🔥 ट्रेंडिंग नई माँ बनने के बाद श्रीया सरान ने 'दृश... అక్రమాలకు పాల్పడిన వారిపై చర్యలు తీసుక... हरियाणा ADO परिणाम 2026 घोषित: hpsc.go... सपा सुप्रीमो की गिरफ्तारी के विरोध में... સુરત મેટ્રોમાં 'ડાયમંડ કટ' થીમેટિક ઇન્... IBPS हिंदी अधिकारी परीक्षा परिणाम 26 स...
06 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
୮ବର୍ଷ ପରେ କ୍ୟାମ୍ପସକୁ ଫେରିଲା ‘ଇଲେକ୍ସନ’: ୭ରୁ ଲାଗୁ ହେବ ଆଚରଣ ବିଧି , କଲେଜ ଅଶାନ୍ତ ଥିଲେ ହେବ ‘ସିଲେକ୍ସନ’
शिक्षा

୮ବର୍ଷ ପରେ କ୍ୟାମ୍ପସକୁ ଫେରିଲା ‘ଇଲେକ୍ସନ’: ୭ରୁ ଲାଗୁ ହେବ ଆଚରଣ ବିଧି , କଲେଜ ଅଶାନ୍ତ ଥିଲେ ହେବ ‘ସିଲେକ୍ସନ’

✍️ रिपोर्टर: Deepak Mahapatra 🗓 06 अक्टू. 2026, 02:58 PM 👁 15
शेयर करें: 💬 WhatsApp 📘 Facebook 𝕏 Post
ସୋସିଆଲ ମିଡିଆରେ ଅପଶବ୍ଦ ବ୍ୟବହାର, ବ୍ୟକ୍ତିଗତ ଆକ୍ଷେପ, ଜାତି ଓ ଧର୍ମଗତ ବିଭେଦ ସୃଷ୍ଟି କିମ୍ବା ଏଆଇ-ନିର୍ମିତ ମିଥ୍ୟା ସୂଚନା ପ୍ରସାରଣ ଉପରେ କଟକଣା ଲଗାଯାଇଛି। କ୍ୟାମ୍ପସ ସମ୍ପତ୍ତି ନଷ୍ଟ, ଶୋଭାଯାତ୍ରା କିମ୍ବା କ୍ୟାମ୍ପସ ବାହାରେ ସଭାସମିତି କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।ପ୍ରାୟ ୮ବର୍ଷ ପରେ କଲେଜ କ୍ୟାମ୍ପସରେ ‘ନିର୍ବାଚନ’ ହେବ। ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଗାଇଡଲାଇନ୍ ଜାରି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସାଧାରଣ ଭାବେ ନିର୍ବାଚନ ଅନୁଷ୍ଠିତ ହେବ। ମାତ୍ର ଯେଉଁ ନିର୍ଦ୍ଦିଷ୍ଟ କଲେଜ ବା ବିଶ୍ୱବିଦ୍ୟାଳୟରେ ପରିସ୍ଥିତି ସ୍ୱାଭାବିକ ନଥିବ କିମ୍ବା ଛାତ୍ରସଂସଦ ନିର୍ବାଚନ ପାଇଁ ଅନୁକୂଳ ବାତାବରଣ ନଥିବ, ସେଠାରେ କର୍ତ୍ତୃପକ୍ଷ ଆବଶ୍ୟକସ୍ଥଳେ ‘ଇଲେକ୍ସନ’ ପରିବର୍ତ୍ତେ ‘ସିଲେକ୍ସନ’ ବା ମନୋୟନ ପ୍ରକ୍ରିୟା ଆପଣାଇପାରିବେ।

ଅକ୍ଟୋବର ୧୫ତାରିଖରେ ଛାତ୍ରସଂସଦ ନିର୍ବାଚନ ପାଇଁ ଆସନ୍ତା ୭ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା କ୍ଷଣି ସମସ୍ତ କ୍ୟାମ୍ପସରେ ଆଚରଣବିଧି କଡ଼ାକଡ଼ି ଭାବେ ଲାଗୁ ହେବ ଓ ଏହା ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ୨୦୧୭ ମସିହାରେ ଶେଷଥର ପାଇଁ ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରସଂସଦ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଜାରି ହେବା ସହ ରାଜ୍ୟର ସମସ୍ତ ସ୍ୱୟଂଶାସିତ, ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ସମେତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶାନ୍ତିପୂର୍ଣ୍ଣ ଓ ଅପରାଧମୁକ୍ତ ଛାତ୍ର ସଂସଦ ନିର୍ବାଚନ ପରିଚାଳନା ପାଇଁ ଉଚ୍ଚଶିକ୍ଷା ବିଭାଗ କଠୋର ଆଭିମୁଖ୍ୟ ଓ ନିୟମ ଗ୍ରହଣ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ଛାତ୍ର ରାଜନୀତିରୁ ରାଜନୈତିକ ଦଳଗୁଡ଼ିକର ହସ୍ତକ୍ଷେପକୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ସହ କ୍ୟାମ୍ପସରେ କୌଣସି ବାହାର ବ୍ୟକ୍ତିଙ୍କ ପ୍ରବେଶ ଉପରେ କଡ଼ା ପ୍ରତିବନ୍ଧକ ଲଗାଯାଇଛି।

ଏହାସହିତ ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି ଯେ, ଯେଉଁ ନିର୍ଦ୍ଦିଷ୍ଟ କଲେଜ ବା ବିଶ୍ୱବିଦ୍ୟାଳୟର ପରିବେଶ ନିର୍ବାଚନ ପରିଚାଳନା ପାଇଁ ଅନୁକୂଳ ନଥିବ ଓ ପରିସ୍ଥିତି ଅତ୍ୟନ୍ତ ଗୁରୁତର ଥିବ, ସେଠାରେ ଷ୍ଟାଫ୍ କମିଟି କିମ୍ବା ପିଜି କାଉନସିଲର ଆକଳନ ଭିତ୍ତିରେ କର୍ତ୍ତୃପକ୍ଷ କେବଳ ସେହି ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନ ପାଇଁ ଛାତ୍ର ସଂସଦ ନିର୍ବାଚନ ବଦଳରେ ମନୋନୟନ ପ୍ରକ୍ରିୟା ଗ୍ରହଣ କରିପାରିବେ।
ଛାତ୍ରସଂସଦ ନିର୍ବାଚନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଜାରି ଗାଇଡଲାଇନରେ ସୁପ୍ରିମକୋର୍ଟଙ୍କ ରାୟକୁ କଡ଼ାକଡ଼ି ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। କେବଳ ସାମସ୍ ମାଧ୍ୟମରେ ନାମଲେଖାଇଥିବା ନିୟମିତ ରେଗୁଲାର ଛାତ୍ରଛାତ୍ରୀ ହିଁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ଓ ଦୂରନିରନ୍ତର ଶିକ୍ଷା ତଥା ପିପିପି ମୋଡରେ ଥିବା ସେଲ୍ଫ ଫାଇନାନ୍ସିଂ ଛାତ୍ରଛାତ୍ରୀଙ୍କୁ ଭୋଟ୍ ଦେବା କିମ୍ବା ନିର୍ବାଚନ ଲଢ଼ିବାରୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ନିର୍ବାଚନ ଲଢ଼ିବା ପାଇଁ ଯୁକ୍ତ ତିନି ଡିଗ୍ରୀ ଛାତ୍ରଛାତ୍ରୀଙ୍କ ବୟସ ୧୭ରୁ ୨୨ ବର୍ଷ ଓ ପିଜି ଛାତ୍ରଛାତ୍ରୀଙ୍କ ବୟସ ସର୍ବାଧିକ ୨୫ ବର୍ଷ ହୋଇଥିବା ଜରୁରୀ। ଶ୍ରେଣୀଗୃହରେ ଅତିକମରେ ୭୫ ପ୍ରତିଶତ ଉପସ୍ଥାନ ରହିଥିବ ଓ ନିର୍ବାଚନ ଲଢ଼ୁଥିବା ବର୍ଷରେ କୌଣସି ଏକାଡେମିକ୍ ବ୍ୟାକ୍ ପେପର ନଥିବା ବାଧ୍ୟତାମୂଳକ କରାଯାଇଛି। ଜଣେ ପ୍ରାର୍ଥୀ କର୍ମକର୍ତ୍ତା ବା ଅଫିସ୍‌-ବିଅରର୍ ପଦ ପାଇଁ ଥରେ ଓ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ସର୍ବାଧିକ ଦୁଇଥର ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ପ୍ରାର୍ଥୀଙ୍କ ନାମରେ କୌଣସି ଅପରାଧିକ ରେକର୍ଡ, ବିଚାରାଧୀନ ମାମଲା କିମ୍ବା କଲେଜର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇନଥିବ। ପ୍ରାର୍ଥୀଙ୍କ ସମସ୍ତ ତଥ୍ୟ ଏଚଆଇଏମଏସ୍ ପୋର୍ଟାଲରେ ଏଣ୍ଟ୍ରି କରିବା ସହ ସରକାରଙ୍କ ଗାଇଡଲାଇନକକୁ କଡ଼ାକଡ଼ି ପାଳନ ପାଇଁ ସମସ୍ତ ଅଧ୍ୟକ୍ଷ ତଥା କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

ଅର୍ଥବଳ ଓ କୁପ୍ରଚାର ଉପରେ କଟକଣା ଲଗାଇ ଜଣେ ପ୍ରାର୍ଥୀଙ୍କ ସର୍ବାଧିକ ଖର୍ଚ୍ଚ ସୀମା ୫ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଫଳାଫଳ ପ୍ରକାଶର ଦୁଇ ସପ୍ତାହ ଭିତରେ ପ୍ରାର୍ଥୀଙ୍କୁ ଖର୍ଚ୍ଚର ସତ୍ୟପାଠ ଦାଖଲ କରିବାକୁ ପଡ଼ିବ ଓ ତାହା ଦୁଇ ଦିନ ମଧ୍ୟରେ ଏଚଆଇଏମଏସ୍ ପୋର୍ଟାଲ ଜରିଆରେ ସାର୍ବଜନୀନ ହେବ। ପ୍ରଚାର ବେଳେ ପ୍ରିଣ୍ଟେଡ୍ ପୋଷ୍ଟର, ପାମ୍ପଲେଟ୍‌, ଲାଉଡସ୍ପିକର, ଗାଡ଼ି କିମ୍ବା ପଶୁଙ୍କ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି ଓ କେବଳ କର୍ତ୍ତୃପକ୍ଷ ସ୍ଥିର କରିଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ହାତତିଆରି ପୋଷ୍ଟର ଲଗାଇବାକୁ ଅନୁମତି ରହିଛି।

ସୋସିଆଲ ମିଡିଆରେ ଅପଶବ୍ଦ ବ୍ୟବହାର, ବ୍ୟକ୍ତିଗତ ଆକ୍ଷେପ, ଜାତି ଓ ଧର୍ମଗତ ବିଭେଦ ସୃଷ୍ଟି କିମ୍ବା ଏଆଇ-ନିର୍ମିତ ମିଥ୍ୟା ସୂଚନା ପ୍ରସାରଣ ଉପରେ କଟକଣା ଲଗାଯାଇଛି। କ୍ୟାମ୍ପସ ସମ୍ପତ୍ତି ନଷ୍ଟ, ଶିକ୍ଷାଦାନରେ ବାଧା ସୃଷ୍ଟି କରୁଥିବା ଶୋଭାଯାତ୍ରା କିମ୍ବା କ୍ୟାମ୍ପସ ବାହାରେ ସଭାସମିତି କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ନିର୍ବାଚନୀ ଆଚରଣବିଧି ବ୍ୟତୀତ ଭାରତୀୟ ନ୍ୟାୟ ସଂହିତା ୨୦୨୩ର ସମସ୍ତ ପ୍ରାସଙ୍ଗିକ ଧାରା ଏଠାରେ ସିଧାସଳଖ ଲାଗୁ ହେବ, ଯେଉଁଥିରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ସୃଷ୍ଟି ଓ ସଦ୍‌ଭାବନା ନଷ୍ଟ ସମ୍ପର୍କିତ ବିଏନଏସ୍ ଧାରା ୧୯୬ ଓ ନିର୍ବାଚନ ସମ୍ବନ୍ଧୀୟ ଅପରାଧ ସହ ଜଡ଼ିତ ଅଧ୍ୟାୟ ୯ର ଧାରା ୧୬୯ରୁ ୧୭୭ ପର୍ଯ୍ୟନ୍ତ ସମସ୍ତ ଆଇନଗତ ନିୟମ ସାମିଲ ରହିଛି। ଏଥିସହ କୌଣସି ଗୁରୁତର ତଥା ଅପରାଧିକ ଘଟଣା ଘଟିଲେ ୬ ଘଣ୍ଟା ମଧ୍ୟରେ ପୁଲିସ ନିକଟରେ ଏତଲା ଦେବାକୁ କଲେଜ କତ୍ତୃପକ୍ଷ ବାଧ୍ୟ ରହିବେ।

କ୍ୟାମ୍ପସରେ ପରିଷ୍କାର-ପରିଚ୍ଛନ୍ନତା ବଜାୟ ରଖିବାକୁ ମତଦାନ ସରିବାର ୪୮ ଘଣ୍ଟା ମଧ୍ୟରେ ନିର୍ବାଚନୀ ଅଂଚଳ ସଫା କରିବା ସମସ୍ତ ପ୍ରାର୍ଥୀଙ୍କ ମିଳିତ ଦାୟିତ୍ୱ ହେବ, ଯାହାର ଖିଲାପ କଲେ ପ୍ରାର୍ଥୀ ପିଛା ୧୫୦୦ଟଙ୍କା ଜୋରିମାନା ସହ ପ୍ରାର୍ଥୀତ୍ୱ ବାତିଲ ହେବାର ପ୍ରାବଧାନ ରହିଛି। ପ୍ରତି କଲେଜ ଓ ବିଶ୍ୱବିଦ୍ୟାଳୟରେ ନିରପେକ୍ଷ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବା ସହ ବିବାଦ ସମାଧାନ ପାଇଁ ଛାତ୍ର କଲ୍ୟାଣ ଡିନ୍ ବା ପ୍ରଭାରୀ ଅଧ୍ୟାପକଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧ୍ୟାପକ, ପ୍ରଶାସନିକ ଅଧିକାରୀ ଓ ଦୁଇ ଜଣ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ନେଇ ଏକ ଅଭିଯୋଗ ନିବାରଣ ସେଲ୍ ଗଠନ କରାଯିବ। ଏହି ସେଲ୍ ଅଭିଯୋଗ ମିଳିବାର ୨୪ ଘଣ୍ଟା ମଧ୍ୟରେ ଶୁଣାଣି କରି ପ୍ରାର୍ଥୀଙ୍କୁ ପ୍ରଚାରରୁ ବାରଣ କରିବା କିମ୍ବା ଅଯୋଗ୍ୟ ଘୋଷଣା କରିପାରିବ ତଥା ଏହାର ଅପିଲ୍ କଲେଜ ଅଧ୍ୟକ୍ଷଙ୍କ ନିକଟରେ କରାଯାଇପାରିବ। ସମଗ୍ର ନିର୍ବାଚନ ପ୍ରକ୍ରିୟା ସୁଚାର ରୂପେ ସମ୍ପାଦନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପୂର୍ବରୁ ନିଯୁକ୍ତ କରିଥିବା ଜିଲ୍ଲା ନୋଡାଲ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ତଦାରଖ ଦାୟିତ୍ୱ ନ୍ୟସ୍ତ କରିଛି।

ସୂଚନାଯୋଗ୍ୟ, ୨୦୧୭ ମସିହା ପରେ ଆଜି ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ରାଜ୍ୟବ୍ୟାପୀ ଛାତ୍ରସଂସଦ ନିର୍ବାଚନ ୧୫ତାରିଖରେ ହେବ ଓ ଏଥିପାଇଁ ୭ରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ। ଅକ୍ଟୋବର ୯ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ଓ ଯାଂଚ ପରେ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୧୦ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ। ୧୪ରେ ହ୍ୱାଇ ଆଇ ଷ୍ଟାଣ୍ଡ ଫର ମିଟିଂ ହେବ। College Election 2026 ୧୫ ତାରିଖ ସକାଳ ୮ଟାରୁ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଓ ୨ଟାରୁ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ। ୧୬ତାରିଖ ପୂର୍ବାହ୍ନରେ ନବନିର୍ବାଚିତ ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।
📲Get App