🔥 TRENDING BETA NA MAA KO JALAYA झारखंड के पूर्व नेता और पाकुड़ के विधा... माता रानी को उत्साहपूर्वक विदाई, ढोल‑ड... ನವರಾತ್ರಿ ಉತ್ಸವ ಪಲ್ಲಕ್ಕಿ ಮಹೋತ್ಸವ. भागलपुर में फर्जी शिक्षिका के नाम पर 9... बांका के मुरहरा स्टेशन के पास हाई वोल्...
23 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ଶ୍ରୀମନ୍ଦିରରେ ପବିତ୍ର କାର୍ତ୍ତିକ ନୀତି ଆରମ୍ଭ: ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

✍️ Reporter: Deepak Mahapatra 🗓 23 Oct 2026, 01:24 PM 👁 14
Share: 💬 WhatsApp 📘 Facebook 𝕏 Post
ପୁରୀ: ଶ୍ରୀକ୍ଷେତ୍ରରେ ପବିତ୍ର କାର୍ତ୍ତିକ ମାସର ନୀତିକାନ୍ତି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ପବିତ୍ର ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଏହି ମାସବ୍ୟାପୀ ସ୍ୱତନ୍ତ୍ର ନୀତି ସମ୍ପାଦିତ ହେବ। ଏହି ଅବସରରେ ଜଗତର ନାଥ ଶ୍ରୀଜଗନ୍ନାଥ, ଚତୁର୍ଦ୍ଧାମୂର୍ତ୍ତିଙ୍କ ସହ ଆକର୍ଷଣୀୟ ରାଧାଦାମୋଦର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଦୀର୍ଘ ଗୋଟିଏ ମାସ ଧରି ଶ୍ରୀଜୀଉମାନଙ୍କର ଏହି ନିରାଳା ରୂପ ସହ ସ୍ୱତନ୍ତ୍ର ‘ବାଳଧୂପ’ ନୀତି ଅନୁଷ୍ଠିତ ହେବ।
ବିଜୟା ଦଶମୀ ପର୍ବ ପାଇଁ ଗତକାଲି ଶ୍ରୀମନ୍ଦିରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ନୀତିକାନ୍ତି ଚାଲିଥିବାରୁ ରାତ୍ର ପହୁଡ଼ରେ କିଛିଟା ବିଳମ୍ବ ଘଟିଥିଲା। ଫଳରେ ଆଜି ଭୋର ୬ଟା ୧୫ ମିନିଟ୍‌ରେ ଦ୍ୱାରଫିଟା ପରେ ୭ଟା ୦୫ ମିନିଟ୍‌ରେ ମଙ୍ଗଳ ଆଳତୀ ସମ୍ପନ୍ନ କରାଯାଇଥିଲା। ଏହାପରେ ମଇଲମ, ତଡ଼ପଲାଗି ଏବଂ ଅବକାଶ ନୀତି ଶେଷ ହୋଇ ଶ୍ରୀଜୀଉମାନଙ୍କୁ ଆକର୍ଷଣୀୟ ରାଧାଦାମୋଦର ବେଶରେ ଭୂଷିତ କରାଯାଇଥିଲା। ପରେ ଗୋପାଳ ବଲ୍ଲଭ, ସକାଳ ଧୂପ ଏବଂ କାର୍ତ୍ତିକ ମାସର ସ୍ୱତନ୍ତ୍ର ବାଳଧୂପ ନୀତି ସୁରୁଖୁରୁରେ ଶେଷ ହୋଇଛି।
କାର୍ତ୍ତିକ ନୀତିରେ ବାଳଧୂପର ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି। ଏହି ସ୍ୱତନ୍ତ୍ର ନୈବେଦ୍ୟରେ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡ଼ିଆ, ଚାଉଳିଆ, ସେଓ, କମଳା, କଦଳୀ, କାକୁଡ଼ି ଏବଂ ପଇଡ ଆଦି ସାତ୍ତ୍ୱିକ ସାମଗ୍ରୀ ମହାପ୍ରଭୁଙ୍କ ନିକଟରେ ଲାଗି କରାଯାଇଥାଏ। ସନାତନ ପରମ୍ପରାରେ କାର୍ତ୍ତିକ ମାସରେ ପ୍ରଭୁ ବିଷ୍ଣୁ ‘ଦାମୋଦର’ ରୂପରେ ପୂଜା ପାଉଥିବାରୁ ଏହି ପବିତ୍ର ବେଶକୁ ‘ରାଧାଦାମୋଦର ବେଶ’ କୁହାଯାଏ।
ପବିତ୍ର ଏକାଦଶୀ ତିଥି ହୋଇଥିବାରୁ ଠାକୁରମାନଙ୍କୁ ଅତ୍ୟନ୍ତ ମନୋରମ ଶୃଙ୍ଗାର କରାଯାଇଛି। ସୁଗନ୍ଧିତ ପୁଷ୍ପରେ ନିର୍ମିତ ଗୁଣା, ଚିତା, ଅଧରମାଳା ସହ ପ୍ରଚୁର ସୁବର୍ଣ୍ଣ ଅଳଙ୍କାର ଶ୍ରୀଜୀଉମାନଙ୍କୁ ଲାଗି କରାଯାଇଛି। ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ତ୍ରିକଚ୍ଛ ବସ୍ତ୍ର ପରିଧାନ କରିବା ସହ ଦୁଇ ହସ୍ତରେ ସୁବର୍ଣ୍ଣ ନଳୀଭୁଜ, ମସ୍ତକରେ ବାଉଁଶ ପାତିଆ ଓ କନାରେ ପ୍ରସ୍ତୁତ ଚୂଳ, ରୂପା ଚନ୍ଦ୍ରିକା, କର୍ଣ୍ଣରେ କୁଣ୍ଡଳ, କଟିଦେଶରେ ଓଡ଼ିଆଣୀ, କଣ୍ଠରେ ସୁବର୍ଣ୍ଣ ଘାଗଡ଼ା ମାଳି ଏବଂ କପାଳରେ ତିଳକ, ଚନ୍ଦ୍ର, ସୂର୍ଯ୍ୟ ଓ ରାମାନନ୍ଦୀ ଚିତାରେ ସୁଶୋଭିତ ହୋଇଛନ୍ତି। ମସ୍ତକରେ ଡଡ଼ଗି ସହ ପାଟଶାଢ଼ୀ, ଫୁଟା, ଶିରିକପଡ଼ା, ପହରଣ, ବଳା, ଅଧରବଳା ଏବଂ ଉତ୍ତରୀୟ ବସ୍ତ୍ର ଲାଗି ହୋଇଛି। ମହାପ୍ରଭୁଙ୍କ ଏହି ଅପୂର୍ବ ଦିବ୍ୟ ରୂପ ଦର୍ଶନ କରି ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଛନ୍ତି।
ଅନ୍ୟପଟେ, ଆଜି ବଡ଼ ଏକାଦଶୀ ଅବସରରେ ପୁରୀ ସହରରେ ପୂଜା ପାଉଥିବା ସମସ୍ତ ପ୍ରସିଦ୍ଧ ଗୋଷାଣୀ ମୂର୍ତ୍ତିଗୁଡ଼ିକର ବିସର୍ଜନ ବା ଭସାଣ ଉତ୍ସବ ଅନୁଷ୍ଠିତ ହେବ। ସନ୍ଧ୍ୟା ସମୟରେ ସମସ୍ତ ଗୋଷାଣୀ ଓ ନାଗା ମୂର୍ତ୍ତିଗୁଡ଼ିକ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକାଠି ହୋଇ ‘ଦେବୀ ସଭା’ ରଚନା କରିବାର ପରମ୍ପରା ରହିଛି। ଏହି ବିଶାଳ ପର୍ବ ଓ ଭକ୍ତଙ୍କ ଭିଡ଼କୁ ଶୃଙ୍ଖଳିତ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
📲Get App