🔥 TRENDING समस्तीपुर की मुफ्सिल थाना क्षेत्र के म... ଆସନ୍ତାକାଲିଠାରୁ ତିନି ଦିନ ଯାଏ ଶ୍ରୀମନ୍ଦିର... भोपाल के नाथु बरखेड़ा में अंतरराष्ट्री... ଆସନ୍ତା ଦୁଇ ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ... ବାତ୍ୟା ‘ଅକଭାନ୍’ ପାଇଁ ହାଇଆଲର୍ଟରେ ଓଡ଼ିଶା... बादड़ीया से भानीपुरा वाली रोड की ख़राब...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଏସିଏଫ ମୃତ୍ୟୁ ଘଟଣା: ପତ୍ନୀ ବିଦ୍ୟାଭାରତୀ ପଣ୍ଡା ପୁଣି ନିରାଶ, ଜାମିନ ଆବେଦନ ଖାରଜ

✍️ Reporter: Deepak Mahapatra 🗓 19 Nov 2026, 11:34 AM 👁 22
Share: 💬 WhatsApp 📘 Facebook 𝕏 Post
ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ତାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି।


ଗତକାଲି ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହୋଇଥିଲା। କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଆଜି କୋର୍ଟଙ୍କ ରାୟ ଆସିଛି। ବିଦ୍ୟାଭାରତୀଙ୍କୁ ଜାମିନ ମିଳିନାହିଁ। ଫଳରେ ଏବେ ସେ ଜେଲ୍‌ରେ ରହିବେ।

ଦୀର୍ଘ ବର୍ଷର ଛକାପଞ୍ଝା ପରେ ନଭେମ୍ବର ୨ ତାରିଖରେ ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କରିଥିଲେ ବିଦ୍ୟାଭାରତୀ ପଣ୍ଡା। ସେହି ଦିନଠାରୁ ସେ ପାରଳାଖେମୁଣ୍ଡି ଜେଲ୍‌ରେ ଅଛନ୍ତି। ନଭେମ୍ବର ୭ରେ ଜାମିନ ଆବେଦନ କରିଥିଲେ ବିଦ୍ୟାଭାରତୀ।
୨୦୨୧ ଜୁଲାଇ ୧୧ ତାରିଖ ରାତିରେ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ଅତି ସନ୍ଦେହଜନକ ଅବସ୍ଥାରେ ପୋଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତା’ ପରଦିନ ତାଙ୍କର ମୃତ୍ୟୁ ହୋଇଥିଲା। ମାମଲାର ତଦନ୍ତ କରି ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଅଗ୍ନି ନିର୍ବାପନରେ ଅବହେଳା ଦଫାରେ ଚାର୍ଜସିଟ ଦାଖଲ କରିବା ସହ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନଚିଟ ଦେଇଥିଲା କ୍ରାଇମବ୍ରାଞ୍ଚ। ଏହାକୁ ଚ୍ୟାଲେଞ୍ଜ କରି ସୌମ୍ୟରଞ୍ଜନଙ୍କ ପରିବାର ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ମାମଲା ଦାଏର କରିଥିଲେ।

ଉକ୍ତ ଆବେଦନର ଶୁଣାଣି କରି ଏସଡିଜେଏମ କୋର୍ଟ ପାରଳାଖେମୁଣ୍ଡି, ଏହି ୩ ଜଣଙ୍କ ବିରୋଧରେ IPC ର ଦଫା ୩୦୨ (ହତ୍ୟା) ଏବଂ IPC ୧୨୦- ବି (ଅପରାଧିକ ଷଡଯନ୍ତ୍ର ରଚିବା)ରେ ମୋକଦ୍ଦମା ଚାଲିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ବାରମ୍ବାର ସମନ ସତ୍ତ୍ୱେ ହାଜର ନହେବାରୁ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ୨୦୨୩ ମସିହାରେ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି ହୋଇଥିଲା। ଯାହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ଅଭିଯୁକ୍ତମାନେ ସାମୟିକ ଆଶ୍ୱସ୍ତି ପାଇଥିଲେ।

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ସମେତ ହାଇକୋର୍ଟରେ ମୋଟ ଦୁଇଟି ଆବେଦନ କରିଥିଲେ ବିଦ୍ୟାଭାରତୀ। ଗତ ସେପ୍ଟେମ୍ବର ୩ ତାରିଖରେ ତାଙ୍କ ଆବେଦନ ଉପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ। ସେପ୍ଟେମ୍ବର ୯ ତାରିଖରେ ରାୟ ଶୁଣାଇ ହାଇକୋର୍ଟ ବିଦ୍ୟାଭାରତୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଏହା ସହିତ ତାଙ୍କ ଉପରୁ ଅନ୍ତରୀଣ ସୁରକ୍ଷା ହଟାଇ ଦେଇଥିଲେ କୋର୍ଟ। ଏହା ବିରୋଧରେ ସେ ସୁପ୍ରିମକୋର୍ଟରେ ସ୍ପେଶାଲ୍ ଲିଭ୍ ପିଟିସନ୍ ଦାଖଲ କରିଥିଲେ। କିନ୍ତୁ ସୁପ୍ରିମ୍‌କୋର୍ଟ ତାଙ୍କ ଆବେଦନ ଖାରଜ କରି ଦେଇଥିଲେ। ଏହା ପରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ହେଁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ସେଥିପାଇଁ ଗତ ୨ ତାରିଖରେ ସେ ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କରିଥିଲେ।

ଅନ୍ୟପକ୍ଷରେ ଗତ ଜୁଲାଇ ମାସରେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଆତ୍ମସମର୍ପଣ କରିଥିଲେ। ସେହିପରି ଅକ୍ଟୋବର ମାସ ୩୦ ତାରିଖରେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ତତ୍କାଳୀନ ରୋଷେୟା ମନ୍ମଥ କୁମ୍ଭଙ୍କୁ ଗିରଫ କରିଥିଲା ପାରଳାଖେମୁଣ୍ଡି ପୁଲିସ। ଏହି ଦୁଇ ଅଭିଯୁକ୍ତ ମଧ୍ୟ ପାରଳାଖେମୁଣ୍ଡି ଜେଲ୍‌ରେ ଅଛନ୍ତି।
📲Get App