🔥 ट्रेंडिंग मिज़ोरम के सीएम लल्दुहोमा ने स्कूल शिक... असम रेजिमेंट जावन को शराबी युवाओं ने र... एशियाई खेलों में पंजाब के निशानेबाजों... बिहार पुलिस अधिकारी ने सेवा पिस्तौल से... छत्तीसगढ़ में जूनियर डॉक्टरों ने वेतन... गुजरात विश्वविद्यालय ने शुरू किए दो नई...
23 सित. 2026
ગુજરાતી मराठी ਪੰਜਾਬੀ বাংলা
मौसम

ଗଭୀର ଅବପାତରେ ପରିଣତ ହେଲେ ଅବପାତ; ବଢ଼ିବ ବର୍ଷା

✍️ रिपोर्टर: Deepak Mahapatra 🗓 23 सित. 2026, 12:20 PM 👁 20
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେଲେ ଅବପାତ। ଗୋପାଳପୁରଠାରୁ ୧୫୦କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି। କାଲି ରାତି ସୁଦ୍ଧା ଏହା ଅତିକ୍ରମ କରିବ ଉପକୂଳ। ସେତେବେଳେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୫୫ରୁ ୬୫ କିମି ରହିବ। ସେହିପରି ଘଣ୍ଟା ପ୍ରତି ୭୫ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି।ଗଭୀର ଅବପାତ ସୃଷ୍ଟି ହେବା ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ (IMD) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ, ଆଜି ସନ୍ଧ୍ୟାରୁ ରାତି ଭିତରେ ଅବପାତ ଗଭୀର ଅବପାତ ହେବ । ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ତାରିଖ ରାତିରେ ଉପକୂଳକୁ ଛୁଇଁବ । ବିଶାଖାପାଟଣା ଓ ଗୋପାଳପୁର ଭିତରେ ଉପକୂଳ ଅତିକ୍ରମ କରିବ । ଉପକୂଳକୁ ଆସିଲା ବେଳେ ଗଭୀର ଅବପାତର ଗତି କମିଯିବ । ଅଧିକ ସମୟ ଦକ୍ଷିଣ ଓଡ଼ିଶା ଉପକୂଳରେ ରହିବାରୁ ଅଧିକ ବର୍ଷିବ । ବିଶେଷକରି ଦକ୍ଷିଣ ଓଡ଼ିଶା ଜିଲ୍ଲାମାନଙ୍କରେ ଅତି ପ୍ରବଳ ବର୍ଷା ହେବ । ଆଉ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାକୁ ନେଇ ପୂର୍ବାନୁମାନ କରୁଛୁ । ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୫୫ରୁ ୬୫ କିମି ରହିବ ବୋଲି କହିଛନ୍ତି । ଏହା ସହ ଅବପାତ ପ୍ରଭାବରେ ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହେବା ସହିତ ଡାଳ ଭାଙ୍ଗିବ ବିଶେଷକରି ପନିପରିବା ଗଛ କ୍ଷତି ହେବାର ସମ୍ଭାବନା ରହିଛି । ପୁରୁଣା ମାଟି ଘର ଭାଙ୍ଗି ଯାଇପାରେ । ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷା ଜୋରରେ ହେଉଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ ମାଟି ଅତଡ଼ା ଖସିବାର ଆଶଙ୍କା ରହିଛି IMD ଡିଜି ସୂଚନା କହିଥିଲେ।

ସେ ଆହୁରି କହିଥିଲେ, ୨୪ ବେଳକୁ ଉପକୂଳରେ ବର୍ଷା କମିବ, ଆଭ୍ୟନ୍ତରରେ ଅଧିକ ବର୍ଷିବ । କ୍ରମଶଃ ଉତ୍ତର ଉତ୍ତରପଶ୍ଚିମ ହୋଇ ଛତିଶଗଡ଼ ଅଭିମୁଖେ ଯିବ । ବର୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ରେଡ୍, ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆଜିଠାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ତଥା କିଛି ସ୍ଥାନରେ ଅତିଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଛାଡ଼ି ବାକି ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ୨୪ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍ ୱାର୍ଣ୍ଣି ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ରାୟଗଡ଼ା, ଗଜପତି, ଗଗଞ୍ଜାମ, କନ୍ଧମାଳ, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହିତ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଛାଡ଼ି ବାକି ସମସ୍ତ ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
📲Get App