🔥 TRENDING वाराणसी में यातायात माह अभियान: सुबह-ए... ମହଙ୍ଗା ଭତ୍ତା ଆଉ ୩% ବୃଦ୍ଧି କଲେ ରାଜ୍ୟ ସର... Tamannaah Bhatia Stars in New Crime Th... Panchayat 5 Release Postponed, Fans Aw... India's Cinemas to Offer 24-Hour Showi... Avengers: Doomsday Advance Bookings Op...
18 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ଶୀତ ଅଧିବେଶନ: ଆସିବ ଅତିରିକ୍ତ ବଜେଟ, ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି, ତଥ୍ୟ ସହ ଜବାବ ଦେବ ଶାସକ ଦଳର ସଜବାଜ

✍️ Reporter: Deepak Mahapatra 🗓 18 Nov 2026, 11:03 AM 👁 25
Share: 💬 WhatsApp 📘 Facebook 𝕏 Post
ଆସନ୍ତାକାଲିଠୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଅଧିବେଶନର ପ୍ରଥମ ଦିନରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ। ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଶୀତ ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଅନ୍ୟପକ୍ଷରେ ବିଜେଡି, କଂଗ୍ରେସ ଓ ବିଜେପି ଆଜି ପୃଥକ୍ ପୃଥକ୍ ଭାବେ ବିଧାୟକ ଦଳ ବୈଠକ ଡାକି ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି।



ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ଯେ, ବିରୋଧୀ ଦଳ ତରଫରୁ ଆସୁଥିବା ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ସମସ୍ତ ବିଷୟବସ୍ତୁ ଓ ସରକାରଙ୍କ ପକ୍ଷରୁ ଆଗତ ହେବାକୁ ଥିବା ପ୍ରସଙ୍ଗ ଉପରେ ଗୃହରେ ଆଲୋଚନା କରାଯିବ।

ବର୍ତ୍ତମାନସୁଦ୍ଧା ବିଧାନସଭାକୁ ବିଭିନ୍ନ ବିଭାଗର ୫ଟି ବିଲ୍ ହସ୍ତଗତ ହୋଇଥିବାବେଳେ ବିଜନେସ୍ ଆଡଭାଇଜରି କମିଟି ପୁଣିଥରେ ବସି ଏଥିପାଇଁ ସମୟ ନିର୍ଦ୍ଧାରଣ କରିବ।ବାଚସ୍ପତି ଯେଉଁ ବିଷୟକୁ ପ୍ରାଥମିକତା ଦେବେ, ତାହା ଉପରେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଥିବା ଶ୍ରୀ ମହାଲିଙ୍ଗ କହିଛନ୍ତି।
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବନ୍ୟା ପରିଚାଳନାରେ ସରକାରଙ୍କ ବିଫଳତା ରାଜ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଏହା ଉପରେ ଆଲୋଚନା କରିବା ପାଇଁ ବିଜେଡି ପକ୍ଷରୁ ମୋସନ୍ ଦିଆଯାଇଛି।

ଅନ୍ୟପକ୍ଷରେ ଶଙ୍ଖଭବନରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ନିଷ୍ପତ୍ତି ହୋଇଛି। ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, ଗତ ଅଢ଼େଇ ବର୍ଷ ମଧ୍ୟରେ ଡବଲ୍ ଇଞ୍ଜିନ୍ ସରକାର ଲୋକଙ୍କ ବିଶ୍ୱାସ ହରାଇଛି। ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଘଟିଥିବା ମନୁଷ୍ୟକୃତ ବନ୍ୟା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାର ଛବିକୁ ମଳିନ କରିବା ସହ ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି। ଗତ ଅଗଷ୍ଟ ୧୩ ତାରିଖରେ ସଂସଦରେ ପାରିତ ହୋଇଥିବା ଏମଏମଡିଆର ସଂଶୋଧନ ଆଇନ ଓଡ଼ିଶା ପାଇଁ ଏକ କଳା ଦିନ ଥିଲା। ଏହାଦ୍ୱାରା ଓଡ଼ିଶା ନିଜର ଖଣିଜ ସମ୍ପଦ ଉପରେ ଅଧିକାର ହରାଇବା ସହ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଇବ ବୋଲି ସେ କହିଛନ୍ତି। ଏହାବ୍ୟତୀତ କୋଟିଆ ସମସ୍ୟା, ମଣ୍ଡି ଅବ୍ୟବସ୍ଥା ଓ ଧାନ ସଂଗ୍ରହରେ ବିଳମ୍ବ, ଏଫସିଆଇ ଦ୍ୱାରା ଚାଉଳ ନଉଠିବା, କଲେଜ ନିର୍ବାଚନରେ ହେରଫେର, ଦରଦାମ୍ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଗତ ୬ମାସ ଧରି ସାମାଜିକ ସୁରକ୍ଷା ଭତ୍ତା ନମିଳିବା କାରଣରୁ ହିତାଧିକାରୀଙ୍କ ଆତ୍ମହତ୍ୟା ଭଳି ପ୍ରସଙ୍ଗକୁ ନେଇ ବିଜେଡି ଗୃହରେ ସ୍ୱର ଶାଣିତ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେହିପରି କଂଗ୍ରେସ ବିଧାୟକ ଦଳ ବୈଠକରେ ମଧ୍ୟ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି। ବୈଠକ ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଓ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ଡବଲ୍ ଇଞ୍ଜିନ୍ ଓ ଟ୍ରିପଲ୍ ଇଞ୍ଜିନ୍ ସରକାର ଥାଇ ମଧ୍ୟ କୋଟିଆରେ ଆନ୍ଧ୍ରପ୍ରଦେଶର ଅନୁପ୍ରବେଶ ରୋକିବାରେ ରାଜ୍ୟ ସରକାର ନରମ ମନୋଭାବ ପୋଷଣ କରୁଛନ୍ତି। କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ଏହାର ସୁରକ୍ଷା ପାଇଁ ସର୍ବଦଳୀୟ ଏକତା ଆବଶ୍ୟକ ବୋଲି କଂଗ୍ରେସ ମତ ରଖିଛି। ଏହାସହିତ ରାଜ୍ୟରେ ବନ୍ୟା ନିୟନ୍ତ୍ରଣରେ ବିଫଳତା, ଅହେତୁକ ଦରଦାମ୍ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଶିକ୍ଷା ଓ ସ୍ୱାସ୍ଥ୍ୟ ସମସ୍ୟା, ଏମଏମଡିଆର ଆଇନ ଓ ପେସା ରୁଲସ୍ କାର୍ଯ୍ୟକାରୀ ନହେବା ଯୋଗୁଁ ଆଦିବାସୀମାନେ ସେମାନଙ୍କ ଜଙ୍ଗଲ, ଜମି ଓ ପାଣିର ଅଧିକାରରୁ ବଂଚିତ ହେବା ଭଳି ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାନସଭାରେ ଏକଜୁଟ ହୋଇ ଲଢ଼େଇ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ବିରୋଧୀଙ୍କ ରଣନୀତିକୁ କାଉଣ୍ଟର କରିବା ପାଇଁ ଶାସକ ବିଜେପି ବିଧାୟକ ଦଳ ବୈଠକରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ବୈଠକ ପରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ଯେ, ବିଧାନସଭାରେ ବିରୋଧୀ ଦଳର ପ୍ରତ୍ୟେକ ପ୍ରଶ୍ନ ଓ ଅଭିଯୋଗର ତଥ୍ୟ ଓ ପ୍ରମାଣ ସହ ଜବାବ ଦେବାକୁ ସରକାରୀ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ବିରୋଧୀ ଦଳ ଯଦି କୌଣସି ଭ୍ରମାତ୍ମକ କିମ୍ବା ଅସତ୍ୟ ତଥ୍ୟ ଆଧାରରେ ପ୍ରସଙ୍ଗ ଉଠାନ୍ତି, ତେବେ ସରକାରଙ୍କ ପକ୍ଷରୁ ତାହାର ସତ୍ୟାସତ୍ୟ ଗୃହରେ ରଖାଯିବ।

ବିଶେଷକରି ବାତ୍ୟା ଓ ବନ୍ୟା ମୁକାବିଲାରେ ସରକାରଙ୍କ ପଦକ୍ଷେପ ଓ ସଫଳତା, ଗଞ୍ଜାମ, ଫୁଲବାଣୀ ଓ ଗଜପତି ଜିଲ୍ଲାର ପ୍ରଭାବିତ ପରିବାରଙ୍କୁ ସହାୟତା ପ୍ୟାକେଜ୍ ପ୍ରଦାନ, କୃଷି କ୍ଷୟକ୍ଷତି, ପଶୁପାଳନ, ସ୍ୱାସ୍ଥ୍ୟ ସେବା, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା ଭଳି ସରକାରଙ୍କ ଉପଲବ୍ଧିକୁ ଗୃହରେ ଉପସ୍ଥାପନ କରାଯିବ। ଉଭୟ ଶାସକ ଓ ବିରୋଧୀ ଦଳର ଏଭଳି ଆଭିମୁଖ୍ୟକୁ ଦେଖିଲେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତକାଳୀନ ଅଧିବେଶନ(Odisha Assembly Winter Session) ବେଶ୍ ସରଗରମ ହେବାର ସମ୍ଭାବନା ରହିଛି।
📲Get App