🔥 TRENDING Vi Announces New OTT Releases for Week... ECI Sets Dates for Elections to 12 Raj... Air India Express suspends Delhi‑Patna... Haryana Police Suspend Two Officers Ov... Haryana Regulator Suspends DISCOM Over... Sitharaman Rebukes Opposition Over UPI...
22 Sep 2026
ગુજરાતી मराठी ਪੰਜਾਬੀ বাংলা
Politics

ଚୂଡ଼ାନ୍ତ ଭୋଟର ତାଲିକା: ରାଜ୍ୟରେ ୩ କୋଟି ୧୬ ଲକ୍ଷ ଭୋଟର, ଏସଆଇଆରରେ ବାଦ୍ ପଡ଼ିଲେ ୨୦ ଲକ୍ଷ ଭୋଟର, ୫୮ ଲକ୍ଷ ମତଦାତାଙ୍କୁ ହୋଇଥିଲା ନୋଟିସ୍

✍️ Reporter: Deepak Mahapatra 🗓 22 Sep 2026, 12:04 PM 👁 24
Share: 💬 WhatsApp 📘 Facebook 𝕏 Post
ସଂଶୋଧନ ପ୍ରକ୍ରିୟାରେ ରାଜ୍ୟରେ ମୋଟ ୨୦ ଲକ୍ଷ ୧୨ହଜାର ୫୫୭ଜଣ(୬.୦୩%) ଭୋଟର ଚୂଡ଼ାନ୍ତ ତାଲିକାରୁ ବାଦ୍ ପଡ଼ିଥିବାବେଳେ ଏବେ ରାଜ୍ୟରେ ମୋଟ ୩କୋଟି ୧୬ଲକ୍ଷ ୩୨ହଜାର ୭୫୪ଜଣ ଭୋଟର ରହିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଆଜି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି।ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସଆଇଆର-୨୦୨୬) ପ୍ରକ୍ରିୟା ଶେଷ ହେବା ପରେ ଆଜି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ରାଜ୍ୟରେ ମୋଟ ୨୦ ଲକ୍ଷ ୧୨ହଜାର ୫୫୭ଜଣ(୬.୦୩%) ଭୋଟର ଚୂଡ଼ାନ୍ତ ତାଲିକାରୁ ବାଦ୍ ପଡ଼ିଥିବାବେଳେ ଏବେ ରାଜ୍ୟରେ ମୋଟ ୩କୋଟି ୧୬ଲକ୍ଷ ୩୨ହଜାର ୭୫୪ଜଣ ଭୋଟର ରହିଛନ୍ତି। ଚଳିତ ଏସଆଇଆର(SIR) ପ୍ରକ୍ରିୟାରେ ମୋଟ ପ୍ରାୟ ୫୮ଲକ୍ଷ ଭୋଟରଙ୍କୁ ନିର୍ବାଚନ କମିଶନ ନୋଟିସ୍ ଜାରି କରିଥିଲେ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ୍ ଗୋପାଳନଙ୍କ ଦ୍ୱାରା ଚୂଡ଼ାନ୍ତ ଭୋଟର ତାଲିକା ଜାରି ହୋଇଛି । ମୋଟ ଭୋଟରଙ୍କ ମଧ୍ୟରେ ୧ କୋଟି ୬୧ ଲକ୍ଷ ୩୦ ହଜାର ୩୧୯ ଜଣ ପୁରୁଷ, ୧ କୋଟି ୫୪ ଲକ୍ଷ ୯୯ ହଜାର ୬୬୧ ଜଣ ମହିଳା ଓ ୨୭୭୪ ଜଣ ତୃତୀୟ ଲିଙ୍ଗୀ ଭୋଟର ସାମିଲ ଅଛନ୍ତି। ଏହାସହ ରାଜ୍ୟରେ ଲିଙ୍ଗ ଅନୁପାତ ୯୬୧କୁ ବୃଦ୍ଧି ପାଇଛି ଓ ଭୋଟର-ଜନସଂଖ୍ୟା ଅନୁପାତ ୬୭.୦୫ ପ୍ରତିଶତ ରହିଛି। ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ଗଠନ ପରେ ରାଜ୍ୟରେ ବୁଥ୍ ସଂଖ୍ୟା ୪୫୨୫୦କୁ ବୃଦ୍ଧି ପାଇଛି।

ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଏସଆଇଆର ପ୍ରକ୍ରିୟାରେ ପ୍ରାୟ ୫୮ ଲକ୍ଷ ୩୬ହଜାର ୩୯୨ଜଣ ଭୋଟରଙ୍କୁ ନୋଟିସ୍ ଜାରି କରାଯାଇଥିଲା ଓ ଗଣନା ଫର୍ମ ଫେରି ନପାଇବାରୁ ୨୦ ଲକ୍ଷ ୧୨ହଜାର ୫୫୭ଜଣ ଭୋଟରଙ୍କୁ ତାଲିକାରୁ ସିଧାସଳଖ ବାଦ୍ ଦିଆଯାଇଛି।ଜୁଲାଇ ୫ତାରିଖରେ ଜାରି ଚିଠା ଭୋଟର ତାଲିକାରେ ଭୋଟ ୩କୋଟି ୧୩ଲକ୍ଷ ୮୭ହଜାର ୦୩୪ଜଣ ଭୋଟର ଥିବାବେଳେ ସେପ୍ଟେମ୍ବର ୧୭ତାରିଖ ପର୍ଯ୍ୟନ୍ତ ସଂଶୋଧନ ପ୍ରକ୍ରିୟା ପରେ ରାଜ୍ୟରେ ମୋଟ୍ ଭୋଟର ସଂଖ୍ୟା(Odisha Voter List Update) ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ରେ ପହଂଚିଛି। ଯାହା ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ଚୂଡ଼ାନ୍ତ ଭୋଟର ତାଲିକାରୁ ସ୍ପଷ୍ଟ ହୋଇଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ୍ ଗୋପାଳନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ତଥ୍ୟ ଅନୁସାରେ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ୨୦୨୬ ଜୁଲାଇ ୧କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଏହି ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ(ଏସଆଇଆର) ହାତକୁ ନିଆଯାଇଥିଲା। ଏହି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ୨୦୨୬ ମଇ ୧୭ ସୁଦ୍ଧା ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଥିଲା।

ମାତ୍ର ପ୍ରଥମ ପର୍ଯ୍ୟାୟରେ ବିଏଲଓମାନଙ୍କ ମାଧ୍ୟମରେ ଘରେ ଘରେ ଗଣନା ଫର୍ମ ବଣ୍ଟନ କରାଯିବା ପରେ ୯୩.୯୭% ଅର୍ଥାତ୍ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ଟି ଫର୍ମ ଫେରି ଆସିଥିଲା। ବାକି ୬.୦୩ ପ୍ରତିଶତ ଅର୍ଥାତ୍ ୨୦ ଲକ୍ଷ ୧୨ ହଜାର ୫୫୭ ଜଣଙ୍କ ଫର୍ମ ଫେରି ନଆସିବାରୁ ସେମାନଙ୍କୁ ଚିଠା ତାଲିକାରୁ ବାଦ୍ ଦିଆଯାଇଥିଲା।

ବାଦ୍ ପଡ଼ିଥିବା ଏହି ୨୦.୧୨ଲକ୍ଷ ଭୋଟରଙ୍କ ମଧ୍ୟରୁ ୮ ଲକ୍ଷ ୩୨ ହଜାର ୫୪୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଲକ୍ଷ ୮ହଜାର ୨୦୫ ଜଣ ସ୍ଥାନାନ୍ତରିତ, ୧ଲକ୍ଷ ୯୯ ହଜାର ୨୪୯ ଜଣ ଅନୁପସ୍ଥିତ, ୧ଲକ୍ଷ ୫୮ହଜାର ୧୧୮ ଜଣ ନକଲି ବା ଡୁପ୍ଲିକେଟ୍ ଓ ୧୪୪୪୧ ଜଣ ଅନ୍ୟାନ୍ୟ କାରଣ ପାଇଁ ଚିହ୍ନଟ ହୋଇଥିଲେ।
ଜୁଲାଇ ୫ ତାରିଖରେ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ଜଣଙ୍କୁ ନେଇ ଚିଠା ତାଲିକା ପ୍ରକାଶ ପାଇବା ପରେ ଆରମ୍ଭ ହୋଇଥିଲା ଯାଂଚ ଓ ନୋଟିସ୍ ପର୍ଯ୍ୟାୟ। ଏଥିରେ ୧୨ ଲକ୍ଷ ୯୮ ହଜାର ୭୭୯ ଜଣ ଅନମ୍ୟାପଡ ଭୋଟର ଓ ୪୫ ଲକ୍ଷ ୩୭ ହଜାର ୬୧୩ ଜଣଙ୍କ ତଥ୍ୟରେ ତ୍ରୁଟି ଦେଖାଯିବାରୁ ମୋଟ୍ ୫୮ ଲକ୍ଷ ୩୬ ହଜାର ୩୯୨ ଜଣଙ୍କୁ ନୋଟିସ୍ ଜାରି କରାଯାଇଥିଲା।

ନିର୍ବାଚନ ପଞ୍ଜିକରଣ ଅଧିକାରୀ ଓ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀମାନେ ପ୍ରତ୍ୟେକ କ୍ଷେତ୍ରରେ କଡ଼ା ଶୁଣାଣି କରିବା ସହ ଦସ୍ତାବିଜ୍ ଯାଂଚ କରିଥିଲେ। ଦାବି ଓ ଆପତ୍ତି ଅଭିଯୋଗ ଅବଧି ମଧ୍ୟରେ ୨ ଲକ୍ଷ ୫୫ ହଜାର ୯୯୬ଟି ଆବେଦନ ଆସିଥିବାବେଳେ ଶୁଣାଣି ପରେ ୨୪୦୭୦ ଜଣ ଅଯୋଗ୍ୟ ପ୍ରମାଣିତ ହୋଇଥିଲେ ଏବଂ ଫର୍ମ-୭ ଜରିଆରେ ୨୦୭୦୭ ଜଣଙ୍କୁ ମିଶାଇ ମୋଟ ୪୪୭୭୭ ଜଣଙ୍କ ନାମ ବାଦ୍ ପଡ଼ିଥିଲା।

ସେହିପରି ନୂତନ ଭାବେ ଫର୍ମ-୬, ୬ଏ ଓ ୮ ମାଧ୍ୟମରେ ୨ ଲକ୍ଷ ୯୦ ହଜାର ୪୯୭ ଜଣଙ୍କ ନାମ ଯୋଡ଼ା ଯାଇଥିଲା, ଯାହାଫଳରେ ଚିଠା ତାଲିକା((voter-list) ତୁଳନାରେ ମୋଟ୍ ୨ ଲକ୍ଷ ୪୫ ହଜାର ୭୨୦ ଜଣ ବୃଦ୍ଧି ପାଇ ଚୂଡ଼ାନ୍ତ ଭୋଟର ସଂଖ୍ୟା ୩,୧୬,୩୨,୭୫୪ରେ ପହଂଚିଛି। ଏଥିରେ ସେନା ଓ ସୁରକ୍ଷା ବାହିନୀରେ ଥିବା ସେବା ଭୋଟରଙ୍କ ସଂଖ୍ୟା ୪୬୮୧୬ ରହିଛି।

ଏହି ଚୂଡ଼ାନ୍ତ ଭୋଟର ତାଲିକା ସମସ୍ତ ବୁଥ୍‌, ସରକାରୀ ନିର୍ବାଚନ କାର୍ଯ୍ୟାଳୟ ତଥା ନିର୍ବାଚନ କମିଶନ ଓ ସିଇଓଙ୍କ ୱେବସାଇଟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉପଲବ୍ଧ କରାଯାଇଛି, ଯେଉଁଠାରେ ନାଗରିକମାନେ ନିଜ ନାମ ଯାଂଚ କରି ଆବଶ୍ୟକ ସଂଶୋଧନ ପାଇଁ ଆବେଦନ କରିପାରିବେ ଓ ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତି ବିରୋଧରେ ଆଇନ ଅନୁଯାୟୀ ଜିଲ୍ଲାପାଳ କିମ୍ବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅପିଲ କରିପାରିବେ ବୋଲି କୁହାଯାଇଛି।
📲Get App