🔥 TRENDING મટોડા માં ઘરમાંથી કોડેઈનવાળી કફ સિરપની... गांव हारनी खुर्द में श्री अखंड पाठ साह... Kashmir Experiences Sub‑Zero Temperatu... CineInfinity publishes advance booking... Ramayana Sets Record for Lowest Single... From Quilt Worker to AICC Secretary: Y...
26 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ବିଦ୍ୟୁତ୍ କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ ସରକାରଙ୍କ ଚେତାବନୀ: ବ୍ଲାକମେଲ୍ ଚଳିବ ନାହିଁ, ଜରୁରୀସେବା ବାଧାପ୍ରାପ୍ତ ହେଲେ ନିଆଯିବ କଠୋର ଆକ୍ସନ୍

✍️ Reporter: Deepak Mahapatra 🗓 26 Nov 2026, 01:25 PM 👁 25
Share: 💬 WhatsApp 📘 Facebook 𝕏 Post
ଟାଟା ପାୱାରର ବିଦ୍ୟୁତ୍ ବଣ୍ଟନ କମ୍ପାନୀଗୁଡ଼ିକରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଆନ୍ଦୋଳନ ଆଜି ଉଗ୍ରରୂପ ଧାରଣ କରିଛି। ଲୋୟର ପିଏମଜିରେ ପ୍ରାୟ ୬୦ଦିନ ଧରି ଆନ୍ଦୋଳନରତ ଠିକା କର୍ମଚାରୀମାନେ ଆଜି ହାଇପାୱାର ବିଦ୍ୟୁତ୍ ଖୁଣ୍ଟ ଉପରକୁ ଚଢ଼ି ପ୍ରତିବାଦ କରିଥିବାବେଳେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି।

ରାଜ୍ୟ ସରକାର ଜନସାଧାରଣଙ୍କ ସେବାରେ କୌଣସି ପ୍ରକାରର ବ୍ୟାଘାତ ବରଦାସ୍ତ କରିବେ ନାହିଁ କିମ୍ବା ଅଯୌକ୍ତିକ ଦାବି ଆଗରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ରାଜ୍ୟ ଶକ୍ତି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ବିଧାନସଭାରୁ ଆନ୍ଦୋଳନରତ ଠିକା କର୍ମଚାରୀମାନଙ୍କୁ ରୋକଠୋକ୍ ଜଣାଇ ଦେଇଛନ୍ତି।

ବିଧାନସଭା କାର୍ଯ୍ୟବିଧି ନିୟମ-୨୧୪ ଅନୁଯାୟୀ ଗୃହରେ ବିବୃତି ରଖି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ଆନ୍ଦୋଳନକାରୀମାନେ ଆଜି ୩୩ କେଭି, ୧୩୨ କେଭି ଓ ୪୦୦ କେଭି ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍ ଖୁଣ୍ଟ ଉପରକୁ ଚଢ଼ି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରିବାକୁ ଉଦ୍ୟମ କରିଛନ୍ତି, ଯାହାକି ଏକ ବିଧ୍ୱଂସକାରୀ କାର୍ଯ୍ୟ ଓ କଦାପି ଗ୍ରହଣୀୟ ନୁହେଁ । ଏଭଳି ବିଦ୍ୟୁତ୍ ବିଭ୍ରାଟ ଦ୍ୱାରା ଭୁବନେଶ୍ୱରସ୍ଥିତ ଏମସ, କଟକ ଏସସିବି ମେଡିକାଲ କଲେଜ ଓ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟର ହଜାର ହଜାର ରୋଗୀଙ୍କ ଜୀବନ ବିପନ୍ନ ହେବାର ଆଶଙ୍କା ରହିଛି। ଏହାସହିତ ବିମାନବନ୍ଦର, ରେଳ ଷ୍ଟେସନ ଭଳି ଗୁରୁତ୍ୱପୂର୍ଣ୍ଣ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହୋଇ ସାଧାରଣ ନାଗରିକମାନେ ଘୋର ଅସୁବିଧାର ସମ୍ମୁଖୀନ ହେବେ । ଏଭଳି ବେଆଇନ ଓ ଅଯୌକ୍ତିକ ଦାବି ଆଗରେ ସରକାର କଦାପି ନଇଁବେ ନାହିଁ ଓ ଆଇନକୁ ହାତକୁ ନେଇ ଜରୁରୀ ସେବା ବାଧାପ୍ରାପ୍ତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ସିଂହଦେଓ ଠିକା କର୍ମଚାରୀମାନଙ୍କ ଆନ୍ଦୋଳନ ସମ୍ପର୍କରେ ଗୃହକୁ ସୂଚନା ଦେଇ କହିଛନ୍ତି ଯେ, ବିଗତ ଦୁଇ ବର୍ଷ ଧରି ଗ୍ରାମାଂଚଳରେ ଚାଲିଥିବା ଦ୍ୱିତୀୟ ପାଳି ରକ୍ଷଣାବେକ୍ଷଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିପାଇଁ ସମସ୍ତ ଚାରୋଟି ବିଦ୍ୟୁତ୍ ବଣ୍ଟନ କମ୍ପାନୀ ସେମାନଙ୍କ ସହଯୋଗୀ ସଂସ୍ଥାଙ୍କ ଜରିଆରେ ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ ୩୧୫୫ ଜଣ ଠିକା କର୍ମଚାରୀଙ୍କୁ ଛଟେଇ ନୋଟିସ୍ ଦେଇଥିଲେ।

ଏହା ବିରୋଧରେ ମଇ ମାସରେ ଆନ୍ଦୋଳନ ହେବାପରେ ମୁଖ୍ୟମନ୍ତ୍ରୀ ଓ ତାଙ୍କସ୍ତରରେ ଏହାର ସମାଧାନ କରାଯାଇଥିଲା। ମାନବିକତା ଦୃଷ୍ଟିକୋଣରୁ ସେହି ୩୧୫୫ ଜଣ କର୍ମଚାରୀଙ୍କ ଛଟେଇ ନୋଟିସ୍ ପ୍ରତ୍ୟାହାର କରାଯିବା ସହ ସେମାନଙ୍କୁ ନିଜ ନିଜ ସର୍କଲ ମଧ୍ୟରେ ରକ୍ଷଣାବେକ୍ଷଣ, ପ୍ରକଳ୍ପ, ମିଟର ରିଡିଂ ଓ ବିଲ୍ ଆଦାୟ ଭଳି ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।ମଇ ମାସରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଜଣେ ବି କର୍ମଚାରୀଙ୍କୁ ଛଟେଇ କରାଯାଇ ନାହିଁ ଓ ସେତେବେଳେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରାଯାଇଛି।
ତେବେ ଗତ ନଭେମ୍ବର ୪ ତାରିଖରେ ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେଇ ଭିତ୍ତିହୀନ ଓ ଅଯୌକ୍ତିକ ଦାବି ଉପସ୍ଥାପନ କରିଛନ୍ତି। ସେମାନେ ଆନ୍ଦୋଳନର ବହୁ ପୂର୍ବରୁ ଅର୍ଥାତ୍ ୨୦୨୫ ମସିହା ଅକ୍ଟୋବର ମାସରେ ଛଟେଇ ହୋଇଥିବା ୧୯୨ ଜଣ ଗ୍ରାହକ ସେବା ସହାୟକଙ୍କୁ ପୁନଃନିଯୁକ୍ତି ଦେବାକୁ ଦାବି କରୁଛନ୍ତି, ଯାହା ପୂର୍ବ ଆଲୋଚନାରେ ନଥିଲା। ଏବେ ୨୪ ଘଣ୍ଟିଆ ଅତ୍ୟାଧୁନିକ ଟେଲିଫୋନ୍ ସହାୟତା କେନ୍ଦ୍ର ଓ ଅନ୍ୟାନ୍ୟ ସ୍ୱୟଂଚାଳିତ ବ୍ୟବସ୍ଥା ମାଧ୍ୟମରେ ଗ୍ରାହକଙ୍କ ଅଭିଯୋଗର ତ୍ୱରିତ ସମାଧାନ ହେଉଥିବାରୁ ସେହି ୧୯୨ ଜଣ ଗ୍ରାହକ ସେବା ସହାୟକଙ୍କୁ ପୁନଃନିଯୁକ୍ତି ଦେବାର କୌଣସି ଯଥାର୍ଥତା ନାହିଁ ବୋଲି ସେ କହିଛନ୍ତି।

ସେହିପରି ସର୍ବନିମ୍ନ ମଜୁରୀ ଓ ବୋନସ୍ ଦାବିକୁ 'ମଜୁରୀ ସଂହିତା-୨୦୧୯' ଅନୁଯାୟୀ ପୂର୍ବରୁ ହିଁ ଗ୍ରହଣ କରିନିଆଯାଇ ଥିବାବେଳେ ୨୦୨୧ ମସିହାରୁ ରାଜ୍ୟରେ କୌଣସି ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରାଯାଇ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ ସ୍ପଷ୍ଟ କରିବା ସହ ଆଇନକୁ ହାତକୁ ନେଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାଇ ଦେଇଛନ୍ତି।

ଅନ୍ୟପକ୍ଷରେ, ଦୀର୍ଘ ପ୍ରାୟ ୬୦ଦିନ ଧରି ଚାଲିଥିବା ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ( Electricity Workers Protest ) ଆଜି ତୀବ୍ରତର ହୋଇଛି ଓ ଠିକା କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ହାଇଲେଭଲ୍ ବିଦ୍ୟୁତ ଖୁଣ୍ଟରେ ଚଢ଼ି ନିଜର ପ୍ରତିବାଦ ଜଣାଇଛନ୍ତି। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଳରୁ ଉଠିବୁ ନାହିଁ ବୋଲି କର୍ମଚାରୀମାନେ ଜିଦ୍ ଧରି ବସିବା ପରେ ପୁଲିସକୁ ନାକେଦମ ହେବାକୁ ପଡ଼ିଛି।

ଏପଟେ ବିଧାନସଭାରେ ଶକ୍ତି ମନ୍ତ୍ରୀ ଶ୍ରୀ ସିଂହଦେଓ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଟାଟା ପାୱାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହେବାବେଳେ ସ୍ଥାୟୀ କର୍ମଚାରୀଙ୍କ ସଂଖ୍ୟା ୧୧୭୫୪ ଓ ସହଯୋଗୀ ସଂସ୍ଥା ମାଧ୍ୟମରେ ନିୟୋଜିତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସଂଖ୍ୟା ୨୩୧୩୦ ଥିଲା। ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ସ୍ଥାୟୀ କର୍ମଚାରୀ ୧୩୭୨୪ ଓ ଚୁକ୍ତିଭିତ୍ତିକ କର୍ମଚାରୀ ୫୨୯୩୯ରେ ପହଂଚିଛି, ଯେଉଁମାନଙ୍କୁ ପ୍ରାୟ ୨୭୫ଟି ସହଯୋଗୀ ସଂସ୍ଥା ମାଧ୍ୟମରେ ନିୟୋଜିତ କରାଯାଇଛି।

ଓଇଆରସିଙ୍କ ଦ୍ୱାରା ଅନୁମୋଦିତ ସାଂଗଠନିକ ଢାଂଚା ଅନୁଯାୟୀ ସ୍ଥାୟୀ ପଦବୀ ନିର୍ଦ୍ଧାରିତ ହୋଇଥାଏ ଓ ପରିଚାଳନା ଖର୍ଚ୍ଚ ହ୍ରାସ କରି ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ୍ ଶୁଳ୍କ ବୋଝ କମ୍ ରଖିବା ପାଇଁ ସହଯୋଗୀ ସଂସ୍ଥାଙ୍କୁ କାର୍ଯ୍ୟଦକ୍ଷତା ଭିତ୍ତିକ ଚୁକ୍ତି ପ୍ରଦାନ କରାଯାଉଛି। ମୋଟ ନିଯୁକ୍ତିର ପ୍ରାୟ ୯୦ପ୍ରତିଶତ ଓଡ଼ିଶାର ସ୍ଥାୟୀ ବାସିନ୍ଦାଙ୍କ ମଧ୍ୟରୁ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି।
📲Get App