🔥 TRENDING अखिल भारतीय आदिम जनजाति संघर्ष मोर्चा... Congress-DMK Rift Deepens: Tamil Nadu... Dispute Over Lamp on Thiruparankundram... DMK’s M.K. Stalin Confirms No Shift in... Chandrababu Naidu Urges All Andhra NDA... Ram Madhav Criticises Congress Over DM...
29 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ଏମ୍‌ଓୟୁରେ ସୀମିତ ବିଜେପି ସରକାରର ପୁଞ୍ଜିନିବେଶ! ବର୍ଷିଲା ବିଜେଡି

✍️ Reporter: Deepak Mahapatra 🗓 25 Nov 2026, 03:36 PM 👁 44
Share: 💬 WhatsApp 📘 Facebook 𝕏 Post
ପୁଞ୍ଜିନିବେଶକୁ ନେଇ ମୁହାଁମୁହିଁ ବିଜେଡି ଓ ବିଜେପି। ପାରାଦୀପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ପ୍ରାୟ ୨୩.୫ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିବା କହିଥିବା ବେଳେ, ଏହାକୁ ନେଇ ହିସାବ ମାଗିଛି ବିଜେଡି।ଦଳର ଅଭିଯୋଗ ଅନୁସାରେ, ଏହି ପ୍ରସ୍ତାବିତ ପୁଞ୍ଜିନିବେଶ ମଧ୍ୟରୁ ମାତ୍ର ୩.୫ ଲକ୍ଷ କୋଟି ଟଙ୍କାର ନିବେଶ କାର୍ଯ୍ୟକାରୀ ପର୍ଯ୍ୟାୟରେ ପହଞ୍ଚିଛି। ଏହା ଡବଲ ଇଞ୍ଜିନ ସରକାରର ନିବେଶ ନୀତିର ବିଫଳତାକୁ ଦର୍ଶାଉଛି ବୋଲି କହିଛି ବିଜେଡି।

ଏକ ପ୍ରେସ୍ ବିବୃତିରେ ଦଳର ଗଣମାଧ୍ୟମ ସଂଯୋଜକ ଡକ୍ଟର ଲେନିନ୍ ମହାନ୍ତି କହିଛନ୍ତି, ଏମ୍‌ଓୟୁ ସ୍ୱାକ୍ଷର କରିବା ଏବଂ ତାହାକୁ ବାସ୍ତବ ପୁଞ୍ଜିନିବେଶରେ ପରିଣତ କରିବା ଦୁଇଟି ଭିନ୍ନ କଥା। ଲକ୍ଷ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଘୋଷଣା କରିବାରେ ସରକାର ବ୍ୟସ୍ତ, କିନ୍ତୁ ତାହାକୁ ଶିଳ୍ପ ଓ କାରଖାନାରେ ପରିଣତ କରିବାରେ ବିଫଳ ହୋଇଛନ୍ତି। ବିଜେଡି ଆହୁରି ଅଭିଯୋଗ କରିଛି ଯେ, ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଓଡ଼ିଶାର ପୁଞ୍ଜିନିବେଶ ହାର ଜାତୀୟ ହାରଠାରୁ ଢେର ଅଧିକ ଥିଲା। ନୀତି ଆୟୋଗ ଓ ଆର୍‌ବିଆଇ ମଧ୍ୟ ଓଡ଼ିଶାର ନିବେଶ ହାରକୁ ପ୍ରଶଂସା କରିଥିଲେ ବୋଲି ଦଳ ଦାବି କରିଛି।

ଅନ୍ୟପଟେ ବିଦେଶ ଗସ୍ତ, ଇନଭେଷ୍ଟର୍ସ ମିଟ୍ ଓ ଏମ୍‌ଓୟୁ ସ୍ୱାକ୍ଷର କରି ସରକାର କେବଳ ପ୍ରଚାରରେ ବ୍ୟସ୍ତ ରହିଛନ୍ତି ବୋଲି ବର୍ଷିଛି ବିଜେଡି। ରାଜ୍ୟରେ ନୂଆ କାରଖାନା ପ୍ରତିଷ୍ଠା ଓ ନିଯୁକ୍ତି ସୃଷ୍ଟି ହେଉନଥିବାରୁ ଯୁବକମାନେ ରାଜ୍ୟ ବାହାରକୁ ଯାଉଥିବା ମଧ୍ୟ ଅଭିଯୋଗ କରିଛି ଦଳ। ଏଥିସହ ରାଜ୍ୟରେ ବିଦେଶୀ ପୁଞ୍ଜିନିବେଶ ମଧ୍ୟ ନାମମାତ୍ର ରହିଥିବା ବିଜେଡି କହିଛି। ସରକାର ତୁରନ୍ତ ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ଦାବି କରିଛି ବିଜେଡି। କେଉଁ ଏମ୍‌ଓୟୁ କେଉଁ ପର୍ଯ୍ୟାୟରେ ରହିଛି, କେତେ ଟଙ୍କାର ପ୍ରକୃତ ପୁଞ୍ଜିନିବେଶ ହୋଇଛି, କେତେ ଲୋକ ନିଯୁକ୍ତି ପାଇଛନ୍ତି ଏବଂ କେଉଁ କେଉଁ ପ୍ରକଳ୍ପ ଓଡ଼ିଶାରୁ ଫେରିଯାଇଛି, ସେସବୁର ସମ୍ପୂର୍ଣ୍ଣ ତଥ୍ୟ ସାର୍ବଜନୀନ କରନ୍ତୁ ବୋଲି କହିଛି ଦଳ।
📲Get App