🔥 TRENDING ଆଗାମୀ ୬ ମାସ ପାଇଁ ବନ୍ଦ ହେଲା ବାବା କେଦାରନ... પાલનપુરની સ્થાનિક ક્રાઈમ બ્રાંચે મેફેડ... କୁଲଗାମରେ ଆତଙ୍କବାଦୀ ଆକ୍ରମଣ, ସୁରକ୍ଷାକର୍ମ... ವಸಂತನರಸಾಪುರದಲ್ಲಿ ಆದರ್ಶ ಕಂಪನಿಯ ನೂತನ ಘಟಕ... ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ,... ଚାଷୀଙ୍କ ପାଇଁ ମୋଦୀ ସରକାରଙ୍କ ବଡ଼ ଉପହାର;...
12 Nov 2026•
ગુજરાતી मराठी ਪੰਜਾਬੀ বাংলা
Business

କଟକରେ ହେବ ଆଦାନୀଙ୍କ ୨୪୦୦ ମେଗାୱାଟ୍‌ର ବିଶାଳ ପାୱାର ପ୍ଲାଣ୍ଟ; ଖର୍ଚ୍ଚ ହେବ ୩୦,୧୮୧ କୋଟି, ମହାନଦୀରୁ ନିଆଯିବ ପାଣି

✍️ Reporter: Deepak Mahapatra 🗓 12 Nov 2026, 01:04 PM 👁 12
Share: 💬 WhatsApp 📘 Facebook 𝕏 Post
କଟକ: ଓଡ଼ିଶାରେ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଆସିବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ। କଟକ ଜିଲ୍ଲାରେ ୨,୪୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ବିଶାଳ ତାପଜ ବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ କରିବାକୁ ଯୋଜନା କରିଛି ଆଦାନୀ ପାୱାର ଲିମିଟେଡ୍‌। ଏଥିପାଇଁ କମ୍ପାନି ପ୍ରାୟ ୩୦,୧୮୧ କୋଟି ଟଙ୍କା ନିବେଶ କରିବ। ତେବେ ଏହି ପ୍ରକଳ୍ପକୁ ନେଇ ଯେତିକି ଆଶା ବଢ଼ିଛି, ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଛି ମହାନଦୀର ଜଳ ବ୍ୟବହାର ଓ ପରିବେଶ ଉପରେ ଏହାର ପ୍ରଭାବ।
କେଉଁଠି ହେବ ପ୍ରକଳ୍ପ, କ’ଣ ରହିବ ବିଶେଷତ୍ୱ?
ପ୍ରସ୍ତାବିତ ଏହି ପ୍ରକଳ୍ପର ନାମ ରହିଛି 'ନୀଳାଞ୍ଚଳ ଅଲ୍‌ଟ୍ରା ସୁପର କ୍ରିଟିକାଲ୍ ଥର୍ମାଲ୍ ପାୱାର ପ୍ଲାଣ୍ଟ'। କଟକ ଜିଲ୍ଲାର ରାହାଙ୍ଗୋଲ ଓ କନ୍ଦରେଇ ଗ୍ରାମରେ ଏହା ସ୍ଥାପନ ହେବାକୁ ଯୋଜନା ରହିଛି। ଏହି ପ୍ଲାଣ୍ଟରେ ୮୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ତିନୋଟି ୟୁନିଟ୍‌ ରହିବ। ପ୍ରକଳ୍ପ ପାଇଁ ମୋଟ ୩୩୧.୪୯ ହେକ୍ଟର ଜମି ଆବଶ୍ୟକ ହେବ।
ବର୍ଷକୁ ଲାଗିବ ୯୬.୭ ଲକ୍ଷ ଟନ୍‌ କୋଇଲା
ଏତେ ବଡ଼ ବିଦ୍ୟୁତ୍ ପ୍ରକଳ୍ପ ଚଳାଇବା ପାଇଁ ବିପୁଳ ପରିମାଣର କୋଇଲା ଓ ଜଳ ଆବଶ୍ୟକ ହେବ। ଆକଳନ ଅନୁସାରେ, ପ୍ରକଳ୍ପ ପାଇଁ ପ୍ରତିବର୍ଷ ପ୍ରାୟ ୯୬.୭ ଲକ୍ଷ ଟନ୍‌ କୋଇଲା ଆବଶ୍ୟକ ପଡ଼ିବ। ସେହିପରି ବର୍ଷକୁ ପ୍ରାୟ ୪୨ ନିୟୁତ ଘନମିଟର ଜଳର ଆବଶ୍ୟକତା ରହିଛି। ଏଥିପାଇଁ ମହାନଦୀରୁ ଜଳ ନେବାକୁ କମ୍ପାନି ରାଜ୍ୟ ଜଳସମ୍ପଦ ବିଭାଗ ନିକଟରେ ଆବେଦନ କରିଛି। ପ୍ରକଳ୍ପ ସ୍ଥଳ ମହାନଦୀଠାରୁ ପ୍ରାୟ ୯ କିଲୋମିଟର ଦୂରରେ ଅବସ୍ଥିତ। ତେବେ ଦୀର୍ଘକାଳୀନ ଭାବେ ମହାନଦୀରୁ ଏତେ ପରିମାଣର ଜଳ ନେବା ସମ୍ଭବ କି ନାହିଁ, ତାହା ଉପରେ ଅଧିକ ଅଧ୍ୟୟନ ଚାଲିଛି।
ପରିବେଶ ସୁରକ୍ଷା ପାଇଁ ୧,୯୦୮ କୋଟି
ପ୍ରକଳ୍ପ ପାଇଁ ମୋଟ ଜମି ମଧ୍ୟରୁ ୩୧୫.୫୧ ହେକ୍ଟର ଅଣଜଙ୍ଗଲ ଜମି ଓ ୧୫.୯୮୪ ହେକ୍ଟର ଜଙ୍ଗଲ ଜମି ରହିଛି। ପରିବେଶ ଉପରେ ପ୍ରକଳ୍ପର ସମ୍ଭାବ୍ୟ ପ୍ରଭାବ ଆକଳନ ପାଇଁ ଇଆଇଏ ରିପୋର୍ଟ ପ୍ରସ୍ତୁତ ହୋଇଛି।
ପରିବେଶ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥା ପାଇଁ ୧,୯୦୮ କୋଟି ଟଙ୍କା ବ୍ୟୟ ବରାଦ ରହିଛି। ଏଥିସହ ପରିବେଶ ପରିଚାଳନା ବ୍ୟବସ୍ଥାର ରକ୍ଷଣାବେକ୍ଷଣ ପାଇଁ ପ୍ରତିବର୍ଷ ୮୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରହିଛି।
ଡିସେମ୍ବର ୧୮ରେ ଜନଶୁଣାଣି, ଲୋକଙ୍କ ମତାମତ ନେବ ପ୍ରଶାସନ
ଏହି ପ୍ରକଳ୍ପକୁ ନେଇ ପରିବେଶ ମଞ୍ଜୁରୀ ପ୍ରକ୍ରିୟା ଆରମ୍ଭ ହୋଇଛି। ଜନସାଧାରଣଙ୍କ ମତାମତ, ଅଭିଯୋଗ ଓ ପରାମର୍ଶ ଗ୍ରହଣ କରିବା ପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜନଶୁଣାଣି ନୋଟିସ୍‌ ଜାରି କରାଯାଇଛି। ଆସନ୍ତା ଡିସେମ୍ବର ୧୮ରେ ଏହି ଜନଶୁଣାଣି ଅନୁଷ୍ଠିତ ହେବ।
ଜନଶୁଣାଣି ଓ ପରିବେଶ ମୂଲ୍ୟାଙ୍କନ ପରେ ପରବର୍ତ୍ତୀ ଆଇନଗତ ଏବଂ ନିୟାମକ ପ୍ରକ୍ରିୟା ଆଗକୁ ବଢ଼ିବ। ତେଣୁ ଏହି ବୃହତ୍‌ ପ୍ରକଳ୍ପ କଟକ ତଥା ଓଡ଼ିଶାର ବିଦ୍ୟୁତ୍ କ୍ଷେତ୍ରକୁ କେତେ ମଜଭୁତ କରିବ ଏବଂ ମହାନଦୀ ଓ ସ୍ଥାନୀୟ ପରିବେଶ ଉପରେ ଏହାର କି ପ୍ରଭାବ ପଡ଼ିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
📲Get App