🔥 ट्रेंडिंग जिला प्रभारी डॉ. सत्येन्द्र सिन्हा ने... માંગરોળમાં કિસાન સન્માન નિધિના 24મો હપ... केंद्रीय कृषि मंत्री शिवराज सिंह चौहान... અમદાવાદમાં 570 કરોડના ખર્ચે 175 મીટર ઊ... वाराणसी में समाजवादी व्यापार सभा का 18... कैबिनेट ने 40,000 करोड़ की मंजूरी दी,...
30 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ବାତ୍ୟା ‘ଅର୍ଣ୍ଣବ’ ଆଣିଲା ଜଳପ୍ରଳୟ: ସ୍ଥିତି ଅନୁଧ୍ୟାନ ପାଇଁ ଆସିବେ କେନ୍ଦ୍ରୀୟ ଟିମ୍‌, ଆସନ୍ତାକାଲି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

✍️ रिपोर्टर: Deepak Mahapatra 🗓 30 अक्टू. 2026, 03:36 PM 👁 18
शेयर करें: 💬 WhatsApp 📘 Facebook 𝕏 Post
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ଓ ବାଦଲଫଟା ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ଜଳପ୍ରଳୟ ସୃଷ୍ଟି ହୋଇଛି। ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ସମେତ ପ୍ରାୟ ୯ଟି ଜିଲ୍ଲାରେ ହଠାତ୍ ପ୍ରଳୟଙ୍କରୀ ବନ୍ୟା ଜଳ ମାଡ଼ିଆସି ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଭାବିତ ଲୋକଙ୍କୁ ସୁରକ୍ଷା ଓ ଉଦ୍ଧାର ଜାରି ରହିଛି। ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ସହରାଂଚଳରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ଏହି ପ୍ରାକୃତିକ ବିପର୍ଯ୍ୟୟର କ୍ଷୟକ୍ଷତି ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଦିନ ୧୨ଟାରେ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଆକାଶମାର୍ଗରୁ ବର୍ଷାଜନିତ ବନ୍ୟା ପରିସ୍ଥିତି ଓ କ୍ଷୟକ୍ଷତିର ସମୀକ୍ଷା କରିବେ। ଏହାସହିତ ଖୁବଶୀଘ୍ର ଏକ କେନ୍ଦ୍ରୀୟ ଟିମ୍ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି। ଏହି ସଙ୍କଟ ସମୟରେ କେନ୍ଦ୍ର ସରକାର ରାଜ୍ୟ ସହ ନିରନ୍ତର ସମ୍ପର୍କରେ ରହି ସମସ୍ତ ପ୍ରକାରର ଆବଶ୍ୟକ ସହାୟତା ଯୋଗାଇ ଦେଉଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଦିନତମାମ୍ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ କାର୍ଯ୍ୟାଳୟରେ ଥିବା ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷରୁ ମୁଖ୍ୟ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ମାରାଥନ୍ ବୈଠକ କରି ସ୍ଥିତିର ତଦାରଖ କରିଛନ୍ତି। ପ୍ରଭାବିତ ଲୋକଙ୍କ ନିକଟରେ ସହାୟତା ପହଂଚାଇବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଦୁର୍ଗମ ସ୍ଥାନରେ ପ୍ରଖର ଜଳସ୍ରୋତ ଯୋଗୁଁ ଉଦ୍ଧାରକାରୀ ଦଳ ପହଂଚିପାରୁ ନାହାନ୍ତି, ସେଠାରେ ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ସହାୟତାରେ ଲୋକଙ୍କୁ ଏୟାରଲିଫ୍ଟ କରାଯାଇ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି।
ପ୍ରଶାସନର ତଦାରଖକୁ ବ୍ୟାପକ କରିବା ପାଇଁ କୋରାପୁଟରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାୟଗଡ଼ାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଗଞ୍ଜାମରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଗଜପତିରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କଳାହାଣ୍ଡିରେ ମୁକେଶ ମହାଲିଙ୍ଗ ଓ କନ୍ଧମାଳରେ ମନ୍ତ୍ରୀ ରବି ନାରାୟଣ ନାଏକ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।
କୋରାପୁଟ ଜିଲ୍ଲାରେ ପଟ୍ଟାଙ୍ଗି-ଗାଲିଗବଦର ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା, ଯାହାକି ଏବେ ସ୍ୱାଭାବିକ ହୋଇଛି। ଗଜପତି ଜିଲ୍ଲାର ମୋହନା, ଉଦୟଗିରି ଓ ରାୟଗଡ଼ ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ ୪ଟି ସ୍ଥାନରେ ରାସ୍ତା ବନ୍ଦ ହୋଇଯାଇଥିବାବେଳେ ଜଳସ୍ତର ଅନୁଧ୍ୟାନ କରାଯାଇ ଆବଶ୍ୟକ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଜାରି ରହିଛି।
ବନ୍ୟା ଓ ବର୍ଷା ଯୋଗୁଁ ରାଜ୍ୟ ସରକାର ଅଧିକ ସତର୍କତା ଅବଲମ୍ବନ କରି ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି।ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମର ପାତ୍ରପୁରରେ ସର୍ବାଧିକ ୫୪୬ ମିଲିମିଟର ଓ କନ୍ଧମାଳର ଜି.ଉଦୟଗିରିରେ ୪୬୨.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗଞ୍ଜାମରୁ ୧୧୮୮୨, ଗଜପତିରୁ ୧୭୪୪୧, ମାଲକାନଗିରିରୁ ୧୫୪୭୭ ଓ ନବରଙ୍ଗପୁରରୁ ୧୦୫୧୯ ଜଣଙ୍କ ସମେତ ରାଜ୍ୟବ୍ୟାପୀ ମୋଟ ୫୯୦୨୮ ଜଣ ଲୋକଙ୍କୁ ୮୩୦ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ରନ୍ଧା ଖାଦ୍ୟ, ପାନୀୟ ଜଳ, ଚୁଡ଼ା, ଗୁଡ଼ ଓ ପଲିଥିନ୍ ଯୋଗାଇ ଦିଆଯାଉଛି।
ସେହିପରି ପ୍ରଶାସନର ସମୟୋଚିତ ପଦକ୍ଷେପ ଯୋଗୁ ଏପର୍ଯ୍ୟନ୍ତ ବିପଦସଙ୍କୁଳ ଅଂଚଳରୁ ୩୦୦୧ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇପାରିଛି ତଥା ସେମାନଙ୍କ ମଧ୍ୟରୁ ୧୧୮୮ ଜଣ ମାଆ ନିରାପଦରେ ସନ୍ତାନ ପ୍ରସବ କରିଛନ୍ତି।
ପ୍ରଭାବିତ ଅଂଚଳରେ ଉଦ୍ଧାର କାର୍ଯ୍ୟରେ ୬୦ଟି ଓଡ୍ରାଫ୍‌, ୯ଟି ଏନଡିଆରଏଫ୍ ଓ ୨୪୪ଟି ଅଗ୍ନିଶମ ଓ ଜରୁରୀକାଳୀନ ସେବା ବାହିନୀ ନିୟୋଜିତ ରହି ଗଛ କାଟି ରାସ୍ତା ସଫା କରିବା ସହ ୨୪ ଘଣ୍ଟା କାର୍ଯ୍ୟରତ ଅଛନ୍ତି। ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକର ୨୯୯ଟି ଗ୍ରାମ ପ୍ରଭାବିତ ହୋଇଥିବାବେଳେ ୪ଟି ଏସଆରସି ପାୱାର୍ ବୋଟ୍ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କଳିଙ୍ଗା ଘାଟି ସମେତ ବିଭିନ୍ନ ନଦୀ ଉପରେ କଡ଼ା ନଜର ରଖାଯାଇଛି।
ଗଜପତି ଜିଲ୍ଲାରେ ୭୧୧ଟି ଗ୍ରାମ ପ୍ରଭାବିତ ହୋଇଛି। ଗୋଟା ବ୍ୟାରେଜ୍ ଓ ବଡ଼ନାଳର ସ୍ଥିତିକୁ ନିରୀକ୍ଷଣ କରାଯାଉଛି। ଏଠାରେ ବଂଶଧାରା ନଦୀର ଜଳସ୍ତର ୫୨.୫ ମିଟର ରହିଛି, ଯାହା ବିପଦ ସଙ୍କେତ ୫୪.୧୦ ମିଟର ଠାରୁ କମ୍ ରହିଛି। ରାୟଗଡ଼ାରେ ମଧ୍ୟ ୧୩୪ଟି ଆଶ୍ରୟସ୍ଥଳୀ ସହ ଗୁଣପୁର, ଗୁଡ଼ାରୀ ଓ କେ.ସିଂହପୁରରେ ପାୱାର୍ ବୋଟ୍ ମୁତୟନ କରାଯାଇଛି।
ବନ୍ୟା ପ୍ରଭାବରେ ଯୋଗାଯୋଗ ଓ ବିଦ୍ୟୁତ ସେବା ଗୁରୁତର ବାଧାପ୍ରାପ୍ତ ହୋଇଛି। ବିଶାଖାପାଟଣା ଡିଭିଜନର ଇଚ୍ଛାପୁରମ-ଝଡୁପୁଡ଼ି ରେଳଧାରଣା ଜଳମଗ୍ନ ହେବାରୁ ୯ଟି ଟ୍ରେନକୁ ବାତିଲ ଓ ୧୪ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ଓଡ଼ିଶାର ୫ଟି ସ୍ଥାନରେ ଅଟକି ରହିଥିବା ଯାତ୍ରୀମାନଙ୍କୁ ସମସ୍ତ ଜରୁରୀ ସୁବିଧା ଯୋଗାଇ ଦିଆଯାଉଛି। ସେହିପରି ବିପର୍ଯ୍ୟସ୍ତ ବିଦ୍ୟୁତ ଭିତ୍ତିଭୂମିକୁ ସଜାଡ଼ି ପ୍ରଭାବିତ ୩୧୬ଟି ୩୩ କେଭି ସବଷ୍ଟେସନ ମଧ୍ୟରୁ ୨୯୮ଟିକୁ କାର୍ଯ୍ୟକ୍ଷମ କରାଯାଇ ପ୍ରାୟ ୮୪ପ୍ରତିଶତ ବିଦ୍ୟୁତ ସଂଯୋଗ ପୁନଃସ୍ଥାପିତ ହୋଇସାରିଛି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଖୁବଶୀଘ୍ର ପରିସ୍ଥିତି ସ୍ୱାଭାବିକ ହେବ ଓ ଜନସାଧାରଣ ଧୈର୍ଯ୍ୟ ରଖି ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଅନୁରୋଧ କରିଛନ୍ତି।
📲Get App