ଆଦାୟ କରିପାରିବେ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।
ଭଡ଼ା ବୃଦ୍ଧି ସତ୍ୱେ ସମାଜର ବିଶେଷ ବର୍ଗର ଯାତ୍ରୀମାନଙ୍କ ପାଇଁ ଥିବା ରିହାତି ବ୍ୟବସ୍ଥା ପୂର୍ବଭଳି ସୁରକ୍ଷିତ ରହିଛି। ବିଜ୍ଞପ୍ତି ଅନୁଯାୟୀ, ଏଚଆଇଭି ଓ ଏଡସ ଆକ୍ରାନ୍ତ, ସମ୍ପୂର୍ଣ୍ଣ ଦୃଷ୍ଟିହୀନ, ମାନସିକ ଅନଗ୍ରସର, ୫୦ରୁ ୧୦୦ % ଅସ୍ଥିଶଲ୍ୟ ଭିନ୍ନକ୍ଷମ ଓ ଶତପ୍ରତିଶତ ଶ୍ରବଣବାଧିତ ବ୍ୟକ୍ତିମାନେ ଉଭୟ ସରକାରୀ ଓ ଘରୋଇ ବସରେ ଶତପ୍ରତିଶତ ମାଗଣାରେ ଯାତ୍ରା କରିପାରିବେ।ଯାତ୍ରୀଙ୍କ ସ୍ୱାର୍ଥ ରକ୍ଷା ଏବଂ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସରକାର କେତେକ କଡ଼ା ନିୟମାବଳୀ ମଧ୍ୟ ଲାଗୁ କରିଛନ୍ତି।
ନୂଆ ନିୟମ ଅନୁସାରେ, ପ୍ରତ୍ୟେକ ଯାତ୍ରୀ ନିଜ ସାଙ୍ଗରେ ୧୫ କିଲୋ ପର୍ଯ୍ୟନ୍ତ ମାଗଣା ଲଗେଜ୍ ବା ଜିନିଷପତ୍ର ନେଇପାରିବେ ଓ ଏହାଠାରୁ ଅଧିକ ପ୍ରତି ୨୦ କିଲୋ ଓଜନ ପାଇଁ କିମି ପିଛା ୭ପଇସା ହିସାବରେ ଅତିରିକ୍ତ ଦେୟ ଦେବାକୁ ପଡ଼ିବ। ଭଡ଼ା ହିସାବ ସମୟରେ ୫୦ ପଇସାରୁ କମ୍ ଅର୍ଥକୁ ବାଦ୍ ଦିଆଯିବ ଓ ୫୦ ପଇସା କିମ୍ବା ତା’ଠାରୁ ଅଧିକ ହେଲେ ପରବର୍ତ୍ତୀ ପୂର୍ଣ୍ଣ ଟଙ୍କା ଭାବେ ଗଣନା କରାଯିବ।
ପ୍ରତ୍ୟେକ ବସ୍ ଭିତରେ ଏକ ସ୍ପଷ୍ଟ ଦୃଶ୍ୟମାନ ସ୍ଥାନରେ ବସର ବର୍ଗ, କିମି ପିଛା ଭଡ଼ା ଓ ଉପଲବ୍ଧ ରିହାତି ସମ୍ପର୍କିତ ସୂଚନା ଫଳକ ଲଗାଇବା ବାଧ୍ୟତାମୂଳକ କରାଯାଇଛି। କେବଳ ନିୟମ ଅନୁଯାୟୀ ସ୍ୱୀକୃତିପ୍ରାପ୍ତ ଓ ଅନୁମତିପ୍ରାପ୍ତ ଗାଡ଼ିଗୁଡ଼ିକ ହିଁ ସେମି ଡିଲକ୍ସ ଓ ସୁପର ପ୍ରିମିୟମ୍ ସମ୍ପୂର୍ଣ୍ଣ ଶୟନଯାନ ଭଡ଼ା ଆଦାୟ କରିପାରିବେ, କେବଳ ନାମ ଲେଖିଦେଇ ଅଧିକ ଭଡ଼ା ନିଆଯାଇପାରିବ ନାହିଁ। ଏହାର ସଠିକ୍ କାର୍ଯ୍ୟକାରିତା ତଦାରଖ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ଓ ଆଂଚଳିକ ପରିବହନ ପ୍ରାଧିକରଣଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ଭବିଷ୍ୟତରେ ଇନ୍ଧନ ଦର ବୃଦ୍ଧି ବା ହ୍ରାସ ଅନୁଯାୟୀ ସ୍ୱୟଂଚାଳିତ ଭଡ଼ା ସଂଶୋଧନ ନିର୍ଦ୍ଦେଶ ଜାରି କରିବାକୁ ପରିବହନ କମିଶନରଙ୍କୁ କ୍ଷମତା ଦିଆଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ଦୂରଗାମୀ ଯାତ୍ରୀ, ବିଶେଷକରି ପ୍ରିମିୟମ୍ ଓ ଶୟନଯାନ ବସରେ ଯାତ୍ରା କରୁଥିବା ଲୋକଙ୍କ ପକେଟ୍ ଉପରେ ଅଧିକ ବୋଝ ପଡ଼ିବ । ସରକାରଙ୍କ ଧାର୍ଯ୍ୟ ଭଡ଼ାଠାରୁ ଅଧିକ ଭଡ଼ା ନେଉଥିବା ବସ୍ ମାଲିକ ବା କର୍ମଚାରୀଙ୍କ ବିରୋଧରେ ପ୍ରଚଳିତ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି।
📲Get App