🔥 ट्रेंडिंग उत्तर प्रदेश का लखनऊ में एआई सिटी, स्ट... पटियाला में डंपर से टकराई कार, महिला क... पटियाला में अकाली दल के हलका इंचार्ज प... जालंधर में कूड़ा एकत्र करने वाले वाहनो... AIIMS निदेशक निखिल टंडन ने दिल्ली में... बक्सर प्रशासन ने कार्तिक पूर्णिमा पर ग...
23 नव. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ଓଡ଼ିଶାକୁ ଧୀରେ ଧୀରେ ମାଡ଼ି ଆସୁଛି ଶୀତ, ୪ ଦିନରେ ୪ରୁ ୬ ଡିଗ୍ରୀ ଖସିବ ପାରଦ

✍️ रिपोर्टर: Deepak Mahapatra 🗓 23 नव. 2026, 04:37 PM 👁 34
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଅନୁଭୂତ ହେବ ଶୀତର ପ୍ରକୋପ। ନଭେମ୍ବର ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ଏଯାଏଁ ରାଜ୍ୟରେ ଅଧିକ ଥଣ୍ଡା ଅନୁଭୂତ ହେଉନାହିଁ। ତେବେ ଆଗାମୀ ୪ ଦିନ ମଧ୍ୟରେ ରାତି ତାପମାତ୍ରାରେ ୪ରୁ ୬ ଡିଗ୍ରୀ ସେଲସିୟସ୍ ହ୍ରାସ ହୋଇପାରେ। ଫଳରେ ରାଜ୍ୟରେ ଶୀତର ଅନୁଭୂତି ବଢ଼ିବ। ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା କିଛି ଦିନରେ ରାଜ୍ୟରେ ଶୀତର ପ୍ରଭାବ ବଢ଼ିବ। ବିଶେଷକରି ରାତି ସମୟରେ ତାପମାତ୍ରା କମିବା ଯୋଗୁଁ ଥଣ୍ଡା ଅଧିକ ଅନୁଭୂତ ହେବ। ନଭେମ୍ବର ୨୬ ତାରିଖ ବେଳକୁ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ଏବଂ ଫୁଲବାଣୀରେ ୧୪ ଡିଗ୍ରୀ ସେଲସିୟସ୍ ରହିବାର ସମ୍ଭାବନା ରହିଛି।

ସେହିପରି କଟକ, ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକରେ ରାତି ତାପମାତ୍ରା ୧୮ରୁ ୧୯ ଡିଗ୍ରୀ ମଧ୍ୟରେ ରହିପାରେ। ତେଣୁ ଆଗାମୀ ଦିନରେ ରାଜ୍ୟବାସୀଙ୍କୁ ହାଲୁକାରୁ ଅଧିକ ଶୀତ ଅନୁଭବ ହେବା ଆଶା କରାଯାଉଛି।

୩ ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା

ଶୀତ ବଢ଼ିବା ସହ ରାଜ୍ୟର କିଛି ଅଞ୍ଚଳରେ କୁହୁଡ଼ିର ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ। ସୋମବାର ସକାଳ ଓ ରାତି ସମୟରେ ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟମରୁ ଘନ କୁହୁଡ଼ି ହେବାର ଆଶଙ୍କା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। କୁହୁଡ଼ି ଯୋଗୁଁ ରାସ୍ତାରେ ଦୃଶ୍ୟମାନତା କମିପାରେ। ତେଣୁ ସକାଳ ଓ ରାତିରେ ଯାତାୟାତ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି।

ଡିସେମ୍ବର ୨ ପର୍ଯ୍ୟନ୍ତ ବର୍ଷା ନାହିଁ

ପାଣିପାଗ ବିଭାଗର ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ରହିବ। ଆସନ୍ତା ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର କୌଣସି ବଡ଼ ସମ୍ଭାବନା ନାହିଁ। ଆକାଶ ପ୍ରାୟତଃ ସଫା ରହିବା ସହ ଦିନରେ ଗରମ ଓ ରାତିରେ ଥଣ୍ଡା ଅନୁଭୂତ ହୋଇପାରେ। ଅନ୍ୟପଟେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨୦ ଡିଗ୍ରୀ ଉପରେ ରହିଥିଲା। ଦିନର ସର୍ବାଧିକ ତାପମାତ୍ରା ପ୍ରାୟ ୩୦ରୁ ୩୨ ଡିଗ୍ରୀ ମଧ୍ୟରେ ରେକର୍ଡ ହୋଇଥିଲା।
📲Get App