🔥 TRENDING ଧରାପଡ଼ିଲା ଏଡିଇଓଙ୍କ ଜାଲିଆତି, ନିଲମ୍ବନ କଲେ... ଟ୍ରେନ୍‌ରୁ ଅପହରଣ ଘଟଣା: ୯ ଜଣଙ୍କୁ ଆଜୀବନ କ... ମୋବାଇଲ ଚୋର ସନ୍ଦେହରେ ହତ୍ୟା, ୪ ଗିରଫ Assam Sahitya Sabha High-Level Committ... Jharkhand to launch AI portal tracking... ਏਸ਼ੀਅਨ ਚੈਂਪੀਅਨ ਟਰਾਫੀ ਦੇ ਅੱਜ ਹੋਣਗੇ ਸੈਮੀ...
04 Nov 2026•
ગુજરાતી मराठी ਪੰਜਾਬੀ বাংলা
Business

୧୮ଟି ଏମ୍‌ଓୟୁ ସ୍ୱାକ୍ଷରିତ; ସ୍ୱଚ୍ଛ ଶକ୍ତିରେ ଓଡ଼ିଶାକୁ ଆସିବ ୧.୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ

✍️ Reporter: Deepak Mahapatra 🗓 04 Nov 2026, 12:59 PM 👁 14
Share: 💬 WhatsApp 📘 Facebook 𝕏 Post
ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଅନୁଷ୍ଠିତ ‘ଭାରତ ଅକ୍ଷୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ ୨୦୨୬’ରେ ଓଡ଼ିଶା ୧୮ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରିବା ସହ ପ୍ରାୟ ₹୧,୧୭,୫୫୭ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟର ଅକ୍ଷୟ ଶକ୍ତି କ୍ଷେତ୍ରରେ ପ୍ରାୟ ୧୧,୭୪୨ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ଯୋଡ଼ିହେବ।
ସ୍ୱଚ୍ଛ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଏତେ ବଡ ପୁଞ୍ଜିନିବେଶକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆଜିର ଦିନଟି ହେଉଛି ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଓଡିଶା ପାଇଁ ଏକ ଐତିହାସିକ କ୍ଷଣ। ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ପୂରଣ କରିବା ଦିଗରେ ଓଡିଶା ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।
ଏହି ପୁଞ୍ଜିନିବେଶ ମୁଖ୍ୟତଃ ପମ୍ପଡ୍‌ ଷ୍ଟୋରେଜ୍‌, ସୌର ଓ ପବନ ଶକ୍ତି, ହାଇବ୍ରିଡ୍‌ ଅକ୍ଷୟ ଶକ୍ତି, ବ୍ୟାଟେରୀ ଷ୍ଟୋରେଜ୍‌, ଗ୍ରୀନ୍‌ ହାଇଡ୍ରୋଜେନ୍‌, ଗ୍ରୀନ୍‌ ଡାଟା ସେଣ୍ଟର ଏବଂ ଅନ୍ୟାନ୍ୟ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିନିଯୋଗ ହେବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମିଳିତ ଭାବେ 'ଓଡ଼ିଶା ପାଭିଲିୟନ୍' ଓ 'ନେଦରଲ୍ୟାଣ୍ଡ୍‌ସ ପାଭିଲିୟନ୍'ର ଉଦ୍‌ଘାଟନ କରିବା ପରେ ଏହି ବୁଝାମଣାପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଗ୍ରିଡ୍‌କୋ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଡ. ସତ୍ୟପ୍ରିୟ ରଥ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ ଏହି ଏମ୍‌ଓୟୁଗୁଡ଼ିକ ଆଦାନପ୍ରଦାନ କରିଥିଲେ। ଏହାପରେ “ଓଡ଼ିଶାରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ସୁଯୋଗ” ଶୀର୍ଷକ ରାଜ୍ୟସ୍ତରୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା।
ଏହି ଅଧିବେଶନରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ନବୀନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ନବୀନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ସଚିବ ସନ୍ତୋଷ କୁମାର ଷଡ଼ଙ୍ଗୀ ଏବଂ ଓଡ଼ିଶା ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ ଦେବ ପ୍ରମୁଖ ଉପସ୍ଥିତ ଥିଲେ।
ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ଯେ, ଭାରତର ସ୍ବଚ୍ଛ ଶକ୍ତି ରୂପାନ୍ତରଣ ପ୍ରକ୍ରିୟାରେ ଓଡ଼ିଶାର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ରାଜ୍ୟର ବିପୁଳ ପ୍ରାକୃତିକ ସମ୍ପଦ, ସୁଦୃଢ଼ ଶିଳ୍ପ ଆଧାର ଏବଂ ଉନ୍ନତ ବନ୍ଦର ଭିତ୍ତିଭୂମି ନିବେଶକଙ୍କ ପାଇଁ ଶ୍ରେଷ୍ଠ ସୁଯୋଗ ସୃଷ୍ଟି କରୁଛି। ଅକ୍ଷୟ ଶକ୍ତି, ଶକ୍ତି ସଂରକ୍ଷଣ, ଫ୍ଲୋଟିଂ ସୋଲାର, ପବନ ଶକ୍ତି, ଗ୍ରୀନ୍‌ ହାଇଡ୍ରୋଜେନ୍‌ ଓ ଗ୍ରୀନ୍‌ ଆମୋନିଆ କ୍ଷେତ୍ରରେ ରହିଥିବା ସମ୍ଭାବନା ଉପରେ ସେ ଆଲୋକପାତ କରିବା ସହ ଏହି ସବୁ କ୍ଷେତ୍ରକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନୀତିଗତ ପ୍ରୋତ୍ସାହନ ବିଷୟରେ ଉଲ୍ଲେଖ କରିଥିଲେ। ଦେଶର ସବୁଜ ଶକ୍ତି ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର, ରାଜ୍ୟ ଓ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରେ ମିଳିତ ସହଯୋଗ ଉପରେ ସେ ଗୁରୁତ୍ବାରୋପ କରିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ଦେଶର ଅଗ୍ରଣୀ ସ୍ବଚ୍ଛ ଶକ୍ତି ହବ୍‌ରେ ପରିଣତ କରିବା ସହ ଭାରତର ଶ୍ରେଷ୍ଠ ପାଞ୍ଚଟି ବିଦ୍ୟୁତ୍‌ ରପ୍ତାନିକାରୀ ରାଜ୍ୟ ମଧ୍ୟରେ ସାମିଲ କରିବାର ଦୀର୍ଘମିଆଦୀ ରୋଡ୍‌ମାପ୍‌ ଉପସ୍ଥାପନ କରିଥିଲେ। "ଓଡ଼ିଶା ନିବେଶ ପାଇଁ ପ୍ରସ୍ତୁତ ଏବଂ ସ୍ବଚ୍ଛ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶକୁ ସ୍ବାଗତ କରୁଛି" ବୋଲି ପ୍ରକାଶ କରି ସେ କହିଥିଲେ ଯେ, ୨୦୪୭ ସୁଦ୍ଧା ରାଜ୍ୟର ମୋଟ ସ୍ଥାପିତ ବିଦ୍ୟୁତ୍‌ କ୍ଷମତାର ୭୪ ପ୍ରତିଶତ ଅଣ-ଜୀବାଶ୍ମ ଉତ୍ସରୁ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହ ଶିଳ୍ପ କ୍ଷେତ୍ରର ଅନ୍ତତଃ ୩୩ ପ୍ରତିଶତ ବିଦ୍ୟୁତ୍‌ ଆବଶ୍ୟକତା ସୁଲଭ ଦରରେ ସବୁଜ ଶକ୍ତି ମାଧ୍ୟମରେ ପୂରଣ କରାଯିବ ବୋଲି ସେ କହିଥିଲେ।
ଏହି ସମ୍ମିଳନୀରେ ଏନ୍.ଏଲ୍.ସି. ଇଣ୍ଡିଆ, ଆଦାନୀ ପୋର୍ଟ୍‌ସ୍ ଆଣ୍ଡ୍ ଏସ୍.ଇ.ଜେଡ୍., ଆଭାଡା ଗ୍ରୁପ୍, ଗ୍ରୀନକୋ ଗ୍ରୁପ୍, ଏକମେ ଗ୍ରୁପ୍, ଏଭ୍ରେନ୍ ଏବଂ ବ୍ରୁକ୍‌ଫିଲ୍ଡ ରିନିଉଏବଲ୍‌ସ୍ ଭଳି ଦେଶ-ବିଦେଶର ଅଗ୍ରଣୀ କମ୍ପାନୀଗୁଡ଼ିକ ଭାଗ ନେଇଥିଲେ।
📲Get App