🔥 TRENDING 31,000 Comments Flood Online Platform... ଆସୁଛି ଆଉ ଏକ ଲଘୁଚାପ, ଅବପାତର ରୂପ ନେବ ବୋଲ... India and New Zealand men's football t... ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ନାଁରେ... અમરેલી નાં રાજુલા નાં માંડલ ગામે અકસ્મ... Hardik Pandya Joins Punjab for Rs 18 C...
11 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ: ୩୦ରେ ଚିଠା ଭୋଟର ତାଲିକା, ଜାନୁୟାରୀ ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା

✍️ Reporter: Deepak Mahapatra 🗓 11 Nov 2026, 12:55 PM 👁 13
Share: 💬 WhatsApp 📘 Facebook 𝕏 Post
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ଓଡ଼ିଶାରେ ୨୦୨୭ ମସିହା ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ(ଏସଏସଆର) କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଚଳିତମାସ ୩୦ତାରିଖରେ ରାଜ୍ୟର ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ସମସ୍ତ ଦାବି ଓ ଆପତ୍ତିର ଫଇସଲା ପରେ ୨୦୨୭ ଜାନୁୟାରୀ ୨୧ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ଜାରି ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନିରପେକ୍ଷ, ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ଆଜି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୀତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏସମ୍ପର୍କରେ ସୂଚନା ଦିଅଯାଇଛି। ୨୦୨୭ ଜାନୁଆରୀ ୧ ତାରିଖକୁ ମୁଖ୍ୟ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି।
ବୈଠକରୁ ଜଣାପଡ଼ିଛି ଯେ, ନଭେମ୍ବର ୮ତାରିଖ ସୁଦ୍ଧା ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୧୯ ଲକ୍ଷ ୧୨ ହଜାର ୬୨୩ ରେ ପହଂଚିଛି । ସେଥିମଧ୍ୟରୁ ୧ କୋଟି ୬୨ ଲକ୍ଷ ୫୧ ହଜାର ୪୪୩ ଜଣ ପୁରୁଷ ଭୋଟର ଓ ୧ କୋଟି ୫୬ ଲକ୍ଷ ୫୮ ହଜାର ୪୦୫ ଜଣ ମହିଳା ଭୋଟର ରହିଛନ୍ତି। ତାଲିକାରେ ୨୭୭୫ ଜଣ ତୃତୀୟ ଲିଙ୍ଗ ଭୋଟର, ୩ ଲକ୍ଷ ୮୬ ହଜାର ୧୮୫ ଜଣ ଯୁବ ଭୋଟର ଓ ୪ ଲକ୍ଷ ୫୨ ହଜାର ୭୩ ଜଣ ଦିବ୍ୟାଙ୍ଗ ଭୋଟର ସାମିଲ ଅଛନ୍ତି । ସମଗ୍ର ରାଜ୍ୟରେ ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିସଂଗତ ପୁନର୍ଗଠନ ଓ ପୁନର୍ବିନ୍ୟାସ କାର୍ଯ୍ୟ ଆସନ୍ତା ନଭେମ୍ବର ୨୦ ତାରିଖ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମତଦାନ କେନ୍ଦ୍ରର ଏହି ପୁନର୍ଗଠନ ପ୍ରସ୍ତାବ ଚୂଡ଼ାନ୍ତ ହେବା ପୂର୍ବରୁ ରାଜନୈତିକ ଦଳମାନଙ୍କୁ ସେମାନଙ୍କର ମତାମତ ଓ ପ୍ରସ୍ତାବ ଦାଖଲ କରିବାକୁ ନିର୍ବାଚନ କମିଶନ ପରାମର୍ଶ ଦେଇଛନ୍ତି।
ନଭେମ୍ବର ୩୦ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବା ପରଠାରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସାଧାରଣ ନାଗରିକମାନେ ନାମ ଯୋଡ଼ିବା, ବାଦ୍ ଦେବା କିମ୍ବା ତଥ୍ୟ ସଂଶୋଧନ ପାଇଁ ଦାବି ଓ ଆପତ୍ତି ଦାଖଲ କରିପାରିବେ। ଆସନ୍ତା ୨୦୨୭ ଜାନୁୟାରୀ ୧୬ ତାରିଖ ସୁଦ୍ଧା ଏହି ସମସ୍ତ ଦାବି ଓ ଆପତ୍ତିର ସମାଧାନ କରି ଜାନୁଆରୀ ୨୧ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରକ୍ଷା ପାଇଁ ଦାବି ଓ ଆପତ୍ତିର ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟରେ ଉପଲବ୍ଧ କରାଯିବ।
ଏହି ତାଲିକା ପ୍ରକାଶ ଓ ରାଜନୈତିକ ଦଳମାନଙ୍କୁ ପ୍ରଦାନ କରାଯିବା ପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ଆଇନଗତ ନିୟମ ଅନୁଯାୟୀ ଅତି କମରେ ୭ ଦିନର ସ୍ପଷ୍ଟ ସମୟ ଦିଆଯିବ। ଏଥିସହ ୨୦୨୭ ମସିହାର ପରବର୍ତ୍ତୀ ଯୋଗ୍ୟତା ତାରିଖ ଯଥା ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖକୁ ଆଧାର କରି ଯୁବକଯୁବତୀମାନେ ଆଗୁଆ ଆବେଦନ କରିପାରିବେ।
ନାଗରିକମାନଙ୍କ ଆବେଦନ ନିମନ୍ତେ ନିର୍ଦ୍ଦିଷ୍ଟ ଫର୍ମ ବ୍ୟବସ୍ଥା କରାଯାଇଛି। ନୂଆ ନାମ ପଞ୍ଜିକରଣ ପାଇଁ ଫର୍ମ-୬, ବିଦେଶରେ ରହୁଥିବା ଭାରତୀୟଙ୍କ ଲାଗି ଫର୍ମ-୬କ, ପ୍ରସ୍ତାବିତ ନାମ ଅନ୍ତର୍ଭୁକ୍ତି ବା ବାଦ୍ ଦେବା ବିରୋଧରେ ଆପତ୍ତି ପାଇଁ ଫର୍ମ-୭ ତଥା ବାସସ୍ଥାନ ପରିବର୍ତ୍ତନ, ତଥ୍ୟ ସଂଶୋଧନ, ନୂତନ ଏପିକ୍ କାର୍ଡ ଓ ଦିବ୍ୟାଙ୍ଗ ଚିହ୍ନଟ ପାଇଁ ଫର୍ମ-୮ ରହିଛି।
ଆବେଦନକାରୀମାନେ ଭୋଟର ସର୍ଭିସ ପୋର୍ଟାଲ ଜରିଆରେ ଅନଲାଇନ୍ କିମ୍ବା ନିଜ ବୁଥସ୍ତରୀୟ ଅଧିକାରୀ (ବିଏଲଓ)ଙ୍କ ନିକଟରେ ଅଫଲାଇନ୍ ଆବେଦନ କରିପାରିବେ। ଭୋଟର ତାଲିକାରେ ନାମ ସାମିଲ ପାଇଁ ଆଧାର ନମ୍ବର ଦେବା ସମ୍ପୂର୍ଣ୍ଣ ସ୍ୱେଚ୍ଛାକୃତ ଓ ଆଧାର ନଥିବା କାରଣରୁ କୌଣସି ଆବେଦନ ଖାରଜ କିମ୍ବା ନାମ ବାଦ୍ ପଡ଼ିବ ନାହିଁ। ମୃତ, ସ୍ଥାୟୀ ସ୍ଥାନାନ୍ତରିତ ଓ ଦ୍ୱିତୀୟ ଥର ଥିବା ଭୋଟରଙ୍କ ନାମ ନିୟମାନୁସାରେ କଡ଼ା ଯାଂଚ ପରେ ହିଁ ବାଦ୍ ଦିଆଯିବ।
ତୃଣମୂଳସ୍ତରରେ ସହଯୋଗ ଲାଗି ପ୍ରତ୍ୟେକ ବୁଥ୍ ପାଇଁ ଜଣେ ଲେଖାଏଁ ବୁଥସ୍ତରୀୟ ଏଜେଣ୍ଟ (ବିଏଲଏ) ନିଯୁକ୍ତ କରିବାକୁ ରାଜନୈତିକ ଦଳମାନଙ୍କୁ କୁହାଯାଇଛି। ଜଣେ ଏଜେଣ୍ଟ ଦୈନିକ ସର୍ବାଧିକ ୧୦ଟି ଓ ମୋଟ୍ ସଂଶୋଧନ ଅବଧି ମଧ୍ୟରେ ସର୍ବାଧିକ ୩୦ଟି ଫର୍ମ ସଂଗ୍ରହ କରି ଦାଖଲ କରିପାରିବେ ଓ ଏହି ତଥ୍ୟକୁ ସେମାନେ ନିଜେ ଯାଂଚ କରିଛନ୍ତି ବୋଲି ଲିଖିତ ଘୋଷଣାନାମା ଦେବେ।
୩୦ରୁ ଅଧିକ ଆବେଦନ ଆସିଲେ ଇଆରଓ କିମ୍ବା ଏଇଆରଓଙ୍କ ପକ୍ଷରୁ ସେଗୁଡ଼ିକର ସ୍ୱତନ୍ତ୍ର ପୁନଃଯାଂଚ କରାଯିବ। ନିର୍ବାଚକ ପଞ୍ଜିକରଣ ଅଧିକାରୀଙ୍କ ନିଷ୍ପତ୍ତି ବିରୋଧରେ ଲୋକ ପ୍ରତିନିଧି ଆଇନ, ୧୯୫୦ର ଧାରା ୨୪(କ) ଅନୁଯାୟୀ ଜିଲ୍ଲାପାଳଙ୍କ ନିକଟରେ ପ୍ରଥମ ଅପିଲ୍ ଓ ଧାରା ୨୪(ଖ) ଅନୁଯାୟୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦ୍ୱିତୀୟ ଅପିଲ୍ କରିବାର ଅଧିକାର ରହିଛି।
ପ୍ରଥମ ଥର ଭୋଟର, ମହିଳା, ତୃତୀୟ ଲିଙ୍ଗ, ଅନୁସୂଚିତ ଜନଜାତି, ଆଦିମ ଜନଜାତି( ପିଭିଟିଜି), ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ପ୍ରବାସୀଙ୍କୁ ଯୋଡ଼ିବା ପାଇଁ ସ୍ୱତନ୍ତ୍ର ପଞ୍ଜିକରଣ ଶିବିର ଆୟୋଜନ ହେବ। ଜିଲ୍ଲା ଓ ନିର୍ବାଚନମଣ୍ଡଳୀ ସ୍ତରରେ ସହାୟତା କେନ୍ଦ୍ର କାର୍ଯ୍ୟକ୍ଷମ କରାଯିବା ସହ ପ୍ରତ୍ୟେକ ବୁଥର ଚିଠା ଓ ଚୂଡ଼ାନ୍ତ ତାଲିକାର ମୁଦ୍ରିତ ଓ ସଫ୍ଟ କପି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ମାଗଣାରେ ଯୋଗାଇ ଦିଆଯିବ ବୋଲି ଆଜିର ( Chief Election Commissioner Odisha) ବୈଠକରେ ନିଷ୍ପତ୍ତି ହୋଇଛି।
📲Get App