🔥 TRENDING ਨਵੰਬਰ ਮਹੀਨੇ ਸਕੂਲਾਂ 'ਚ ਛੁੱਟੀਆਂ ਹੀ ਛੁੱਟੀ... Congress Demands State Disaster Tag, A... Devastating Fire in Vasco da Gama, Goa... सुप्रीम कोर्ट ने झूठे हत्या मामले में... Nagaland Village on India-Myanmar Bord... Assam Rifles, CRPF DGs hold high-level...
29 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା: ମୁଖ୍ୟମନ୍ତ୍ରୀ କହିଲେ ମହାପ୍ରଭୁଙ୍କ ଆଶୀର୍ବାଦରୁ ‘ଜିରୋ କାଜୁଆଲ୍‌ଟି’ରେ ଆମେ ସଫଳ

✍️ Reporter: Deepak Mahapatra 🗓 29 Oct 2026, 01:10 PM 👁 11
Share: 💬 WhatsApp 📘 Facebook 𝕏 Post
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ହାସଲରେ ଆମେ ସଫଳ ହୋଇଛୁ। ଏବେସୁଦ୍ଧା କୌଣସି ଜୀବନ ହାନିର ସୂଚନା ନାହିଁ। ଆଜି ସନ୍ଧ୍ୟାରେ ସ୍ୱତନ୍ତ୍ର ରିଲଫ୍ କମିଶନରଙ୍କ କଣ୍ଟ୍ରୋଲ ରୁମରେ ବାତ୍ୟା ‘ଅର୍ଣ୍ଣବ’ ମୁକବିଲା ଓ ପରିଚାଳନାର ଉଚ୍ଚସ୍ତରୀୟ ସମୀକ୍ଷା କରିବା ପରେ ଗଣମାଧ୍ୟମ ଆଗରେ ଏଭଳି ଢଙ୍ଗରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ସଙ୍କଟ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ବାରମ୍ବାର ଟେଲିଫୋନ ଯୋଗେ ତାଙ୍କ ସହ ଆଲୋଚନା କରି ମୁକାବିଲା ଓ ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ନେଇଛନ୍ତି। ଓଡ଼ିଶା ସରକାର ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ନିରବଚ୍ଛିନ୍ନ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି।
ଆଜି ସନ୍ଧ୍ୟାରେ ରାଜୀବ ଭବନରେ ବାତ୍ୟା ‘ଅର୍ଣ୍ଟବ’ ମୁକାବିଲା ଓ ପରିଚାଳନାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମଗ୍ର ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ରାଜେଶ ପ୍ରଭାକର ପାଟିଲଙ୍କ ଠାରୁ ବାତ୍ୟାର ଗତିପଥ, ସମ୍ଭାବ୍ୟ କ୍ଷୟକ୍ଷତି ଓ ଓଡ଼ିଶାର ଜିଲ୍ଲାଗୁଡ଼ିକ ଉପରେ ଏହାର ବାସ୍ତବ ପ୍ରଭାବ ସମ୍ପର୍କିତ ବିସ୍ତୃତ ରିପୋର୍ଟ ନେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ସିଧାସଳଖ ଫୋନ୍ ଯୋଗେ ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାରେ ମୁତୟନ ଥିବା ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସହିତ କଥା ହୋଇ ସ୍ଥିତିର ତଦାରଖ କରିଥିଲେ।
କୋରାପୁଟ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ଗଜପତିରେ ଥିବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ମାଲକାନଗିରି ଦାୟିତ୍ୱ ତୁଲାଉଥିବା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଠାରୁ ବର୍ଷାର ପରିମାଣ, ନଦୀଗୁଡ଼ିକର ଜଳସ୍ତର, ତଳିଆ ଅଂଚଳର ଅବସ୍ଥା ଓ ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କ ଖାଦ୍ୟପେୟ ସମ୍ପର୍କରେ ତନ୍ନତନ୍ନ କରି ପଚାରି ବୁଝିଥିଲେ। ବାତ୍ୟାର ପ୍ରଭାବୀ ମୁକାବିଲା ପାଇଁ ସରକାର ୨ଜଣ ଉପମୁଖ୍ୟମନ୍ତ୍ରୀ, ୬ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୭ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାରେ ନିୟୋଜିତ କରି ପ୍ରତ୍ୟକ୍ଷ ତଦାରଖ ଦାୟିତ୍ୱ ଦେଇଥିବା କଥା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ସୂଚନା ଅନୁସାରେ, ଲୋକଙ୍କ ନିରାପତ୍ତା ସରକାରଙ୍କ ପ୍ରଥମ ପ୍ରାଥମିକତା ହୋଇଥିବାରୁ ପ୍ରଭାବିତ ୮ଟି ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଞ୍ଜାମ, ଗଜପତି ଓ ନୂଆପଡ଼ାର ୬୩୪ଟି ଆଶ୍ରୟସ୍ଥଳୀରେ ୪୩୮୨୭ ଜଣଙ୍କୁ ସୁରକ୍ଷିତ ଭାବେ ଅଣାଯାଇଛି। ସମସ୍ତ ଶିବିରରେ ପର୍ଯ୍ୟାପ୍ତ ପରିମାଣର ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଜରୁରୀ ଔଷଧ ମହଜୁଦ ରଖାଯାଇଛି।
ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସୁରକ୍ଷା ଅଧୀନରେ ୨୨୪୫ ଜଣ ଗର୍ଭବତୀ ମହିଳାଙ୍କୁ ଆଗୁଆ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଥିରୁ ୯୩୧ ଜଣ ମହିଳା ସୁରକ୍ଷିତ ଭାବେ ନବଜାତ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସମୁଦାୟ ୩୧୩ଟି ରେସପନ୍ସ ଟିମ୍ ନିୟୋଜିତ ହୋଇଛନ୍ତି, ଯେଉଁଥିରେ ୬୦ଟି ଓଡ୍ରାଫ୍‌, ୯ଟି ଏନଡିଆରଏଫ୍ ଓ ୨୪୪ଟି ଅଗ୍ନିଶମ ବାହିନୀ ସାମିଲ ଅଛନ୍ତି।
ଅନ୍ୟପକ୍ଷରେ, ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯାଇଥିବା ୧୯୧୪୩ଟି ଯାକ ବୋଟର ମତ୍ସ୍ୟଜୀବୀମାନଙ୍କୁ ଶତପ୍ରତିଶତ ସୁରକ୍ଷିତ ଭାବେ କୂଳକୁ ଫେରାଇ ଅଣାଯାଇଛି। ବର୍ଷା ଯୋଗୁଁ ତଳିଆ ଅଂଚଳ ଓ ସହରରେ ସମ୍ଭାବ୍ୟ ଜଳବନ୍ଦୀ ସମସ୍ୟା ଦୂର କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପମ୍ପ ମୁତୟନ କରି ଜଳ ନିଷ୍କାସନ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ୧୭ଟି ବ୍ଲକରେ ୧୦୫ ମିଲିମିଟରରୁ ଅଧିକ ବର୍ଷା ହୋଇଛି। କୋରାପୁଟର ପଟାଙ୍ଗୀରେ ସର୍ବାଧିକ ୧୮୮ମିଲିମିଟର ଓ ଗଜପତିର ମୋହନାରେ ୧୮୨.୪ ମିଲିମିଟର ବର୍ଷା ହୋଇଛି। ତେବେ ଜିଲ୍ଲାମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ବର୍ଷା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି।
ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ସ୍ୱତନ୍ତ୍ର ବୁଲେଟିନ୍ (ରାତି ସାଢ଼େ ୯ଟା) ଅନୁଯାୟୀ, ଉପକୂଳ ଆନ୍ଧ୍ରପ୍ରଦେଶ ଓ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଥିବା ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ଧୀରେ ଧୀରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୮ କିମି ବେଗରେ ଗତି କରି ଦୁର୍ବଳ ହୋଇ ସାଧାରଣ ବାତ୍ୟାରେ ପରିଣତ ହୋଇଛି ଓ ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ। ମଛଲିପଟନମ୍ ଡପଲର ରାଡାରର ନିରନ୍ତର ନଜରରେ ଥିବା ଏହି ବାତ୍ୟା (Cyclone Arnab)ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ଓ କେତେକ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇଛି, ଯେଉଁଥିରେ ମହେନ୍ଦ୍ରଗଡ଼ରେ ସର୍ବାଧିକ ୨୫ ସେଣ୍ଟିମିଟର, ପଟାଙ୍ଗୀରେ ୧୯ ସେଣ୍ଟିମିଟର, ମୋହନାରେ ୧୭ ସେଣ୍ଟିମିଟର ଓ ଛତ୍ରପୁରରେ ୧୫ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି।
ଆଗାମୀ ୨୪ ଘଣ୍ଟା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାକୁ ପ୍ରବଳ ବର୍ଷା ଓ ଘଣ୍ଟାପ୍ରତି ୬୦ରୁ ୮୦ କିମି ବେଗରେ ଝଟକା ପବନ ବୋହିବ ବୋଲି ପୂର୍ବାନୁମାନ କରି ‘ରେଡ୍ ୱାର୍ଣ୍ଣିଂ’ ଜାରି କରାଯାଇଛି। ସେହିପରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବହୁ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟରେ ରଖାଯାଇଛି। ସମୁଦ୍ରରେ ୩ରୁ ୬ ମିଟର ଉଚ୍ଚ ଜୁଆର ଉଠିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ରାଜ୍ୟର ସମସ୍ତ ବନ୍ଦରରେ ୩ନମ୍ବର ସ୍ଥାନୀୟ ସତର୍କ ସଙ୍କେତ ଜାରି ରହିଛି। ନାଗାବଳୀ, ବଂଶଧାରା, ଋଷିକୁଲ୍ୟା ଓ ଶାବରୀ ଭଳି ନଦୀ ଅବବାହିକାରେ ଆକସ୍ମିକ ବନ୍ୟା ବା ଫ୍ଲାସ୍ ଫ୍ଲଡ୍ ଆଶଙ୍କା ଥିବାରୁ ପ୍ରଶାସନକୁ ସମ୍ପୂର୍ଣ୍ଣ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।
ଏହି ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ ପାଢୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ ମନୋଜ ସାହୁଙ୍କ ସମେତ ରାଜସ୍ୱ ବିଭାଗର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।
📲Get App