🔥 TRENDING Bihar CM Nitish Kumar Announces Long‑T... Rare water spout captured on camera in... Stone-throwing on Mumbai‑Agra Highway... खानपुर पुलिस ने देशी कट्टा और कारतूस क... स्वदेशी वस्तुओं के उपयोग से आत्मनिर्भर... Taylor Swift Wins Top Honors at VMAs 2...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
କଳାକାରଙ୍କୁ ମଞ୍ଚ ନିଅଣ୍ଟ
Jobs & Career

କଳାକାରଙ୍କୁ ମଞ୍ଚ ନିଅଣ୍ଟ

✍️ Reporter: Deepak Mahapatra 🗓 12 Sep 2026, 01:03 PM 👁 61
Share: 💬 WhatsApp 📘 Facebook 𝕏 Post

ରାଜଧାନୀର କଳେବର ବଢ଼ିବଢ଼ିଚାଲିଛି। ଏପରିକି ଖୋର୍ଦ୍ଧା, ଜଟଣୀ, ବାଲିଅନ୍ତା ଓ ଭୁବନେଶ୍ବର ବ୍ଲକ୍‌ର କେତେକ ପଞ୍ଚାୟତ ଭୁବନେଶ୍ବର ମହାନଗର ନିଗମରେ ମିଶିବା ନେଇ ପ୍ରକ୍ରିୟା ଜାରି ରହିଛି। ଓଡ଼ିଶାର କଳା, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ରାଜଧାନୀ...

ଭୁବନେଶ୍ୱର: ରାଜଧାନୀର କଳେବର ବଢ଼ିବଢ଼ିଚାଲିଛି। ଏପରିକି ଖୋର୍ଦ୍ଧା, ଜଟଣୀ, ବାଲିଅନ୍ତା ଓ ଭୁବନେଶ୍ବର ବ୍ଲକ୍‌ର କେତେକ ପଞ୍ଚାୟତ ଭୁବନେଶ୍ବର ମହାନଗର ନିଗମରେ ମିଶିବା ନେଇ ପ୍ରକ୍ରିୟା ଜାରି ରହିଛି। ଓଡ଼ିଶାର କଳା, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ରାଜଧାନୀ ଏକ ଉତ୍କୃଷ୍ଟ ସ୍ଥାନ ହୋଇଥିବାରୁ ସହରର ତଥା ବାହାରର ବହୁ ଅନୁଷ୍ଠାନ ବର୍ଷକୁ ଅନ୍ତତଃ ଥରୁଟିଏ ସହରରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଚାହୁଛନ୍ତି। ଏପରିକି ଏଠାରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ସାଂସ୍କୃତିକ ଅନୁଷ୍ଠାନ ରହିଛି। ହେଲେ ଏସବୁ ସତ୍ତ୍ୱେ ସହରର ପ୍ରେକ୍ଷାଳୟର ଅଭାବ ସଂସ୍କୃତି ପ୍ରେମୀଙ୍କୁ ବ୍ୟଥିତ କରିଛି। ଅଧିକାଂଶ ପ୍ରେକ୍ଷାଳୟ ରାଜଧାନୀ କେନ୍ଦ୍ରସ୍ଥଳରେ କେନ୍ଦ୍ରୀଭୂତ ହୋଇଛି। ରାଜଧାନୀ ଭୁବନେଶ୍ୱରର ଉପାନ୍ତ ବା ଆଖପାଖ ଅଞ୍ଚଳରେ ଉପଯୁକ୍ତ ପ୍ରେକ୍ଷାଳୟ ଅଭାବରୁ ବହୁ କଳାକାର କଳା ପ୍ରଦର୍ଶନ ପାଇଁ ଉପଯୁକ୍ତ ମଞ୍ଚ ପାଇ ପାରୁନାହାନ୍ତି। ଅନ୍ୟପଟେ ୮ ବର୍ଷ ହେଲାଣି କଳାମଣ୍ଡଳ ନିର୍ମାଣ କାର୍ଯ୍ୟ ସରୁନାହିଁ। ଏକାମ୍ର ହାଟସ୍ଥିତ ମୁକ୍ତ ମଞ୍ଚ କାମରେ ଆସୁ ନଥିବା ବେଳେ ଉତ୍କଳମଣ୍ଡପର ମୁକ୍ତାକାଶ ମଞ୍ଚକୁ ବର୍ଷା ଭୟରେ ଆୟୋଜକମାନେ ଚାହୁନାହାନ୍ତି। ନୂଆ ପ୍ରେକ୍ଷାଳୟ ହେଉ ନଥିବା ବେଳେ ରବୀନ୍ଦ୍ରମଣ୍ଡପ, ଭଞ୍ଜ କଳାମଣ୍ଡପ, ଜୟଦେବଭବନ ଓ ଗୀତଗୋବିନ୍ଦସଦନ ଉପରେ ଦିନକୁ ଦିନ ଚାପ ବଢ଼ିବାରେ ଲାଗିଛି। ସେଥିରେ ପୁଣି ଭଞ୍ଜ କଳାମଣ୍ଡପ ନବୀକରଣ ପାଇଁ ବନ୍ଦ ପଡ଼ିଥିବା ବେଳେ ଅନ୍ୟଗୁଡ଼ିକରେ ମଧ୍ୟ ସମସ୍ତ ସୁବିଧା ମିଳୁନାହିଁ। କୌଣସି ପ୍ରଭାବଶାଳୀ ରାଜନେତା ବା ସରକାରୀ ସମାରୋହ ଥିଲେ ଶେଷ ମୁହୂର୍ତ୍ତରେ ଆୟୋଜକଙ୍କ ବୁକିଂ ବାତିଲ କରାଯାଉଛି ବୋଲି ଅଭିଯୋଗ ହେଉଛି।
ଡିସେମ୍ୱର ସୁଦ୍ଧା ଖୋଲିବ ଭଞ୍ଜ କଳାମଣ୍ଡପ
ପ୍ରାୟ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲାଣି ଭଞ୍ଜକଳାମଣ୍ଡପର ନବୀକରଣ ଚାଲିଥିବାରୁ ବହୁ ସାଂସ୍କୃତିକ ଅନୁଷ୍ଠାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନାଟକ ଓ ଲୋକକଳା ପରିବେଷଣ ପାଇଁ ଏହି ମଞ୍ଚ ଉପରେ ଭୁବନେଶ୍ୱର ସମେତ ଜଟଣୀ, ଖୋ‌ର୍ଦ୍ଧା, ପିପିଲିଠାପର୍ଯ୍ୟନ୍ତ ବହୁ ଅଞ୍ଚଳର ସଂାସ୍କୃତିକ ଅନୁଷ୍ଠାନଗୁଡ଼ିକ ନିର୍ଭର କରନ୍ତି। ଏଠାରେ ପ୍ରତିବର୍ଷ ପାଖାପାଖି ୪୦୦ କାର୍ଯ୍ୟକ୍ରମ ହୁଏ। ହେଲେ ଏସବୁ ସତ୍ତ୍ୱେ ଏଠାରେ ସିଟ୍‌ ସଂଖ୍ୟା ୩୬୦ ରହିଛି। ପରିଚାଳନା ଅଭାବରୁ ସିଟ୍‌, ମଞ୍ଚ ତଥା ଅନ୍ୟାନ୍ୟ ଭିତ୍ତିଭୂମି ନଷ୍ଟ ହୋଇଯାଇଥିବାରୁ ବର୍ତ୍ତମାନ ଏହାର ମରାମତି ଚାଲିଛି। ଏନେଇ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ଅନୀଲ କେରକେଟା କହିଛନ୍ତି ଯେ ଡିସେମ୍ୱର ଶେଷ ସୁଦ୍ଧା ଭଞ୍ଜ କଳାମଣ୍ଡପର ନବୀକରଣ ସାରିବାର ଲକ୍ଷ୍ୟ ରହିଛି। ଏହାକୁ ଆଧୁନିକ ରୂପ ଦିଆଯାଇଛି। ଭିତରେ ଥିବା ସିଟ୍‌ଗୁଡ଼ିକୁ ବଦଳାଇବା ସହିତ ମଞ୍ଚକୁ ମଧ୍ୟ ପ୍ରଶସ୍ତ ଓ ସୌନ୍ଦର୍ଯ୍ୟୀକରଣ କରାଯାଉଛି। ସେହିପରି ବାହାରେ ଥିବା ଖାଲି ସ୍ଥାନଗୁଡ଼ିକରେ କିଛି ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସହିତ ଵାଟର ଫାଉଣ୍ଟେନ ଓ ଚେୟାର ପଡ଼ିବାର ଯୋଜନା ରହିଛି।
ରବୀନ୍ଦ୍ର ମଣ୍ଡପ ଉପରେ ବଢ଼ୁଛି ଚାପ
ନାଟକଠାରୁ ଆରମ୍ଭ କରି ଶାସ୍ତ୍ରୀୟ ନୃତ୍ୟ ପାଇଁ ମଞ୍ଚ ଭଲ ଥିବାରୁ ଏବଂ ଭଞ୍ଜକଳା ମଣ୍ଡପ ନିର୍ମାଣ ଚାଲିଥିବାରୁ ବର୍ତ୍ତମାନ ରବୀନ୍ଦ୍ର ମଣ୍ଡପ ଉପରେ ଚାପ ବଢ଼ିବାରେ ଲାଗିଛି। ଆଗାମୀ ବର୍ଷ ପର୍ଯ୍ୟନ୍ତ ଏହା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୁକ୍‌ ହୋଇସାରିଛି। ସଂସ୍କୃତି ବିଭାଗର ୱେବସାଇଟ୍‌କୁ ଗଲେ ଏହାର ବୁକିଂ ପାଇଁ କୌଣସି ତାରିଖ ଚୟନ ହେଉନାହିଁ। ଏତେ କାର୍ଯ୍ୟକ୍ରମ ହେଉଥିବା ସତ୍ତ୍ୱେ ଏଠାରେ ମଧ୍ୟ ସିଟ୍‌ ସଂଖ୍ୟା ମାତ୍ର ୮୩୦ ରହିଛି। ଏପରିକି ଏହାର ସୌନ୍ଦର୍ଯ୍ୟ ମଧ୍ୟ କମିବାରେ ଲାଗିଲାଣି। କରୋନା ପରେ ଏହାର ଅଚଳ ପଡ଼ିଥିବା ବିଭିନ୍ନ ଭିତ୍ତିଭୂମିକୁ ସଜଡ଼ା ଯାଇଥିଲା। ବାରମ୍ୱାର ଅଭିଯୋଗ ପରେ ନିକଟ ଅତୀତରେ ଏହାର ଶୌଚାଳୟ, ଫାଉଣ୍ଟେନ୍‌ ଓ ଲାଇଟ୍‌ଗୁଡ଼ିକ ସଜଡ଼ା ଯାଇଥିଲା। ତଥାପି ପରିସରରେ ଅନ୍ୟ ଏକ ଫାଉଣ୍ଟେନ୍‌ ଅଚଳ ପଡ଼ିଛି। ଏତେ ଲୋକଙ୍କ ପାଇଁ ଗୋଟିଏ ମାତ୍ର ଵାଟର କିଓସ୍କ ରହିଛି। ବାହାରେ ଥିବା ପ୍ରତିମୂର୍ତ୍ତିଗୁଡ଼ିକର ରଙ୍ଗ ଛାଡ଼ିଗଲାଣି। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହ ନିର୍ଦ୍ଦେଶକ ଅନିଲ କେରକେଟା କହିଛନ୍ତି ଯେ ଭଞ୍ଜ କଳାମଣ୍ଡପର କାମ ସରିବା ପରେ ଏହାର ନବୀକରଣର ଲକ୍ଷ୍ୟ ରହିଛି।
📲Get App