🔥 TRENDING ग्राम पंचायत पुनावली में सरपंच पद के ल... चंद्रपूरमध्ये रेत माफियांवर मोठी कारवा... Chief minister Omar Abdullah expressed... UDF Announces No Govt Clearance Needed... Telangana Schools to Adopt Five-Day We... CAIT Calls for Designated Protest Site...
09 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଲାଞ୍ଚ ନେଇ ORS ଅଧିକାରୀ ଗିରଫ; ବିଭାଗୀୟ ସହକର୍ମୀଙ୍କୁ ଏମିତି ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ

✍️ Reporter: Deepak Mahapatra 🗓 09 Nov 2026, 01:46 PM 👁 15
Share: 💬 WhatsApp 📘 Facebook 𝕏 Post
ଲାଞ୍ଚ ନେଇ ଗିରଫ ହୋଇଛନ୍ତି ଓଡ଼ିଶା ରାଜସ୍ୱ ସେବା (ଓଆରଏସ୍) ଅଧିକାରୀ ତଥା ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ର। ସେ ୨୦୨୪ ମସିହାରେ ଚାକିରିରେ ଯୋଗ ଦେଇଥିଲେ। ସେ ବର୍ତ୍ତମାନ ପ୍ରୋବେସନ୍ (ପ୍ରଶିକ୍ଷଣ) ଅବଧିରେ ଥିବାବେଳେ ବାଲିଆପାଳରେ ସବ୍‌-ରେଜିଷ୍ଟ୍ରାର ଭାବେ ନିଯୁକ୍ତ ହୋଇଥିଲେ। ତାଙ୍କ ଭଳି ଜଣେ ଯୁବ ଅଫିସର ଚାକିରି ଆରମ୍ଭରୁ ଲାଞ୍ଚ ନେବା କଥାକୁ ସମସ୍ତେ ନାପସନ୍ଦ କରିଥିବା ବେଳେ ତୀବ୍ର ସମାଲୋଚନା କରିଛନ୍ତି। ଏହି ଘଟଣା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କୁ ମାର୍ମାହତ ଓ ବ୍ୟଥିତ କରିଛି। ସେଥିପାଇଁ ସେ ତାଙ୍କ ବିଭାଗର ସମସ୍ତ ସହକର୍ମୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି। ଏଥିରେ ତାଙ୍କର ସହକର୍ମୀମାନଙ୍କୁ ଦୁର୍ନୀତିରୁ ଦୂରେଇ ରହିବା ପାଇଁ କହିଛନ୍ତି। ରାଜସ୍ୱ ବିଭାଗ ପ୍ରତି ଜନସାଧାରଣଙ୍କ ଦୃଷ୍ଟିକୋଣକୁ ବଦଳାଇବା ପାଇଁ ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନଙ୍କୁ ସେ ଅପିଲ କରିଛନ୍ତି।
ଡ. ପାଢ଼ୀ ଏହି ଚିଠିରେ ଲେଖିଛନ୍ତି, “ଏଇ କିଛି ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ କାର୍ଯ୍ୟାଳୟରେ ସାଧୁତା ଓ ସଚେତନତାର ଶପଥ ପାଠ ହୋଇଥିଲା। ଦୁର୍ନୀତି ନ କରିବା ପାଇଁ ଆମେ ସମସ୍ତେ ଏକ ସ୍ୱରରେ ଶପଥ ନେଇଥିଲୁ। କିନ୍ତୁ ଗତକାଲି ଜଣେ ଯୁବ ଓଡ଼ିଶା ରାଜସ୍ୱ ସେବା (ORS) ଅଧିକାରୀ, ଯିଏ କି ଏବେ ବି ପ୍ରଶିକ୍ଷଣ କାଳ (Probation)ରେ ଅଛନ୍ତି, ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିବା ଘଟଣା ମୋତେ ଗଭୀର ଭାବେ ମର୍ମାହତ ଓ ବ୍ୟଥିତ କରିଛି। ସରକାରୀ ସେବାରେ ନୈତିକତା, ସାଧୁତା ଓ ସଚେତନତା ଉପରେ ବାରମ୍ବାର ଗୁରୁତ୍ଵ ଦିଆଯିବା ସତ୍ତ୍ୱେ ଏଭଳି ଘଟଣା ଘଟିବା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ।
ସରକାରୀ ଚାକିରି କେବଳ ଜୀବୀକା ନିର୍ବାହର ମାଧ୍ୟମ ନୁହେଁ, ଏହା ଜନସାଧାରଣଙ୍କ ସେବା କରିବାର ଏକ ସୁଯୋଗ। ଦୁର୍ନୀତି ଜଣେ ଅଧିକାରୀକୁ କଳଙ୍କିତ କରେ। ଯାହାଫଳରେ ସମଗ୍ର ବିଭାଗର ମର୍ଯ୍ୟାଦା କ୍ଷୁର୍ଣ୍ଣ ହୁଏ। ପ୍ରଶାସନ ଉପରେ, ସର୍ବୋପରି ସରକାରୀ କଳ ଉପରେ ଜନସାଧାରଣଙ୍କ ବିଶ୍ଵାସ ରହେ ନାହିଁ।
ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଦୁର୍ନୀତି ପ୍ରତି ଶୂନ୍ୟ-ସହନଶୀଳତା ନୀତି ଅବଲମ୍ବନ ଦିଗରେ ଆମେ ବିଭାଗ ସର୍ବଦା ପ୍ରତିବଦ୍ଧ ରହିଛି। ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହେଉଥିବା ଅଧିକାରୀ ବା କର୍ମଚାରୀଙ୍କ ବିରୋଧରେ ଆଇନ ଓ ସେବା ନିୟମ ଅନୁଯାୟୀ ଚାକିରିରୁ ବହିଷ୍କାର ସମେତ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଓ କରାଯିବ ମଧ୍ୟ।”
ସେ ଆହୁରି ଲେଖିଛନ୍ତି, “ଏହି ଅବସରରେ ମୁଁ ବ୍ୟକ୍ତିଗତ ଭାବେ ପ୍ରତିଶ୍ରୁତି ଦେଉଛି ଯେ ବିଭାଗର ସଚିବ ଭାବେ ମୁଁ ନିଜେ ନୈତିକତା, ଶୃଙ୍ଖଳା ଓ ସଚ୍ଚୋଟତାର ସମସ୍ତ ମାନଦଣ୍ଡ ପାଳନ କରିବି। ସତ୍ୟନିଷ୍ଠାକୁ ଜୀବନର ବ୍ରତ କରି କାର୍ଯ୍ୟ କରୁଥିବା ପ୍ରତ୍ୟେକ ସହକର୍ମୀଙ୍କ ସହ ମୁଁ ରହିଆସିଛି ଏବଂ ଆଗକୁ ମଧ୍ୟ ରହିବି। ସେମାନଙ୍କୁ ଯେକୌଣସି ଅଯଥା ବାହ୍ୟ ଚାପ ବା ମନ୍ଦ ଉଦ୍ଦେଶ୍ୟ ଥବା ବ୍ୟକ୍ତିଙ୍କ ହସ୍ତକ୍ଷେପରୁ ସୁରକ୍ଷା ପାଇଁ ସର୍ବଦା ଚେଷ୍ଟା କରିବି।
ମୋର ଦୃଢ଼ ବିଶ୍ୱାସ, ବିଭାଗରେ ଅନେକ ସଚ୍ଚୋଟ, ସାହସୀ ଓ କର୍ତ୍ତବ୍ୟନିଷ୍ଠ ଅଧିକାରୀ ମଧ୍ୟ ଅଛନ୍ତି, ଯେଉଁମାନେ ସମାଜରେ ଦୃଶ୍ୟମାନ ପରିବର୍ତ୍ତନ ଆଣିପାରିବେ। ଅସଦ୍ ଉପାୟରେ ଅର୍ଜିତ ଧନ ବା କ୍ଷମତାଠାରୁ ନିର୍ମଳ ବିବେକ, ଆତ୍ମସମ୍ମାନ ଓ ଶାନ୍ତିପୂର୍ଣ୍ଣ ଜୀବନ ଅଧିକ ମୂଲ୍ୟବାନ।
ଆସନ୍ତୁ, ଆମେ ସମସ୍ତେ ଆତ୍ମସମୀକ୍ଷା କରିବା ଏବଂ ଏକ ସ୍ୱଚ୍ଛ, ସଚୋତ, ଦୁର୍ନୀତିମୁକ୍ତ ଓ ଜନସେବା ପ୍ରତି ସମର୍ପିତ ବିଭାଗ ଗଢ଼ିବା ପାଇଁ ସଂକଳ୍ପ ନେବା। ରାଜସ୍ୱ ବିଭାଗ ପ୍ରତି ଜନସାଧାରଣଙ୍କ ଦୃଷ୍ଟିକୋଣକୁ ଆମକୁ ବଦଳାଇବାକୁ ପଡ଼ିବ।
ଆମ ବିବେକ ହେଉ ଆମର ମାର୍ଗଦର୍ଶକ, ଆଉ ଜନସାଧାରଣଙ୍କ ବିଶ୍ଵାସ ହେଉ ଆମର ସର୍ବଶ୍ରେଷ୍ଠ ପୁଞ୍ଜି।”
ଗିରଫ ହେଲେ ଓଆରଏସ ଅଧିକାରୀ
୦.୧୪ ଡିସିମିଲ୍ ପରିମିତ ଏକ ‘ବାଜ୍ୟାପ୍ତି ସ୍ଥିତିବାନ’ କିସମ ଜମିର ବିକ୍ରୟ କବଲା ପଞ୍ଜୀକରଣ କରିବା ପାଇଁ ଜଣେ ବ୍ୟକ୍ତି ବାଲିଆପାଳ ସବ୍‌-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଅନୁରୋଧ କରିଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ (R&DM)ର ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି କିସମର ଜମିକୁ ସ୍ଥିତିବାନ ଭାବେ ବିବେଚନା କରାଯାଇ ପଞ୍ଜୀକରଣ କରାଯାଇପାରିବ। ଏନେଇ ସେ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସବ୍‌-ରେଜିଷ୍ଟ୍ରାର ତାଙ୍କ କଥା ଶୁଣିନଥିଲେ।
ଅଭିଯୋଗ ଅନୁସାରେ, ଏହି କାମ କରାଇଦେବା ପାଇଁ ପ୍ରଥମେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ସବ୍‌-ରେଜିଷ୍ଟ୍ରାର ମନୀଷା ମିଶ୍ର। ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ସେ ଲାଞ୍ଚ ପରିମାଣ ୭ ହଜାର ଟଙ୍କାକୁ କମାଇ ଦେଇଥିଲେ। ଏଥିରେ ଅତିଷ୍ଠ ଅଭିଯୋଗକାରୀ ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଯୋଜନା ମୁତାବକ ଗତକାଲି ସେ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଭେଟି ୭ ହଜାର ଟଙ୍କା ଦେଇଥିଲେ। ସେ ଲାଞ୍ଚ ଅର୍ଥ ନେଉଥିବା ବେଳେ ତାଙ୍କୁ ଧରିଥିଲେ ଭିଜିଲାନ୍ସ ଅଧିକାରୀ। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ଏହା ପରେ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍। ଏହି ଘଟଣାକୁ ନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହା ସହିତ ସବ୍‌-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କ ବିରୋଧରେ ତଦନ୍ତ ଜାରି ରହିଛି।
📲Get App