🔥 TRENDING ஆக்வான் புயல் Patna Police Raids Three Apartments, D... CM Mohan Yadav talks Gandhi Sagar Mega... Madhya Pradesh Cabinet Convenes in Bho... Underground Track to Link Indore Airpo... Triple homicide shocks Budhni, Sehore...
18 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

କ’ଣ ହେବ ବିଦ୍ୟାଭାରତୀଙ୍କର ?

✍️ Reporter: Deepak Mahapatra 🗓 18 Nov 2026, 11:16 AM 👁 19
Share: 💬 WhatsApp 📘 Facebook 𝕏 Post
ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି। ଆଜି ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖାଯାଇଛି। କ’ଣ ରାୟ ଦେବେ କୋର୍ଟ- ତାଙ୍କୁ ଜାମିନ ମିଳିବ ନା ସେ ଜେଲ୍‌ରେ ରହିବେ, ତାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଆସନ୍ତାକାଲି ରାୟ ପ୍ରକାଶ ପାଇବା ପରେ ସବୁ ସ୍ପଷ୍ଟ ହୋଇଯିବ।
ଦୀର୍ଘ ବର୍ଷର ଛକାପଞ୍ଝା ପରେ ନଭେମ୍ବର ୨ ତାରିଖରେ ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କରିଥିଲେ ବିଦ୍ୟାଭାରତୀ ପଣ୍ଡା। ସେହି ଦିନଠାରୁ ସେ ପାରଳାଖେମୁଣ୍ଡି ଜେଲ୍‌ରେ ଅଛନ୍ତି। ନଭେମ୍ବର ୭ରେ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ଜାମିନ ଆବେଦନ କରିଥିଲେ ବିଦ୍ୟାଭାରତୀ।
ସୁପ୍ରିମକୋର୍ଟରୁ ନିରାଶ ହେବା ପରେ ହାଇକୋର୍ଟରେ ଆଗୁଆ ଜାମିନ ଆବଦେନ କରିଥିଲେ ବିଦ୍ୟାଭାରତୀ ପଣ୍ଡା। ତେବେ ହାଇକୋର୍ଟରୁ ଆଗୁଆ ଜାମିନ ନମିଳିବାରୁ ସେ ପାରଳାଖାମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସମର୍ପଣ କରିଥିଲେ।
୨୦୨୧ ଜୁଲାଇ ୧୧ ତାରିଖ ରାତିରେ ଏସିଏଫ ସୌମ୍ୟରଞ୍ଜନ ଅତି ସନ୍ଦେହଜନକ ଅବସ୍ଥାରେ ପୋଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତା’ ପରଦିନ ତାଙ୍କର ମୃତ୍ୟୁ ହୋଇଥିଲା। ମାମଲାର ତଦନ୍ତ କରି ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଅଗ୍ନି ନିର୍ବାପନରେ ଅବହେଳା ଦଫାରେ ଚାର୍ଜସିଟ ଦାଖଲ କରିବା ସହ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନଚିଟ ଦେଇଥିଲା କ୍ରାଇମବ୍ରାଞ୍ଚ। ଏହାକୁ ଚ୍ୟାଲେଞ୍ଜ କରି ସୌମ୍ୟରଞ୍ଜନଙ୍କ ପରିବାର ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ମାମଲା ଦାଏର କରିଥିଲେ।
ଉକ୍ତ ଆବେଦନର ଶୁଣାଣି କରି ଏସଡିଜେଏମ କୋର୍ଟ ପାରଳାଖେମୁଣ୍ଡି, ଏହି ୩ ଜଣଙ୍କ ବିରୋଧରେ IPC ର ଦଫା ୩୦୨ (ହତ୍ୟା) ଏବଂ IPC ୧୨୦- ବି (ଅପରାଧିକ ଷଡଯନ୍ତ୍ର ରଚିବା)ରେ ମୋକଦ୍ଦମା ଚାଲିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ବାରମ୍ବାର ସମନ ସତ୍ତ୍ୱେ ହାଜର ନହେବାରୁ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ୨୦୨୩ ମସିହାରେ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି ହୋଇଥିଲା। ଯାହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ଅଭିଯୁକ୍ତମାନେ ସାମୟିକ ଆଶ୍ୱସ୍ତି ପାଇଥିଲେ।
ଗତ ଜୁଲାଇ ମାସରେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଆତ୍ମସମର୍ପଣ କରିଥିଲେ। ସେହିପରି ଅକ୍ଟୋବର ମାସ ୩୦ ତାରିଖରେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ତତ୍କାଳୀନ ରୋଷେୟା ମନ୍ମଥ କୁମ୍ଭଙ୍କୁ ଗିରଫ କରିଥିଲା ପାରଳାଖେମୁଣ୍ଡି ପୁଲିସ। ଏହି ଦୁଇ ଅଭିଯୁକ୍ତ ମଧ୍ୟ ପାରଳାଖେମୁଣ୍ଡି ଜେଲ୍‌ରେ ଅଛନ୍ତି।
ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ସମେତ ହାଇକୋର୍ଟରେ ମୋଟ ଦୁଇଟି ଆବେଦନ କରିଥିଲେ ବିଦ୍ୟାଭାରତୀ। ଗତ ସେପ୍ଟେମ୍ବର ୩ ତାରିଖରେ ତାଙ୍କ ଆବେଦନ ଉପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ। ସେପ୍ଟେମ୍ବର ୯ ତାରିଖରେ ରାୟ ଶୁଣାଇ ହାଇକୋର୍ଟ ବିଦ୍ୟାଭାରତୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଏହା ସହିତ ତାଙ୍କ ଉପରୁ ଅନ୍ତରୀଣ ସୁରକ୍ଷା ହଟାଇ ଦେଇଥିଲେ କୋର୍ଟ। ଏହା ବିରୋଧରେ ସେ ସୁପ୍ରିମକୋର୍ଟରେ ସ୍ପେଶାଲ୍ ଲିଭ୍ ପିଟିସନ୍ ଦାଖଲ କରିଥିଲେ। କିନ୍ତୁ ସୁପ୍ରିମ୍‌କୋର୍ଟ ତାଙ୍କ ଆବେଦନ ଖାରଜ କରି ଦେଇଥିଲେ। ଏହା ପରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ହେଁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା।
📲Get App