🔥 TRENDING Japanese Tech Firm Partners with Priva... India Post launches low-premium child... PM's Agriculture Irrigation Scheme Acc... New E‑commerce Platform Connects Rural... Indian Stock Indices Rise Over Weekend... ଟାଙ୍ଗିଆ ଆକ୍ରମଣରେ ବୃଦ୍ଧ ମୃତ, ଅଭିଯୁକ୍ତଙ୍...
24 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ମାରାଥନ୍ ପ୍ରସ୍ତୁତି: କର୍ମଚାରୀଙ୍କ ଛୁଟି ବାତିଲ, ୨୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

✍️ Reporter: Deepak Mahapatra 🗓 24 Oct 2026, 01:36 PM 👁 61
Share: 💬 WhatsApp 📘 Facebook 𝕏 Post
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ଆଶଙ୍କା ବଢ଼ୁଥିବାରୁ ରାଜ୍ୟ ସରକାର ମାରାଥନ୍ ପ୍ରସ୍ତୁତି କରିଛନ୍ତି। ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର କର୍ମଚାରୀଙ୍କ ଛୁଟି ବାତିଲ କରିବା ସହ ସମସ୍ତ ବିଭାଗକୁ ୨୪ଘଣ୍ଟିଆ ହାଇଆଲର୍ଟ ଜାରି ହୋଇଛି। ରାଜ୍ୟର ୨୦ଟି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ଅନ୍ୟ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ଓ ୟେଲୋ ଆଲର୍ଟରେ ରଖାଯାଇଛି।
ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ମୁକାବିଲା ଓ ପ୍ରସ୍ତୁତି ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜୀବ ଭବନସ୍ଥିତ ଷ୍ଟେଟ୍ ଏମରଜେନ୍ସି ଅପରେସନ ସେଣ୍ଟରର କନଫରେନ୍ସ ହଲରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ସଚିବ ଅନୁ ଗର୍ଗ, ରାଜସ୍ୱ ସଚିବ ଅରବିନ୍ଦ କୁମାର ପାଢ଼ୀ, ପୁଲିସ ଡିଜି, ଆଇନଶୃଙ୍ଖଳା ଅତିରିକ୍ତ ଡିଜି, ସ୍ୱତନ୍ତ୍ର ରିଲିଫ କମିଶନର ଏସଆରସି, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ବରିଷ୍ଠ ଅଧିକାରୀ ଓ ଭୁବନେଶ୍ୱରସ୍ଥିତ ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ଉପସ୍ଥିତ ଥିଲେ। ଏଥିସହ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଟି ଆସନ୍ତାକାଲି ସୁଦ୍ଧା ଅବପାତ ଓ ୨୫ତାରିଖ ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ। ଏହାପରେ ବାତ୍ୟାର ରୂପ ନେଇ ଆସନ୍ତା ୨୬ ତାରିଖ ସକାଳୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଯିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ବାତ୍ୟାର ସଠିକ୍ ଲ୍ୟାଣ୍ଡଫଲ୍ ସ୍ଥାନ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ଓଡ଼ିଶାର ଗୋପାଳପୁର ମଧ୍ୟରେ ଉପକୂଳ ଅତିକ୍ରମ କରି ଓଡ଼ିଶା ଦେଇ ଝାଡ଼ଖଣ୍ଡ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହି ପ୍ରତିକୂଳ ପାଣିପାଗ ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବା ପରେ ସ୍ଥିତିରେ ଧୀରେଧୀରେ ସୁଧାର ଆସିବ।
ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟର ୨୦ଟି ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇ ଥିବାବେଳେ ଅନ୍ୟ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ଓ ୟେଲୋ ଆଲର୍ଟରେ ରଖାଯାଇଛି। ବିଶେଷକରି ୨୭ ତାରିଖ ପାଇଁ ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି ହୋଇଛି। ଏହାସହିତ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଭଳି ଜିଲ୍ଲାଗୁଡ଼ିକୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରିଦେଇଛନ୍ତି। ଯେଉଁମାନେ ଛୁଟିରେ ଥିଲେ ସେମାନଙ୍କୁ ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ଆସନ୍ତାକାଲି ସକାଳ ସୁଦ୍ଧା ତୁରନ୍ତ କୂଳକୁ ଫେରିଆସିବାକୁ କୁହାଯାଇଛି ଓ ବଡ଼ ବଡ଼ ଟ୍ରଲର୍ ତଥା ଜାହାଜ ମାଲିକମାନଙ୍କୁ ମଧ୍ୟ ସତର୍କ କରାଯାଇଛି।
ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ଓସଡ଼ମ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆଶ୍ରୟସ୍ଥଳୀଗୁଡ଼ିକରେ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ଜରୁରୀ ଔଷଧ ମହଜୁଦ ରଖାଯାଇଛି। ବିଶେଷକରି ପ୍ରସବ ସମୟ ନିକଟବର୍ତ୍ତୀ ହୋଇଥିବା ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରି ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଗୁଆ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ ରିଲିଫ୍ କେନ୍ଦ୍ର, ମୋବାଇଲ ସ୍ୱାସ୍ଥ୍ୟ ଟିମ୍‌, ଡାକ୍ତରଖାନାରେ ଜରୁରୀ ପ୍ରସବ ସେବା ତଥା ଅବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରାଯାଇଛି। ମଣିଷଙ୍କ ସହ ଗୃହପାଳିତ ପ୍ରାଣୀମାନଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ଗୋ ଖାଦ୍ୟ ବ୍ୟବସ୍ଥା ଓ ପ୍ରାଣୀଚିକିତ୍ସକମାନଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଛି।
ଅନ୍ୟପଟେ ବାତ୍ୟାଜନିତ(Cyclone) ପ୍ରବଳ ବର୍ଷା ଯୋଗୁଁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରମୁଖ ସଚିବ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ସମସ୍ତ ମୁଖ୍ୟଯନ୍ତ୍ରୀ, ଇଞ୍ଜିନିୟର-ଇନ୍‌-ଚିଫ୍ ଓ ବେସିନ୍ ମ୍ୟାନେଜରମାନଙ୍କୁ ନେଇ ସ୍ୱତନ୍ତ୍ର ସମୀକ୍ଷା କରାଯାଇଛି। ରାଜ୍ୟର ଜଳଭଣ୍ଡାର, ବ୍ୟାରେଜ୍‌, ନଦୀବନ୍ଧ ଓ ଅନ୍ୟାନ୍ୟ ଜଳସମ୍ପଦ ଭିତ୍ତିଭୂମିର ସୁରକ୍ଷା ପାଇଁ ନିରନ୍ତର ପାଟ୍ରୋଲିଂ ସହ ନିର୍ଦ୍ଧାରିତ ନିୟମାବଳୀ ଅନୁଯାୟୀ ଜଳସ୍ତର ଓ ଜଳପ୍ରବାହ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ବେଦନଶୀଳ ତଥା ବିପଦପ୍ରବଣ ନଦୀବନ୍ଧଗୁଡ଼ିକ ନିକଟରେ ଆବଶ୍ୟକ ଜରୁରୀ ସାମଗ୍ରୀ ମହଜୁଦ ରଖାଯାଇଛି।
କ୍ଷେତ୍ରସ୍ତରରେ ଉଦ୍ଧାର ଓ ସହାୟତା କାର୍ଯ୍ୟ ପାଇଁ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି। ସୋସିଆଲ ମିଡିଆ, ହ୍ୱାଟ୍ସଆପ୍ ଓ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ନିରନ୍ତର ସଚେତନ କରାଯାଉଛି। କୌଣସି ପ୍ରକାର ଗୁଜବରେ ବିଶ୍ୱାସ ନକରି କେବଳ ସରକାରୀ ବୁଲେଟିନ୍ ଉପରେ ଭରସା ରଖିବାକୁ ଓ ପ୍ରଶାସନର ସମସ୍ତ ନିର୍ଦ୍ଦେଶକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ରାଜ୍ୟ ସରକାର ନିବେଦନ କରିଛନ୍ତି।
📲Get App