🔥 TRENDING ଭଡ଼ା ଘରେ ଭୟଙ୍କର ବିସ୍ଫୋରଣ, ଘରର କାନ୍ଥ ଭା... Madhya Pradesh to Experience Rapid Tem... ବଡ଼ଭାଇକୁ ହାଣିଲା ସାନଭାଇ, ପୋଲିସ୍ ର ତଦନ୍ତ... Chhattisgarh Broadens RTE Admission Ru... Bilaspur Tops Chhattisgarh Cities with... ಕೇಂದ್ರ ಸಚಿವರು ಗುದ್ದಲಿ ಪೂಜೆಯಲ್ಲಿ ವಸಂತನರ...
12 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଗଞ୍ଜାମ ବନ୍ୟାକୁ ନେଇ ମୁହାଁମୁହିଁ: ତଥ୍ୟ ସହ ସ୍ପଷ୍ଟୀକରଣ ଦେଲେ ମୁଖ୍ୟ ସଚିବ, କେନ୍ଦ୍ରୀୟ ଟିମ ବି କହିଛି ବନ୍ୟା ଅପ୍ରତ୍ୟାଶିତ

✍️ Reporter: Deepak Mahapatra 🗓 12 Nov 2026, 12:48 PM 👁 12
Share: 💬 WhatsApp 📘 Facebook 𝕏 Post
ଗଞ୍ଜାମ ଜିଲ୍ଲାର ପ୍ରଳୟଙ୍କରୀ ବନ୍ୟାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିବାବେଳେ ଆଜି ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବ ଅନୁ ଗର୍ଗ ସାମ୍ନାକୁ ଆସି ତଥ୍ୟ ସହ ସ୍ପଷ୍ଟୀକରଣ ରଖିଛନ୍ତି। ପୂର୍ବତନ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସଙ୍ଗୀନ ଅଭିଯୋଗ ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତ ଦାସଙ୍କ ସମାନଧରଣର ଅଭିଯୋଗ ଆଣି ଗଞ୍ଜାମ ବନ୍ୟାକୁ ‘ମନୁଷ୍ୟକୃତ’ ବୋଲି କହିବା ପରେ ରାଜନୀତି ସରଗରମ ହୋଇଛି।
ଗଞ୍ଜାମ ବନ୍ୟାକୁ ନେଇ ସୁରେଶ ମହାପାତ୍ରଙ୍କ ଅଭିଯୋଗ ପରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସଫେଇ ଦେଇଥିଲେ ମଧ୍ୟ ଆଜି ମୁଖ୍ୟ ସଚିବ ଅନୁ ଗର୍ଗ ସାମ୍ବାଦିକ ସମ୍ମିଳନୀ କରି ତଥ୍ୟଭିତ୍ତିକ ସ୍ପଷ୍ଟୀକରଣ ରଖିଛନ୍ତି। ଆଉ ଗଞ୍ଜାମ ବନ୍ୟା କୌଣସି ପରିଚାଳନାଗତ ତ୍ରୁଟି କିମ୍ବା ମନୁଷ୍ୟକୃତ ବନ୍ୟା ନୁହେଁ, ବରଂ ଇତିହାସର ଅଭୂତପୂର୍ବ ଓ ଅପ୍ରତ୍ୟାଶିତ ଅତି ପ୍ରବଳ ବର୍ଷା ଯୋଗୁଁ ହିଁ ହୋଇଛି ବୋଲି ସ୍ପଷ୍ଟ କରିଛନ୍ତି। ଏହାସହିତ କେନ୍ଦ୍ରୀୟ ଟିମ୍ ମଧ୍ୟ ଗଞ୍ଜାମ ବନ୍ୟାକୁ ଅପ୍ରତ୍ୟାଶିତ ବୋଲି କହିଥିବା ସେ ସୂଚନା ଦେଇଛନ୍ତି।
ଆଜି ଲୋକସେବା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟ ସଚିବ ଅନୁ ଗର୍ଗ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଆସିଥିବା କେନ୍ଦ୍ରୀୟ ଟିମ୍ ଗଞ୍ଜାମର ସ୍ଥିତି ଅନୁଧ୍ୟାନ କରିବା ପରେ ଏହା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ପ୍ରାକୃତିକ ବର୍ଷା ଯୋଗୁଁ ଘଟିଛି ବୋଲି ନିର୍ଦ୍ଧାରଣ କରିଛନ୍ତି। ବର୍ଷାର ପରିମାଣ ପାତ୍ରପୁର ବ୍ଲକରେ ମାତ୍ର ଗୋଟିଏ ଦିନରେ ୫୪୬ ମିଲିମିଟର ଓ ତିନି ଦିନରେ ପ୍ରାୟ ୮୦୮ ମିଲିମିଟର ବର୍ଷା ହୋଇଥିଲା, ଯାହା ୧୯୯୦ ମସିହାର ଐତିହାସିକ ବର୍ଷା ତଥା ୨୦୧୩ ଫାଇଲିନ୍ ତୁଳନାରେ ମଧ୍ୟ ପ୍ରାୟ ୬୫ ପ୍ରତିଶତ ଅଧିକ। ଫାଇଲିନବେଳେ ମାତ୍ର ଗୋଟିଏ ଦିନ ବର୍ଷା ହୋଇଥିବାବେଳେ ଏଥର କ୍ରମାଗତ ତିନି ଦିନ ଧରି ମୂଷଳଧାରାରେ ବର୍ଷା ଲାଗିରହିଥିଲା।
କ୍ୟାଚମେଣ୍ଟ ଏରିଆ ବା ଅବବାହିକା ସମ୍ପର୍କରେ ତଥ୍ୟ ରଖି ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ଋଷିକୁଲ୍ୟା ଓ ବାହୁଦା ନଦୀର ସମୁଦାୟ କ୍ୟାଚମେଣ୍ଟ ଏରିଆ ପ୍ରାୟ ୯୮୦୦ ବର୍ଗ କିମି, ଯାହା ମଧ୍ୟରୁ ଡ୍ୟାମ୍ ମଧ୍ୟକୁ ମାତ୍ର ୮୮୦ ବର୍ଗ କିମି ବା ପ୍ରାୟ ୧୦ ପ୍ରତିଶତ ଅଂଚଳର ପାଣି ଆସିଥାଏ । ଅବଶିଷ୍ଟ ୯୦ ପ୍ରତିଶତ ପାଣି ସିଧାସଳଖ ନଦୀକୁ ଯାଏ, ଯାହା ଉପରେ କୌଣସି ଡ୍ୟାମ୍ ବା ନିୟନ୍ତ୍ରଣ ବ୍ୟବସ୍ଥା ନଥାଏ। ଡ୍ୟାମ ଥାଉ ବା ନଥାଉ, ସେହି ୯୦ ପ୍ରତିଶତ ଜଳ ସିଧାସଳଖ ନଦୀରେ ପ୍ରବାହିତ ହୋଇଥାଏ।
ଡ୍ୟାମ୍ ପରିଚାଳନାରେ ଅବହେଳା ଓ ହଠାତ୍ ଗେଟ୍ ଖୋଲିବା ଅଭିଯୋଗକୁ ଖଣ୍ଡନ କରି ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ସରକାରୀ ପ୍ରୋଟୋକଲ୍ ଅନୁଯାୟୀ ବର୍ଷା ପୂର୍ବରୁ ହିଁ ଯନ୍ତ୍ରୀମାନେ ସ୍ଥିତି ଆକଳନ କରି କେନାଲ ମାଧ୍ୟମରେ ପାଣି ନିଷ୍କାସନ କରି ବିଭିନ୍ନ ଡ୍ୟାମକୁ ୫୫ ରୁ ୬୫ ପ୍ରତିଶତ ପର୍ଯ୍ୟନ୍ତ ଖାଲି ରଖିଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ପ୍ରବଳ ପାଣି ପ୍ରବେଶ କଲା, ସେତେବେଳେ ଡ୍ୟାମର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇ ଯନ୍ତ୍ରୀମାନେ ପର୍ଯ୍ୟାୟକ୍ରମେ ଓ ନିୟନ୍ତ୍ରିତ ଭାବେ ଗେଟ୍ ଖୋଲିଥିଲେ। ପୁରୁଷୋତ୍ତମପୁର ନିକଟରେ ନଦୀର ଜଳ ଧାରଣ କ୍ଷମତାଠାରୁ ଦୁଇଗୁଣରୁ ଅଧିକ ଜଳ ପ୍ରବାହିତ ହେଉଥିଲା।
ଏହି ବନ୍ୟାରେ ସବୁଠାରୁ ବଡ଼ ସଫଳତା ହେଉଛି ଜିଲ୍ଲାରେ କୌଣସି ଜୀବନହାନି ଘଟିନାହିଁ। ଲୋକଙ୍କର ସମ୍ପତ୍ତି ଓ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବାରୁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଦୁଇ ଦିନ ମଧ୍ୟରେ ପାନୀୟ ଜଳ ଓ ତିନି ଦିନ ମଧ୍ୟରେ ବିଦ୍ୟୁତ ସେବା ପୁନରୁଦ୍ଧାର କରିବା ସହ ରିଲିଫ ବଣ୍ଟନ କାର୍ଯ୍ୟ ଜାରି ରଖିଛି। ତେଣୁ ସରକାରଙ୍କ ପରିଚାଳନାରେ କୌଣସି ତ୍ରୁଟି ନଥିଲା ଓ ଏହି ବନ୍ୟା ମନୁଷ୍ୟକୃତ ନୁହେଁ ବରଂ ପ୍ରକୃତିର ଅତ୍ୟଧିକ ବର୍ଷା କାରଣରୁ ହିଁ ଘଟିଛି ବୋଲି ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ ଦୃଢ଼ତାର ସହ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ଗତକାଲି ସୁରେଶ ମହାପାତ୍ରଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରି ସମାନ ସଫେଇ ଦେଇଥିଲେ । ସେ ସ୍ପଷ୍ଟ କରିଥିଲେ ଯେ ଏହା କୌଣସି ମନୁଷ୍ୟକୃତ ବନ୍ୟା ନୁହେଁ, ପୂର୍ବାନୁମାନଠାରୁ ବହୁ ଅଧିକ (୩୦୦ ମିଲିମିଟରରୁ ଊର୍ଦ୍ଧ୍ୱ) ବର୍ଷା ଯୋଗୁଁ ହିଁ ଏଭଳି ପରିସ୍ଥିତି ଉପୁଜିଥିଲା ଏବଂ ଜିଲ୍ଲାର ସମସ୍ତ ଡ୍ୟାମର ଜଳସ୍ତର ଉପରେ କଡ଼ା ନଜର ରଖାଯାଇ ଠିକ୍ ସମୟରେ ନିୟମ ଅନୁସାରେ ହିଁ ପାଣି ଛଡ଼ାଯାଇଥିଲା। ଏହାସହ ସେ ଡ୍ୟାମଗୁଡ଼ିକର ବୈଷୟିକ ସ୍ଥିତି ବାବଦରେ ବୁଝାଇ କହିଥିଲେ ଯେ କିଛି ଜଳଭଣ୍ଡାରରେ ଅଟୋମେଟିକ୍ ଗେଟ୍ ରହିଛି ଯାହା ଜଳସ୍ତର ବଢ଼ିଲେ ଆପେ ନିୟନ୍ତ୍ରିତ ହୁଏ। ଭଞ୍ଜନଗର ତଥା ସୋରଡ଼ା ଭଳି ଜଳଭଣ୍ଡାରର ଜଳଧାରଣ କ୍ଷମତା ଓ କେନାଲ ମାଧ୍ୟମରେ ନିଷ୍କାସନ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ନିର୍ଦ୍ଦିଷ୍ଟ ନିୟମାବଳୀ ମୁତାବକ କାର୍ଯ୍ୟ କରିଥାଏ, ତେଣୁ ଜଳ ପରିଚାଳନାରେ କୌଣସି ତ୍ରୁଟି ହୋଇନଥିବା ସେ ଦୃଢ଼ତାର ସହ କହିଥିଲେ।
ଗତ ୩ଦିନ ପୂର୍ବରୁ ପୂର୍ବତନ ମୁଖ୍ୟ ସଚିବ ତଥା ଜଳସମ୍ପଦ ସଚିବ ସୁରେଶ ମହାପାତ୍ର ସୋସିଆଲ ମିଡିଆରେ ନିଜର ଦୀର୍ଘ ପ୍ରଶାସନିକ ଅନୁଭୂତିର ଉଲ୍ଲେଖ କରି ଜଳସମ୍ପଦ ବିଭାଗର ଦୂରଦୃଷ୍ଟିର ଅଭାବ ଓ ଭୁଲ ପରିଚାଳନା କାରଣରୁ ଗଞ୍ଜାମବାସୀ ଏଭଳି ଜଳବନ୍ଦୀ ଦୁର୍ଦ୍ଦଶା ଭୋଗିଲେ। ପ୍ରବଳ ବର୍ଷାର ପୂର୍ବାନୁମାନ ସତ୍ୱେ ଜଳଭଣ୍ଡାରଗୁଡ଼ିକୁ ପୂର୍ବରୁ ଆବଶ୍ୟକ ପରିମାଣରେ ଖାଲି କରାଗଲା ନାହିଁ ଓ ଶେଷ ମୁହର୍ତ୍ତରେ ଭୟଭୀତ ହୋଇ ଏକାସଙ୍ଗେ ୩୦ରୁ ୪୦ଟି ଗେଟ୍ ଖୋଲିଦିଆଗଲା। ଫଳରେ ଡ୍ୟାମ୍ ଏକ ‘ୱାଟର ବମ୍‌’ ଭଳି କାମ କଲା ଓ ଉପରମୁଣ୍ଡର ପ୍ରବଳ ବର୍ଷା ସାଙ୍ଗକୁ ଡ୍ୟାମରୁ ହଠାତ୍ ନିଷ୍କାସିତ ବିପୁଳ ଜଳ ମିଶି ଋଷିକୁଲ୍ୟା ଅବବାହିକାରେ ଭୟଙ୍କର ବନ୍ୟା ସୃଷ୍ଟି କଲା, ଯାହାଫଳରେ ସାଧାରଣ ଲୋକଙ୍କୁ ସତର୍କ ହେବା ପାଇଁ ସାମାନ୍ୟ ସମୟ ମଧ୍ୟ ମିଳିଲାନାହିଁ ବୋଲି ଅଭିଯୋଗ କରିଥିଲେ।
ଆଉ ଶ୍ରୀ ମହାପାତ୍ରଙ୍କ ଏଭଳି ଅଭିଯୋଗକୁ ସମର୍ଥନ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ୩ପୃଷ୍ଠାର ଚିଠି ଲେଖି ଓ ପିସିସି ସଭାପତି ଭକ୍ତ ଦାସ ସାମ୍ବାଦିକ ସମ୍ମିଳନୀ କରି ଗଞ୍ଜାମ ବନ୍ୟା ମନୁଷ୍ୟକୃତ ବୋଲି ଅଭିଯୋଗ କରିଥିଲେ। ମୁଖ୍ୟ ସଚିବ ଆଜି ସାମ୍ବାଦିକ ସମ୍ମିଳନୀ କରି ସଷ୍ଟୀକରଣ ଦେବାପରେ ବିଜେଡି ତାଙ୍କୁ କଟାକ୍ଷ କରିଛି । ଆଉ ବିଜେପି ମଧ୍ୟ ସିଧାସଳଖ ସୁରେଶ ମହାପାତ୍ରଙ୍କୁ ଟାର୍ଗେଟ୍ କରିଛି।
ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ଇତିହାସକୁ ମନେ ପକାଇ ଦେଇ ପ୍ରଶ୍ନ କରିଛନ୍ତି ଯେ, ୨୦୧୧ରେ ସୁରେଶ ମହାପାତ୍ର ଜଳସମ୍ପଦ ସଚିବ ଥିବାବେଳେ ସିଏଜି ରିପୋର୍ଟ ଅନୁସାରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଯେଉଁ ବନ୍ୟା ହୋଇ ୮୦ ଜଣଙ୍କ ଜୀବନ ଯାଇଥିଲା ଓ ମହାନଦୀ ବିବାଦବେଳେ ଛତିଶଗଡ଼ର ଶହେଟି ବ୍ୟାରେଜରେ ଓଡ଼ିଶାର କ୍ଷତି ହେବନି ବୋଲି ଯେଉଁ ବୟାନ ସେ ଦେଇଥିଲେ, ତାହା କ’ଣ ଥିଲା ? ତେଣୁ ସୁରେଶ ମହାପାତ୍ର ଇତିହାସ ନଭୁଲି ରାଜନୈତିକ ଉଦ୍ଦେଶ୍ୟ ରଖି ବିଭ୍ରାନ୍ତିକର ମତାମତ ଦେବାରୁ ଦୂରେଇ ରୁହନ୍ତୁ ବୋଲି ବିଜେପି ସତର୍କ କରାଇ ଦେଇଛି।
📲Get App