🔥 TRENDING ୮ ଜିଲ୍ଲାରେ ସ୍କୁଲ ଛୁଟି; କେଉଁଠି ୨ ଦିନ ତ... Keerthy Suresh Addresses Radhika Apte... पूर्व मंत्री अमरेंद्र नाथ मिश्रा की पु... Bengal Minister Criticises SFI-ABVP Cl... India Faces Severe Drought, Nationwide... Electricity Wire Damage Rips 10 Acres...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ବାତ୍ୟା ଓଡ଼ିଶା ମୁହାଁ: ଜାଣନ୍ତୁ, କେଉଁଠି କରିପାରେ ଲ୍ୟାଣ୍ଡଫଲ; କେଉଁ ଜିଲ୍ଲାଗୁଡ଼ିକୁ ଜାରି ହେଲା ୱାର୍ଣ୍ଣିଂ

✍️ Reporter: Deepak Mahapatra 🗓 19 Nov 2026, 11:26 AM 👁 20
Share: 💬 WhatsApp 📘 Facebook 𝕏 Post
ବାତ୍ୟା ‘ଅକୱାନ’ ଓଡ଼ିଶା ମୁହାଁ ହୋଇଛି। ଏହା ଆନ୍ଧ୍ରର ନରସାପୁର ଏବଂ ଓଡ଼ିଶାର ପୁରୀ ମଧ୍ୟରେ ଏହା ଉପକୂଳ ଅତିକ୍ରମ କରିପାରେ। ଭାରତୀୟ ପାଣିପାଗ ବିଭାଗ (IMD)ର ଆକଳନ ଅନୁଯାୟୀ ଏହା କଳିଙ୍ଗପଟ୍ଟନମରୁ ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ଅଧିକ ସମ୍ଭାବନା ରହିଛି। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଦେଇଛନ୍ତି ଏହି ସୂଚନା।


ସେ କହିଛନ୍ତି, ଭୀଷଣ ବାତ୍ୟା ‘ଅକୱାନ’ ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଆଗକୁ ମଧ୍ୟ ଏହି ଦିଗରେ ଗତି କରିବ। ଏହା ଆଉ ଅଧିକ ତୀବ୍ର ହେବାର କୌଣସି ସମ୍ଭାବନା ନାହିଁ। ଏହା ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ୨୦ ତାରିଖ ଦ୍ୱିପହର ସୁଦ୍ଧା ଅତିକ୍ରମ କରିବ। ନରସାପୁର ଓ ପୁରୀ ମଧ୍ୟରେ ଏହା ଅତିକ୍ରମ କରିବ। କଳିଙ୍ଗପଟନମରୁ ଗୋପାଳପୁର ମଧ୍ୟରେ ବାତ୍ୟାଟି ଲ୍ୟାଣ୍ଡଫଲ କରିବାର ଅଧିକ ସମ୍ଭାବନା ରହିଛି। କିନ୍ତୁ ଆମେ ପୁରୀ ପର୍ଯ୍ୟନ୍ତ ଆକଳନ କରିବା ପଛର କାରଣ ହେଉଛି- ଏହି ସିଷ୍ଟମଟି ରିକର୍ଭ କରିପାରେ। କେତେକ ମଡେଲ ଏହା ଦେଖାଉଛି।

ଶ୍ରୀ ମହାପାତ୍ର କହିଛନ୍ତି, ୨୦ ତାରିଖରେ ଯେତେବେଳେ ବାତ୍ୟା ଉପକୂଳ ଅତିକ୍ରମ କରିବ ସେତେବେଳେ ଟିକେ ଦୁର୍ବଳ ହୋଇଯାଇପାରେ। ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମଠାରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ରହିପାରେ। ଓଡ଼ିଶା ଉପକୂଳ ନିକଟରେ ପବନର ବେଗ ଘଣ୍ଟା ପ୍ରତି ୭୦ରୁ ୮୦ କିମି ରହିପାରେ। ଏହା ସହିତ ଘଣ୍ଟା ପ୍ରତି ୯୦ କିମି ବେଗରେ ଝଟକା ପବନ ବହିପାରେ।

ଉପକୂଳ ଅତିକ୍ରମ କରିସାରିବା ପରେ ୨୦ ତାରିଖ ସନ୍ଧ୍ୟା ବେଳକୁ ପନବ କମିଯିବ। ଦକ୍ଷିଣ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଓ ନିକଟସ୍ଥ ଜିଲ୍ଲାମାନଙ୍କରେ ଘଣ୍ଟା ପ୍ରତି ୬୦ରୁ ୭୦ କିମି ବେଗରେ ପବନ ହୋଇପାରେ। ୨୧ ତାରିଖ ସକାଳ ବେଳକୁ ପବନ ଆହୁରି କମିଯିବ। ସେହି ଦିନ ଓଡ଼ିଶାରେ ପବନର ବେଗ ଘଣ୍ଟା ପ୍ରତି ୩୫ ରୁ ୪୫ କିମି ରହିପାରେ। ସେମିତି ଝଟକା ପବନର ବେଗ ଘଣ୍ଟାପ୍ରତି ୫୫ କିମି ହୋଇପାରେ।

ଏହାର ପ୍ରଭାବରେ ଆଜି ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇପାରେ। ୧୯ ଓ ୨୦ ତାରିଖରେ ଦକ୍ଷିଣ ଓଡ଼ିଶା ଓ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ କେତେକ ସ୍ଥାନରେ ଅତ୍ୟନ୍ତ ପ୍ରବଳ (୨୦ ସେମିରୁ ଅଧିକ) ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗରେ ବହିବ। ଝଟକା ପବନର ବେଗ ଘଣ୍ଟାପ୍ରତି ୯୦ କିମି ରହିପାରେ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି।

ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୧୯ ତାରିଖ ସକାଳ ସାଢ଼େ ୮ଟାରୁ ୨୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ କିଛି ସ୍ଥାନରେ ଅତିଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଏହି ସମୟ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣଂ ଜାରି କରାଯାଇଛି। ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
୨୦ ତାରିଖ ସକାଳ ସାଢ଼େ ୮ଟାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହେବାର ସମ୍ଭାବନା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ବୌଦ୍ଧ ଓ ଅନୁଗୋଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୨୧ ତାରିଖରେ କେବଳ ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
📲Get App