🔥 ट्रेंडिंग ଛତିଶଗଡ଼ରୁ ହଟିଲେ ଆଣ୍ଟି-ନକ୍ସଲ୍ ବାଟାଲିୟନ,... भोर, पुणे: शिवप्रतिष्ठान हिंदुस्थानने... त्रिपुरा की महिला उद्यमियों ने नई दिल्... ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ସିପି... IITF ୨୦୨୬ରେ ଚମକିଲା ଓଡ଼ିଶା; ହସ୍ତତନ୍ତରୁ... कपूरथला में आवारा कुत्ते का हमला: तीन...
16 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

୧୩୨୬୭କୋଟି ଟଙ୍କାର ୟୁସି ଦେଇପାରୁନି ପଂଚାୟତିରାଜ ବିଭାଗ: ସ୍ପଷ୍ଟୀକରଣ ପରେ ବି ୬୮୮୨ହଜାର କୋଟି ଟଙ୍କାର ମିଳୁନି ହିସାବ

✍️ रिपोर्टर: Deepak Mahapatra 🗓 16 नव. 2026, 11:32 AM 👁 23
शेयर करें: 💬 WhatsApp 📘 Facebook 𝕏 Post
ରାଜ୍ୟର ଗ୍ରାମାଂଚଳ ବିକାଶ ପାଇଁ ଆସୁଥିବା ହଜାର ହଜାର କୋଟି ଟଙ୍କାର ସରକାରୀ ଅନୁଦାନର ଖର୍ଚ୍ଚର ହିସାବ ଏବେ ରାଜ୍ୟ ପଂଚାୟତିରାଜ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ବିଭାଗ ଏପର୍ଯ୍ୟନ୍ତ ୧୩୨୬୭.୦୨ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର(ୟୁସି)କୁ ଏଜିଙ୍କ ନିକଟରେ ଦାଖଲ କରିବାରେ ବିଫଳ ହୋଇଛି। ଯଦିଓ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗୀୟ ପାଣ୍ଠି ଓ ଟେକନିକାଲ ଫଣ୍ଡ ବାବଦରେ ଖର୍ଚ୍ଚ ହୋଇଥିବାର ସ୍ପଷ୍ଟୀକରଣ ଦିଆଯାଇଛି ତଥାପି ୬୮୮୧.୬୫କୋଟି ଟଙ୍କାର ହିସାବ ମିଳୁନଥିବା ଜଣାପଡ଼ିଛି। ବିଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏତେ ବଡ଼ ପରିମାଣର ସରକାରୀ ଅର୍ଥର ହିସାବ ନମିଳିବା ପଂଚାୟତିରାଜ ବିଭାଗର ପ୍ରଶାସନିକ କାର୍ଯ୍ୟଦକ୍ଷତା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପଂଚାୟତିରାଜ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୨୦୨୬-୨୭ ଆର୍ଥିକ ବର୍ଷର ଜୁଲାଇ ମାସ ଶେଷ ସୁଦ୍ଧା ୧୩୨୬୭.୦୨ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇନଥିବା ନେଇ ମହାଲେଖାକାର(ଏଜି) ଆପତ୍ତି ଉଠାଇଥିଲେ। ଆଉ ଏଜିଙ୍କ ବାରମ୍ବାର ତାଗିଦ୍ ପରେ ସେପ୍ଟେମ୍ବର ଶେଷ ସୁଦ୍ଧା ଏଥିରୁ ୬୩୮୫.୩୩ କୋଟି ଟଙ୍କାର ହିସାବ ଦେଇଛି ପଂଚାୟତିରାଜ ବିଭାଗ। ତଥାପି ବାକି ୬୮୮୧.୬୫କୋଟି ଟଙ୍କାର ହିସାବ(ୟୁସି) ଦାଖଲ କରିବାରେ ବିଭାଗ ବିଫଳ ହୋଇଛି।
ପଂଚାୟତିରାଜ ବିଭାଗ କହିଛି ଯେ, ମୋଟ ୧୩୨୬୭କୋଟି ଟଙ୍କାର ବକେୟା ମଧ୍ୟରୁ ପଂଚଦଶ ଅର୍ଥ ଆୟୋଗ ଅଧୀନରେ ୨୦୨୫-୨୬ ଆର୍ଥକ ବର୍ଷ ପାଇଁ ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଦିଆଯାଇଥିବା ମୌଳିକ ଅନୁଦାନ ବାବଦ ୨୨୬୨.୯୭ କୋଟି ଟଙ୍କା ଛାଡ଼ ପରିସରଭୁକ୍ତ ରହିଛି। ସେହିପରି କ୍ଷତିପୂରଣ ଓ ଆବଣ୍ଟନ ବାବଦ ୨୮୫.୭୪ କୋଟି ଟଙ୍କା ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା, ବିଧାୟକ ଆଂଚଳିକ ଉନ୍ନୟନ ପାଣ୍ଠି, ସିଜିଏଫ୍ ଓ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ଭଳି ଅନ୍ୟ ବିଭାଗୀୟ କାର୍ଯ୍ୟର ୨୮୨୦.୦୭ କୋଟି ଟଙ୍କାର ୟୁସି ସିଧାସଳଖ ପଂଚାୟତିରାଜ ବିଭାଗ ସହ ସମ୍ପୃକ୍ତ ନୁହେଁ।
ଏହାବ୍ୟତୀତ ୨୦୨୬-୨୭ ଆର୍ଥକ ବର୍ଷରେ ଯୋଡ଼ା ଯାଇଥିବା ୬୨୦.୫୦ କୋଟି ଟଙ୍କାର ପ୍ରମାଣପତ୍ର ଦାଖଲ ସମୟ ଏପର୍ଯ୍ୟନ୍ତ ହୋଇନଥିବାବେଳେ, ବିଭାଗ ପକ୍ଷରୁ ଦାଖଲ ହୋଇଥିବା ୩୯୬.୦୯ କୋଟି ଟଙ୍କାର ୟୁସି ଏଜିସ୍ତରରେ ଆଡଜଷ୍ଟମେଣ୍ଟ ପାଇଁ ଅଟକି ରହିଛି। ଏହି ସମସ୍ତ ରାଶିକୁ ବାଦ୍ ଦେବା ପରେ ବିଭାଗ ଉପରେ ୬୮୮୧.୬୫କୋଟି ଟଙ୍କାର ୟୁସି ବାକି ରହିଛି।
ବିଭାଗର ବର୍ଷୱାରୀ ତଥ୍ୟ ମଧ୍ୟ ଆଉ ଏକ ଚିନ୍ତାଜନକ ଚିତ୍ରକୁ ସାମ୍ନାକୁ ଆଣିଛି। ୨୦୦୩-୦୪ ଆର୍ଥକ ବର୍ଷରୁ ୨୦୧୫-୧୬ ମଧ୍ୟରେ ମୋଟ ୮୬୮.୬୯ କୋଟି ଟଙ୍କାର ୟୁସି ବକେୟା ଥିବାବେଳେ, କେବଳ ୨୦୧୫-୧୬ ମସିହାରେ ୭୦୯.୨୫ କୋଟି ଟଙ୍କା ବାକି ରହିଛି। କିନ୍ତୁ ୨୦୧୬-୧୭ ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ଏହି ବକେୟା ୟୁସି ପରିମାଣ ୧୧୭୭୭.୮୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ଅବଧି ମଧ୍ୟରେ ୨୦୧୬-୧୭ରେ ୩୫୩.୦୧ କୋଟି, ୨୦୨୦-୨୧ରେ ୨୧୦.୪୧ କୋଟି, ୨୦୨୧-୨୨ରେ ୯୫.୬୨ କୋଟି ଓ ୨୦୨୨-୨୩ରେ ୬୭୦.୩୪ କୋଟି ଟଙ୍କାର ହିସାବ ବାକି ରହିଛି।
ବିଶେଷକରି ବିଗତ ତିନି ବର୍ଷ ମଧ୍ୟରେ ଖର୍ଚ୍ଚର ହିସାବ ଦାଖଲ ପ୍ରକ୍ରିୟା ଅତ୍ୟନ୍ତ ମନ୍ଥର ହୋଇପଡ଼ିଥିବା ପରିଲକ୍ଷିତ ହେଉଛି। ୨୦୨୩-୨୪ ଆର୍ଥକ ବର୍ଷରେ ୧୫୧୦.୮୦ କୋଟି ଟଙ୍କା ଓ ୨୦୨୪-୨୫ ବର୍ଷରେ ୨୦୧୪.୬୫ କୋଟି ଟଙ୍କାର ପ୍ରମାଣପତ୍ର ବାକି ଥିବାବେଳେ ଗତ ୨୦୨୫-୨୬ ଆର୍ôଥକ ବର୍ଷରେ ସର୍ବାଧିକ ୫୩୯୨.୩୨ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇପାରି ନାହିଁ। ଏଥିସହ ଚଳିତ ୨୦୨୬-୨୭ ବର୍ଷର ୬୨୦.୫୦ କୋଟି ଟଙ୍କା ମିଶି ମୋଟ ବକେୟା ୧୩୨୬୭.୦୨ କୋଟି ଟଙ୍କାରେ ପହଂଚିଛି।
ଯୋଜନାୱାରୀ ବକେୟା ତାଲିକାକୁ ଦେଖିଲେ, ଅଣଯୋଜନା ବା କେନ୍ଦ୍ରୀୟ ଓ ରାଜ୍ୟ ଅର୍ଥ ଆୟୋଗ ପାଣ୍ଠିରେ ସର୍ବାଧିକ ୮୪୭୩.୩୯ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ ନହୋଇ ପଡ଼ିରହିଛି, ଯେଉଁଥିରେ କେବଳ ୨୦୨୫-୨୬ ଆର୍ଥକ ବର୍ଷର ୩୩୭୫.୬୦ କୋଟି ଟଙ୍କା ସାମିଲ ରହିଛି। ଦ୍ୱିତୀୟ ସର୍ବାଧିକ ଭାବେ 'ଅନ୍ୟାନ୍ୟ' ବର୍ଗ ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା, ବିଧାୟକ ପାଣ୍ଠି ଓ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ଆଦି ବାବଦରେ ୨୮୨୦.୦୭ କୋଟି ଟଙ୍କା ବାକି ରହିଛି।
ଗ୍ରାମୀଣ ଗୃହ ନିର୍ମାଣ ଭଳି ସମ୍ବେଦନଶୀଳ ଯୋଜନାରେ ମୋଟ ୧୪୭୩.୯୫ କୋଟି ଟଙ୍କାର ପ୍ରମାଣପତ୍ର ବକେୟା ଥିବାବେଳେ ସେଥିମଧ୍ୟରୁ ୨୦୦୩-୧୬ ମଧ୍ୟରେ ୩୯୬.୯୬ କୋଟି, ୨୦୨୫-୨୬ରେ ୪୭୬.୯୯ କୋଟି ଓ ୨୦୨୬-୨୭ରେ ୬୦୦ କୋଟି ଟଙ୍କାର ହିସାବ ମିଳିନାହିଁ। ସେହିପରି ଗ୍ରାମୀଣ ରୋଜଗାର ଯୋଜନା ମନରେଗା ଓ ଭିବିଜି ରାମ-ଜିରେ ୧୮୫.୨୨ କୋଟି ଟଙ୍କା ଓ ଓରମାସ ସହାୟତା ବାବଦରେ ୧୦୯.୯୫ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇ ପାରିନାହିଁ।
ସରକାରୀ ପାଣ୍ଠିର ସଠିକ୍ ବିନିଯୋଗ ଓ ଆର୍ଥକ ଶୃଙ୍ଖଳା ବଜାୟ ରଖିବା ପାଇଁ ତୃଣମୂଳ ସ୍ତରରୁ ବିନିଯୋଗ ପ୍ରମାଣପତ୍ର(ୟୁସି) ଦାଖଲ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବେ ବିଭାଗ ନିମନ୍ତେ ସବୁଠୁ ବଡ଼ ଚାଲେଞ୍ଜ ପାଲଟିଛି। ବିଭାଗର ବାରମ୍ବାର ତାଗିଦ୍ ସତ୍ୱେ ଏହି ହଜାର ହଜାର କୋଟି ଟଙ୍କାର ହିସାବ କାହିଁକି ମିଳିପାରୁନି ଓ ବିଗତ ଏକ ଦଶନ୍ଧି ମଧ୍ୟରେ ଏତେ ପରିମାଣର ଅର୍ଥ କିଭଳି ଖର୍ଚ୍ଚ ହେଲା ଓ ୟୁସି ଦାଖଲ କରିବାରେ କାହିଁକି କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଫେଲ୍ ମାରିଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
📲Get App