Local
ଦୂର ହେବ ୟୁନିଟ୍-୧ ହାଟ ଅଗ୍ନିକାଣ୍ଡ ଭୟ: ତିଆରି ହେବ ଭୂତଳ ଜଳଭଣ୍ଡାର, ଖର୍ଚ୍ଚ ହେବ ୧ କୋଟି ନିର୍ମାଣର ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ବର: ୟୁନିଟ୍-୧ ହାଟର ପ୍ରାୟ ୫ ହଜାର ଦୋକାନୀଙ୍କୁ ପ୍ରତି ମୁହୂର୍ତ୍ତରେ ଅଗ୍ନିକାଣ୍ଡର ଭୟ ରହିଛି। ଏବେ ଏହି ଭୟ ଦୂର ହେବାକୁ ଯାଉଛି। ବହୁଦିନରୁ ଯୋଜନା ହୋଇଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିପାଇଁ ଏକ ବଡ଼ ଭୂତଳ ଜଳଭଣ୍ଡାର ବା ଅଣ୍ଡରଗ୍ରାଉଣ୍ଡ ୱାଟର ରିଜର୍ଭୟର (ଭାଟ୍) ନିର୍ମାଣ ହେବ। ଏହାର ଟେଣ୍ଡର ସରି ନିର୍ମାଣର ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି। ପରେ ପମ୍ପ୍ ହାଉସ୍ ଓ ଅଗ୍ନି ନିରାପତ୍ତା ଭିତ୍ତିଭୂମି ପ୍ରସ୍ତୁତ ହେବ। ରିଜର୍ଭୟର ଉପରେ ଏଥିପାଇଁ ଭିନ୍ନ ଏକ ଘର ନିର୍ମାଣ ହେବ। ଏହାର ଟେଣ୍ଡର୍ ଖୁବ୍ଶୀଘ୍ର ହେବାକୁ ଯାଉଛି। କେବଳ ଜଳଭଣ୍ଡାର ନିର୍ମାଣରେ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରାଯିବ।ହାଟ ରାଜ୍ୟର ସବୁଠୁ ବଡ଼ କଞ୍ଚା ପନିପରିବା ହାଟ। ସାରା ରାଜ୍ୟର ପନିପରିବା ବେପାରୀ ଏହି ବଜାର ସହ ଜଡ଼ିତ। ରାଜ୍ୟ ବାହାର ବେପାରୀମାନେ ବି ଏଠାକୁ ଟ୍ରକ୍ ଟ୍ରକ୍ ପନିପରିବା ନେଇ ଆସିଥାନ୍ତି। ଏଠାରେ ଉଭୟ ପାଇକାରୀ ଓ ଖୁଚୁରା ପନିପରିବା ବେପାରୀ ବେପାର କରି ଆସୁଛନ୍ତି। ଭୁବନେଶ୍ବର ସମେତ ବିଭିନ୍ନ ଜିଲ୍ଲାର ପନିପରିବା ବେପାରୀମାନେ ବି ଏହି ହାଟ ଉପରେ ନିର୍ଭରଶୀଳ। ଏହି ହାଟ ମୂଳତଃ କଞ୍ଚା ପନିପରିବା ନାମରେ ଖ୍ୟାତି ଲାଭ କରିଥିଲେ ବି ବହୁସଂଖ୍ୟାରେ ତେଜରାଜି ବ୍ୟବସାୟୀ ଏଠାରେ ବେପାର ଖୋଲିଛନ୍ତି। ଏହି ତେଜରାତି ଦୋକାନ ସବୁ ଭଗବାନପୁରକୁ ସ୍ଥାନାନ୍ତର ଯୋଜନା କରାଯାଇଛି। ହାଟର ବିକାଶ ଓ ତେଜରାତି ପାଇକାରୀ ବ୍ୟବସାୟୀଙ୍କୁ ଭଗବାନପୁରକୁ ସ୍ଥାନାନ୍ତର ବହୁଦିନର ନିଷ୍ପତ୍ତି ହୋଇଥିଲେ ବି ଅତ୍ୟାବଧି କାର୍ଯ୍ୟକାରୀ ହୋଇପାରିନି। ଏଣୁ ଦିନକୁ ଦିନ ଦୋକାନ ସଂଖ୍ୟା ବି ଏଠାରେ ବଢ଼ିବାରେ ଲାଗିଛି। ଏଥିଯୋଗୁ ରାସ୍ତା ବି ସଂକୁଚିତ ହୋଇଗଲାଣି ଓ ଅଗ୍ନିଶମ ଗାଡ଼ି ବଜାର ଭିତରେ ପଶିପାରୁନି। ସେପଟେ ସବୁ ଦୋକାନ ଲାଗି ଲାଗି ରହିଛି। ପାଖରେ କୌଣସି ପୋଖରୀ ନଥିବାରୁ ପାଣି ଆଣି ନିଆଁ ଲିଭାଇବା କଷ୍ଟକର ହୋଇପଡ଼ୁଛି। ଫଳସ୍ବରୂପ ପ୍ରତିବର୍ଷ ଏକାଧିକ ଥର ଭୟାବହ ଅଗ୍ନିକାଣ୍ଡ ଘଟୁଛି ଓ ବ୍ୟବସାୟୀମାନେ କୋଟି କୋଟି ଟଙ୍କାର କ୍ଷତି ସହୁଛନ୍ତି।ଅଗ୍ନିକାଣ୍ଡର ସ୍ଥାୟୀ ପ୍ରତିକାର ପାଇଁ ବହୁଦିନରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ ଯୋଜନା ହେଲାଣି। କିନ୍ତୁ ଆନ୍ତରିକତା ଅଭାବରୁ ଯୋଜନା କାର୍ଯ୍ୟକାରୀ ହୋଇ ପାରୁନଥିଲା। ଚଳିତବର୍ଷ ଏହାର ପ୍ରକ୍ରିୟା ଆରମ୍ଭ ହୋଇଛି। ୟୁନିଟ୍-୧ ହାଟ ସମ୍ମୁଖ ଭାଗରେ ଥିବା ପ୍ରବେଶ ପଥର ସାଇକେଲ୍ ପାର୍କିଂସ୍ଥଳରେ ଏହା ନିର୍ମାଣ କରାଯିବ। ବହୁଦିନରୁ ଏହି ପାର୍କିଂସ୍ଥଳ ଅବ୍ୟବହୃତ ହୋଇ ପଡ଼ିରହିବାରୁ ଜବରଦଖଲକୁ ଚାଲିଯାଇଥିଲା। ପ୍ରାରମ୍ଭିକ ପଦକ୍ଷେପ ସ୍ବରୂପ ଗତକାଲି ରିଜର୍ଭୟର ସ୍ଥଳକୁ ଜବରଦଖଲମୁକ୍ତ କରାଯାଇଛି। ଏହି ଅଞ୍ଚଳକୁ ବାଉଁଶ ଓ ତାର ବୁଲାଯିବା ପରେ ଟିଣ ଅଜବେଷ୍ଟସ୍ ଲଗାଇ ଆବଦ୍ଧ କରାଯାଇଛି।
ବିଏମ୍ସି ନିର୍ବାହୀ ଯନ୍ତ୍ରୀ ତରାସ କୁମାର ମାରାଣ୍ଡି କହିଛନ୍ତି, ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ଏଠାରେ ଅଣ୍ଡରଗ୍ରାଉଣ୍ଡ ୱାଟର ରିଜର୍ଭୟର ନିର୍ମାଣ କରାଯିବ। ଯାହାର ଜଳଧାରଣ କ୍ଷମତା ୪.୫ ଲକ୍ଷ ଲିଟର ରହିବ। ଏହାର ଲମ୍ବ ୨୨ ମିଟର, ଓସାର ୮ ମିଟର ଓ ଗଭୀରତା ୩ ମିଟର ରହିବ। ସଦାସର୍ବଦା ଏଥିରେ ପାଣି ଭର୍ତ୍ତି କରି ରଖାଯିବ। ନିଆଁ ଲାଗିଲେ ଏଠାରୁ ପମ୍ପିଂ ଜରିଆରେ ପାଣି ଉଠାଯିବ ଓ ତତ୍କାଳ ପାଣି ମାଡ଼ କରି ନିଆଁକୁ ଆୟତ୍ତକୁ ଅଣାଯାଇପାରିବ। ଅଣ୍ଡରଗ୍ରାଉଣ୍ଡ ୱାଟର ରିଜର୍ଭୟର ଉପରେ ପମ୍ପ ହାଉସ୍ ରହିବ। ପାଇପ୍ ବିଛାଯିବ। ବିଜୁଳି ଓ ଅନ୍ୟାନ୍ୟ ଭିତ୍ତିଭୂମି ରହିବ। ୱାଟର ରିଜର୍ଭୟର ଟେଣ୍ଡର ସରିଛି ଓ କାର୍ଯ୍ୟାଦେଶ ବି ଦିଆସରିଛି। ପମ୍ପ ହାଉସ୍ ଟେଣ୍ଡର କାମ ଚଳିତ ମାସରେ ଆହ୍ବାନ କରାଯାଉଛି ବୋଲି ଶ୍ରୀ ମାରାଣ୍ଡି କହିଛନ୍ତି।