🔥 TRENDING Gujarat Government Bars Outsiders from... EPFO Board to Discuss Raising Minimum... જામનગર ખોડીયાર કોલોનીમાં સાત રસ્તાઓ પર... New Platform Cover Sheds Inaugurated a... Karnataka MLC Elections Kick Off: Cong... Bengaluru hits magnitude 3 earthquake;...
23 Oct 2026•
ગુજરાતી मराठी ਪੰਜਾਬੀ বাংলা
Politics

ନବୀନଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ ପାଲଟା ଜବାବ: କର୍ମ କରିଥିଲେ ଏବେ ଓଡ଼ିଶାର ଜମି କି ଜଳବିବାଦ ନଥାନ୍ତା, ଜିଲ୍ଲାପାଳ-ଏସପି ଦେବେ ଦୈନିକ ରିପୋର୍ଟ

✍️ Reporter: Deepak Mahapatra 🗓 23 Oct 2026, 01:06 PM 👁 17
Share: 💬 WhatsApp 📘 Facebook 𝕏 Post
କୋଟିଆ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କଟାକ୍ଷ କରିବା ପରେ ଆଜି ପାଲଟା ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। କୋଟିଆ ପ୍ରସଙ୍ଗରେ ନବୀନ ଚିଠି ନଲେଖି ଯଦି ପୂର୍ବରୁ କାମ କରିଥାନ୍ତେ ତା’ହେଲେ ଆଜି ଜଳ କି ଜମିବିବାଦ ନଥାନ୍ତା ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଏହାସହିତ କୋଟିଆରେ ଆନ୍ଧ୍ରର ହଟଚମଟକୁ ରୋକିବା ପାଇଁ ସରକାର ଏବେ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ଓ ଜିଲ୍ଲାପାଳ-ଏସପିଙ୍କୁ ଦୈନିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।
ନବୀନଙ୍କ ଚିଠି ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ,ରାଜ୍ୟର ସ୍ୱାର୍ଥ ଓ ସୀମା ସୁରକ୍ଷା ପାଇଁ ଯେଉଁ ଲଢ଼ୁଆ ମନୋବଳ ଓ ଜିତିବାର ଜିଦ୍ ରହିବା କଥା, ସେହି ଅଗ୍ନିସ୍ଫୁଲିଙ୍ଗ ବିଗତ ବିଜେଡି ସରକାରଙ୍କ ପାଖରେ ସମ୍ପୂର୍ଣ୍ଣ ଅଭାବ ଥିଲା। ଛତିଶଗଡ଼ ସହ ଜଳ ବିବାଦ ହେଉ କି ଆନ୍ଧ୍ରପ୍ରଦେଶ ସହ ଜମି ବିବାଦ, ନବୀନବାବୁ କେବଳ ଚିଠି ନଲେଖି ଯଦି ପୂର୍ବରୁ କର୍ମ କରିଥାନ୍ତେ, ତେବେ ଆଜି ଏଭଳି ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା
କୋଟିଆର ୨୩ଟି ଗାଁକୁ ନେଇ ଆନ୍ଧ୍ର ସହ ଚାଲିଥିବା ବିବାଦର ଆଇନଗତ ଇତିହାସ ବଖାଣି ସେ କହିଛନ୍ତି ଯେ, ୧୯୬୮ ମସିହାରେ ସୁପ୍ରିମକୋର୍ଟରେ ଦାଏର ହୋଇଥିବା ମୂଳ ମକଦ୍ଦମାରେ ଅଦାଲତ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ୩୮ବର୍ଷ ଧରି ମାମଲା ଚାଲିବା ପରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ରାଜ୍ୟ ସରକାର ୨୦୦୬ମସିହାରେ ସୁପ୍ରିମକୋର୍ଟରେ ଏହି ମକଦ୍ଦମା ହାରିଯାଇଥିଲେ। ପରବର୍ତ୍ତୀ ସମୟରେ ୨୦୦୬ ମସିହାରେ ଦାଏର ହୋଇଥିବା ରିଭ୍ୟୁ ପିଟିସନ ଓ ୨୦୦୭ର କ୍ୟୁରେଟିଭ ପିଟିସନ ମଧ୍ୟ ଖାରଜ ହୋଇଯାଇଥିଲା। ଏହାପରେ ୨୦୨୧ ମସିହାରେ ଆଗତ କୋର୍ଟ ଅବମାନନା ମାମଲା ଏପର୍ଯ୍ୟନ୍ତ ବିଚାରାଧୀନ ରହିଛି।
ସେ ଉଭୟ ବିଜେଡି ଓ କଂଗ୍ରେସଙ୍କୁ କଟାକ୍ଷ କରି କହିଛନ୍ତି ଯେ, କେବଳ ଚିଠି ଲେଖି ରାଜନୀତି କରିବା କୌଣସି ଉପଯୁକ୍ତ ରାସ୍ତା ନୁହେଁ । କୋଟିଆ ସମସ୍ୟା କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନୁହେଁ, ବରଂ ଏହା ସମଗ୍ର ଓଡ଼ିଶାର ସ୍ୱାଭିମାନର ପ୍ରସଙ୍ଗ । କାହାକୁ ଅପମାନିତ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ, ତେଣୁ ବିରୋଧୀ ଦଳର ବରିଷ୍ଠ ନେତା ହିସାବରେ ନବୀନବାବୁ ନିଜର ଦୀର୍ଘବର୍ଷର ଅନୁଭବ ଓ ଅନୁଭୂତିକୁ ଓଡ଼ିଶାର ସ୍ୱାର୍ଥରେ ବିନିଯୋଗ କରି ବର୍ତ୍ତମାନର ସରକାରଙ୍କୁ ସକାରାତ୍ମକ ପରାମର୍ଶ ଦିଅନ୍ତୁ। ଆମ ସରକାର ‘ସବକା ସାଥ୍‌, ସବକା ବିକାଶ, ସବକା ପ୍ରୟାସ’ ମନ୍ତ୍ରରେ ଓଡ଼ିଶାର ପ୍ରତ୍ୟେକଟି ସମସ୍ୟାର ସମାଧାନ କରିବ ବୋଲି ଶ୍ରୀ ପୂଜାରୀ ସ୍ପଷ୍ଟ କରିଛନ୍ତି।
କୋଟିଆ ପ୍ରସଙ୍ଗରେ ସ୍ଥାୟୀ ସମାଧାନ ଓ ଆନ୍ଧ୍ରପ୍ରଦେଶର ହଟଚଟମକୁ ରୋକିବା ପାଇଁ ସରକାର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,ପ୍ରଶାସନିକସ୍ତରରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ନିୟମିତ କୋଟିଆରେ ଡେରା ପକାଇବେ। କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ପ୍ରତିଦିନ ଫିଲ୍ଡର ଫିଡବ୍ୟାକ୍ ପ୍ରଦାନ କରିବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
କୋଟିଆ ପ୍ରସଙ୍ଗ( Kotia Issue)ରେ ଆଇନ ବିଭାଗ, ଆଡଭୋକେଟ ଜେନେରାଲ, ଗୃହ ସଚିବ, ରାଜସ୍ୱ ସଚିବ, ଦକ୍ଷିଣାଂଚଳ ଆରଡିସିଙ୍କ ସମେତ କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କ ସହ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇସାରିଛି । ସୁପ୍ରିମକୋର୍ଟରେ ଥିବା କୋର୍ଟ ଅବମାନନା ମାମଲାର ସଦ୍ୟତମ ସ୍ଥିତି ଯାଂଚ କରି ତାହାକୁ ପୁନର୍ଜୀବିତ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
କେବଳ ପ୍ରଶାସନିକସ୍ତରରେ ନୁହେଁ ବରଂ ନିଜେ ମନ୍ତ୍ରୀ ଓ ବିଭାଗୀୟ ସଚିବମାନେ କୋଟିଆ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜେ ଘରକୁ ଘର ବୁଲି ମହିଳାମାନେ ସୁଭଦ୍ରା ଯୋଜନାର ସୁବିଧା ପାଇଛନ୍ତି କି ନାହିଁ ତାର ଯାଂଚ କରିଛନ୍ତି । ସେହିପରି ପଂଚାୟତିରାଜ ମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀ ପ୍ରତ୍ୟେକ ଘରକୁ ଯାଇ ଲୋକଙ୍କ ପାଖରେ ରାସନ କାର୍ଡ ପହଂଚିଛି କି ନାହିଁ ଓ ପାନୀୟ ଜଳ ବ୍ୟବସ୍ଥା ଠିକ୍ ରହିଛି କି ନାହିଁ ତାହା ପରଖିଛନ୍ତି। ଓଡ଼ିଶା ସରକାରଙ୍କ ସମସ୍ତ ଯୋଜନାର ଶତପ୍ରତିଶତ ସୁବିଧା କୋଟିଆବାସୀଙ୍କ ପାଖରେ ପହଂଚାଇବାକୁ ସରକାର ବଦ୍ଧପରିକର ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, କୋଟିଆ ପଂଚାୟତରେ ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନ କରାଇବା ପାଇଁ ପ୍ରଶାସନିକ ପଦକ୍ଷେପ ନେଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି ଓ ଗତକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି କେନ୍ଦ୍ରର ଚାପରେ ଡବଲ ଇଞ୍ଜିନ ସରକାର ଚୁପ୍ କି ବୋଲି ପ୍ରଶ୍ନ କରିଥିଲେ ।
📲Get App