🔥 ट्रेंडिंग धुमरी पब्लिक स्कूल के उत्कर्ष शाक्य ने... हरियाणा ने रात के बीच में 14 IAS और HC... दिल्ली का AQI रात से 400 से ऊपर, स्वास... टाटा पावर ने चार और राज्यों के साथ मुं... 121 લોકો ફ્રોડનો ભોગ બન્યા, હરિદ્વાર ય... ବୃଦ୍ଧି ପାଉଛି ଆତଙ୍କୀ କାର୍ଯ୍ୟକଳାପ, ନିଖୋଜ...
12 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ଜିଲ୍ଲା ସଦର ମହକୁମାଠାରୁ ୬ କିମି ଦୂରରେ ଥିବା ଗାଁକୁ ହୋଇପାରୁନି ପକ୍କା ରାସ୍ତା; ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ମାଗିବେ ଗ୍ରାମବାସୀ

✍️ रिपोर्टर: Deepak Mahapatra 🗓 12 नव. 2026, 12:54 PM 👁 19
शेयर करें: 💬 WhatsApp 📘 Facebook 𝕏 Post
ସ୍ୱାଧୀନତାକୁ ୭୯ ବର୍ଷ ବିତିଗଲାଣି। କିନ୍ତୁ ରାୟଗଡ଼ା ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୬ କିଲୋମିଟର ଦୂରରେ ଥିବା ବାଇସିଙ୍ଗି ପଞ୍ଚାୟତର ପୂଜାରୀବୋମ୍ବୁ ଗାଁକୁ ହୋଇପାରିନି ପକ୍କା ରାସ୍ତା। ଏହି ଗାଁକୁ ଗଲା ବେଳେ ବାଟରେ ପଡ଼ୁଥିବା ନାଗାବଳୀ ନଦୀ ଉପରେ ପୋଲଟିଏ ମଧ୍ୟ ନାହିଁ। ତେଣୁ ଦୀପ ତଳ ଅନ୍ଧାର ଭଳି ଏହି ଗାଁର ଲୋକେ ଜିଲ୍ଲା ସଦର ମହକୁମା ପାଖରେ ଥାଇ ମଧ୍ୟ ବର୍ଷ ବର୍ଷ ଧରି ଭାରି ହଇରାଣ ହେଉଛନ୍ତି। ଖାଲି ଯେ, ଯାଆଆସରେ ଅସୁବିଧା ହେଉଛି, ତାହା ନୁହେଁ। ଲୋକେ ଅନେକ ମୌଳିକ ସୁବିଧାସୁଯୋଗ ଓ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ରାସ୍ତା ଓ ପୋଲ ପାଇଁ ଦାବି କରି କରି ଥକି ପଡ଼ିଥିବା ଏହି ଗାଁର ଲୋକେ ସରକାରଙ୍କୁ ଦେଇଛନ୍ତି ଶେଷ ବିକଳ୍ପ। ସରକାର ରାସ୍ତା କରନ୍ତୁ ନହେଲେ ସେମାନଙ୍କୁ ଇଚ୍ଛାମୃତ୍ୟୁ ଦିଅନ୍ତୁ। ଇଚ୍ଛାମୃତ୍ୟୁ ପାଇଁ ସେମାନେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି।
ପୂଜାରୀବୋମ୍ବୁ ଗାଁରେ ପ୍ରାୟ ୭୦ଟି ପରିବାର ରହନ୍ତି। ନାଗାବାଳୀ ନଦୀ ଉପରେ ପୋଲଟିଏ ନଥିବାରୁ ଓ ଗାଁକୁ ରାସ୍ତା ନଥିବାରୁ ସେମାନେ ଭାରି ହନ୍ତସନ୍ତ ହେଉଛନ୍ତି। ସେମାନଙ୍କୁ ଚାଲି ଚାଲି ଜିଲ୍ଲା ସଦର ମହକୁମାକୁ ଯିବାକୁ ହୁଏ। ଗର୍ଭବତୀ, ଛାତ୍ରଛାତ୍ରୀ ଓ ରୋଗୀମାନେ ବହୁତ ହଇରାଣ ହୁଅନ୍ତି। ଗାଁକୁ ଆମ୍ବୁଲାନ୍ସ ଯାଇପାରେ ନାହିଁ। ତେଣୁ ରୋଗୀଙ୍କୁ ଖଟରେ ବୋହି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଅନ୍ତି ଲୋକେ। ନାଗାବାଳୀ ନଦୀ ଉପରେ ପୋଲ ସହିତ ଗାଁକୁ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବିଡିଓ, ଜିଲ୍ଲାପାଳ, ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବାରମ୍ବାର ଗୁହାରୀ କରିଛନ୍ତି। କିନ୍ତୁ ପ୍ରତିଶ୍ରୁତି ଓ ଆଶ୍ୱାସନା ଛଡ଼ା ସେମାନଙ୍କୁ ଆଉ କିଛି ମିଳି ନାହିଁ। ସେଥିପାଇଁ ଏଥର ଗ୍ରାମବାସୀ ନେଇଛନ୍ତି କଡ଼ା ନିଷ୍ପତ୍ତି। ନଭେମ୍ବର ୧୭ ତାରିଖ ସୁଦ୍ଧା ରାସ୍ତା ଓ ପୋଲ ନିର୍ମାଣ ନେଇ ଲିଖିତ ଭାବେ ଦେବାକୁ ସେମାନେ ଦାବି କରିଛନ୍ତି। ନହେଲେ ନଭେମ୍ବର ୧୮ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସତ୍ୟାଗ୍ରହ କରିବା ସହ ସାମୂହିକ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଅନୁମତି ମାଗିବେ ବୋଲି ଚେତାବନୀ ଦେଇଛନ୍ତି।
Village
ଗ୍ରାମବାସୀ ସୁରେଶ କଲାକା କହିଛନ୍ତି, ଆମେ ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ- ସମସ୍ତଙ୍କୁ ଚିଠି ଲେଖିଛୁ। ତଥାପି ଆମ ଗାଁକୁ ରାସ୍ତା ହୋଇପାରିନି। କେବଳ ପ୍ରତିଶ୍ରୁତି ହିଁ ମିଳୁଛି। ଆଗାମୀ ୭ ଦିନ ମଧ୍ୟରେ କୌଣସି ପଦକ୍ଷେପ ନିଆନଗଲେ ଆମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସତ୍ୟାଗ୍ରହରେ ବସିବୁ। ତା’ସତ୍ତ୍ୱେ ସରକାର ଆମ କଥା ନଶୁଣିଲେ ଆମେ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ମାଗିବୁ।
Road1
ସେ କହିଛନ୍ତି, ଜିଲ୍ଲା ସଦର ମହକୁମାଠାରୁ ଆମ ଗାଁ ମାତ୍ର ୬ କିଲୋମିଟର ହୋଇଥିଲେ ହେଁ ଏଠାକୁ ଆମେ ଚାଲି ଚାଲି ଆସୁ। ଆମେ ରୋଗୀମାନଙ୍କୁ ଖଟିଆରେ ବୋହି ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ଆଣୁ। ନଦୀରେ ଯିବାଆସିବା କଲା ଭିତରେ ଗତ ୨ ବର୍ଷରେ ୨ ଜଣ ଭାସି ଯାଇଛନ୍ତି। ଯୋଗାଯୋଗ ବ୍ୟବସ୍ଥା ନଥିବାରୁ ଗାଁ ଲୋକେ ସରକାରଙ୍କ ଅନେକ ଯୋଜନାରୁ ବଞ୍ଚିତ ମଧ୍ୟ ହୋଇଛନ୍ତି।
📲Get App