🔥 TRENDING Mehbooba Mufti atton Nc and pdp presid... Aligarh News:- जनपद में बड़ी कार्रवाई:... એકતાનગરમાં ભારત પર્વ-૨૦૨૬ની ભવ્ય ઉજવણી... Junior Sports Day Celebrated at The As... Helicopter Flights to Char Dham Suspen... Gold and Silver Prices in Bangalore on...
02 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ଅର୍ଣ୍ଣବ’ପରେ ପୁଣି ଆସୁଛି ଆଉ ଏକ ବାତ୍ୟା: ଉଦ୍ଧାର କାର୍ଯ୍ୟରେ ସାମିଲ ହେଲା ନୌସେନାର ଅତ୍ୟାଧୁନିକ ସେନ୍ସର, ଆଲର୍ଟରେ ପ୍ରଶାସନ

✍️ Reporter: Deepak Mahapatra 🗓 02 Nov 2026, 01:02 PM 👁 20
Share: 💬 WhatsApp 📘 Facebook 𝕏 Post
ବାତ୍ୟା ‘ଅର୍ଣ୍ଣବ’ର କ୍ଷୟକ୍ଷତି ମଧ୍ୟରେ ଆଉ ଏକ ବାତ୍ୟାକୁ ନେଇ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସହ ଆନ୍ଧ୍ର ଉପକୂଳମୁହାଁ ହେବାର ଆଶଙ୍କା ରହିଛି। ଏପଟେ ବାତ୍ୟା ‘ଅର୍ଣ୍ଟବ’ ପ୍ରଭାବରେ କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଓ ଭଞ୍ଜନଗର ସୀମାନ୍ତରେ ଘଟିଥିବା ଭୂସ୍ଖଳନ ପ୍ରଭାବିତଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ସବୁପ୍ରକାରର ବନ୍ଦୋବସ୍ତ ସହ ନୌସନାର ଅତ୍ୟାଧୁନିକ ‘ସେନ୍ସର’କୁ ନିୟୋଜିତ କରାଯାଇଛି।
ଆଜି ଏସବୁ ମଧ୍ୟରେ ବିପର୍ଯ୍ୟୟର ମୁକାବିଲା ତଥା ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ (ଏସଆରସି) କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। Cyclone Arnab ବିପର୍ଯ୍ୟୟ ପ୍ରଭାବିତ ପ୍ରତ୍ୟେକଟି ଅଂଚଳରେ ଲୋକଙ୍କ ଜୀବନ ରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ସହ ପ୍ରଶାସନର ପ୍ରତ୍ୟେକ ବିଭାଗକୁ ଯୁଦ୍ଧକାଳୀନ ଭିତ୍ତିିରେ ସଜାଗ ରହି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଥିବାବେଳେ ମାଟି ତଳେ ଫସି ରହିଥିବା ନିଖୋଜ ଲୋକଙ୍କ ସନ୍ଧାନ ପାଇଁ ସମସ୍ତ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଆରମ୍ଭ ହୋଇଛି। ଏହି ଦୁର୍ଗମ ଅଂଚଳରେ ଏନଡିଆରଏଫ, ଓଡ୍ରାଫ, ଏସଓଜି ଓ ଅଗ୍ନିଶମ ବାହିନୀ ସହ ଭାରତୀୟ ନୌସେନା ମିଳିତ ଭାବେ ଜୋରଦାର ଉଦ୍ଧାର ଅଭିଯାନ ଚଳାଇଛନ୍ତି। ସିଧାସଳଖ ଘଟଣାସ୍ଥଳରେ କାମ କରିବା ପାଇଁ ହେଲିକପ୍ଟର ଯୋଗେ ନୌସେନାର ଅତ୍ୟାଧୁନିକ ‘ସିସମିକ୍ ଲାଇଫ୍ ଡିଟେକ୍ସନ୍ ୟୁନିଟ୍‌’(Seismic Life Detection Unit ) ପହଂଚାଯାଇଛି।
ଏହି ବିଶେଷ ପ୍ରଯୁକ୍ତିରେ ଥିବା ସମ୍ବେଦନଶୀଳ ସେନ୍ସର ଓ ସ୍କାନିଂ ବ୍ୟବସ୍ଥା ମାଧ୍ୟମରେ ମାଟି, ପଙ୍କ କିମ୍ବା ଭଗ୍ନାବଶେଷ ତଳେ ଥିବା ଜୈବିକ ସଙ୍କେତ ତଥା ମାନବ ଜୀବନର ସ୍ପନ୍ଦନକୁ ସହଜରେ ଚିହ୍ନଟ କରାଯାଇପାରିବ। ଏହାସହିତ ଭୂସ୍ଖଳନ ପ୍ରଭାବିତ ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଇଷ୍ଟ କୋଷ୍ଟ ରେଳୱେ ସହାୟତାରେ ସ୍ୱତନ୍ତ୍ର ‘ଚେନ୍ ପୁଲି ସିଷ୍ଟମ୍‌’ ଘଟଣାସ୍ଥଳକୁ ପଠାଯାଉଛି।
ଭୂସ୍ଖଳନ ସ୍ଥଳର ସ୍ଥିତି ଓ ଚାଲିଥିବା ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଭଞ୍ଜନଗର ଭୂସ୍ଖଳନ ସ୍ଥାନକୁ ଗଞ୍ଜାମ ପଟୁ ପହଂଚିବା ପାଇଁ କୌଣସି ରାସ୍ତା ନାହିଁ। ସେଠାରେ ପ୍ରାୟ ୩ରୁ ୪ ଫୁଟ ପର୍ଯ୍ୟନ୍ତ ମୋଟା ପଟୁ ମାଟି ଜମି ରହିଛି। ଗୋଡ଼ ପକାଇଲେ ହିଁ ମଣିଷ କାଦୁଅ ଭିତରେ ଫସି ଯାଉଛି, ଫଳରେ ଉଦ୍ଧାରକାରୀ ଦଳ ରଶି ସାହାଯ୍ୟରେ ଅତି ସତର୍କତାର ସହ ଆଗକୁ ବଢ଼ୁଛନ୍ତି।
ଏହି ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା କରାଯାଇଛି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ରେଳ ବିଭାଗର ଦକ୍ଷ ଅଧିକାରୀ ଓ ଚେନ୍ ପୁଲିଙ୍ଗ୍ ସିଷ୍ଟମର ସହାୟତା ନିଆଯାଉଛି। ପରବର୍ତ୍ତୀ ବର୍ଷା ନହେବା ଯାଏଁ ସେମାନେ ସେଠାରେ ଉପସ୍ଥିତ ରହିବେ। ସେହିପରି ମାଟି ଓ କାଦୁଅ ଭିତରେ ଜୀବନ ଖୋଜିବା ପାଇଁ ହେଲିକପ୍ଟର ସାହାଯ୍ୟରେ ଲାଇଫ୍ ଡିଟେକ୍ସନ୍ ୟୁନିଟ୍ ବା ସିସ୍‌ମିକ୍ ସିଷ୍ଟମ୍ କାର୍ଯ୍ୟରେ ଲଗାଯାଉଛି। ଏବେ ଜି. ଉଦୟଗିରି ହେଲିପ୍ୟାଡଠାରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି ଓ ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ଏସଓଜି ଯବାନମାନଙ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି।
ସେହିପରି ଆଜି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା, ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ଆଗୁଆ ସ୍ଥାନାନ୍ତରିତ କରିବା, ପର୍ଯ୍ୟାପ୍ତ ଶୁଖିଲା ଓ ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ଔଷଧ ମହଜୁଦ ରଖିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ କ୍ଷତିଗ୍ରସ୍ତ ଅଂଚଳରେ ତୁରନ୍ତ ବିଦ୍ୟୁତ୍‌, ରାସ୍ତାଘାଟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସେବା ପୁନରୁଦ୍ଧାର କରିବା ପାଇଁ ଶକ୍ତି ଓ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ବିପର୍ଯ୍ୟୟବେଳେ ସାଧାରଣ ଲୋକ ଯେପରି ଆତଙ୍କିତ ନହୁଅନ୍ତି, ସେଥିପାଇଁ ଗଣମାଧ୍ୟମକୁ ନିର୍ଭୁଲ ଓ ପ୍ରାମାଣିକ ତଥ୍ୟ ଯୋଗାଇବା ସହ ସୋସିଆଲ ମିଡିଆରେ ଭ୍ରମାତ୍ମକ ଖବର ଉପରେ କଡ଼ା ନଜର ରଖି ତାହାକୁ ରୋକିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଆଜି ଏକ ଅବପାତର ରୂପ ନେଇଛି। ଏହା ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଗଭୀର ଅବପାତ ଓ ତା'ପରବର୍ତ୍ତୀ ୧୨ ଘଣ୍ଟାରେ ବାତ୍ୟାରେ ପରିଣତ ହୋଇ ନଭେମ୍ବର ୨ତାରିଖ ସନ୍ଧ୍ୟା ସୁଦ୍ଧା ଆନ୍ଧ୍ର ଉପକୂଳ ନିକଟ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଂଚିବ। ଏହାର ପ୍ରଭାବରେ ନଭେମ୍ବର ୩ ଓ ୪ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୭୦କିମି ବେଗରେ ପବନ ବୋହିବା ଆଶଙ୍କା ରହିଥିବାରୁ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି ହୋଇଛି । ଏଥିସହିତ କଳାହାଣ୍ଡି, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଦିଆଯାଇଛି। ନଭେମ୍ବର ୨ ସନ୍ଧ୍ୟାରୁ ୪ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି।
📲Get App