🔥 TRENDING Manipur CM Appeals to Centre for Finan... मुख्यमंत्री योगी आदित्यनाथ से सांसद रव... Former Manipur CM N. Biren Singh urges... बुलंदशहर के धल्ला गाँव के तालाब की बिग... Shillong Teer Result October 30, 2026:... Fisher Eyes New Opportunity After Well...
30 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ଗଞ୍ଜାମ ବନ୍ୟାରେ ୪୩ ହଜାର ପ୍ରଭାବିତ; ୭୨ ଗାଁ ଜଳବନ୍ଦୀ, କ୍ଷୟକ୍ଷତି ଆକଳନ ପାଇଁ ନଭେମ୍ବର ୨ରେ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍

✍️ Reporter: Deepak Mahapatra 🗓 30 Oct 2026, 04:05 PM 👁 17
Share: 💬 WhatsApp 📘 Facebook 𝕏 Post
ବାତ୍ୟା ଅର୍ଣ୍ଣବ ପରେ ଦକ୍ଷିଣ ଓଡ଼ିଶାରେ ବନ୍ୟା ବିଭୀଷିକା। ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗଞ୍ଜାମ ଜିଲ୍ଲା। ଜିଲ୍ଲାରେ ପ୍ରାୟ ୪୩ ହଜାର ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ୨୩ ହଜାର ୩୨୩ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଏବେ ବି ୭୨ଟି ଗାଁ ଚାରିପଟେ ବନ୍ୟାଜଳ ଘେରି ରହିଛି। ଏଥିମଧ୍ୟରୁ ୯ଟି ଗାଁର ସ୍ଥିତି ଅତି ଗମ୍ଭୀର ରହିଛି।
ଶୁକ୍ରବାର SRC କାର୍ଯ୍ୟାଳୟରେ ବନ୍ୟା ସ୍ଥିତିର ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଏଥିସହ ବାତ୍ୟା ଅର୍ଣ୍ଣବ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଆସନ୍ତା ନଭେମ୍ବର ୨ ତାରିଖରେ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିବେ ବୋଲି ସେ କହିଛନ୍ତି।
୭୨ ଗାଁ ଜଳବନ୍ଦୀ, ୯ଟି ଗାଁର ସ୍ଥିତି ସଙ୍ଗୀନ
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍, ୨୪୨ଟି ପଞ୍ଚାୟତ, ୩୮୬ଟି ଗାଁ ଏବଂ ୧୮ଟି ସହରାଞ୍ଚଳର ୯୩ଟି ୱାର୍ଡ ପ୍ରଭାବିତ ହୋଇଛି। ପ୍ରାୟ ୪୩ ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ୨୩,୩୨୩ ଜଣଙ୍କୁ ରିଲିଫ୍ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ୫୮୮ ଜଣ ଗର୍ଭବତୀ ମହିଳାଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସେମାନଙ୍କ ମଧ୍ୟରୁ ୩୨୬ ଜଣ ସୁରକ୍ଷିତ ଭାବେ ପ୍ରସବ କରିଛନ୍ତି।
କେତେକ ସ୍ଥାନରେ ବନ୍ୟାଜଳ ଘରର ପ୍ରଥମ ମହଲା ପର୍ଯ୍ୟନ୍ତ ପହଞ୍ଚିଥିବାରୁ ଲୋକେ ଫସି ରହିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ କୋଷ୍ଟଗାର୍ଡ, ଭାରତୀୟ ନୌସେନା, ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ନିୟୋଜିତ ଅଛନ୍ତି।
୨୧ଟି ସ୍ଥାନରେ ହେବ ଏୟାରଡ୍ରପ୍
ବନ୍ୟାଜଳ ଘେରରେ ଥିବା ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବାକୁ ଭାରତୀୟ ନୌସେନା ପକ୍ଷରୁ ବିମାନ ଯୋଗେ ଖାଦ୍ୟ ପ୍ୟାକେଟ୍ ପକାଯିବ। ଗଞ୍ଜାମ ଜିଲ୍ଲାର ୨୧ଟି ଚିହ୍ନଟ ସ୍ଥାନରେ ଏହି ବ୍ୟବସ୍ଥା ହୋଇଛି। ହିଞ୍ଜିଳିକାଟୁ, ପୁରୁଷୋତ୍ତମପୁର, ସୋରଡ଼ା, ଧରାକୋଟ, ଆସିକା, ବେଲଗୁଣ୍ଠା ଓ ଚିକିଟି ଆଦି ଅଞ୍ଚଳରେ ଏୟାରଡ୍ରପ୍ ହେବ।
ଏଥିପାଇଁ ସମ୍ପୃକ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ ଓ ପୌର ଅଧିକାରୀଙ୍କୁ ଖାଦ୍ୟ ପ୍ୟାକେଟ୍ ପ୍ରସ୍ତୁତ କରି ନୌସେନାକୁ ହସ୍ତାନ୍ତର କରିବାକୁ କୁହାଯାଇଛି। ଆଜି ସୁଦ୍ଧା ସମସ୍ତ ପ୍ରଭାବିତଙ୍କ ପାଖରେ ଖାଦ୍ୟ ପହଞ୍ଚାଇବାକୁ ଜିଲ୍ଲାପାଳ ଓ ଆରଡିସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଗଞ୍ଜାମରେ ୩୫୨, ଗଜପତିରେ ୩୪୦ ରିଲିଫ୍ କେନ୍ଦ୍ର
ଗଞ୍ଜାମରେ ୩୫୨ଟି ରିଲିଫ୍ କେନ୍ଦ୍ର ଖୋଲାଯାଇଛି। ଏଠାରେ ପ୍ରାୟ ୨୩ ହଜାର ୩୦୦ ଲୋକ ଆଶ୍ରୟ ନେଇଛନ୍ତି। ସେହିପରି ପଡ଼ୋଶୀ ଗଜପତି ଜିଲ୍ଲାରେ ୩୪୦ଟି ରିଲିଫ୍ କେନ୍ଦ୍ରରେ ୨୧ ହଜାର ୭୮୨ ଜଣ ରହିଛନ୍ତି।
ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଅନେକ ଜାତୀୟ ଓ ରାଜ୍ୟ ରାଜପଥ କ୍ଷତିଗ୍ରସ୍ତ ହୋଇଛି। ରାସ୍ତା ମରାମତି ଓ ଯାତାୟାତ ସ୍ୱାଭାବିକ କରିବାକୁ ରାୟଗଡ଼ା ଓ କୋରାପୁଟରୁ ଭାରୀ ଯନ୍ତ୍ରପାତି ଗଞ୍ଜାମ ଓ ଗଜପତିକୁ ପଠାଇବାକୁ ଯୋଜନା ହୋଇଛି।
ଅନ୍ୟପଟେ ପାଣିପାଗ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତିଙ୍କ ସହ କଥା ହୋଇଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଓଡ଼ିଶାରେ ବଡ଼ ବର୍ଷାର ସମ୍ଭାବନା ନଥିବା ମନ୍ତ୍ରୀ କହିଛନ୍ତି। ଏବେ ସମସ୍ତଙ୍କ ନଜର ନଭେମ୍ବର ୨ରେ ଆସିବାକୁ ଥିବା କେନ୍ଦ୍ରୀୟ ଟିମ୍‌ର କ୍ଷୟକ୍ଷତି ଆକଳନ ଉପରେ।
📲Get App