🔥 ट्रेंडिंग Mehbooba Mufti atton Nc and pdp presid... Aligarh News:- जनपद में बड़ी कार्रवाई:... એકતાનગરમાં ભારત પર્વ-૨૦૨૬ની ભવ્ય ઉજવણી... एशियन स्कूल में जूनियर स्पोर्ट्स डे का... चार धाम के लिए हेलीकॉप्टर उड़ानें नई स... बेंगलुरु में 2 नवंबर को सोना‑चांदी की...
02 नव. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ଲୁହ ନ ଶୁଖୁଣୁ ଦୁଆରମୁହଁରେ ଆଉ ଏକ ବାତ୍ୟା: ଗଞ୍ଜାମରେ ଘନଘନ ସମୀକ୍ଷା, ଡ୍ୟାମ୍ ଗେଟ୍ ଖୋଲିବାକୁ ନିଷ୍ପତ୍ତି

✍️ रिपोर्टर: Deepak Mahapatra 🗓 02 नव. 2026, 01:19 PM 👁 17
शेयर करें: 💬 WhatsApp 📘 Facebook 𝕏 Post
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବନ୍ୟା ବିପନ୍ନଙ୍କ ଆଖିରୁ ଲୁହ ଶୁଖିନଥିବାବେଳେ ଦ୍ୱାରମୁହଁରେ ଆଉ ଏକ ବିପତ୍ତି ଆସି ପହଞ୍ଚିଛି। 'ଅର୍ଣ୍ଣବ' ବାତ୍ୟା ଓ ବନ୍ୟା କ୍ଷତିର ମାଡ଼ ଭିତରେ ଏବେ ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ଓ ପ୍ରସ୍ତୁତି ଆରମ୍ଭ ହୋଇଛି।
ଜଳଭଣ୍ଡାରରୁ ପାଣି ନିଷ୍କାସନ, ସତର୍କ ସୂଚନା
ସମ୍ଭାବ୍ୟ ବର୍ଷାକୁ ଆଖି ଆଗରେ ରଖି ଜଳଭଣ୍ଡାରଗୁଡ଼ିକର ଜଳସ୍ତର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଇଛି। ଘୋଡ଼ାହାଡ଼, ବାଘଲଟି, ବାଘୁଆ ଓ ଡହ ଜଳଭଣ୍ଡାର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଶେଷକରି ବାଘୁଆ ଜଳଭଣ୍ଡାରରେ ଜଳସ୍ତର ୮୦ ପ୍ରତିଶତ ରହିଥିବାରୁ ଏହାକୁ ୬୦ ପ୍ରତିଶତକୁ ସୀମିତ ରଖିବା ପାଇଁ ଗୋଟିଏ ଗେଟ୍ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଭଞ୍ଜନଗର ଜଳଭଣ୍ଡାରରୁ ମଧ୍ୟ ଯେକୌଣସି ମୁହୂର୍ତ୍ତରେ ପାଣି ଖଲାସ ହୋଇପାରେ। ବାଘଲଟି ଓ ଘୋଡ଼ାହାଡ଼ ଡ୍ୟାମ୍ ପକ୍ଷରୁ ଡାକବାଜି ଯନ୍ତ୍ର ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି।
ତଳିଆ ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତର ଓ ସ୍କୁଲ୍ ଛୁଟି
ନଭେମ୍ବର ୨ରୁ ୪ ତାରିଖ ମଧ୍ୟରେ ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ, ଗତକାଲି ବିଳମ୍ବିତ ରାତିରେ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ଆଭାସୀ ବୈଠକ ବସିଥିଲା। ବନ୍ୟାରେ ଜଳବନ୍ଦୀ ହୋଇଥିବା ୭୩ଟି ଗାଁକୁ ପ୍ରାଥମିକତା ଦିଆଯାଇ ତଳିଆ ଓ ନଦୀକୂଳ ଅଞ୍ଚଳରୁ ଲୋକଙ୍କୁ ପୁଣିଥରେ ବାତ୍ୟା ଆଶ୍ରୟସ୍ଥଳକୁ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଗର୍ଭବତୀ, ଶିଶୁ, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିମାନଙ୍କୁ ଆଗୁଆ ସ୍ଥାନାନ୍ତର କରାଯାଉଛି। ସୁରକ୍ଷା ଦୃଷ୍ଟିକୋଣରୁ ନଭେମ୍ବର ୩ ତାରିଖ ଯାଏଁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି।
କାର୍ଯ୍ୟାନୁଷ୍ଠାନ ଓ ପ୍ରଶାସନିକ ପ୍ରସ୍ତୁତି
ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ଧରାକୋଟ ଯୋଗାଣ ନିରୀକ୍ଷକ ବାଳକୃଷ୍ଣ ନାୟକ ଏବଂ ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତରିଗାଁ ପଞ୍ଚାୟତର ପିଇଓ ସତ୍ୟନାରାୟଣ ପଣ୍ଡାଙ୍କୁ ନିଲମ୍ବନ କରାଯାଇଛି। ଏହାଛଡ଼ା ଶେରଗଡ଼ ବ୍ଲକ୍ ବ୍ରାହ୍ମଣଛାଇ ପଞ୍ଚାୟତ ପିଇଓ ଅନୁଜ ଗୌଡ଼ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି।
ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ଯେ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ରାଜ୍ୟସ୍ତରରୁ ୨୦୦ରୁ ଅଧିକ ଅତିରିକ୍ତ ଅଧିକାରୀ ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ନିୟୋଜିତ ହୋଇଛନ୍ତି। ଜନସାଧାରଣ କୌଣସି ପରିସ୍ଥିତିରେ ଭୟଭୀତ ନ ହୋଇ ପ୍ରଶାସନକୁ ସହଯୋଗ କରିବାକୁ ଏବଂ ଜରୁରୀକାଳୀନ ସହାୟତା ପାଇଁ କଣ୍ଟ୍ରୋଲ୍ ରୁମ୍ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
📲Get App