🔥 TRENDING Two engineering students killed after... Another cyclonic storm expected to hit... Class 10 student attacked with wood‑cu... પીએમ કિસાન ઉત્સવ નિમિત્તે બાસ્પા ખાતે... देवरिया के भटनी थाना में जगन्नाथ छपरा... New Cyclone Threat Forms Over Bay of B...
31 Oct 2026•
ગુજરાતી मराठी ਪੰਜਾਬੀ বাংলা
Politics

ବାତ୍ୟା ପରେ ବନ୍ୟାର କରାଳ ରୂପ; ଗଞ୍ଜାମ-ଗଜପତିରେ ୧ ହଜାରରୁ ଅଧିକ ଗାଁ ଜଳମଗ୍ନ, ଆକାଶମାର୍ଗରୁ ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

✍️ Reporter: Deepak Mahapatra 🗓 31 Oct 2026, 02:03 PM 👁 11
Share: 💬 WhatsApp 📘 Facebook 𝕏 Post
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ପରେ ଏବେ ଦକ୍ଷିଣ ଓଡ଼ିଶାରେ ବନ୍ୟା ବିଭୀଷିକା। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବନ୍ୟା ପରିସ୍ଥିତି ସଙ୍ଗିନ ହୋଇପଡ଼ିଛି। ନଦୀର ଜଳସ୍ତର ବଢ଼ିବା ଯୋଗୁଁ ଶହ ଶହ ଗାଁ ଜଳମଗ୍ନ ହୋଇଥିବାବେଳେ ଅନେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କେଉଁଠି ରାସ୍ତା ଧୋଇ ହୋଇଯାଇଛି ତ ଆଉ କେଉଁଠି ଘର ଭିତରେ ୧୦ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବେଶ କରିଛି। ଏଭଳି ସ୍ଥିତିରେ ବନ୍ୟାଞ୍ଚଳର ସ୍ଥିତି ପରଖିବାକୁ ଆକାଶମାର୍ଗରୁ ସର୍ଭେ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ବନ୍ୟା ପ୍ରଭାବିତ ଗଞ୍ଜାମ ଓ ଗଜପତି ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ଜଳମଗ୍ନ ଗାଁ, ଭାଙ୍ଗିଯାଇଥିବା ରାସ୍ତା ଏବଂ ବିଚ୍ଛିନ୍ନ ହୋଇଥିବା ଯୋଗାଯୋଗ ବ୍ୟବସ୍ଥାର ଭୟାବହ ଚିତ୍ର ଦେଖିବାକୁ ମିଳିଛି।
ଗଞ୍ଜାମର ପୁରୁଷୋତ୍ତମପୁରଠାରେ ଋଷିକୁଲ୍ୟା ନଦୀ ବିପଦ ସଙ୍କେତଠାରୁ ପ୍ରାୟ ୨ ମିଟର ଉପରେ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ସୋରଡ଼ା, ଆସିକା, ଭଞ୍ଜନଗର, ଧରାକୋଟ ଓ ସାନଖେମୁଣ୍ଡି ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। କେତେକ ସ୍ଥାନରେ ଘର ଭିତରେ ୧୦ ଫୁଟ୍ ପର୍ଯ୍ୟନ୍ତ ପାଣି ପଶିଥିବା ସୂଚନା ମିଳିଛି। ସେହିପରି ଗଜପତି ଜିଲ୍ଲାରେ ବଂଶଧାରା ଓ ମହେନ୍ଦ୍ରତନୟା ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଅନେକ ଗାଁ ଜଳବନ୍ଦୀ ହୋଇପଡ଼ିଛି।
ଦୁଇ ଜିଲ୍ଲାରେ ୧ ହଜାରରୁ ଅଧିକ ଗାଁ ଜଳମଗ୍ନ ହୋଇଥିବାବେଳେ କେବଳ ଗଞ୍ଜାମରେ ୪୩ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଅନ୍ୟପଟେ ରାଜ୍ୟବ୍ୟାପୀ ୫୯ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ବନ୍ୟା ଯୋଗୁଁ ରାସ୍ତା, ପୋଲ ଓ ରେଳ ଯୋଗାଯୋଗ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ଜଳବନ୍ଦୀ ଅଞ୍ଚଳରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ନୌସେନା ଓ ତଟରକ୍ଷୀ ବାହିନୀର ହେଲିକପ୍ଟର ମୁତୟନ କରାଯାଇଛି। ତେବେ ତଳୁଆ ମେଘ ଯୋଗୁଁ କେତେକ ସ୍ଥାନରେ ଉଦ୍ଧାରକାର୍ଯ୍ୟରେ ବାଧା ଉପୁଜୁଛି।
ସ୍ଥିତିର ସମୀକ୍ଷା ପରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଆହୁରି ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ୩୦୦ରୁ ଅଧିକ ଉଦ୍ଧାରକାରୀ ଟିମ୍ ମୁତୟନ ହୋଇଛନ୍ତି। ଡଙ୍ଗା ଯୋଗେ ଜଳବନ୍ଦୀ ଲୋକଙ୍କ ପାଖରେ ରନ୍ଧା ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଯାଉଥିବାବେଳେ ଅପହଞ୍ଚ ଅଞ୍ଚଳରେ ହେଲିକପ୍ଟରରୁ ରିଲିଫ୍ ପ୍ୟାକେଟ୍ ପକାଯାଉଛି।
କେତେକ ଅଞ୍ଚଳରେ ବନ୍ୟାଜଳ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ସ୍ଥିତି ସ୍ୱାଭାବିକ ହେବାକୁ ଆହୁରି ସମୟ ଲାଗିବ। ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଅପିଲ୍ କରାଯାଇଛି।
📲Get App